ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶିରୀ ବଢ଼ାଉଛି ଭାସ୍କର୍ଯ୍ୟ – bajravana
[ad_1]
ପୁରୀ: ଶ୍ରୀସେତୁର ଶିରି ବଢ଼ାଇବ ପଥର କାରୁକାର୍ଯ୍ୟ। ସେତୁର ଉଭୟ ପାର୍ଶ୍ବରେ ଶ୍ରୀଜଗନ୍ନାଥ ସଂସ୍କୃତିର ଅନୁଭବ ଦେବ ପଥର ଭାସ୍କର୍ଯ୍ୟ। ସେତୁ କାନ୍ଥରେ ଆକର୍ଷଣ ସାଜିବ ମାଣବସା ଝୋଟି ଚିତା। ଅତ୍ୟାଧୁନିକ ସେତୁରେ ଝଲସିବ ପରମ୍ପରାର ଛିଟା। କଳିଙ୍ଗ କଳା ସ୍ଥାପତ୍ୟର ନିଦର୍ଶନ ଭେଟିଦେବ ‘ଶ୍ରୀସେତୁ’। ଭକ୍ତ ଟ୍ରମ୍ପେଟ୍ ସେତୁର ଅନୁଭବ କେବଳ ନେବେ ନାହିଁ, ବରଂ ଯାତାୟାତ ବେଳେ ଓଡ଼ିଶା ପଥର କାରିଗରଙ୍କ ସୃଜନୀରେ ମୋହଗ୍ରସ୍ତ ହେବେ। ଶ୍ରୀସେତୁରେ ପ୍ରବେଶ ପଥରୁ ନେଇ ଜଗନ୍ନାଥବଲ୍ଲଭ ପାର୍କିଂରେ ପହଞ୍ଚିବା ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ପଥରର କାରୁକାର୍ଯ୍ୟ ଦେଖିବେ ଭକ୍ତ। ଏହି ଭାସ୍କର୍ଯ୍ୟ ପର୍ଯ୍ୟଟକଙ୍କୁ ଦଣ୍ଡେ ଠିଆ ହୋଇ ସେଲ୍ଫି ନେବାକୁ ବାଧ୍ୟ କରିବ। ଉଭୟ ପାର୍ଶ୍ବରେ ଖୋଣ୍ଡଲାଇଟ୍ ପଥରରେ ୩୦ଟି ବୃହତ୍ ଭାସ୍କର୍ଯ୍ୟ ଶୋଭା ବଢ଼ାଇବ। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମାର୍ଗଦର୍ଶନ ଓ ସ୍ଥପତି ଭବାନୀ ମିଶ୍ରଙ୍କ ପରାମର୍ଶରେ ଶ୍ରୀସେତୁକୁ କଳାକୃତିରେ ସୁସଜ୍ଜିତ କରାଯାଇଛି। ସେତୁର ଉଭୟ ପାର୍ଶ୍ବରେ ସବୁଜିମାର କୋଳରେ ପଥର କାରିଗରୀ ଶୋଭାକୁ ଦ୍ବିଗୁଣିତ କରୁଛି। ଶ୍ରୀଚୈତନ୍ୟଙ୍କ ଭକ୍ତି ବିଭୋର ମୁଦ୍ରା ହେଉ ଅବା ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କାଞ୍ଚି ଅଭିଯାନରେ ଯିବା ବେଳେ ମାଣିକ ଗଉଡ଼ୁଣିର ଦହି ବିକ୍ରି କଥା। ଅବଢ଼ା କୁଡ଼ୁଆ ହେଉ ଅବା ତାଳପତ୍ର ଭୋଗେଇ। ବଳରାମ ଦାସଙ୍କ ବାଲି ରଥ ଗଢ଼ିବାର ଦୃଶ୍ୟଠୁ ନେଇ ବିଷ୍ଣୁ ଅବତାର; ସବୁର ନିଦର୍ଶନ ଦେଖିବାକୁ ମିଳିବ ପଥର ଭାସ୍କର୍ଯ୍ୟରେ। ନୀଳଚକ୍ରର ଶୋଭା ବଢ଼ାଉଥିବା ଫରଫର ପତିତପାବନ ବାନାଠୁ ନେଇ ଗରୁଡ଼, ରାମାନନ୍ଦୀ ତିଳକ, ମହାପ୍ରଭୁଙ୍କ ଶଙ୍ଖ, ଚକ୍ର, ଗଦା, ପଦ୍ମ, କଠଉ, କୁଡ଼ୁଆରେ ଶ୍ରୀମନ୍ଦିରର ଭାସ୍କର୍ଯ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶୋଭା ପାଇବ। ପଥର ନିର୍ମିତ ସିଂହ ମୂର୍ତ୍ତି ଓ ଶଙ୍ଖ ଚକ୍ର ମଧ୍ୟ ଭାଗରେ ଭକ୍ତଙ୍କୁ ସ୍ବାଗତ କରିବ। କିଛି ଭାସ୍କର୍ଯ୍ୟ ଏପରି ଭାରସାମ୍ୟରେ ସ୍ବଳ୍ପ ସ୍ଥାନରେ ପଥର ଉପରେ ଦଣ୍ଡାୟମାନ ହୋଇଛି, ଯାହା ଦେଖିଲେ ଭକ୍ତ ଓ କଳାପ୍ରିୟ ବ୍ୟକ୍ତିମାନେ ଅଭିଭୂତ ହେବେ। ଏହିଭଳି ୩୦ଟି ପଥର କଳାକୃତି ଶ୍ରୀସେତୁର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ପକ୍ଷରୁ ପୁରୀରେ ପଥର କାରିଗରଙ୍କର କର୍ମଶାଳା କରାଯାଇ ପଥର ମୂର୍ତ୍ତି ନିର୍ମାଣ କରାଯାଇଛି। ଭୁବନେଶ୍ବରର ବିଭୂତି କାନୁନଗୋ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ (ବିକେ ଆର୍ଟ କଲେଜ) ସହଯୋଗରେ ଏହି କର୍ମଶାଳା କରାଯାଇଥିଲା। ୩୦ ଜଣ ସ୍ଥପତି ଓ ୩୦ ଜଣ ସହାୟକ, ଏହିଭଳି ମୋଟ୍ ୬୦ ଜଣ କାରିଗର ପଥରରେ ଶ୍ରୀକ୍ଷେତ୍ରର ଭାସ୍କର୍ଯ୍ୟ ଉତାରିଥିଲେ। ଓବିସିସି ପକ୍ଷରୁ ସ୍ଥପତିମାନଙ୍କୁ ପ୍ରାୟ ୫ଫୁଟରୁ ୭ ଫୁଟ ପର୍ଯ୍ୟନ୍ତ ବଡ଼ବଡ଼ ବଉଳମାଳିଆ ପଥର ଯୋଗାଇ ଦିଆଯାଇଥିଲା। ଶ୍ରୀକ୍ଷେତ୍ରର ସଂସ୍କୃତିକୁ ନେଇ ସ୍ଥାପତ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ସେଇ କର୍ମଶାଳା ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ପଥର ସ୍ଥାପତ୍ୟକୁ ଶ୍ରୀସେତୁର ଉଭୟ ପାର୍ଶ୍ବରେ ସ୍ଥାନିତ କରାଯାଇଛି। ଅବଢ଼ା (ଅଗ୍ମେଣ୍ଟେସନ୍ ବେସିକ୍ ଆମେନିଟିଜଖ ଆଣ୍ଡ୍ ଡେଭଲପ୍ମେଣ୍ଟ ଅଫ୍ ହେରିଟେଜ୍ ଆଣ୍ଡ୍ ଆର୍କିଟେକଚର୍) ଯୋଜନାରେ ପ୍ରଥମ କରି ଓଡ଼ିଶାରେ ୧୬୧.