ଖେଳ ଖବର

ଜମିଲେ ଜୟସ୍ବାଲ: ଭାରତ ଦୃଢ଼ – bajravana

[ad_1]

ରାଜକୋଟ: ବୋଲରଙ୍କ କମାଲ ପରେ ଯଶସ୍ବୀ ଜୟସ୍ବାଲଙ୍କ ଜମାଣିଆ ଶତକ ସହିତ ଭାରତ ଚଳିତ ରାଜକୋଟ ଟେ‌ଷ୍ଟ୍‌ରେ ସ୍ଥିତି ଦୃଢ଼ କରି ନେଇଛି। ତୃତୀୟ ଦିନ ଶେଷ ସୁଦ୍ଧା ଭାରତ (୧୯୬/୨) ହାତରେ ୮ ୱିକେଟ୍ ଥାଇ ୩୨୨ ରନ୍‌ର ଅଗ୍ରଣୀ ନେଇ ସାରିଛି। ପରିବାରରେ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି କାରଣରୁ ଆର୍ ଅଶ୍ବିନ୍ ଏହି ଟେଷ୍ଟ୍‌ରୁ ଓହରିଯାଇଥିବା ବେଳେ ଭାରତ ଜଣେ ସ୍ପେଶାଲିଷ୍ଟ୍ ବୋଲରଙ୍କ ବିନା ବୋଲିଂ କରିଥିଲା। କିନ୍ତୁ ପେସ୍ ଓ ସ୍ପିନ୍ ବାହିନୀ ମିଳିତ ଭାବେ ୫-୫ ୱିକେଟ୍ ଦଖଲ କରିନେବାରୁ ଭାରତ ପ୍ରଥମ ପାଳିରେ ଅପ୍ରତ୍ୟାଶିତ ଭାବେ ୧୨୬ ରନ୍ ଅଗ୍ରଣୀ ପାଇଯାଇଥିଲା।

