‘ଏନ୍ଆରଏଚ୍ଏମ୍’ର ଓପିଡି ଓ ଆଇପିଡି ନିର୍ମାଣ କାର୍ଯ୍ୟ କେବେ ସରିବ? – bajravana
[ad_1]
ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ର ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅନତି ଦୂରରେ ଥିବା ଅପେରା ପଡିଆ ନିକଟରେ ଏନ ଆର ଏଚ ଏମ ବିଭାଗ ତଦାରଖରେ ନିର୍ମାଣଧୀନ ନୂତନ ଓପିଡି ଆଇପିଡି କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଛି। ସୂଚନା ଫଳକ ତଥ୍ୟ ଆଧାରରେ ୧ କୋଟି ୩୯ ଲକ୍ଷ ୮୫ ହଜାର ଟଙ୍କା ଅଟକଳ ମୂଲ୍ୟର ନିର୍ମାଣଧୀନ ଉକ୍ତ ଓପିଡି ଓ ଆଇପିଡି କମ୍ପ୍ଲେକ୍ସ ର କାର୍ଯ୍ୟ ସମାପ୍ତ ଅବଧି ଗତ ବର୍ଷ ୨୦୨୨ ମସିହା ଅଗଷ୍ଟ ମାସ ୮ତାରିଖରୁ ସମାପ୍ତ ହୋଇସାରିଛି। ମାତ୍ର ବିଡମ୍ବନାର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଓପିଡି ଆଇପିଡିର ଅନ୍ୟୁନ ଅର୍ଦ୍ଧେକ କାମ ଅସମ୍ପୂର୍ଣ ରହିଛି।
ଏଠାରେ ପ୍ରକାଶ ଥାଉକି ସମସ୍ତ ନାଗରିକ ସ୍ୱାସ୍ଥ୍ୟ ସେବା ପାଇବା ମୌଳିକ ଅଧିକାର ମଧ୍ୟରୁ ଅନ୍ୟତମ। ରାଇରଙ୍ଗପୁର ବ୍ଲକର ଅନ୍ୟତମ ମୁଖ୍ୟ ଚିକିତ୍ସାଳୟ ଭାବେ ଗୋରୁମହିଷାଣୀ ସିଏଚସି ପରିଚିତ। ଏହା ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ପରିଗଣିତ ହେଉଥିଲା। ପରବର୍ତ୍ତୀ ସମୟରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହେବାରୁ ସରକାରଙ୍କ ଦ୍ୱାରା ଏହା ସିଏଚସି ଭାବେ ରୂପାନ୍ତରିତ ହୋଇଛି। ରାଇରଙ୍ଗପୁର ବ୍ଲକର ଉକ୍ତ ସିଏଚସି ଉପରେ ନିର୍ଭରଶିଳ ବଡମଉଦା ପଂଚାୟତର ୪ହଜାର ୮ଶହ, ଗୁହାଳଡାଙ୍ଗିରି ପଂଚାୟତ ର ୬ହଜାର ୯ଶହ, ହାତିଆ ପଂଚାୟତର ୩ହଜାର ୬ଶହ, କୁଲେଇଶିଳା ପଂଚାୟତ ର ୭ ହଜାର ୫ ଶହ ତଥା ସୁଦର୍ଶନପୁର ପଂଚାୟତର ୫ ହଜାର ୭ ଶହ ରୁ ଅଧିକ ତା ସହିତ ପଡ଼ୋଶୀ ବିଜାତଲା ଓ ବହଳଦା ବ୍ଲକ୍ର ଜନସାଧାରଣ ଏହି ସିଏଚସି ଉପରେ ନିର୍ଭରଶୀଳ।
ଦୀର୍ଘଦିନ ଧରି ଉକ୍ତ ସିଏଚସିରେ ଡାକ୍ତର ସମସ୍ୟା ଲାଗି ରହିଥିଲା। ଏବେ ତାହାର ସମାଧାନ ସରକାରଙ୍କ ଦ୍ୱାରା କରାଯାଇ ଯଦିଓ କେହି ବିଶେଷଜ୍ଞ ଡାକ୍ତର ନାହାନ୍ତି କିନ୍ତୁ ଏବେ ୭ ଜଣ ଡାକ୍ତର ରୋଗୀ ସେବା ଲାଗି ନିୟୋଜିତ ଅଛନ୍ତି । ବିଡମ୍ବନାର ବିଷୟ ଅନୁନ୍ୟ ୩୦ହଜାର ଜନସାଧାରଣ ଙ୍କ ନିମନ୍ତେ ସିଏଚସି ରେ ୮ଗୋଟି ଶଯ୍ୟା ଅଛି । ତେଣୁ ବାଧ୍ୟ୍ୟ ହୋଇ ଅନେକ ସମୟରେ ରୋଗୀ ମାନଙ୍କୁ ଭୂମି ରେ ଶୋଇ ଚିକିତ୍ସା କରାଯିବାର ପରିଲକ୍ଷିତ ହୁଏ । ଏହାର ନିରାକାରଣ ପାଇଁ ସରକାର ଉକ୍ତ ସିଏଚସି ପରିସରରେ ସ୍ଥାନ ଅଭାବରୁ ଅନତି ଦୂରରେ ଥିବା ଅପେରା ପଡିଆ ନିକଟରେ ଓପିଡି ଆଇପିଡି ନିର୍ମାଣ କାର୍ଯ୍ୟ ୨୦୨୧ ମସିହା ନଭେମ୍ବର ମାସ ରେ ଆରମ୍ଭ କରାଯାଇଛି। ମାତ୍ର ଇତି ମଧ୍ୟରେ କାର୍ଯ୍ୟ ସମାପ୍ତ ଅବଧିର ବର୍ଷେରୁ ଅଧିକ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କଛପ ଗତିରେ ଚାଲିବା ଅଂଚଳବାସୀଙ୍କୁ ମର୍ମାହତ କରିଛି।