୪୩କୋଟି ବ୍ୟୟରେ ନିର୍ମିତ ହେଉଛି ଟ୍ରମ୍ପେଟ୍ ବା ତୂରୀ ସଦୃଶ ଶ୍ରୀସେତୁ। ଏହି ସେତୁରେ ଭକ୍ତଯିବା ବେଳେ ଯେପରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅନୁଭବ କରିବେ ସେନେଇ ପଥର କାରୁକାର୍ଯ୍ୟକୁ ସ୍ଥାନିତ କରାଯାଇଛି। ୫-ଟି ଅଧ୍ୟକ୍ଷ ଶ୍ରୀସେତୁକୁ ନିରୀକ୍ଷଣ କରିବା ସହ ଦୁଇ ପାର୍ଶ୍ବକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରିବା ଲାଗି ଶ୍ରୀଜଗନ୍ନାଥ ସଂସ୍କୃତିର ଛାପ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କମିଟି ସଦସ୍ୟ ତଥା ସ୍ଥପତି ଭବାନୀ ମିଶ୍ରଙ୍କ ପରାମର୍ଶ କ୍ରମେ ଲହି ସବୁ ଭାସ୍କର୍ଯ୍ୟ କାରିଗରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। ଶ୍ରୀ ମିଶ୍ର କହିଛନ୍ତି, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ବାରମ୍ବାର ଶ୍ରୀସେତୁକୁ ନିରୀକ୍ଷଣ ପାଇଁ ଆସୁଥିଲେ। ଉଭୟପାର୍ଶ୍ବରେ ପଥରର ଭାସ୍କର୍ଯ୍ୟ ନେଇ ଆଲୋଚାନା ହେବା ପରେ ସେ ପଥର ସ୍ଥାପତ୍ୟଗୁଡ଼ିକ କେଉଁଠାରେ ସ୍ଥାନିତ ହେବ ଓ କେଉଁଭଳି ଭାସ୍କର୍ଯ୍ୟ ଏହି ଶ୍ରୀସେତୁ ମଧ୍ୟରେ ସ୍ଥାନ ପାଇବ ସେ ବାବଦ ପରାମର୍ଶ ଦେଇଥିଲେ। ଶ୍ରୀସେତୁର ନିର୍ମାଣ ଶୈଳୀ ଯେତିକି ଚମକ ଆଣିଛି, ତା’ ମଧ୍ୟରେ ଭରପୂର କଳା ସ୍ଥାପତ୍ୟ ଏହାର ଶୋଭାକୁ ବହୁଗୁଣିତ କରୁଛି। ଭକ୍ତମାନେ ଗାଡ଼ି ନେଇ ଶ୍ରୀସେତୁକୁ ପ୍ରବେଶ ପଥରେ ପ୍ରଥମେ ଏକ ଶଙ୍ଖାକୃତି ଉଦ୍ୟାନ ଦେଖିବେ। ସେଠାରୁ ଆସିବା ପରେ ସେତୁର ଉଭୟ ପାର୍ଶ୍ବ ବାଡ଼ରେ ମାଣବସା ପାରମ୍ପରିକ ଝୋଟି ଚିତା ସହ ଉଭୟ ପାର୍ଶ୍ବରେ ପଥରର ଭାସ୍କର୍ଯ୍ୟ ଦେଖିବେ। ମଧ୍ୟ ଭାଗ ଡିଭାଇଡର ଓ ଉଭୟ ପାର୍ଶ୍ବରେ ସବୁଜିମାର ଆକର୍ଷଣକୁ ମଧ୍ୟ ଉପଭୋଗ କରିବେ।
‘ଶ୍ରୀଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର’
ପୁରୀ: ଦେଶ ବିଦେଶରୁ ଶ୍ରୀକ୍ଷେତ୍ର ଦୌଡ଼ି ଆସୁଥିବା ଶ୍ରଦ୍ଧାଳୁ ଆଉ ଘଣ୍ଟା ଘଣ୍ଟା ଟ୍ରାଫିକ୍ରେ ଫସିବେନି। ହେବନି ସମୟ ଅପଚୟ। ସହଜ ହେବ ଶ୍ରୀମନ୍ଦିର ପହଞ୍ଚିବା ଓ ମହାପ୍ରଭୁଙ୍କ ଦର୍ଶନ। ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ସାଉଣ୍ଟିବେ ସୁଖଦ ଅନୁଭୂତି। ଟ୍ରାଫିକ୍ ଯନ୍ତ୍ରଣାର ତିକ୍ତ ଅନୁଭୂତି ଦୂର କରିବାକୁ ପୂର୍ଣ୍ଣରୂପ ନେବାକୁ ଯାଉଛି ‘ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର(ଜେବିପିସି)’। ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରର ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ନିର୍ମାଣ ଚାଲିଛି ରାଜ୍ୟ ସରକାରଙ୍କ ଏହି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ। ଖୁବ୍ଶୀଘ୍ର ଏହା ପୂର୍ଣ୍ଣାଙ୍ଗ ରୂପ ନେଇ ଭକ୍ତ, ପର୍ଯ୍ୟଟକଙ୍କୁ ସେବା ଯୋଗାଇଦେବ। ଏଥିପାଇଁ ରାଜ୍ୟ ସରକାର ‘ଅବଢ଼ା’ ଯୋଜନାରେ ୨୩୦କୋଟି ୬୨ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ଏହାର ନିର୍ମାଣ ଦାୟିତ୍ୱ ନେଇଛି। ଭକ୍ତ, ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଏହା ଅନ୍ୟତମ ବୃହତ୍ ପ୍ରକଳ୍ପ ବୋଲି କୁହାଯାଉଛି। ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରରେ କେବଳ ପାର୍କିଂ ସୁବିଧା ନାହିଁ, ଏହା ସହ ରହିଛି ଅତ୍ୟାଧୁନିକ ଧ୍ୟାନକେନ୍ଦ୍ର, ଲବି, ଫୁଡ୍କୋର୍ଟ ଓ ସପିଂର ସୁବିଧା। ଲବି, ଦୋକାନ ଥିବା ଫ୍ଲୋର୍ ଓ ଫୁଡ୍କୋର୍ଟ ଏବଂ ଧ୍ୟାନକେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯାଉଛି। ୧୮୪୦ ବର୍ଗମିଟର ଅଞ୍ଚଳରେ ଫୁଡ୍କୋର୍ଟ ଓ ଅବସର ବିନୋଦନ ଅଞ୍ଚଳ(ଏଣ୍ଟରଟେନ୍ମେଣ୍ଟ ଜୋନ୍), ଉପର ମହଲାରେ ୬,୯୩୬ ବର୍ଗ ମିଟର ଅଞ୍ଚଳରେ ଧ୍ୟାନକେନ୍ଦ୍ର ଆଦି ନିର୍ମାଣ ହେଉଛି। ଏକକାଳୀନ ୬,୬୯୪ ଲୋକଙ୍କ କ୍ଷମତା ରଖୁଥିବା ଏହି ତୀର୍ଥଯାତ୍ରୀ କେନ୍ଦ୍ରର ଉପର ମହଲାରେ ୬,୯୩୬ ବର୍ଗମିଟର ଅଞ୍ଚଳରେ ଧ୍ୟାନକେନ୍ଦ୍ର, ଲାଉଞ୍ଜ ଓ ଖୋଲା ଲନ୍ ରହିଛି। ଏକକାଳୀନ ୨୨ଶହରୁ ଅଧିକ ଲୋକ ଏଠାରେ ବସିପାରିବେ। ଯେକୌଣସି ପ୍ରକାର ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏଠାରେ କରାଯାଇପାରିବ। ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟରେ ପିଲାଙ୍କ ପାଇଁ ଫିଡିଂ ରୁମ୍, ଡ୍ରାଇଭର୍ଙ୍କ ପାଇଁ ବିଶ୍ରାମ କକ୍ଷ ସାଙ୍ଗକୁ ପାନୀୟ ଜଳ ଓ ଶୌଚାଳୟର ସୁବିଧା ମଧ୍ୟ ରହିଛି। ବିଭିନ୍ନ ମହଲାକୁ ଯାତାୟାତ ସୁବିଧା ଲାଗି ଏଥିରେ ୧୧ଟି ଲିଫ୍ଟ ରହିଛି। ଏଥିମଧ୍ୟରୁ ଯାତ୍ରୀଙ୍କ ପାଇଁ ୮ଟି, ସାମଗ୍ରୀ ପାଇଁ ୨ଟି(୨ଟନ୍ କ୍ଷମତା ବିଶିଷ୍ଟ) ଓ କାର୍ ପାଇଁ ଗୋଟିଏ ଲିଫ୍ଟ ରହିଛି। ସେହିପରି ୮ଟି ଶିଡ଼ିଘର, ପ୍ରବେଶ ଓ ପ୍ରସ୍ଥାନ ଲାଗି ଦୁଇଟି ରାମ୍ପ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ୨ହଜାର କେଭିର ଡିଜି ସେଟ୍ ସାଙ୍ଗକୁ ସମଗ୍ର କୋଠାର ଆଲୋକୀକରଣ କରାଯାଉଛି।
ପୁରୀକୁ ଆସୁଥିବା ଭକ୍ତମାନେ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି, ସେ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଯୋଗାଇଦେବା ପାଇଁ ହାତ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ ସହର ପୁରୀରେ ଅନେକ ମେଗା ପ୍ରକଳ୍ପ ହାତକୁ ନିଆଯାଇଛି। ତନ୍ମଧ୍ୟରୁ ଜେବିପିସି ଅନ୍ୟତମ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଗାଡ଼ିରେ ଆସୁଥିବା ଭକ୍ତ, ପର୍ଯ୍ୟଟକମାନେ ଯେପରି ଟ୍ରାଫିକ୍ ଭିଡ଼ରେ ନ ଫସନ୍ତି, ସେଥିଲାଗି ଜଗନ୍ନାଥ ବଲ୍ଲଭ ପରିସରରେ ତିଆରି ଚାଲିଛି ବହୁମୁଖୀ ତୀର୍ଥଯାତ୍ରୀ କେନ୍ଦ୍ର। ଏଠାରେ ପାର୍କିଂ ସୁବିଧା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା କରାଯାଉଛି। ବିସ୍ତୃତ ଜାଗାରେ ବେସ୍ମେଣ୍ଟ ଓ ତଳମହଲା ସହ ୫ ମହଲାବିଶିଷ୍ଟ କୋଠା ନିର୍ମାଣ ହେଉଛି। ଏଠାରେ ବହୁତଳ ପାର୍କିଂ ସୁବିଧା ସାଙ୍ଗକୁ ରହିଛି ୧୮୯ଟି ଦୋକାନ ଘର। ଏକକାଳୀନ ୧,୪୨୦ କାର୍ ଏବଂ ୩୦୮ ଦୁଇଚକିଆ ଯାନ ପାର୍କିଂ ହେବାର ବ୍ୟବସ୍ଥା ରହିଛି। ବେସ୍ମେଣ୍ଟରେ ୩୫୦ କାର୍, ତଳ ମହଲାରେ ୨୬୦ କାର୍ ଧ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାରେ ୨୭୦ଟି ଲେଖାଏଁ କାର୍ ରହିପାରିବ। ସେହିପରି ବେସ୍ମେଣ୍ଟରେ ୭୪ଟି ବାଇକ୍, ତଳ ମହଲାରେ ୭୨ଟି, ପ୍ରଥମ ମହଲା, ତୃତୀୟ ମହଲା ଓ ଚତୁର୍ଥ ମହଲାରେ ୫୪ଟି ଲେଖାଏଁ, ମୋଟ ୩୦୮ଟି ଦୁଇଚକିଆ ଗାଡ଼ି ପାର୍କିଂ କରିହେବ। ଦୋକାନ ଘର ଦେଖିଲେ, ତଳ ମହଲାରେ ୧୦ଟି, ପ୍ରଥମ ମହଲାରେ ୧୮ଟି, ଦ୍ୱିତୀୟ ମହଲାରେ ୧୮ଟି, ତୃତୀୟ ମହଲାରେ ୪ଟି ଓ ଚତୁର୍ଥ ମହଲାରେ ୧୩୪ଟି ଦୋକାନ ଘର ରହିଛି। ଯାତ୍ରୀମାନେ ଶ୍ରୀସେତୁ ଦେଇ ସିଧାସଳଖ ଏହି ତୀର୍ଥଯାତ୍ରୀ କେନ୍ଦ୍ରରେ ପହଞ୍ଚି ପାରିବେ। ଏହିଠାରେ ଗାଡ଼ି ପାର୍କିଂ କରିବା ପରେ ବ୍ୟାଟେରି ଚାଳିତ ଅଟୋରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ନିକଟକୁ ଯିବେ। ମହାପ୍ରଭୁଙ୍କୁ ଦର୍ଶନ କରି ପୁନଶ୍ଚ ଏଠାରେ ପହଞ୍ଚି ଗାଡ଼ି ଧରି ଫେରିପାରିବେ। ଫଳରେ ସେମାନଙ୍କୁ ସହର ଭିତରେ କୌଣସି ଜାଗାରେ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ନିର୍ମାଣକାରୀ ସଂସ୍ଥା ଓବିସିସିର ସାଧାରଣ ପରିଚାଳକ ଶ୍ରୀଧର ରାଉତ କହିଛନ୍ତି, ଦ୍ରୁତ ଗତିରେ କାମ ଚାଲିଛି। ଏପ୍ରିଲ ଶେଷ ସୁଦ୍ଧା ଏହା ସଂପୂର୍ଣ୍ଣ ହୋଇଯିବ। ଏଠାରେ ଉନ୍ନତମାନର କାର୍ ପାର୍କିଂ ପରିଚାଳନା ବ୍ୟବସ୍ଥା ରହିଛି। ଫଳରେ ଶ୍ରୀସେତୁରେ ଚଢ଼ିବା ମାତ୍ରେ କିଏ କେଉଁଠି ପାର୍କିଂ କରିବେ, ତାହା ଜାଣିପାରିବେ।
ଭୋଇସେବକଙ୍କୁ ଥଇଥାନ
ପୁରୀ: ଶ୍ରୀକ୍ଷେତ୍ରର ହେଉଛି ବିକାଶ। ବଦଳୁଛି ଦାଣ୍ଡଘାଟର ଚିତ୍ର। ବହୁ ବର୍ଷ ପରେ ଆଖିଝଲସା ବିକାଶ ଦେଖୁଛି ପୁରୀ ସହର। ସରକାରଙ୍କ ବିକାଶୋନ୍ମୁଖୀ ପରିକଳ୍ପନାରେ ହାତ ମିଳାଇଛନ୍ତି ସହରବାସୀ। ଅନେକ ନିଜର ପୁରୁଷ ପୁରୁଷର ଭିଟାମାଟି ଛାଡ଼ି ଦେଇଛନ୍ତି। ଜମିର ମୋହ ଛାଡ଼ି ସହରର ବିକାଶକୁ ଅଗ୍ରାଧିକାର ଦେବାକୁ ଆଗେଇ ଆସିଛନ୍ତି। ଭକ୍ତ ଓ ମହାପ୍ରଭୁଙ୍କ ମଧ୍ୟରେ ସେତୁ ସାଜିବା ପାଇଁ ଭକ୍ତିପୂତ ଭାବେ ଜମି ସମର୍ପି ଦେଇଛନ୍ତି। ସରକାର ମଧ୍ୟ ବିସ୍ଥାପିତଙ୍କୁ ନିରାଶ କରିନାହାନ୍ତି। ଘର କରିବାକୁ ଜମି, ପୁରୁଣା ଘର ପାଇଁ ଖର୍ଚ୍ଚ କରିଥିବା କ୍ଷତିପୂରଣ ଅର୍ଥରାଶି ଓ ଘର ନିର୍ମାଣ ପାଇଁ (ସାବାଳକଙ୍କ ଉଦ୍ଦେଶ୍ୟରେ) ନିର୍ଦ୍ଦିଷ୍ଟ ଅର୍ଥରାଶି ପ୍ରଦାନ କରିଛନ୍ତି। ଫଳସ୍ବରୂପ ସରକାରଙ୍କ ଦ୍ବାରା ବହୁପ୍ରତୀକ୍ଷିତ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପର ସ୍ବପ୍ନ ସାକାର ହୋଇଛି। ଏହି କ୍ରମରେ ଭିଟାମାଟି ହରାଇଥିବା ୬୨ଜଣ ରଥ ଭୋଇ ସେବକଙ୍କୁ ଜଗନ୍ନାଥ ବଲ୍ଲଭ ପରିସରରେ ଥଇଥାନ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ ଅବା ଶ୍ରୀଦାଣ୍ଡ, ବିକାଶ କାର୍ଯ୍ୟ ପାଇଁ ବହୁ ସେବାୟତ ଓ ପିଢ଼ିପିଢ଼ି ଧରି ରହି ଆସୁଥିବା ଲୋକେ ଜମି ଛାଡ଼ିଛନ୍ତି। ଜଗନ୍ନାଥବଲ୍ଲଭ ପାର୍କିଂ ମଧ୍ୟରେ ରହୁଥିବା କିଛି ରଥ ଭୋଇ ସେବକମାନେ ନିଜର ଜମି ହରାଇଛନ୍ତି। ଜଗନ୍ନାଥବଲ୍ଲଭ ପାର୍କିଂ ଓ ଶ୍ରୀସେତୁ ପାଇଁ ପୁରୀର ୪ଟି ମୌଜାର ମୋଟ୍ ୩୭ ଏକର ୯୮୪ ଡେସିମାଲ୍ ଜମି ଅଧିଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୪ଏକର ସରକାରୀ ଜମି ହୋଇଥିବା ବେଳେ ପ୍ରାୟ ୩୪ଏକର ଘରୋଇ ଜମି ଅଧିଗ୍ରହଣ ହୋଇଥିଲା। ଏଥିରେ ୬୨ ରଥ ଭୋଇ ସେବକ ପରିବାର ଜମି ଛାଡ଼ିଥିଲେ। ବିସ୍ଥାପିତ ହେବା ପରେ ସେବକମାନଙ୍କୁ ସେଇ ଜଗନ୍ନାଥ ବଲ୍ଳଭର ପଛ ପାର୍ଶ୍ବରେ ଜମି ସହ ମୁଣ୍ଡ ପିଚ୍ଛା ଅର୍ଥରାଶି ମଧ୍ୟ ସହାୟତା ସ୍ବରୂପ ଯୋଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୂରପ୍ରସାରୀ ଭିଜନ୍କୁ ସାକାର କରିବା ପାଇଁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପରାମର୍ଶରେ ସହାୟତା ରାଶି ପ୍ରଦାନ କରାଯାଇଛି।
ସମସ୍ତ ରଥ ଭୋଇ ସେବକ ପରିବାରକୁ ଏବେ ଜଗନ୍ନାଥ ବଲ୍ଲଭ ମଧ୍ୟରେ ଥଇଥାନ କରାଯାଇଛି। ସେମାନଙ୍କ ପରିବାରର ପ୍ରତ୍ୟେକ ୧୮ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ୨୦ ଫୁଟ୍ ଓସାର ଓ ୨୭ଫୁଟ୍ ଲମ୍ବର ଜମି ପ୍ରଦାନ କରାଯାଇଛି। ଘର ନିର୍ମାଣ କରିବା ପାଇଁ ପରିବାରର ପ୍ରତ୍ୟେକ ସାବାଳକଙ୍କ ଉଦ୍ଦେଶ୍ୟରେ ୩ଲକ୍ଷ ୭ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହାବ୍ୟତୀତ ସେମାନେ ପୂର୍ବରୁ ବସତି ସ୍ଥାପନ ପାଇଁ ଯେଉଁ ଘର ତିଆରି କରିଥିଲେ ସେ ଘର ଭାଙ୍ଗିବା ପୂର୍ବରୁ ସେ ବାବଦ ଅର୍ଥରାଶି ମଧ୍ୟ ଆକଳନ ମତେ ପ୍ରଦାନ କରାଯାଇଛି। ଏବେ କିଛି ରଥ ଭୋଇ ସେବକମାନଙ୍କୁ ଜଗନ୍ନାଥ ବଲ୍ଲଭ ପରିସରରେ ସଂଗ୍ରହାଳୟ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ଘରେ ରହିବାକୁ ଅନୁମତି ଦିଆଯାଇଛି। ସେଠାରେ ସେମାନେ ବହୁଦିନ ହେଲା ରହି ନିକଟରେ ମିଳିଥିବା ଜମିରେ ଘର ନିର୍ମାଣ କରୁଛନ୍ତି। କିଛି ପରିବାର ଘର ନିର୍ମାଣ କାର୍ଯ୍ୟ ଶେଷ କରି ସେଠାରେ ରହିବା ଆରମ୍ଭ କଲେଣି। ଅନେକଙ୍କ ଘରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀକ୍ଷେତ୍ରରେ ଐତିହାସିକ କ୍ରମବିକାଶ ଧାରାରେ ମହାପ୍ରଭୁଙ୍କ ଭକ୍ତଙ୍କ ଉଦ୍ଦେଶ୍ୟରେ ଅର୍ପିତ ଏହି ସେବକଙ୍କ ଭକ୍ତିପୂତ ତ୍ୟାଗ ସର୍ବଦା ସ୍ମରଣୀୟ ହୋଇ ରହିବ।
ରଥ ଭୋଇସେବକଙ୍କ ସେବା
ଶ୍ରୀମନ୍ଦିର ସ୍ବତ୍ବଲିପିର ୯୭ ନମ୍ବର ସେବାରେ ଭୋଇମାନଙ୍କ ସେବାରେ ରଥ ଭୋଇମାନଙ୍କ ବିବରଣୀ ଉଲ୍ଲେଖ ରହିଛି। ରଥ ଭୋଇମାନେ ହେଲେ ଶୂଦ୍ର ସେବକ। ତେବେ ଅକ୍ଷୟ ତୃତୀୟାରେ ଏହି ସେବକମାନେ ଶାଢ଼ି ବନ୍ଧାଇଥାଆନ୍ତି। ପ୍ରତି ରଥ ପାଇଁ ଦୁଇଜଣ ଲେଖାଏଁ ରଥ ଭୋଇ ମୁଖ୍ୟ ରୂପେ ଶାଢ଼ି ବନ୍ଧାଇଥାନ୍ତି। ରଥ ଭୋଇମାନେ ରଥଖଳାରେ କାଠ ବୁହାବୋହିଠୁ ଆରମ୍ଭ କରି କଣ୍ଟା ବାଡ଼େଇବା, କାଠ ଖଞ୍ଜାଖଞ୍ଜି କାମ କରିଥାଆନ୍ତି। ଏହାବ୍ୟତୀତ ଛାମୁଡ଼ିଆ ନିର୍ମାଣ, ରଥ ଟଣା ବେଳେ ରଥର ବ୍ରେକ୍ ଓ ଦଉଡ଼ି ଧରିବା, ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ାଇ ରଖାଯାଇଥିବା ଚାପ ଡଙ୍ଗା ନନ୍ଦା ଓ ଭଦ୍ରାଙ୍କୁ ବାହାର କରିବା, ଦୋଳପୂର୍ଣ୍ଣିମାରେ ଦୋଳବେଦିରେ ଚାନ୍ଦୁଆ ବାନ୍ଧିବା। ଦୋଳବେଦି ଖିଲାଣରେ ଓଡ଼ିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ରାଶି ତେଲ ବୋଳିବା, ରଥ ବାହୁଡ଼ି ଆସିବା ପରେ ରଥ ଭାଙ୍ଗିବା, ଜନ୍ତା, ଗାଡ଼ ଖୋଳିବା, ସିଙ୍ଗଡ଼ା ବାଡ଼େଇବା, ସାରଥି ଉଠାଇବା, ଚାରମାଳ ବାନ୍ଧିବା କାର୍ଯ୍ୟ କରିଥାଆନ୍ତି। ତାଳଧ୍ବଜ ଓ ନନ୍ଦିଘୋଷରେ ୨୯ ଜଣ ଲେଖାଏ ଓ ଦର୍ପଦଳନ ରଥରେ ୨୫ ଜଣ ରଥ ଭୋଇସେବକ ନିୟୋଜିତ ହୋଇଥାଆନ୍ତି। ଖେଇ ଆକାରରେ ଏହି ସେବକଙ୍କୁ ଏକାଦଶୀରେ ଶ୍ରୀମନ୍ଦିରରୁ ଅବଢ଼ା ମହାପ୍ରସାଦ, ଚଢ଼େଇନେଦା ଓ ରଥକାଠ ଆଦି ପ୍ରଶାସନ ପକ୍ଷରୁ ମିଳିଥାଏ।
ପରିକଳ୍ପନାରୁ ବାସ୍ତବତା ଯାଏଁ…
ପୁରୀ: ସତର ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ ପ୍ରଦକ୍ଷଣ ମାର୍ଗ। ଏହି ଶୁଭ ମୁହୂର୍ତ୍ତର ଶୁଭକ୍ଷଣ ଯୁଗଯୁଗକୁ ସାକ୍ଷୀ ହୋଇ ରହିଯିବ। ଏଥିପାଇଁ ପ୍ରଶାସନିକ ସ୍ତରରେ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଶ୍ରୀମନ୍ଦିରରୁ ଆରମ୍ଭ କରି ସମଗ୍ର ସହର ସଜେଇ ହୋଇଛି। ରାତିରେ ରଙ୍ଗିନ୍ ଆଲୋକମାଳାରେ ପୁରୀର ଦୃଶ୍ୟ ଭକ୍ତ ତଥା ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେଉଛି। ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର। ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଏହି ପ୍ରକଳ୍ପ ପାଇଁ ବହୁ ବାଧାବିଘ୍ନ, ଘାତ-ପ୍ରତିଘାତ, ଅଦାଲତୀ ଲଢ଼େଇର ସମ୍ମୁଖୀନ ହେବାକୁ ପଡ଼ିଛି। ଓଡ଼ିଶା ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲେଖାଯିବାକୁ ଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ରୂପରେଖ ପ୍ରସ୍ତୁତ ହୋଇଥିଲା ୨୦୧୯ ମସିହା ଅକ୍ଟୋବର ୧୯ରେ। ସେଦିନ ରାଜ୍ୟ କ୍ୟାବିନେଟ୍ରେ ଅବଢ଼ା ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। କେବଳ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ୩୩୧ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେହି ବର୍ଷ ନଭେମ୍ବରରେ ସରକାର ଜମି ଅଧିଗ୍ରହଣ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ। ଡିସେମ୍ବର ୩୦ରେ ଚିଠା ପ୍ରସ୍ତାବ ଆଗତ ସହ ମତାମତ ଆହ୍ବାନ କରାଯାଇଥିଲା। ୨୦୨୧ ଜାନୁଆରି ୨୧ରେ ସାଂସ୍କୃତିକ ପରାମର୍ଶ କମିଟି ଶ୍ରୀମନ୍ଦିର ଐତିହ୍ୟ କରିଡର୍ର ଚୂଡ଼ାନ୍ତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲା। ଏହା ପରିଚାଳନା କମିଟି ଅନୁମୋଦନ ଲାଭ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ତିନିଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବା ସହ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଜପତି ମହାରାଜ ଦିବ୍ୟସିଂହଦେବ ଶିଳା ସ୍ଥାପନ କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୮ ମଠର ମହନ୍ତ ଓ ୧୦୮ ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରକଳ୍ପ କାମ ୧୮ ମାସରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରି ଦେଇଥିଲେ। ପାହାନ୍ତା ପ୍ରହରରୁ କାର୍ଯ୍ୟର ବାରମ୍ବାର ସମୀକ୍ଷା, ଘଟଣାସ୍ଥଳ ପରିଦର୍ଶନ ପ୍ରକଳ୍ପ କାମକୁ ଆଗକୁ ନେଇଥିଲା।
କାମ ଆଗେଇ ଚାଲିଥିବା ବେଳେ କିଛି କୁଚକ୍ରୀ ଗୋଷ୍ଠୀ ରାଜନୈତିକ ସ୍ବାର୍ଥ ପାଇଁ ଏହାକୁ ଭଣ୍ଡୁର କରିବା ପାଇଁ ଷଡ୍ଯନ୍ତ୍ର। କଥା ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଗଲା। ପ୍ରକଳ୍ପକୁ ବିରୋଧ କରି ଏକ ଜନସ୍ବାର୍ଥ ମାମଲା ଦାୟର କରାଗଲା। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଓ ନ୍ୟାସନାଲ୍ ମନୁମେଣ୍ଟ୍ ଅଥରିଟି (ଏନ୍ଏମ୍ଏ) ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣ ବେଆଇନ ଦର୍ଶାଇ ହାଇକୋର୍ଟରେ ସତ୍ୟପାଠ ଦେଲେ। ପ୍ରକଳ୍ପକୁ ବନ୍ଦ କରିବାକୁ ଏକାଧିକ ମାମଲା କରାଗଲା। କିନ୍ତୁ କଳା ଠାକୁରଙ୍କ ଲୀଳା ବଡ଼ ବିଚିତ୍ର। ମାମଲା ଚାଲିଥିଲେ ହେଁ କୋର୍ଟ କାମ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇନଥିଲେ। ପରେ ଗୋଟିଏ ପରେ ଗୋଟିଏ, ସବୁ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ୨୦୨୨ ଜୁନ୍ ୩ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ତୁରନ୍ତ ରୋକ୍ ଲଗାଇବା ପାଇଁ ଆଗତ ଦୁଇଟି ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। କେବଳ ସେତିକି ନୁହେଁ, କୋର୍ଟ ଉଭୟ ଆବେଦନକାରୀଙ୍କୁ ଚାରି ସପ୍ତାହ ମଧ୍ୟରେ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ରାୟ ଶୁଣାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ବି.ଆର୍ ଗଭାହି ଓ ଜଷ୍ଟିସ ହୀମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଜନସ୍ବାର୍ଥ ମାମଲାକୁ ନାପସନ୍ଦ କରିଥିଲେ। ଅସନ୍ତୋଷ ପ୍ରକାଶ କରି ଖଣ୍ଡପୀଠ କହିଥିଲେ, ଏଭଳି ଜନସ୍ବାର୍ଥ ମାମଲା ଆତ୍ମପ୍ରଚାର ଓ ଆତ୍ମସ୍ବାର୍ଥ ସମ୍ବଳିତ ବୋଲି କୁହାଯାଇପାରେ। ଉନ୍ନୟନମୂଳକ କାମକୁ ବନ୍ଦ କରାଯିବା ଅନୁଚିତ। ପ୍ରକଳ୍ପକୁ ବାଧାଦେବା ଓ ବନ୍ଦ କରିବା ଦ୍ୱାରା ଆବେଦନକାରୀମାନେ କେବଳ ବ୍ୟକ୍ତିଗତ ଗୌରବ ଖୋଜୁଥିଲେ। ସରକାରଙ୍କ ଦ୍ବାରା ନିର୍ମାଣାଧୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେବଳ ଲକ୍ଷଲକ୍ଷ ଭକ୍ତଙ୍କ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ। ଏହା ପୁରାତନ କୀର୍ତ୍ତିରାଜି ଓ ପ୍ରତ୍ନତତ୍ତ୍ବସ୍ଥଳୀ ସୁରକ୍ଷା ପାଇଁ ଥିବା ଆଇନକୁ କୌଣସି ଦିଗରେ ବିରୋଧ କରୁନାହିଁ। ଏଣୁ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣରେ କୌଣସି ରୋକ୍ ଲଗାଇବାର ଯଥାର୍ଥ କାରଣ ଉପୁଜୁନାହିଁ ବୋଲି କୋର୍ଟ ରାୟ ଦେଇଥିଲେ।
