ଓଡିଶା

ରାଜରାସ୍ତାରେ ଶିକ୍ଷକ: ଅହୋରାତ୍ର ଗଣଧାରଣାରେ ମାଧ୍ୟମିକ ଶିକ୍ଷକ – bajravana

[ad_1]

ଆମରଣ ଅନଶନରେ ସଂସ୍କୃତ ଓ ହିନ୍ଦୀ ଶିକ୍ଷକ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଚାଲିଥିବା ଅହୋରାତ୍ର ଗଣଧାରଣା ପଞ୍ଚମ ଦିନରେ ପହଞ୍ଚିଲାଣି। ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଦିନରାତି ଗାନ୍ଧୀମାର୍ଗରେ ବସି ରହିଛନ୍ତି। ସମସ୍ୟା ଏତେ ଉତ୍କଟ ହେଲାଣି ଯେ ଜୀବନ ସେମାନଙ୍କ ନିକଟରେ ତୁଚ୍ଛ ପାଲଟି ଯାଇଛି। ଏତେ ସବୁ ପରେ ମଧ୍ୟ ଦାବି ପୂରଣ ପ୍ରତି ରାଜ୍ୟ ସରକାର ସମାନ୍ୟତମ ସମ୍ବେଦନଶୀଳ ନୁହଁନ୍ତି ବୋଲି ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଚାହାଁନ୍ତି ନାହିଁ ଏ ରାଜ୍ୟରେ ପାଠପଢ଼ା ସୁରୁଖୁରୁରେ ହେଉ। ସ୍କୁଲ ବନ୍ଦ ନକରି ପାଠପଢ଼ାରେ ସମ୍ପୂର୍ଣ୍ଣ ବ୍ୟାଘାତ ନ ଆଣି ଶିକ୍ଷକମାନେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଛନ୍ତି। ଅଥଚ ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାବିଗୁଡ଼ିକ ପୂରଣ କ୍ଷେତ୍ରରେ ପାଦଟିଏ ଆଗକୁ ବଢ଼ାଉ ନାହାନ୍ତି। ଏଭଳି ଚାଲିଲେ ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବ।
ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି ଶିକ୍ଷକମାନେ କେବଳ ସେମାନଙ୍କ ହକ୍‌ ମାଗୁଛନ୍ତି।

ଆଇନରେ ଅଛି ଗୋଟିଏ ମାଧ୍ୟମିକ ବିଦ୍ୟାଳୟ ନିଜ ଅଧୀନରେ ୪ଥର ବୋର୍ଡ ପରୀକ୍ଷା ଦେଇ ସାରିବା ପରେ ସେ ବିଦ୍ୟାଳୟଟି ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହେବ। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ଯେ ୧୫ରୁ ୨୦ ଥର ନିଜ ଅଧୀନରେ ପରୀକ୍ଷା ଦେଇସାରିଥିଲେ ମଧ୍ୟ ବିଦ୍ୟାଳୟକୁ ଅନୁଦାନ ଦିଆଯାଉ ନାହିଁ। ଏହିସବୁ ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ୩୦ ବର୍ଷରୁ ଅଧିକ ସମୟ ଧରି ମାଗଣାରେ ଖଟି ସାରିଲେଣି। ତେବେ ଆଇନ କାହିଁକି କାର୍ଯ୍ୟକାରୀ ହେଉ ନାହିଁ? କେଉଁ ଆଇନରେ ଅଛି ଶିକ୍ଷକ ଶିକ୍ଷୟିତ୍ରୀ ୪୦ ବର୍ଷ ଚାକିରି କଲା ପରେ ଶୂନ୍ୟ ହସ୍ତରେ ଅବସର ନେବେ? ବାରମ୍ବାର ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ତାହାକୁ ଲାଗୁ କରାଯାଉ ନାହିଁ। ରାଜ୍ୟର ୭୦%ରୁ ଅଧିକ ପିଲା ପଢ଼ୁଥିବା ବିଦ୍ୟାଳୟର କୌଣସି କ୍ଷତି ନହେଉ ବୋଲି ଯଦି ରାଜ୍ୟ ସରକାର ଚାହୁଁଛନ୍ତି ତେବେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଓଷ୍ଟାର ନୀଳମଣି ପୁରୋହିତ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦାବି ଜଣାଇଛନ୍ତି।

ଭୁବନେଶ୍ବର: ଜୁନିଅର ଏସ୍‌ଇଏସ୍‌ କ୍ୟାଡର, ପଦୋନ୍ନତି, ସମାନ ଯୋଗ୍ୟତାକୁ ସମାନ ଷ୍ଟାଟସ୍‌ ଓ ମାଧ୍ୟମିକ ଶିକ୍ଷକଙ୍କ ନୂତନ କ୍ୟାଡର ରୁଲ୍‌ର ତୁରନ୍ତ ପ୍ରଚଳନ ଦାବିରେ ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ମିଳିତ ମଞ୍ଚର ଆମରଣ ଅନଶନ ଜାରି ରହିଛି। ମଞ୍ଚର ସଦସ୍ୟମାନେ କହିଛନ୍ତି ଯେ ଗତ ୯ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ସମ୍ମୁଖରେ ଗଣଧାରଣା ଦେଇଥିଲୁ। ଏହାପରେ ପୁଲିସ ପହଞ୍ଚି ସେଠାରୁ ଲୋୟର ପିଏମ୍‌ଜିସ୍ଥିତ ଧାରଣା ସ୍ଥଳକୁ ଉଠାଇ ନେଇଥିଲେ। କିଛି ସମୟ ପରେ ରାଜ୍ୟ ସରକାରଙ୍କ ଡାକରାରେ ମିଳିତ ମଞ୍ଚର ପ୍ରତିନିଧିମାନେ ଗଣଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଦାବିଗୁଡ଼ିକ ସମ୍ପର୍କରେ ସଚେନତ ଥିବା କହିବା ସହ ଗଣଶିକ୍ଷା ସଚିବ ବାହାରୁ ଫେରିବା ପରେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଗରୁ ବହୁଥର ଏଭଳି ପ୍ରତିଶ୍ରୁତି ପାଇଥିବାରୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବାକୁ ନିବେଦନ କରାଯାଇଥିଲା। ମାତ୍ର ମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ସମୟ ଦେଇ ନ ଥିବାରୁ ଅନଶନ ଜାରି ରଖିବାକୁ ମଞ୍ଚ ନିଷ୍ପତ୍ତି ନେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button