ପୁଲିସ ଡାଳେ ଡାଳେ, ଚୋର ପତ୍ରେ ପତ୍ରେ: ୧୦ଦିନରେ ରାଜଧାନୀରେ ୯୦ରୁ ଅଧିକ ଚୋରି ଓ ଛିନତାଇ – bajravana
[ad_1]
ଭୁବନେଶ୍ବର: ଡିସେମ୍ବର ୧୩ ତାରିଖରୁ ୨୩ ତାରିଖ ମଧ୍ୟରେ ରାଜଧାନୀର ବିଭିନ୍ନ ଥାନାରେ ୯୦ରୁ ଅଧିକ ଚୋରି ଓ ଛିନ୍ତାଇ ଭଳି ମାମଲା ରୁଜୁ ହୋଇଛି। ଚଳିତ ମାସର ୨୩ ତାରିଖ ସୁଦ୍ଧା ଏହି ସଂଖ୍ୟା ୧୫୦ ଟପି ଗଲାଣି। ଚୋରମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିଲେ ମଧ୍ୟ କିଛି ସୁଫଳ ମିଳିନି। ପୁଲିସ ଡାଳେ ଡାଳେ ଗଲେ, ଚୋର ପତ୍ରେ ପତ୍ରେ ଯାଉଛନ୍ତି। କମିସନରେଟ ପୁଲିସର ବିଭିନ୍ନ ଟିମ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି ହେଉଛି। ଚଳିତ ମାସରେ ତ ରାଜ୍ୟ ମୁଖ୍ୟ ସୂଚନା କମିସନର, ଜଣେ ପୂର୍ବତନ ଜଜ୍ ତଥା ପୂର୍ବତନ ବାଚସ୍ପତିଙ୍କ ଘରୁ ମଧ୍ୟ ଚୋରି ହୋଇଛି। ଏପରିକି ଲୁଟେରା ପୁଲିସ ପରିଚୟରେ ଗାଡ଼ି ଅଟକାଇ ଲୋକଙ୍କୁ ଲୁଟିବାର ଘଟଣା ବି ଘଟିଛି। ସିସିଟିଭି ଫୁଟେଜ୍ ଥାଇ ମଧ୍ୟ ଚୋରଙ୍କୁ ଠାବ କରିବାରେ ସଫଳ ହେଉନି କମିସନରେଟ ପୁଲିସ। ଗତ ଏକ ସପ୍ତାହ ମଧ୍ୟରେ ଖାରବେଳନଗର ଥାନାରେ ସର୍ବାଧିକ ୧୧ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ, ଭରତପୁରରେ ୫ଟି; ଏୟାରପୋର୍ଟ ୮ଟି; କ୍ୟାପିଟାଲ, ଖଣ୍ଡଗିରି ନୂଆପଲ୍ଲୀରେ ୬ଟି; ମୈତ୍ରୀବିହାରରେ ୭ଟି ଲେଖାଏ ଚୋରି ମାମଲାର ରୁଜୁ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୨୦୨୧ ମସିହାରେ କମିସନରେଟ୍ ପୁଲିସ ଇଲାକାରେ ମୋଟ୍ ୨,୦୫୮ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୯୧୫ଟି ମାମଲାରେ ଚୋର ଧରା ପଡ଼ିଥିଲେ। ସେହିଭଳି ୨୦୨୦ ମସିହାରେ ୧,୮୬୨ଟି ମାମଲା ରୁଜୁ ହୋଇଥିବା ବେଳେ ୫୯୧ଟି ମାମଲାରେ ଅପରାଧୀ ଗିରଫ ହୋଇଥିଲେ। ଚୋରି, ଲୁଟ୍ ଓ ଛିନ୍ତାଇ ଧରଣର ଅପରାଧକୁ ରୋକିବା ପାଇଁ ପିଓପିଡି ଟିମ୍, ଟିମ୍-୬୦ ଭଳି ପଦକ୍ଷେପ ନିଆଯାଇଥିଲେ ବି କମିସନରେଟ୍ ପୁଲିସ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହେଉନାହିଁ ବୋଲି ଅଭିଯୋଗ ହେଉଛି।
ଅବସରପ୍ରାପ୍ତ ଜଜ୍ଙ୍କ ଘରୁ ଚୋରି
ଡିସେମ୍ବର ୯ ତାରିଖରେ ପୋଖରୀପୁଟ ଲିଙ୍ଗରାଜ ବିହାର କଲୋନୀରେ ରହୁଥିବା ଜଣେ ଅବସରପ୍ରାପ୍ତ ଜଜ୍ଙ୍କ ଘରେ ଭଡ଼ାକୁ ରହୁଥିବା ଭଡ଼ାଟିଆଙ୍କ ଘର ଝରକା ଭାଙ୍ଗି ରୁପା ମୂର୍ତ୍ତି ସହିତ ୧୦ ହଜାର ଟଙ୍କା ଚୋରି।
ରାଜ୍ୟ ମୁଖ୍ୟ ସୂଚନା କମିସନରଙ୍କ ସରକାରୀ ବାସଭବନରୁ ଚୋରି
ଡିସେମ୍ବର ୬ ତାରିଖରେ ରାଜ୍ୟ ମୁଖ୍ୟ ସୂଚନା କମିସନର ଜଳଦ କୁମାର ତ୍ରିପାଠୀଙ୍କ ୟୁନିଟ-୬ ସ୍ଥିତ ଭିଆଇଆର୍ ସରକାରୀ ବାସଭବନରୁ ଜରୁରୀ କାଗଜପତ୍ର ସହିତ ଟଙ୍କା ଓ ସୁନା ଅଳଙ୍କାର ଚୋରି।
ପୂର୍ବତନ ବାଚସ୍ପତିଙ୍କ ଘରୁ ଚୋରି
ଡିସେମ୍ବର ୯ ତାରିଖରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ୟୁନିଟ-୩ ସ୍ଥିତ ସରକାରୀ ବାସଭବନରୁ ଦୁଇଟି ଏସି କମ୍ପ୍ରେସର ଚୋରି।
୫ଟି ଆପାର୍ଟମେଣ୍ଟରୁ ୧ କୋଟି ଚୋରି
ଡିସେମ୍ବର ୧୨ ତାରିଖରେ ଗାଡ଼କଣରେ ଥିବା ସ୍ପେସ୍ ଟାଉନ୍ ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ କୋଟିଏ ଟଙ୍କାରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଆଦି ଚୋରି।
ପୁଲିସ ଅଧିକାରୀ ପରିଚୟ ଦେଇ ସୁନାଚେନ୍ ଲୁଟ
ଡିସେମ୍ବର ୧୯ ତାରିଖରେ ଚନ୍ଦ୍ରଶେଖର ଥାନା ନିକଟରେ ଏକ ଅଟୋକୁ ପୁଲିସ ପରିଚୟ ଦେଇ ଅଟକାଇ ଅଟୋରେ ବସିଥିବା ବୟସ୍କ ମହିଳାଙ୍କ ଠାରୁ ସୁନା ଚେନ୍ ଓ ଲକେଟ୍ ଲୁଟ।
ଏଟିଏମ୍ରୁ ୧୫ ଲକ୍ଷ ନେଇଗଲେ
ଡିସେମ୍ବର ୧୧ରେ ଲିଙ୍ଗରାଜ ଥାନା ହାଟ ସାହିରେ ଥିବା ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ୧୫ ଲକ୍ଷ ଟଙ୍କା ଲୁଟ।
[ad_2]