ଶନିବାର ସକାଳେ ଇଂଲଣ୍ଡ ଏହାର ଦୃଢ଼ ମୂଳଦୁଆର ପାଳି ୨୦୭/୨ରୁ ଖେଳିବା ପରେ ଜୋ ରୁଟ୍‌ ଓ ଜନି ବେୟାରଷ୍ଟୋ ଲଗାତାର ଓଭରରେ ଆଉଟ୍ ହୋଇଯାଇଥିଲେ। ବୁମରାଙ୍କୁ ରିଭର୍ସ ସ୍କୁପ୍‌ ଖେଳିବାକୁ ଯାଇ ରୁଟ ସ୍ଲିପ୍‌ରେ ଜୟସ୍ବାଲଙ୍କ ହାତରେ ଧରାପଡ଼ିଯାଇଥିଲେ। ଏଥି ସହିତ ଇଂଲଣ୍ଡ ଗେଟ୍‌ ଏକ ପ୍ରକାର ଖୋଲିଯାଇଥିଲା। ଅଶ୍ବିନଙ୍କ ଅନୁପସ୍ଥିତିରେ କୁଲଦୀପ ଯାଦବ ଭଲ ବୋଲିଂ କରିବା ସହ ବେୟାରଷ୍ଟୋ (୦) ଏବଂ ବେନ୍ ଡକେଟ୍‌ (୧୫୩ ରନ, ୧୫୧ ବଲ୍‌, ୨୩ ଚୌକା, ୨ ଛକା)ଙ୍କ ଦୁଇ ଗୁରୁତ୍ବପୂର୍ଣ୍ଣ ୱିକେଟ୍ ଦଖଲ କରି ନେଇଥିଲେ। ବେନ୍ ଷ୍ଟୋକ୍ସ ଏବଂ ବେନ୍ ଫୋକ୍ସ ଲଢ଼ିବା ଆରମ୍ଭ କରିଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ବିରତି ପରେ ରବୀନ୍ଦ୍ର ଜାଡ଼େଜାଙ୍କ ବୋଲିଂରେ ବେନ୍ ‌ଷ୍ଟୋକ୍ସ (୪୧ ରନ୍, ୮୯ ବଲ୍‌) ଆଉଟ୍ ହେବା ମାତ୍ରେ ମହମ୍ମଦ ସିରାଜ ଘାତକ ବୋଲିଂ କରି ୩ ୱିକେଟ୍ ବାହାର କରିବା ଇଂଲଣ୍ଡକୁ ମାତ୍ର ୨୦ ରନ୍‌ ଭିତରେ ଶେଷ ୫ ୱିକେଟ୍ ହରାଇବାକୁ ବାଧ୍ୟ କରିଥିଲା। ଏହି ୫ ୱିକେଟ୍‌କୁ ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସିରାଜ ବାଣ୍ଟି ନେଇଥିଲେ। ୨୯୯/୫ରେ ଥିବା ଇଂଲଣ୍ଡ ହଠାତ୍ ୩୧୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ଭାରତ ଦ୍ବିତୀୟ ପାଳି ସତର୍କତାର ସହ ଆରମ୍ଭ କରିଥିଲା। ରୋହିତ ଶର୍ମା (୧୯)ଙ୍କୁ ଡିଆର୍‌ଏସ୍ ସହାୟତାରେ ଜୋ ରୁଟ୍‌ ଏଲବିଡବ୍‌ଲ୍ୟୁ କରି ‌ଦେଇଥିଲେ। କିନ୍ତୁ ଯଶସ୍ବୀ ଜୟସ୍ବାଲଙ୍କ ଲଗାତାର ଟେଷ୍ଟ୍ ଶତକ ଭାରତକୁ ଡ୍ରାଇଭର ସିଟ୍‌ରେ ବସାଇ ଦେଇଛି। ବିଶାଖାପାଟଣାରେ ଦ୍ବିଶତକ ହାସଲ କରିଥିବା ଜୟସ୍ବାଲ ଶନିବାର ଭିନ୍ନ ଅନ୍ଦାଜରେ ଖେଳିଥିଲେ। ପ୍ରଥମ ଚୌକା ପାଇଁ ସେ ଖେଳିଥିଲେ ୪୯ ବଲ୍‌। କିନ୍ତୁ ଏହା ପରେ ମଧ୍ୟ ସେ ରକ୍ଷଣାତ୍ମକ ବ୍ୟାଟିଂ କରି ୭୩ ବଲ୍‌ରୁ ୩୫ ରନ୍ କରିଥିଲେ। ହଠାତ୍ ଗିୟର ବଦଳାଇ ଦେଇଥିଲେ। ସବୁଠାରୁ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କ ଗୋଟିଏ ଓଭରର ଶେଷ ୩ ବଲ୍‌କୁ ୬, ୪, ୪ ମାରି ସେ ଦ୍ରୁତ ବେଗରେ ଶତକ ମୁହାଁ ହୋଇଯାଇଥିଲେ। ମାର୍କ ଉଡ୍‌ଙ୍କୁ ଚୌକା ମାରି ମାତ୍ର ୧୨୨ ବଲ୍‌ରୁ ୧୦୦ ରନ୍ ପୂର୍ଣ୍ଣ କରିଥିଲେ। ପ୍ରଥମ ୫୦ ରନ୍ ପାଇଁ ଏହି ଯୁବ ବାମହାତୀ ତାରକା ୮୦ ବଲ୍‌ ଖେଳିଥିବାବେଳେ ଦ୍ବିତୀୟ ୫୦ ପାଇଁ ମାତ୍ର ୪୨ ବଲ୍‌ର ସହାୟତା ନେଇଥିଲେ। ଏହା ପରେ ମାଂଶପେଶୀ ଟାଣି ହୋଇଯିବାରୁ ଜୟସ୍ବାଲ (୧୦୪, ୧୩୩ ବଲ୍‌, ୯ ଚୌକା, ୫ ଛକା) ରିଟାୟାର୍ଡ ହର୍ଟ ହୋଇ‌ ଫେରିଯାଇଥିଲେ। ସେତେବେଳେକୁ ଗିଲ୍ (୬୫*, ୧୨୦ ବଲ୍‌)ଙ୍କ ସହ ୧୫୫ ରନ୍ ଭାଗୀଦାରି କରି ସାରିଥିଲେ। ଏହି ସମୟରେ ଆସିଥିବା ରଜତ ପଟିଦାର (୦) ଖାତା ଖୋଲିବା ପୂର୍ବରୁ ହାର୍ଟଲିଙ୍କ ଶିକାର ହୋଇଥିଲେ। ଶନିବାରର ଖେଳ ଅବସରରେ ମହମ୍ମଦ ସିରାଜ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୫୦ ୱିକେଟ୍‌ ଅତିକ୍ରମ କରିଥିବାବେଳେ ରବୀନ୍ଦ୍ର ଜାଡ଼େଜା ୨୦୦ତମ ଟେଷ୍ଟ୍ ୱିକେଟ୍‌ ପୂର୍ଣ୍ଣ କରିଛନ୍ତି।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୪୪୫/୧୦ (ରୋହିତ ଶର୍ମା-୧୩୧, ରବୀନ୍ଦ୍ର ଜାଡ଼େଜା-୧୧୨, ସରଫରାଜ ଖାନ୍-୬୨, ମାର୍କ ଉଡ୍‌-୪/୧୧୪, ରେହାନ୍ ଅହମ୍ମଦ-୨/୮୫)। ଇଂଲଣ୍ଡ ପ୍ରଥମ ପାଳି: ୭୧.୧ ଓଭରରେ ୩୧୦/୧୦ (ବେନ୍ ଡକେଟ୍‌-୧୫୩, ବେନ୍ ଷ୍ଟୋକ୍ସ-୪୧, ଓଲି ପୋପ୍‌-୩୯, ଜୋ ରୁଟ୍‌-୧୮, ମହମ୍ମଦ ସିରାଜ-୪/୮୪, ରବୀନ୍ଦ୍ର ଜାଡ଼େଜା-୨/୫୧, କୁଲଦୀପ ଯାଦବ-୨/୭୭, ଆର୍ ଅଶ୍ବିନ-୧/୩୭, ଯଶପ୍ରୀତ୍ ବୁମରା-୧/୫୪)। ଭାରତ ଦ୍ବିତୀୟ ପାଳି: ୫୧ ଓଭରରେ ୧୯୬/୨ (ଯଶସ୍ବୀ ଜୟସ୍ବାଲ-୧୦୪-ରିଟାୟାର୍ଡ ହର୍ଟ, ଶୁବମନ ଗିଲ୍‌-୬୫*, ଟମ୍ ହାର୍ଟଲି-୪୨, ‌ଜୋ ରୁଟ୍‌-୧/୪୮)।

