news

ପରିବେଶ ଯୋଦ୍ଧା: ଚିନାର୍‌ ଜନକ ଓ ହେନ୍ତାଳ ମାନବ

ପରିବେଶରୁ ଆମେ ଜୀବନ ଧାରଣ ନିମନ୍ତେ ମାଟି-ପାଣି-ପବନ ଭଳି ଅତ୍ୟାବଶ୍ୟକ ଉପାଦାନ ପାଉଛେ, କିନ୍ତୁ ତା’ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ବୈମାତୃକ ମନୋଭାବ ପୋଷଣ କରୁଛେ। ତେବେ ଆମ ଭିତରେ ଏଭଳି କେତେକ ବ୍ୟକ୍ତି ଅଛନ୍ତି, ବ୍ୟକ୍ତିଗତ ଜୀବନରେ ଅତି ସାଧାରଣ ହୋଇଥିଲେ ବି ଅସାଧାରଣ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଏହି କ୍ରମରେ କଶ୍ମୀରର ଦିନମଜୁରିଆ ଅବ୍ଦୁଲ ଅହଦ୍ ଖାଁ ଓ କେରଳର ମତ୍ସ୍ୟଜୀବୀ ଟି. ପି. ମୁରୁକେସନ୍ ଉଲ୍ଲେଖ ଦାବି କରନ୍ତି।

ଚିନାର୍ ଜନକ ଅବ୍ଦୁଲ
ଦ୍ରୁତ ବେଗରେ ଲୋପ ପାଇଯାଉଥିବା କଶ୍ମୀର ଉପତ୍ୟକାର ପ୍ରସିଦ୍ଧ ଚିନାର୍ ବୃକ୍ଷର ସୁରକ୍ଷା କରି ଲାଗି କାର୍ଯ୍ୟ କରି ଅବ୍ଦୁଲ୍ ଅହଦ୍ ଖାଁ ଚର୍ଚ୍ଚିତ ହୋଇଛନ୍ତି। ବୃତ୍ତିରେ ଜଣେ ଦିନ ମଜୁରିଆ ଅବ୍ଦୁଲ୍ ‘ଚିନାର ଜନକ’ ଆଖ୍ୟା ପାଇଛନ୍ତି। ୨୦୦୭ ଜୁଲାଇ ମାସର କଥା। ମୂଲ ଲାଗିସାରି ଘରକୁ ଫେରିବା ବାଟରେ କୁପ୍ୱାଡ଼ା ଜିଲ୍ଲାର ବାସିନ୍ଦା ଅବ୍ଦୁଲ୍ ଥକ୍କା ମେଣ୍ଟାଇବାକୁ ତାଙ୍କ ଗାଁ ହାତମୁଲ୍ଲାର ଏକ ବୁଢ଼ା ଚିନାର୍ ଗଛ ଛାଇରେ ବସିପଡ଼ିଲେ। ଗଛକୁ ଆଉଜି ଆରାମ କରୁଥିବା ବେଳେ ତାଙ୍କ ମନକୁ ଆସିଲା ଯେ ଗାଁରେ ଏଭଳି ମାତ୍ର ଅଳ୍ପ କେତୋଟି ବିଶାଳ ଚିନାର୍ ବୃକ୍ଷ ଅଛି। ସେଇଠାରୁ ସେ ଚିନାର୍ ବୃକ୍ଷ ରୋପଣ କରିବାକୁ ମନସ୍ଥ କଲେ। ବିଗତ ୧୭ ବର୍ଷରେ ସେ ପାଖାପାଖି ୫୦୦ ଚିନାର ବୃକ୍ଷ ରୋପଣ କରିଛନ୍ତି। କୁପ୍ୱାଡ଼ା ଅରଣ୍ୟରେ ୧୦୦୦ ଚିନାର୍ ବୃକ୍ଷ ଲଗାଇବା ଲାଗି ରାଜ୍ୟ ବନ ବିଭାଗ ଅଭିଯାନରେ ମଧ୍ୟ ସେ ସାମିଲ ହୋଇଛନ୍ତି।

ହେନ୍ତାଳ ମାନବ ମୁରୁକେସନ୍
ସମୁଦ୍ର ଉପକୂଳରେ ବୃଦ୍ଧି ପାଉଥିବା ବାତ୍ୟା ଓ କ୍ଷୟ ହେଉଥିବା ହେନ୍ତାଳ ବନ ମଧ୍ୟରେ ନିବିଡ଼ ସମ୍ବନ୍ଧ ରହିଛି ବୋଲି ମତ୍ସ୍ୟଜୀବୀ ଟି. ପି. ମୁରୁକେସନ୍ଙ୍କର ହୃଦ୍ବୋଧ ହେବାରୁ ସେ କେରଳ ସମୁଦ୍ର ତଟରେ ହେନ୍ତାଳ ବୃକ୍ଷ ରୋପଣ ଅଭିଯାନରେ ବାହାରି ପଡ଼ିଲେ। ଜନ୍ମସ୍ଥାନ ୱାଇପିନ୍ ଦ୍ବୀପର ତଟବର୍ତ୍ତୀ ଅଞ୍ଚଳ ସମୁଦ୍ରରେ କ୍ଷୟ ହେଉଥିବା କଥା ସେ ପିଲା ଦିନରୁ ଜାଣିଥିଲେ। ସେ ବୁଝିଲେ ଯେ ସମୁଦ୍ର ପତ୍ତନ ବୃଦ୍ଧି, ଜୁଆର ଓ ବାତ୍ୟା ପ୍ରବାହକୁ ରୋକିବାର ପ୍ରାକୃତିକ ଉପାୟ ହେଉଛି ହେନ୍ତାଳ ବନ। ମୁରୁକେସନ୍ ଏକ ଲକ୍ଷରୁ ଅଧିକ ହେନ୍ତାଳ ବୃକ୍ଷ ରୋପଣ କରିସାରିଲେଣି। ସେଥିପାଇଁ ସେ କୋଚିରେ ‘ହେନ୍ତାଳ ମାନବ’ ଭାବେ ପରିଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button