ଓଡିଶା

ପଛକୁ ଟାଣୁଛି ବିପର୍ଯ୍ୟୟ: ୧୦ ବର୍ଷରେ ୪୦୫୧୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ – bajravana

[ad_1]

ଭୁବନେଶ୍ବର: ବାତ୍ୟା ମୁକାବିଲାରେ ଓଡ଼ିଶା ସାରା ଦେଶରେ ରୋଲ ମଡେଲ୍ ସାଜିଛି। ଯେଉଁଠି ବାତ୍ୟା ହେଲେ ସହାୟତାର ହାତ ବଢ଼ାଉଛି ଓଡ଼ିଶା। ବାସ୍ତବରେ ବାତ୍ୟାରେ ଜନଜୀବନର ଯେପରି କ୍ଷତି ନହେବ ସେନେଇ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ। ହେଲେ ବାତ୍ୟାରେ କିପରି ଅଧିକ କ୍ଷୟକ୍ଷତି ନହେବ ସେନେଇ ଓଡ଼ିଶା ଏବେବି ବହୁତ କିଛି କରିବା ବାକି ଅଛି। ଏଇଥିପାଇଁ ଯେ ଗତ ୧୦ବର୍ଷରେ ଓଡ଼ିଶାରେ ୯ଟି ବାତ୍ୟା ମାଡ଼ ହୋଇଥିଲେ ହେଁ, ଏଥିରେ ୩୩ ହଜାର ୧୩୩କୋଟି ୯୧ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବର୍ତ୍ତମାନର ରାଜ୍ୟ ବଜେଟ୍‌ର ଏହା ଏକ ସପ୍ତମାଂଶ। ଆଉ ଯଦି ଗତ ୧୦ବର୍ଷରେ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ ହିସାବକୁ ନିଆଯାଏ, ତେବେ ଏହାର ପରିମାଣ ୪୦ ହଜାର ୫୧୬କୋଟି ୯୫ଲକ୍ଷ ହେବ। ଏହା ସରକାରୀ ହିସାବ। ବେସରକାରୀ ହିସାବ ବା ବାସ୍ତବ ଆକଳନ କଲେ, କ୍ଷତିର ପରିମାଣ ଆଉ କେଇ ଗୁଣ ହେବ। ଅତି ସରଳ ଭାବେ କହିଲେ, ବିପର୍ଯ୍ୟୟ ଏବେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ ରାଜ୍ୟ ଅର୍ଥନୀତିକୁ ପଛକୁ ଟାଣିବାର ଏକ ପ୍ରମୁଖ କାରଣ ପାଲଟିଛି। ରାଜସ୍ବ ବିଭାଗର ତଥ୍ୟ କହୁଛି, ଗତ ୧୦ବର୍ଷରେ ଓଡ଼ିଶାକୁ ୧୭ଥର ପ୍ରାକୃତିକ ବିପର୍ଯ୍ୟୟ କିଲିବିଲି କରିଛି। ୯ ଥର ବାତ୍ୟା ସାମ୍ନା କରିଛନ୍ତି ରାଜ୍ୟବାସୀ। ୪ଥର ବନ୍ୟା ଓ ପ୍ରବଳ ବର୍ଷାର ପ୍ରକୋପ ଅସ୍ତବ୍ୟସ୍ତ କରିଦେଇଛି ଜନଜୀବନ। ତିନି ଥର ମରୁଡ଼ି କାରଣରୁ ଫସଲ ନଷ୍ଟ ହୋଇଛି। ଆଉ ଥରେ କୀଟ ଉପଦ୍ରବ କାରଣରୁ ଢେର୍‌ କ୍ଷତିସହିଛି ଓଡ଼ିଶା। ୯ଟି ବାତ୍ୟାରୁ ୨୦୧୩ରେ ହୋଇଥିବା ପ୍ରଳୟଙ୍କରୀ ‘ଫାଇଲିନ୍’ ସବୁଠୁ ଅଧିକ କ୍ଷତି ପହଞ୍ଚାଇଥଲା।