ଇଂଲଣ୍ଡ ବିପକ୍ଷ ତୃତୀୟ ‌ଟେଷ୍ଟ୍‌ର ତୃତୀୟ ଦିନରେ ଭାରତୀୟ ଖେଳାଳିମାନେ କଳାପଟି ପିନ୍ଧି ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏହାକରି ସେମାନେ ପୂର୍ବତନ ଭାରତୀୟ ଅଧିନାୟକ ଦତ୍ତାଜୀରାଓ ଗାଏକ୍ବାଡ୍‌ଙ୍କୁ ଶ୍ରଦ୍ଧ‌ାଞ୍ଜଳି ଜ୍ଞାପନ କରିଥିଲେ। ୧୯୫୧ରୁ ୧୯୬୨ ମସିହା ମଧ୍ୟରେ ୧୧ ଟେଷ୍ଟ୍‌ରେ ଭାରତର ପ୍ରତିନିଧିତ୍ବ କରିଥିବା ଦତ୍ତାଜୀରାଓଙ୍କର ଗତ ୧୩ ତାରିଖରେ ନିଧନ ହୋଇଯାଇଥିଲା। ଡାକ୍ତରଖାନାରେ ୧୨ଦିନ କାଳ ସଂଘର୍ଷ କରିବା ପରେ ‌ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଦତ୍ତାଜୀରାଓ ହେଉଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର୍‌ ତଥା ପ୍ରଶିକ୍ଷକ ଅଂଶୁମାନ ଗାଏକ୍ବାଡ୍‌ଙ୍କ ପିତା। ତେବେ ପ୍ରଥମ ଦିନ ପରିବର୍ତ୍ତେ ତୃତୀୟ ଦିନରୁ ଖେଳାଳିମାନେ କଳାପଟି ପିନ୍ଧିବା ଆରମ୍ଭ କରିଥିବାରୁ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ବିସିସିଆଇକୁ ସମାଲୋଚନା କରିଛନ୍ତି। ଭାରତୀୟ ଖେଳାଳିମାନେ ରାଜକୋଟ ଟେଷ୍ଟ୍‌ର ପ୍ରଥମ ଦିନରୁ ହିଁ କଳାପଟି ପିନ୍ଧି ମହାନ ଦତ୍ତାଜୀରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଚିତ ଥିଲା ବୋଲି ଏକ ସାକ୍ଷାତକାର ଅବସରରେ ଗାଭାସ୍କର କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button