ଏହାପରେ ୨୦୨୨ ଜୁନ୍ ୨୨ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆର.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରି ରାୟ ପ୍ରକାଶ କରି ସାରିଥିବାରୁ ହାଇକୋର୍ଟରେ ଆଉ ଏ ସମ୍ପର୍କିତ ମାମଲାର ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଥିଲେ। ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ପ୍ରଥମେ ଦାୟର କରାଯାଇଥିବା ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅନ୍ୟ ଦୁଇଜଣଙ୍କ ପକ୍ଷଭୁକ୍ତ ପିଟିସନ୍କୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ। ନ୍ୟାସନାଲ୍ ମନୁମେଣ୍ଟ ଅଥରିଟିର ଏନ୍ଓସି ସମ୍ପର୍କିତ ଚିଠିକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ମଧ୍ୟ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) କୌଣସି ଅନୁମତି ଦେଇ ନାହିଁ ବୋଲି ଦର୍ଶାଇ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣିରେ ମଧ୍ୟ ହାଇକୋର୍ଟ ଅନ୍ତ ଘଟାଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ପ୍ରସଙ୍ଗରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ ୍କରି ଦାୟର୍ କରାଯାଇଥିବା ପିଟିସନ୍କୁ ରଦ୍ଦ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟର୍ରେ ଲେଖିଥିଲେ,‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ।’
ଶ୍ରୀଜଗନ୍ନାଥପ୍ରେମୀଙ୍କୁ ସମର୍ପିତ
ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ସୁବ୍ୟବସ୍ଥିତ କରିବା ଓ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରିଥିଲେ। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ନେଇ ପ୍ରସ୍ତୁତ ଦୀର୍ଘମିଆଦୀ ରୋଡମ୍ୟାପ ଆଜି ବାସ୍ତବ ରୂପ ନେଇଛି। ୨୦୨୧ ନଭେମ୍ବର ମାସ ୨୪ ତାରିଖରେ ପ୍ରତ୍ୟେକ ଓଡିଆ ତଥା ଜଗନ୍ନାଥପ୍ରେମୀଙ୍କ ପାଇଁ ଥିଲା ସ୍ମରଣୀୟ ଦିବସ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଅନେକ ପ୍ରତିବନ୍ଧକ ପରେ ୨୦୨୧ ମସିହାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ପ୍ରକ୍ରିୟାରେ ସବୁଠୁ ବଡ ଆହ୍ବାନ ଥିଲା ଜମି ଅଧିଗ୍ରହଣ। ମାତ୍ର ପୁରୀବାସୀଙ୍କ ଅକୁଣ୍ଠ ସହଯୋଗ ସହ ପୂର୍ତ୍ତ ବିଭାଗ, ଓବିସିସି, ଜିଲ୍ଲାପ୍ରଶାସନ ସମେତ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ପ୍ରକଳ୍ପର ନିର୍ମାଣ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇପାରିଛି। ଶ୍ରୀମନ୍ଦିରର ଐତିହ୍ୟ ଧୀରେଧୀରେ ଲୁଚି ଯାଉଥିଲା। ଚାରିପାଖିରେ ଉଠାଦୋକାନୀ, ବେଆଇନ ନିର୍ମାଣ ମେଘନାଦ ପ୍ରାଚୀରର ସୌନ୍ଦର୍ଯ୍ୟ, ସ୍ଥିରତା, ସ୍ଥାୟିତ୍ବ ଉପରେ ବିପଦ ସୃଷ୍ଟି କରୁଥିଲା। ତେଣୁ ପରିକ୍ରମା ପ୍ରକଳ୍ପର ନିର୍ମାଣର ପ୍ରଥମ ଉଦ୍ଦେଶ୍ୟ ଥିଲା ମନ୍ଦିରର ଐତିହ୍ୟ, ଭାସ୍କର୍ଯ୍ୟର ସଂରକ୍ଷଣ, ଭକ୍ତଙ୍କ ଗମନାଗମନ ସୁବିଧା ଏବଂ ମନ୍ଦିରର ସୁରକ୍ଷାକୁ ସୁନିଶ୍ଚିତ କରିବା।
ଭକ୍ତଙ୍କ ସୁବିଧାକୁ ଗୁରୁତ୍ବ