ସରକାରୀ ରିପୋର୍ଟ ଅନୁସାରେ, ସେହି ବିପର୍ଯ୍ୟୟ କାରଣରୁ ୧୪ ହଜାର ୩୭୩.୪୭କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ୨୦୧୪ରେ ହୁଡହୁଡ୍‌ କାରଣରୁ ୪୯୪୯.୩୯କୋଟି, ୨୦୧୮ରେ ବାତ୍ୟା ତିତ୍‌ଲି ପାଇଁ ୨୭୭୯.୩୨କୋଟି, ୨୦୧୯ରେ ବାତ୍ୟା ଫନି ଯୋଗୁଁ ୯୩୩୬.୨୭କୋଟି, ବୁଲ୍‌ବୁଲ୍‌ ୨୨୪.୪୩କୋଟି, ୨୦୨୦ରେ ବାତ୍ୟା ଅମ୍ଫାନ୍ ୨୩୬.୬୮କୋଟି, ୨୦୨୧ରେ ବାତ୍ୟା ୟାସ୍ ୮୨୩.୪୯କୋଟି, ଗୁଲାବ ୩୪.୨୧କୋଟି, ଜୱାଦ୍ ପ୍ରଭାବରେ ୩୭୬.୬୫କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅନ୍ୟପକ୍ଷରେ ୧୯୯୯ରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାରେ ପାଖାପାଖି ୧୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସରକାରୀ ରେକର୍ଡ କହୁଛି। ବେସରକାରୀ ରିପୋର୍ଟ କାହିଁ କେତେ ଅଧିକ ହେବ। ଏହା ପରଠାରୁ ରାଜ୍ୟ ସରକାର ‘ଶୂନ ମୃତ୍ୟୁ’ ଆହ୍ବାନ ନେଇ ବାତ୍ୟା ମୁକାବିଲା କରିଛନ୍ତି। ଏହି କାରଣରୁ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା କମିଛି ଓ ଗତ ୫ବର୍ଷରେ ୧୪୦ଜଣଙ୍କର ପ୍ରାଣହାନି ହୋଇଛି। ଏଥିରେ ସବୁଠୁ ଅଧିକ ମୃତ୍ୟୁ ୨୦୧୮ରେ ହୋଇଥିବା ବାତ୍ୟା ‘ତିତ୍‌ଲି’ ଯୋଗୁ ହୋଇଥିଲା। ସେବର୍ଷ ଗଜପତି ଜିଲ୍ଲାରେ ଭୂ-ସ୍ଖଳନ ଏବଂ ଅନ୍ୟାନ୍ୟ କାରଣ ‌ଯୋଗୁ ୪୮ଜଣ ପ୍ରାଣ ହରାଇଥିଲେ। ଦ୍ବିତୀୟ ସର୍ବାଧିକ ମୃତ୍ୟୁ ୨୦୧୯ର ବାତ୍ୟା ‘ଫନି’ରେ ହୋଇଥିଲେ। ପୁରୀ ଜିଲ୍ଲାରେ ୪୪ଜଣଙ୍କର ମୃତ୍ୟୁ ହୋଇଥିଲା ସେବର୍ଷ।

୫ ବର୍ଷରେ ୧୪୦ ଲୋକ ବାତ୍ୟାରେ ପ୍ରାଣ ହରାଇଛନ୍ତି
୯ବର୍ଷରେ ବନ୍ୟା ଓ ପ୍ରବଳ ବର୍ଷା ନେଇଛି ୧୨୨ଜୀବନ
ମୃତ୍ୟୁ ସଂଖ୍ୟା କମିଛି, କ୍ଷୟକ୍ଷତି ରୋକା ଯାଇପାରୁନାହିଁ

୪ଥର ବଡ଼ ବନ୍ୟା ଓ ପ୍ରବଳ ବର୍ଷା ରାଜ୍ୟବାସୀଙ୍କୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛି। ୨୦୨୦ରୁ ୨୦୨୩ ମଧ୍ୟରେ ୪ବର୍ଷରେ ମୋଟ୍ ୨୫୬୧.୬୭କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। ଆଉ ଯଦି ୨୦୧୫ରୁ ବନ୍ୟା ଓ ବର୍ଷାର ପ୍ରଳୟକୁ ହିସାବକୁ ନିଆଯାଏ, ତେବେ ଏହି ୯ବର୍ଷରେ ୩୬୯୧କୋଟି ୧୧ଲକ୍ଷ ଟଙ୍କାର ସମ୍ପତ୍ତି ବରବାଦ୍ ହୋଇଛି। ଏଥିରୁ ସରକାରୀ ସମ୍ପତ୍ତିର ପରିମାଣ କେବଳ ୨୫୪୪କୋଟି ୬୫ହଜାର ଟଙ୍କା ହେବ ବୋଲି ଆକଳନ ହୋଇଛି। ୨୦୨୦ର ବନ୍ୟା ଓ ପ୍ରବଳ ବର୍ଷା ସବୁଠୁ ଅଧିକ ୧୫୦୯କୋଟି ୩୩ଲକ୍ଷ ଟଙ୍କାର କ୍ଷୟକ୍ଷତି କରିଛି। ସେପଟେ ୯ବର୍ଷରେ ବନ୍ୟା ଓ ପ୍ରବଳ ବର୍ଷା ୧୨୨ଜଣଙ୍କ ଜୀବନ ନେଇଛି। ବନ୍ୟାରେ ୧ଲକ୍ଷ ୯୧ ହଜାର ୩୮୨ଟି ଘର ଭାସି ଯାଇଛି। ୨୩୫୪ଟି ଗୋ-ମହିଷାଦି ମରିଛନ୍ତି। ୮ଲକ୍ଷ ୨୦ହଜାର ୭୦୩ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯିବାରୁ ଲକ୍ଷ ଲକ୍ଷ କ୍ବିଣ୍ଟାଲ୍‌ ଧାନ ଏବଂ ଫସଲ ନଷ୍ଟ ହୋଇଛି। ବନ୍ୟା ଓ ପ୍ରବଳ ବର୍ଷାର କ୍ଷୟକ୍ଷତି ଦେଖିଲେ ୨୦୧୬ରେ ୩୧.୨୯ କୋଟି, ୨୦୧୭ରେ ୩୪୩.୪୮୫କୋଟି, ୨୦୧୮ରେ ୨୯୯.୮୪କୋଟି, ୨୦୧୯ରେ ୪୫୪.୮୨କୋଟି, ୨୦୨୦ରେ ୧୫୦୯.୩୩କୋଟି, ୨୦୨୧ରେ ୩୭୯.୫୧କୋଟି, ୨୦୨୨ରେ ୫୯୧.୫୭କୋଟି, ୨୦୨୩ରେ ୮୧.୨୬କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। କଥାରେ ଅଛି ଜଳ ବହୁ‌ଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଏହା ବି ଓଡ଼ିଶା ଭୋଗିଛି। ‌୨୦୧୫ରେ ରାଜ୍ୟରେ ଭୟଙ୍କର ମରୁଡ଼ି କାରଣରୁ ୨୩୪୪.୯୯କୋଟି ଟଙ୍କା କ୍ଷୟକ୍ଷତି ହୋଇଥିଲା। ୨୦୧୭ରେ ମରୁଡ଼ି ଯୋଗୁ ୫୬୭.୪୩କୋଟି, ୨୦୧୮ରେ ୧୫୩୪.୮୨କୋଟି ଟଙ୍କାର କ୍ଷତି ହୋଇଥିଲା। ୨୦୧୫କୁ ଛାଡ଼ି ଦେଲେ ୨୦୧୭ରେ ଓ ୨୦୧୮ରେ ରାଜ୍ୟରେ ମରୁଡ଼ି ଦେଖା ଦେଇଥିଲେ ବି ବିଳମ୍ବରେ ବର୍ଷା ରାଜ୍ୟରେ ବନ୍ୟା ଆଣିଥିଲା।

