ମୋ ସ୍କୁଲ ପରିଚାଳନା ପରିଷଦ ବୈଠକ: ଏକ୍ସପୋଜର୍ ଭିଜିଟ୍ରେ ଯିବେ ଛାତ୍ରଛାତ୍ରୀ – bajravana
[ad_1]
୩୨୭୩ଟି ବିଦ୍ୟାଳୟ ପାଇଁ ୧୧୮କୋଟି ପ୍ରଦାନ
ଭୁବନେଶ୍ୱର: ‘ମୋ ସ୍କୁଲ ଅଭିଯାନ’ର ପରିଚାଳନା ପରିଷଦ ବୈଠକ ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ’ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମର ପ୍ରଚଳନ, ତତ୍ତ୍ୱାବଧାନ ଓ ପର୍ଯ୍ୟାଲୋଚନା ସହ ‘ମୋ ସ୍କୁଲ’ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ସୁନିଶ୍ଚିତ କରିବାକୁ ବିଦ୍ୟାଳୟରେ ବିଦ୍ୟାର୍ଥୀ କ୍ଲବ୍ର ସଠିକ୍ ପ୍ରଚଳନକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ କ୍ଲବ୍ ପାଠ୍ୟକ୍ରମର ଏକ ଅଂଶ ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣୀୟ ଭ୍ରମଣ(ଏକ୍ସପୋଜର ଭିଜିଟ୍)ର ସୁବିଧା ଯୋଗାଇ ଦେବାକୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ଏବଂ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଏହି କ୍ଲବ୍ ସିଷ୍ଟମକୁ ଅଧିକ ପ୍ରସାରିତ କରିବାକୁ ଆଗାମୀ ଶିକ୍ଷାବର୍ଷଠାରୁ ସହଭାଗିତାକୁ ଅଧିକ ସଦୃଢ଼ କରାଯିବ। ଏଥିସହ ୪ଟି କ୍ଲବ୍ ପ୍ରଚଳନରେ ସହଯୋଗ କରିଥିବା ସହଯୋଗୀଙ୍କ ସହ ପ୍ରତି ୨ ମାସକୁ ଥରେ ବୈଠକ ଆୟୋଜନ ଉପରେ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ ଏସ୍ ଗୁରତ୍ୱାରୋପ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମତୀ ବାଗ୍ଚୀ କହିଲେ ‘ମୋ ସ୍କୁଲ’ମାଧ୍ୟମରେ ବିଭିନ୍ନ କର୍ପୋରେଟ୍ ସଂସ୍ଥା ସହଯୋଗରେ ବିଦ୍ୟାର୍ଥୀ କ୍ଲବ୍କୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ବାସ୍ତବ ରୂପ ଦିଆଯାଇପାରିବ। ନିରନ୍ତର ଭାବେ ବିଦ୍ୟାଳୟ ଶିକ୍ଷଣ ଓ ଭିତ୍ତିଭୂମିରେ ବିକାଶ ହେଉଛି। ଏ ଦିଗରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇପାରିଛି। ବିଦ୍ୟାଳୟ କମିଟିଗୁଡ଼ିକ ସହାୟତାରେ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣା ଦିଗରେ ‘ମୋ ସ୍କୁଲ’ କାର୍ଯ୍ୟ କରିବ ବୋଲି ପରିଚାଳନା ପରିଷଦ ନିଷ୍ପତ୍ତି ନେଇଛି। ଗତ ୬ମାସରେ ୩୯ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇ ସେବା ଓ ଶ୍ରମ ପ୍ରଦାନ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ‘ମୋ ସ୍କୁଲ’ ସହ ଯୋଡ଼ି ହୋଇ ଶିକ୍ଷାର ସର୍ବାଙ୍ଗୀନ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛି। ସେହିପରି ବିଦ୍ୟାଳୟ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମ ଅଧୀନରେ ମୋଟ ୧୩୮୦ଟି ବିଦ୍ୟାଳୟକୁ ସରକାରୀ ସ୍କୁଲରେ ପାଠ ପଢ଼ିଥିବା ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ପୋଷ୍ୟ ଭାବେ ଗ୍ରହଣ କରି ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ‘ମୋ ସ୍କୁଲ’ର ବିଭିନ୍ନ ସହଯୋଗୀଙ୍କ ସହଭାଗିତାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରାଯିବ। ସେମାନଙ୍କର ପାଠ୍ୟକ୍ରମ ଓ ସହ-ପାଠ୍ୟକ୍ରମ ରୁଚି ଆଧାରିତ ଭବିଷ୍ୟତ ଗଠନରେ ଏହା ବିଶେଷ ଭାବେ ସହାୟକ ହେବ। ବୈଠକରେ ବିଭାଗୀୟ ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ପଛୁଆ ବର୍ଗ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଟୁକୁ ବାରିକ, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଢ଼େଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ମୋ ସ୍କୁଲର ମୁଖ୍ୟ ପରିଚାଳନା ଅଧିକାରୀ ରାଜଲକ୍ଷ୍ମୀ ଦାଶ, ଭାରପ୍ରାପ୍ତ ଆଧିକାରୀ ମଣୀପ୍ରସାଦ ମିଶ୍ରଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ।
[ad_2]