ଅପ୍ରତ୍ୟାଶିତ ଆଇଏମ୍ ‘ସମ୍ବିତ ପଣ୍ଡା’: ଜିଏମ୍ ଟାଇଟଲ୍ ଓ ୨୬୦୦ ରେଟିଂର ସ୍ବପ୍ନ – bajravana
[ad_1]
ଭୁବନେଶ୍ବର: ଚେସ୍ ଦୁନିଆରେ ସେ ନିରବ ସାଧକ, ସୁପ୍ତ ଖେଳ ଜୀବନରୁ ଅପ୍ରତ୍ୟାଶିତ ଅନ୍ତର୍ଜାତୀୟ ମାଷ୍ଟର୍ (ଆଇଏମ୍)। ରାଜ୍ୟର ସଦ୍ୟତମ ଆଇଏମ୍ ଟାଇଟଲ୍ ବିଜେତା, କିନ୍ତୁ ତାଙ୍କ ସମ୍ପର୍କରେ ଖୁବ୍ କମ୍ ଆଲୋଚନା ହୋଇଛି। ୧୩ ବର୍ଷ ତଳେ କୋମଳ ବୟସରେ ଜାତୀୟ ୭ବର୍ଷରୁକମ୍ ବାଳକ ବର୍ଗରେ ବିଜେତା ହେବା ପରଠାରୁ ସେ ନିଜ ଖେଳ ଜୀବନକୁ ଏକ ପ୍ରକାର ଫ୍ରିଜ୍ କରି ରଖିଥିଲେ। ପାଠପଢ଼ା ପ୍ରତି ଏକାଗ୍ର ହୋଇ ଖେଳଠାରୁ ସାମୟିକ ଦୂରେଇ ଯାଇଥିଲେ। କିନ୍ତୁ ଚେସ୍ ପ୍ରତି ଥିବା ତାଙ୍କ ପ୍ରତିଜ୍ଞା ଓ ଭଲ ପାଇବା ପୁଣି ତାଙ୍କୁ ଚଉଷଠି ବର୍ଗକ୍ଷେତ୍ରକୁ ଟାଣି ଆଣିଥିଲା। ମାତ୍ର ୮ ମାସ ଭିତରେ ୩ଟି ଯାକ ନର୍ମ ଏବଂ ଆଇଏମ୍ ଟାଇଟଲ୍ ଜିତି ବଡ଼ ଲମ୍ଫ ମାରି ଦେଇଥିଲେ। ଏବେ ଆହୁରି ବଡ଼ ଯୋଜନା ଓ ଲକ୍ଷ୍ୟ ରଖିଥିବା ଏହି ଯୁବ ତାରକା ଜଣକ ହେଲେ ସମ୍ବିତ ପଣ୍ଡା। ରାଜ୍ୟର ନବମ ଅନ୍ତର୍ଜାତୀୟ ମାଷ୍ଟର୍। ରବିବାର ‘ସମ୍ବାଦ’ ସହ ଏକ ଅନ୍ତରଙ୍ଗ ଆଳାପ ବେଳେ କହିଛନ୍ତି ଚେସ୍ ଦୁନିଆର ଭବିଷ୍ୟତ ଏବଂ ଆଶା ଆଶଙ୍କାର କଥା।
Sambad is now on WhatsApp
Join and get latest news updates delivered to you via WhatsApp
ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ଆବିର୍ଭାବ ହୋଇଥିଲା ସମ୍ବିତଙ୍କ ଚେସ୍ ଜୀବନ। ୨୦୧୧ ମସିହାର କଥା। ରାଜ୍ୟ ୭ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ୍ରେ ପରାସ୍ତ ହେବା ପରେ ମା’ ବିଜୟଲକ୍ଷ୍ମୀଙ୍କଠାରୁ ପାଇଥିବା ତାଗିଦ ଓ ଗାଳି ତାଙ୍କୁ ଏତେ ଦୃଢ଼ମନା କରି ଦେଇଥିଲା ଯେ ସେ ପରବର୍ତ୍ତୀ ୬ ରାଉଣ୍ଡ୍ରେ ସିଧାସଳଖ ଜିତି ମୁକୁଟ ହାତେଇଥିଲେ। ସେଦିନର ସେହି ଦ୍ବିତୀୟ ଷ୍ଟାଣ୍ଡାର୍ଡର ଛାତ୍ରଟିର ସଙ୍କଳ୍ପ ଏତିକିରେ ସୀମିତ ରହିଯାଇ ନଥିଲା। ଏହି ପ୍ରଦର୍ଶନ ଆଧାରରେ ପୁଣେରେ ଅନୁଷ୍ଠିତ ଜାତୀୟ ୭ ବର୍ଷରୁ କମ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେଠାରେ ବିଜେତା ହୋଇ ରାଜ୍ୟ ପାଇଁ ଅପୂର୍ବ ଗୌରବ ଆଣିଥିଲେ। ସେବେଠାରୁ ଚେସ୍ ପାଲଟିଯାଇଛି ସମ୍ବିତଙ୍କ ଜୀବନ। ପରିବାରର ଏକମାତ୍ର ସନ୍ତାନ ହୋଇଥିବାରୁ ପାଠ ପଢ଼ା ଉପରେ ସ୍ବାଭାବିକ ଚାପ ଥିଲା। ସମ୍ବିତ କିନ୍ତୁ ଭଲ ଛାତ୍ର ଥିବାରୁ ଖେଳ ଓ ପଢ଼ାକୁ ଠିକ୍ ଭାବେ ପରିଚାଳନା କରିନେଉଥିଲେ। ଆଦ୍ୟ ଜୀବନର ଘଟଣାକୁ ମନେ ପକାଇ ତାଙ୍କ ମା’ ବିଜୟଲକ୍ଷ୍ମୀ କୁହନ୍ତି ‘‘ମୁଁ କେବେ ଭାବି ନଥିଲି ସମ୍ବିତ ଏତେବାଟ ଯିବ ବୋଲି। ଆମ ଘରେ ଆଗରୁ କେହି ଚେସ୍ ଖେଳୁ ନଥିଲେ। ଏସ୍ଆର୍ ଚେସ୍ ସେଣ୍ଟର୍ ମୋ ପୁଅ ପାଇଁ ଲକି ସାବ୍ୟସ୍ତ ହୋଇଥିଲା। ଶୁଭାଶିଷ ସାର୍ଙ୍କ ମାର୍ଗଦର୍ଶନ ତାଙ୍କୁ ଚେସ୍ ଖେଳାଳି ଭାବେ ଗଢ଼ିଥିଲା। ଚେସ୍ ଖେଳିବା ବେଳେ ସେ ବହୁତ ଚିନ୍ତାକରିଥାଏ, ଏଥି ପାଇଁ ଥରେ ସେ ଜାତୀୟ ପଦକ ହାତଛଡ଼ା ବି କରିଥିଲା। କିନ୍ତୁ କୋଭିଡ୍ ସହିତ ଅନ୍ୟ ଦୁଇ ବର୍ଷ ଅବହେଳା ହୋଇ ନଥିଲେ ସେ ବହୁ ଆଗରୁ ନିଶ୍ଚିତ ଆଇଏମ୍ ହୋଇସାରିଥାନ୍ତା’’।
ଦ୍ବାଦଶ ପଢ଼ା ଶେଷ ହେବା ଏବଂ ରାଜ୍ୟ ସରକାରଙ୍କ ସମର୍ଥନ କାରଣରୁ ସମ୍ବିତ ଏବେ ବଡ଼ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ‘‘ବର୍ଷକ ଭିତରେ କିମ୍ବା ୨୦୨୫ ଭିତରେ ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ହାସଲ କରିବାକୁ ଯୋଜନା କରିଛି। ଅନ୍ୟୁନ ୨୬୦୦ ପଏଣ୍ଟ ଛୁଇଁବା ପରେ ଚେସ୍ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି। ଆଇଏମ୍ ହେବା ପରେ ୨୦୨୩ ବର୍ଷ ମୋ ପାଇଁ ସେତେଟା ଭଲ ବିତି ନଥିଲା। ଅଧିକାଂଶ ପ୍ରତିଯୋଗିତାରେ ଶୀର୍ଷ ୧୦ରେ ରହୁଥିଲେ ମଧ୍ୟ ଟ୍ରଫି ଜିତିପାରି ନଥିଲି। ୨୦୨୪ ଆରମ୍ଭରୁ ଭଲ ବିତିଛି। ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ (ଜିଏମ୍) ପ୍ରତିଯୋଗିତାରେ ଦ୍ବିତୀୟ ରନର୍ ଅପ୍ ହୋଇ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିବା ମୋତେ ଉତ୍ସାହିତ କରିଛି। ସରକାରଙ୍କ ପ୍ରୋତ୍ସାହନରେ ଏବେ ନରୱେ, ସ୍ପେନ୍ ଓ ବ୍ୟାଙ୍କକ୍ ଗସ୍ତ କରୁଛି। ଜିଏମ୍ ଟାଇଟଲ୍ ପାଇଁ ବର୍ଷକ ଭିତରେ ପ୍ରାୟ ୧୨ଟି ପ୍ରମୁଖ ପ୍ରତିଯୋଗିତାରେ ଖେଳିବା ଯୋଜନା କରିଛି।’’ ବୋଲି ପ୍ରକାଶ କରିଛନ୍ତି ୨୦ ବର୍ଷୀୟ ସମ୍ବିତ। ଖେଳ ଜୀବନର ଏ ପର୍ଯ୍ୟନ୍ତ ସଫଳତା ପାଇଁ ସେ ନିଜ ପରିବାର ଓ ସମସ୍ତ ପ୍ରଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି। ସୂଚନାଯୋଗ୍ୟ, ସମ୍ବିତଙ୍କ ଖେଳ ଜୀବନ ରାଜସନ୍ତୋଷ ପଣ୍ଡାଙ୍କ ପ୍ରଶିକ୍ଷଣରୁ ଆରମ୍ଭ ହୋଇଥିବା ବେଳେ ଏସ୍ ସତ୍ୟପ୍ରଜ୍ଞ, ଏସ୍ କିଡ଼ାମ୍ବିଙ୍କ ଦ୍ବାରା ଶାଣିତ ହୋଇଥିଲା। ଗତବର୍ଷଠାରୁ ଓଡ଼ିଶା ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ରଙ୍କଠାରୁ ସେ ପ୍ରଶିକ୍ଷଣ ନେଉଛନ୍ତି। ୫ ଥର ବିଶ୍ବ ବିଜେତା ନରୱେ ଗ୍ରାଣ୍ଡମାଷ୍ଟର୍ ମାଗ୍ନସ କାର୍ଲସନଙ୍କ ଖେଳରେ ଅନୁପ୍ରାଣିତ ସମ୍ବିତ କିନ୍ତୁ ରୁଷୀୟ ସୁପର୍ ଗ୍ରାଣ୍ଡମାଷ୍ଟର୍ ଭ୍ଲାଦିମିର କ୍ରାମନିକ୍ଙ୍କ ପୁସ୍ତକ ‘ମାଇଁ ଲାଇଫ୍ ଆଣ୍ଡ୍ ଗେମ୍ସ’ ପଢ଼ି ବିଶେଷ ଭାବେ ପ୍ରଭାବିତ ହୋଇଥିବା ସ୍ବୀକାର କରିଛନ୍ତି। ଚେସ୍ରେ ଅନ୍ଲାଇନ୍ ସୁବିଧା ନିଶ୍ଚିତ ଭାବେ ଖେଳକୁ ଠିକଣା ଦିଶାରେ ରଖିଛି। ଏହି କାରଣରୁ ପୂର୍ବଭଳି ଆପଣ ଶୀର୍ଷ ୫୦ ଭିତରେ ନ ରହିଲେ ବି ଚେସ୍ ଖେଳି ଓ ପ୍ରଶିକ୍ଷଣ ଦେଇ ରୋଜଗାର କରିପାରିବେ। ସମାନ ସମୟରେ ଏହି କାରଣରୁ ଚିଟିଂ ବି ବିଢ଼ିଛି ବୋଲି ସମ୍ବିତ ଚିନ୍ତାପ୍ରକଟ କରିଛନ୍ତି। ଓଡ଼ିଶା ଚେସ୍ର ବର୍ତ୍ତମାନର