ଏଥିପାଇଁ ୬୪୩.୩୨୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟ କହୁଛି। ଏହି ବିଳମ୍ବିତ ଓ ଅଦିନିଆ ବର୍ଷା କାରଣରୁ ସେବେ ବନ୍ୟା ଆସିଥିଲା ଏବଂ ପରବର୍ତ୍ତୀ କୀଟ ଉପଦ୍ରବ କାରଣରୁ ୩୭୪.୧୩କୋଟି ଟଙ୍କାର ଫସଲ କ୍ଷୟକ୍ଷତି ହୋଇଥିଲା। ଅର୍ଥାତ୍ ୨୦୧୭ ଏମିତି ଏକ ବର୍ଷ ଯେଉଁଥିରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଥିଲା। ମରୁଡ଼ି, କୀଟ ଉପଦ୍ରବ, ବନ୍ୟା ଓ ପ୍ରବଳ ବର୍ଷା ଓଡ଼ିଶା ଉପରେ ଦାଉ ସାଧିଥିଲା। ଓଡ଼ିଶାରେ ବାତ୍ୟା ଯୋଗୁ ବିଦ୍ୟୁତ୍‌ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା, ଘର ଭାଙ୍ଗିବା, ସମୁଦ୍ର ପାଣି ମାଡ଼ି ଆସିବା ଯୋଗୁ ଘର ଓ ଫସଲ ଧୋଇଯିବା, ମୋବାଇଲ୍‌ ଟାୱାର ଭାଙ୍ଗିବା, ବହୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଭାଙ୍ଗି ସମ୍ପତ୍ତି ନଷ୍ଟ ହେବା ପ୍ରତିବର୍ଷର ଘଟଣା ହୋଇଥିଲେ ବି ଏହାର ସ୍ଥାୟୀ ପ୍ରତିକାର ହୋଇପାରିନି। ବନ୍ୟାରେ ପ୍ରତିବର୍ଷ ଯେଉଁ ଅଞ୍ଚଳରେ ପାଣି ମାଡ଼ୁଛି ସେଠାରେ ଉଚ୍ଚା ନଦୀ ବନ୍ଧ, ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଶହ ଶହ କୋଟି ଟଙ୍କା ଅକାରଣରେ କ୍ଷତି ହେଉଛି। ସ୍ଥିତି ଏପରି ହୋଇଛି ଯେ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ବାତ୍ୟାର ପବନ ଓ ବନ୍ୟାର ପାଣି ଧୋଇ ଦେଉଛି। ଅପରପକ୍ଷେ ଅନ୍ୟ ବିପର୍ଯ୍ୟୟକୁ ଦେଖିଲେ ଓଡ଼ିଶାରେ ଗତ ୧୨ବର୍ଷରେ ବଜ୍ରପାତ ଯୋଗୁ ୩୬୪୨ଜଣଙ୍କର ମୃତ୍ୟୁ ହୋଇଛି। ଗତ ୫ବର୍ଷରେ ସାପ କାମୁଡ଼ିବା ଯୋଗୁ ୬୨୦୦ଜଣଙ୍କର, ପାଣିରେ ବୁଡ଼ି ୭ହଜାର ଲୋକଙ୍କର ମୃତ୍ୟୁ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button