୯ଦିନ ପରେ ଭିତରକନିକା ଖୋଲିଲା – bajravana
[ad_1]
୯ଦିନ ଧରି ଭିତରକନିକା ବନ୍ଦ ରହିବା ପରେ ଆଜି ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ପ୍ରକୃତିରାଣୀ ଭିତରକନିକାକୁ ଉପଭୋଗ କରିବା ପାଇଁ ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଛି। ସୁଦୂର ନେଦରଲ୍ୟାଣ୍ଡରୁ ଆସିଥିବା ୪ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୧୪୫୧ଜଣ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣ କରିବା ସହିତ ପ୍ରକୃତିକୁ ଉପଭୋଗ କରିଛନ୍ତି। ଆଜି ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣ ପାଇଁ ମୁଖ୍ୟ ଫାଟକ ଦେଇ ୫୩୫ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୪୦୦ଜଣ ପର୍ଯ୍ୟଟକ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨୩ଟି ବୋଟରେ ନୌବିହାର କରିଥିବା ବେଳେ ଖୋଳା ଏଂଟ୍ରି ପଏଂଟ ଦେଇ ୬୪ଟି ବୋଟରେ ୫୮୮ଜଣ ପର୍ଯ୍ୟଟକ, ଚାନ୍ଦବାଲି ଏଂଟ୍ରି ପଏଂଟ ଦେଇ ୧୨ଟି ବୋଟରେ ୧୩୨ଜଣ ପର୍ଯ୍ୟଟକ ଏବଂ ଗୁପ୍ତି ଏଂଟ୍ରି ପଏଂଟ ଦେଇ ୨୨ଟି ବୋଟରେ ୧୯୬ଜଣ ପର୍ଯ୍ୟଟକ ନୌକା ବିହାର କରିବା ସହ ପ୍ରକୃତିକୁ ଉପଭୋଗ କରିଥିଲେ।
ପର୍ଯ୍ୟଟକମାନେ ବନ୍ୟଜନ୍ତୁ ଆକ୍ରମଣରେ ସହିଦ ହୋଇଥିବା ବନକର୍ମଚାରୀଙ୍କ ସହିଦ ସ୍ତମ୍ଭ, ବୋଟ ଲାଇବ୍ରେରୀ, ମ୍ୟୁଜିୟମରେ ଥିବା ଅଲିଭରିଡଲେ କଇଁଛ ଏବଂ ୨୩ଫୁଟରୁ ଉର୍ଦ୍ଧ୍ବ ଲମ୍ବର ବିରଳ ବଉଳା କୁମ୍ଭୀରର ସ୍କେଲିଟନ ସହିତ କେମିକାଲ ଦିଆଯାଇ କାଚଜାରରେ ସଂରକ୍ଷିତ କରି ରଖାଯାଇଥିବା ଭିତରକନିକାରେ ଦୃଶ୍ୟମାନ ହେଉଥିବା ବିଭିନ୍ନ ଜୀବଜନ୍ତୁ ଓ ସରୀସୃପଙ୍କୁ ଦେଖି ସେମାନଙ୍କ ସଂପର୍କରେ ଜ୍ଞାନ ଆହରଣ କରିଥିଲେ। ଏହାସହିତ ବିରଳ ହେନ୍ତାଳବଣ, ପଦ୍ମପୋଖରୀ, ଭିତରକନିକା ର ଗଛ ମାନଙ୍କରେ ରଂଗବେରଂଗର ପକ୍ଷୀ, ନଦୀର ଦୁଇପାର୍ଶ୍ବରେ ଖରାପୋଉଁଥିବା ବିରାଟକାୟ ବଉଳା କୁମ୍ଭୀର ସହିତ ଜାତୀୟ ଉଦ୍ୟାନର ଆବଦ୍ଧ ପୋଖରୀରେ ଶଙ୍ଖୁଆ କୁମ୍ଭୀର, ଗୋରୀ, ମଲ୍ଲି, ଶ୍ବେତାକୁ ଦେଖି ପର୍ଯ୍ୟଟକମାନେ କ୍ଷଣକପାଇଁ ଆନମନା ହୋଇପଡିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଚଳିତବର୍ଷ ଆଗନ୍ତୁକ ବିଦେଶାଗତ ପକ୍ଷୀ ଏବଂ ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ନାଳ ମାନଙ୍କରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କର ଗଣନା ପାଇଁ ଚଳିତମାସ ୫ ତାରିଖରୁ ୧୩ ତାରିଖ ଯାଏଁ ପର୍ଯ୍ୟଟକ ମାନଙ୍କୁ ପରିଭ୍ରମଣ ପାଇଁ ଭିତରକନିକାକୁ ବନ୍ଦ ରଖାଯାଇଥିଲା। ଚଳିତବର୍ଷ ଆଶାତୀତ ଭାବେ ବିଦେଶାଗତ ପକ୍ଷୀଙ୍କ ବୃଦ୍ଧି ସହିତ ବଉଳାକୁମ୍ଭୀରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଯାହାଫଳରେ ପକ୍ଷୀପ୍ରେମୀ, ପରିବେଶବିତ୍, ଗବେଷକ ଏବଂ ଆଗନ୍ତୁକ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର ଆଣିଦେଇଛି। ଚଳିତବର୍ଷ ଭିତରକନିକାରେ ୧୨୧ ପ୍ରଜାତିର ୧୧ ହଜାର ୪୬୨ ବିଦେଶୀ ପକ୍ଷୀ ଅଧିକ ଆସିଥିବା ବେଳେ ଗତବର୍ଷ ଠାରୁ ଚଳିତ ବର୍ଷ ୧୮ଟିଅଧିକ ବଉଳାକୁମ୍ଭୀର ଥିବା ଗଣନା ରୁ ଜଣା ପଡିଛି।
[ad_2]