ସ୍ଥିତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସମ୍ବିତ। ‘‘ରାଜ୍ୟରେ ଚେସ୍ର ସ୍ଥିତି ଭଲ ନାହିଁ। ସରକାରଙ୍କ ସହାୟତା ଆକାଶଛୁଆଁ ରହିଛି, କିନ୍ତୁ ମଝିରେ ହୋଇଥିବା ଅବହେଳା କାରଣରୁ ସମ୍ଭବତଃ ଆମେ ସମଗ୍ର ଭାବେ ପଛରେ ପଡ଼ିଯାଇଛୁ। ନୂଆ ଖେଳାଳି ବାହାରୁ ନାହାନ୍ତି। ତୃଣମୂଳସ୍ତରରୁ ପରିବର୍ତ୍ତନ ହେଲେ ୫ ବର୍ଷ ଭିତରେ ନିଶ୍ଚିତ ଭିନ୍ନ ସ୍ଥିତି ମିଳିପାରିବ।’’ ବୋଲି କହିଛନ୍ତି ବିଜେବି କଲେଜର ଏହି ଅର୍ଥନୀତି ସ୍ନାତକ ଛାତ୍ର।
ଖେଳ ଜୀବନ ପ୍ରାରମ୍ଭରେ ଜାତୀୟ ବିଜେତା (୭ ବର୍ଷରୁ କମ୍) ହେବା ପରଠାରୁ ନେପଥ୍ୟରେ ପରିଶ୍ରମ କରିଥିବା ସମ୍ବିତଙ୍କ ପାଇଁ ୨୦୨୨ ମସିହା ନିଶ୍ଚିତ ଅଭୁଲା ରହିବ। ମାତ୍ର ୮ ମାସ ଭିତରେ ଆଇଏମ୍ ଟାଇଟଲ୍ ପାଇଁ ଆବଶ୍ୟକ ଔପଚାରିକତା ସେ ହାସଲ କରି ସମ୍ଭବତଃ ଏ କ୍ଷେତ୍ରରେ ଦ୍ରୁତତମ ରେକର୍ଡ କରିଛନ୍ତି। ସେହିବର୍ଷ ଫେବ୍ରୁଆରିରେ କାନପୁରରେ ଅନୁଷ୍ଠିତ ୫୮ତମ ଜାତୀୟ ବରିଷ୍ଠ ଚେସ୍ ପ୍ରତିଯୋଗିତାରେ ପ୍ରଥମ ଆଇଏମ୍ ନର୍ମ ହାସଲ କରିଥିଲେ। ସେପ୍ଟେମ୍ବରରେ ଦୁବାଇ ଓପନ୍ରେ ଦ୍ବିତୀୟ ନର୍ମ ଏବଂ ଅକ୍ଟୋବରରେ ନୂଆଦିଲ୍ଲୀ ଏସୀୟ କଣ୍ଟିନେଣ୍ଟାଲରେ ଅନ୍ତିମ ନର୍ମ ଅର୍ଜନ କରିଥିଲେ। ଡିସେମ୍ବରରେ ଇଟାଲିରେ ଅନୁଷ୍ଠିତ ତୁରିନ୍ ଅନ୍ତର୍ଜାତୀୟ ଓପନ୍ ଚେସ୍ ପ୍ରତିଯୋଗିତା ଅବସରରେ ୨୪୦୦ ରେଟିଂ ଅତିକ୍ରମ କରି ଆଇଏମ୍ ଟାଇଟଲ୍ ଜିତିଥିଲେ। ସମ୍ପ୍ରତି ୨୩୭୭ ରେଟିଂକୁ ଖସିଯାଇଥିଲେ ମଧ୍ୟ ସମ୍ବିତଙ୍କ ସଙ୍କଳ୍ପ ତାଙ୍କ ଜିଏମ୍ ଟାଇଟଲ୍ ଓ ମିସନ୍ ୨୬୦୦ ରେଟିଂ ପର୍ଯ୍ୟନ୍ତ ନେଇପାରିବ ବୋଲି ବିଶ୍ବାସ ରହିଛି। ୨୦୨୨ ମସିହାର ଜାତୀୟ ବରିଷ୍ଠ ଚେସ୍ ପ୍ରତିଯୋାଗିତା ମୋ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା ବୋଲି ୟୁରୋପ ଗସ୍ତ ପୂର୍ବରୁ ‘ସମ୍ବାଦ’କୁ କହିଛନ୍ତି ସମ୍ବିତ।
[ad_2]