ଏନଆରଏଚଏମ ବିଭାଗର କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀମାନଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ଥିବାର ସାଧାରଣ ରେ ଆଲୋଚନା ହୁଏ। ଆଗକୁ ନିର୍ବାଚନ ଋତୁ ସାଙ୍ଗକୁ ଗ୍ରୀଷ୍ମ ଋତୁ ଆସୁଛି। ପ୍ରଚଣ୍ଡ ରୌଦ୍ରତାପ ଫଳରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ଅଧିକ। ଏପରି ସ୍ଥଳେ ସିଏଚସିରେ ଥିବା ୮ ଗୋଟି ଶଯ୍ୟା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଓପିଡି ଆଇପିଡି ନିର୍ମାଣ କରୁଥିବା ଠିକାଦାରଙ୍କ ମନମୁଖୀ ମନ୍ଥର କାର୍ଯ୍ୟ ସମାପ୍ତ କରିବାକୁ ଆହୁରି ୬ ମାସରୁ ଅଧିକ ଲାଗିବ ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ସମ୍ପୃକ୍ତ ଠିକାଦାର ଓ କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀମାନେ ସମପରିମାଣରେ ଦାୟୀ ବୋଲି ବୁଦ୍ଧିଜୀବୀମାନେ ମତାମତ ଦେଇଛନ୍ତି। ସେମାନଙ୍କ କହିବା ମୁତାବକ ଯଦି କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀମାନେ ସମ୍ପୃକ୍ତ ଠିକାଦାର ଙ୍କୁ ଅବଧି ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ତାଗିଦ କରିଥାନ୍ତେ ତେବେ ଗତ ବର୍ଷ ୨୦୨୨ ମସିହା ଅଗଷ୍ଟ ମାସରୁ କାର୍ଯ୍ୟ ସମାପ୍ତ ହୋଇ ବର୍ତମାନ ରୋଗୀ ସେବା ସମ୍ଭବ ହୋଇପାରିଥାନ୍ତା। ମାତ୍ର ଏନଆରଏଚଏମ ବିଭାଗର ସ୍ୱାସ୍ଥ୍ୟ ସେବା ପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉଦାସୀନତା ମନଭାବ ଫଳରେ କାର୍ଯ୍ୟଟି ବର୍ତମାନ ପର୍ଯ୍ୟନ୍ତ ଅସମ୍ପୂର୍ଣ ହୋଇ ପଡ଼ିରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଉକ୍ତ ଓପିଡି ଆଇପିଡିର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଅଧିକାରୀମାନଙ୍କୁ କଚିତ ଦେଖାଯାଇଥାଏ। ତେଣୁ କାର୍ଯ୍ୟର ନିର୍ମାଣ ଶୈଳୀ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସମ୍ୱନ୍ଧରେ ଏନଆରଏଚଏମ ବିଭାଗର କୌଣସି ଅଧିକାରୀ ଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ତେବେ ଅଂଚଳବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସେବା ସ୍ୱାସ୍ଥ୍ୟ ସେବା ନିମନ୍ତେ ତୁରନ୍ତ ଉକ୍ତ ଓପିଡି ଆଇପିଡିକୁ ସମ୍ପୂର୍ଣ୍ଣକରଣ କରି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି।
[ad_2]