ପ୍ରକଳ୍ପରେ ଭକ୍ତଙ୍କୁ ସବୁଠୁ ଅଧିକ ଗୁରୁତ୍ବ ଦିଆଯାଇଛି। ପୂର୍ବରୁ ଧାଡି ବାନ୍ଧି ଖରାରେ ଠିଆ ହୋଇ ଦର୍ଶନ ପାଇଁ ଅପେକ୍ଷା କରୁଥିବା ଭକ୍ତଙ୍କ ପାଇଁ ଅଭ୍ୟର୍ଥନା କକ୍ଷର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରକୁ ଯିବା ପଥରେ ଛାଇ ଓ ଶୀତଳକରଣ ବ୍ୟବସ୍ଥା ହୋଇଛି। ପୁରୀରେ ସୃଷ୍ଟି ହେଉଥିବା ପାର୍କିଂ ସମସ୍ୟାକୁ ଏହି ପ୍ରକଳ୍ପ ମାଧ୍ୟମରେ ସମାଧାନ କରାଯିବାକୁ ଚେଷ୍ଟା କରାଯାଇଛି। ବଡ଼ଦାଣ୍ଡକୁ ପ୍ରଶସ୍ତ ଓ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ଜଗନ୍ନାଥବଲ୍ଲଭ ପାର୍କିଂଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଯାଏ ଶ୍ରୀଦାଣ୍ଡ ନିର୍ମିତ ହୋଇଛି। ସେଠାରେ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ବ ଦିଆଯାଇଛି। ପ୍ରାକୃତିକ ପରିବେଶ ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ ଦେଇ ଭକ୍ତମାନେ ଶ୍ରୀଜିଉଙ୍କ ନିକଟରେ ପହଞ୍ଚିପାରିବେ। ମେଘନାଦ ପ୍ରାଚୀର ୭୫ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କରାଯାଇଛି। ପ୍ରକଳ୍ପରେ ୯ ଟି ସ୍ତର ରହିଛି। ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି, ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲପାଇବା କାରଣରୁ ଏହି ପ୍ରକଳ୍ପ ବାସ୍ତବ ରୂପ ନେଇପାରିଛି। ପ୍ରକଳ୍ପର ଉଦ୍ଘାଟନ ରାଜ୍ୟବାସୀଙ୍କ ପାଇଁ ଗର୍ବର ମୁହୁର୍ତ୍ତ ହେବ। ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସେବାନୁଷ୍ଠାନ, ମନ୍ଦିର ଆଦିକୁ ନିମନ୍ତ୍ରଣ ଦିଆଯାଇଛି। ମୁଖ୍ୟ କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷ ସାମିଲ ହେବାନେଇ ଆଶା ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଆଧାରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦର୍ଶନାର୍ଥୀ ଶ୍ରୀମନ୍ଦିର ଚାରିପାର୍ଶ୍ବରୁ ଜଗନ୍ନାଥ ସଂସ୍କୃତିର ଇତିହାସ ଜାଣିପାରିବେ। ପ୍ରକଳ୍ପର ପ୍ରତିଟି କାରୁକାର୍ଯ୍ୟରେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଛାପ ରହିଛି।
ସଂସ୍କାର ଓ କଟକଣାରୁ ଆରମ୍ଭ ଆଧ୍ୟାତ୍ମିକ ପରିକ୍ରମା
ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମେ ପୋଷାକ ପରିଧାନରେ ସଂସ୍କାର ଅଣାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ମନ୍ଦିରର ଗରିମା, ମର୍ଯ୍ୟାଦାକୁ ବଢାଇବା ପାଇଁ ଅଶାଳୀନ ପୋଷାକ ପରିଧାନ ଉପରେ କଟକଣା ଲାଗୁ କରାଯାଇଛି। ଦ୍ବିତୀୟତଃ ଅନେକ ଭକ୍ତ ଓ ସେବାୟତ ପାନ, ଗୁଟଖା ଆଦି ସେବନ କରି ମନ୍ଦିରରେ ଛେପ ପକାଉଥିଲେ। ଏହା ମନ୍ଦିରର ପବିତ୍ର ବାତାବରଣକୁ ଦୂଷିତ କରୁଥିଲା। ତେଣୁ ପ୍ରଶାସନ ପକ୍ଷରୁ ଏହା ଉପରେ କଟକଣା ଲଗାଯାଇଛି। ତୃତୀୟରେ ପ୍ଲାଷ୍ଟିକ୍ ବ୍ୟବହାରକୁ ମନ୍ଦିରରେ ରୋକ ଲଗାଯାଇଛି। ମନ୍ଦିରକୁ ଭୋଗ ଆଣୁଥିବା ଭକ୍ତ ପଲିଥିନ ବଦଳରେ ବର୍ତ୍ତମାନ ବାଉଁଶ ଚାଙ୍ଗୁଡି କିମ୍ବା କାଗଜ ଠୁଙ୍ଗା ବ୍ୟବହାର କରୁଛନ୍ତି। ସେବାୟତଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ନକରିବାକୁ କୁହାଯାଇଛି। ଏଭଳି ସଂସ୍କାରମୂଳକ ପଦକ୍ଷେପକୁ ଆମେରିକା, ୱାସିଂଟନ ଡିସିର ଏକ ସଂଗଠନ ସାଧୁବାଦ ଜଣାଇବା ସହ ପ୍ରଶଂସାପତ୍ର ପ୍ରଦାନ କରିଛି, ଯାହା ଆମ ପାଇଁ ଗୌରବର ବିଷୟ ।
ରଞ୍ଜନ କୁମାର ଦାସ,(ଭା.ପ୍ର.ସେ)
ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ
[ad_2]