‘ବିଶ୍ବକପ୍ ବିଜୟଠାରୁ, ଦେଶ ପାଇଁ ଖେଳିବା ସ୍ମରଣୀୟ’: ସେଲ୍ଫି, ଅଟୋଗ୍ରାଫ୍, କପିକୁ ମନା – bajravana
[ad_1]
ଭୁବନେଶ୍ବର(ସୁରେଶ ସ୍ବାଇଁ): କପିଳ ଦେବ ନିଖଞ୍ଜ କହନ୍ତୁ କି କପିଳ ପାଜୀ। ଏଇ ନାଁ’ଟି ଯଥେଷ୍ଟ ତାଙ୍କ ପରିଚୟ, ପ୍ରତିଷ୍ଠା ଓ ପ୍ରଭାବ ଦର୍ଶାଇବାକୁ। ଭାରତୀୟ କ୍ରିକେଟ୍ର ପ୍ରଥମ କିଂବଦନ୍ତି ଯିଏ ଯୁଗ ଯୁଗକୁ ଚିର ସ୍ମରଣୀୟ ରହିବେ। ସୋମବାର ଏହି ମହାନ ଖେଳାଳିଙ୍କ ପାଦ ପଡ଼ିଥିଲା ଭୁବନେଶ୍ବରରେ। ରାଜଧାନୀର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିଜେଇଏମ୍ ସ୍କୁଲ୍ର ୫୦ତମ ବାର୍ଷିକୀ ଉଦ୍ଯାପନୀରେ କପିଳ ହିଁ ଥିଲେ ମୁଖ୍ୟ ଆକର୍ଷଣ। ପାରାମାଉଣ୍ଟ୍ ସ୍ପୋର୍ଟିଂ ପଡ଼ିଆରେ କୁନି ପ୍ରତିଭାଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ। ଏହାର ପରବର୍ତ୍ତୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ୬୫ ବର୍ଷୀୟ କପିଳ ନିଜ ଅଭିଜ୍ଞତା, ଅନୁଭବରୁ ଖେଳାଳି ଓ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ଦିଗ୍ଦର୍ଶନ।
Sambad is now on WhatsApp
Join and get latest news updates delivered to you via WhatsApp
‘‘୧୯୮୩ ବିଶ୍ବକପ୍ ବିଜୟ ତୁଳନାରେ ଭାରତୀୟ ଦଳ ଲାଗି ଖେଳିବା ମୋ ପାଇଁ ସବୁଠାରୁ ଅଧିକ ଅଭୁଲା ଓ ସ୍ମରଣୀୟ। ଯାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ଜିମ୍ବାୱେ ବିପକ୍ଷରେ ୧୭୫ ରନ୍ ପାଳି ହେଉ କି ଫାଇନାଲ୍ରେ ଭିଭିଆନ୍ ରିଚାର୍ଡସଙ୍କ କ୍ୟାଚ୍ ହେଉ ସବୁ ଅତୀତର କଥା। କ୍ରିକେଟ୍ରେ ସବୁବେଳେ ସବୁ ଠିକ୍ ଚାଲେ ନାହିଁ, ସେଦିନ କିନ୍ତୁ ଆମେ ଯାହା ଚାହିଥିଲୁ ତାହା କରି ସଫଳ ହୋଇଥିଲୁ। ଈଶ୍ବରଙ୍କ ଆଶୀର୍ବାଦ ବି ଥିଲା ଆମ ସହିତ। ଆଧୁନିକ କ୍ରିକେଟ୍ରେ ଅନେକ ପରିବର୍ତ୍ତନ ହୋଇଛି। ସବୁଠୁ ଭଲ କଥା ହେଉଛି ଲୋକମାନେ ଏବେ ପ୍ରତିଥର ଆଶା କରୁଛନ୍ତି ଭାରତ ବିଶ୍ବକପ୍ ଜିତିପାରିବ। ଏହି ପରିବର୍ତ୍ତନ ସବୁଠାରୁ ବଡ଼ କଥା। ମୁଁ ଟ୍ବେଣ୍ଟି-୨୦ କ୍ରିକେଟ୍ ଖେଳିଥିଲେ ବଡ଼ ପ୍ରଭାବ ପକାଇପାରିଥାନ୍ତି, ଏହା ଭିନ୍ନ ବିଶ୍ବାସ। ମୁଁ ଏହି କ୍ରିକେଟ୍ ଖେଳିନାହିଁ ଯେତେବେଳେ ମୁଁ କିଛି କହିପାରିବି ନାହିଁ। ମୁଁ ମୋ ସମୟରେ ଶ୍ରେଷ୍ଠ ଖେଳିବାକୁ ସବୁବେଳେ ଚେଷ୍ଟା କରିଥିଲି। ବର୍ତ୍ତମାନର ଖେଳାଳିମାନେ କିନ୍ତୁ ଭଲ ଖେଳୁଛନ୍ତି। ଜୀବନରେ ମୁଁ କେବେ କୌଣସି ଜଣେ ବ୍ୟକ୍ତିକୁ ଆଦର୍ଶ କରି ନଥିଲି। ସମୟକ୍ରମେ ଏହା ପରିବର୍ତ୍ତନ ହେଉଥିଲା। ୧୯୮୩ ବିଶ୍ବକପ୍ ଫାଇନାଲ୍ରେ ପଛକୁ ଦୌଡ଼ି ଭିଭିଆନ୍ ରିଚାର୍ଡସଙ୍କ କ୍ୟାଚ୍ ଧରିବା କେତେ କଷ୍ଟ ଥିଲା ବୋଲି ପ୍ରଶ୍ନ ହେବାରୁ କପିଳ କହିଥିଲେ ‘ଏହା କଷ୍ଟକର ନୁହେଁ ଗୁରୁତ୍ବପୂର୍ଣ୍ଣ କ୍ୟାଚ୍ ଥିଲା। ଗୁରୁତ୍ବପୂର୍ଣ୍ଣକୁ ‘କଷ୍ଟକର’ କହିଲେ ଭୁଲ୍ ହେବ। ଏହାକୁ ବୁଝିବା କଥା। ମୋତେ ବେଳେ ବେଳେ ଅନେକ ପ୍ରଶ୍ନ କରିଥାନ୍ତି ‘କେଉଁଟି ଆପଣଙ୍କ ଜୀବନର ଶ୍ରେଷ୍ଠ ଦିନ। ୯୯ ପ୍ରତିଶତ ଲୋକ ଭାବନ୍ତି ୧୯୮୩ ବିଶ୍ବକପ୍ ଟ୍ରଫି ଜିତିବା, ମୁଁ ସେଭଳି ଭାବେ ନାହିଁ। ଭାରତ ପାଇଁ ପ୍ରତିନିଧିତ୍ବ କରିବା ମୋ ପାଇଁ ସବୁଠାରୁ ବଡ଼ ଉପଲ୍ବଧି।
ଏହା ଏକ ମାନସିକତା, ଦେଶ ପାଇଁ ଖେଳି ନଥିଲେ ମୁଁ ଅଧିନାୟକ ହୋଇପାରି ନଥାନ୍ତି। ଯାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା। କେବଳ ପଡ଼ିଆରେ ଅଧିନାୟକ ଥିଲି ପୂର୍ବରୁ ଆମେ ବିନା ଯୋଜନାରେ କ୍ରିକେଟ୍ ଖେଳୁଥିଲୁ କହିବା ଭୁଲ୍କଥା। ଆଗରୁ ଡ୍ରେସିଂ ରୁମ୍ରେ ଯୋଜନା ହେଉଥିଲା ଏବେ ପଡ଼ିଆରେ ହେଉଛି। ଏବେ ଖେଳାଳିମାନେ ପଡ଼ିଆ ଭିତରେ ଟିମ୍ ହଡଲ୍ କରୁଛନ୍ତି, ଆମେ ପଡ଼ିଆକୁ ଆସିବା ପୂର୍ବରୁ ଡ୍ରେସିଂ ରୁମ୍ ଭିତରେ ସବୁ କୌଶଳ କରିଥାଉ। ମାତ୍ର ୨୪ ବର୍ଷ ବୟସରେ ମୁଁ ଅଧିନାୟକ ହୋଇଥିଲି ବୋଲି ଯେ ବରିଷ୍ଠ ଖେଳାଳିଙ୍କଠାରୁ ପରାମର୍ଶ ନେଇପାରିବି ନାହିଁ ସେମିତି ଧାରଣା ନଥିଲା। ମୁଁ କେବଳ ପଡ଼ିଆ ଭିତରେ ଅଧିନାୟକ ଥାଏ। ପଡ଼ିଆ ବାହାରେ ଆମେ ସାରା ଜୀବନ ପାଇଁ ଯୋଡ଼ି ହୋଇ ରହିବା ଭଳି ସମ୍ପର୍କ ରଖୁଥିଲୁ। ରାତାରାତି କପିଳ ପାଜୀରୁ ମୁଁ କିଂବଦନ୍ତି କପିଳ ହୋଇନାହିଁ। ମୁଁ ଅତୀତକୁ ଖୁବ କମ ଦେଖିଥାଏ, ଆଗକୁ ଅଧିକ।
ସେଲ୍ଫି, ଅଟୋଗ୍ରାଫ୍, କପିକୁ ମନା
ଗତ ଶତାବ୍ଦୀର ଶ୍ରେଷ୍ଠ କ୍ରିକେଟର୍ କପିଳ ଦେବଙ୍କୁ ଏତେ ପାଖରେ ପାଇବା ପରେ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶାସକ, ପୂର୍ବତନ ଖେଳାଳି, ପ୍ରଶଂସକ ତାଙ୍କ ସହ ନିଜ ସ୍ମୃତି ସାଉଁଟିବାକୁ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଦେଇଥିଲେ। ପାରାମାଉଣ୍ଟ୍ ସ୍ପୋର୍ଟିଂ ପଡ଼ିଆରେ ଆୟୋଜକ ଓ ପୁଲିସ ପ୍ରଶାସନ ବି ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ ଆଗକୁ ନେବାରେ ବିଫଳ ହୋଇଥିଲେ। ଏହା ଦେଖି କପିଳ ଦେବ ନିଜେ ମାଇକ୍ରୋଫୋନ୍ ଧରି ଅନୁରୋଧ କରିବା ପରେ ସବୁକିଛି ଶାନ୍ତ ଓ ସ୍ବାଭାବିକ ହୋଇଥିଲା। ଏଥି ସହ କପିଳ କହିଥିଲେ ସେଲଫି ଓ ଅଟୋଗ୍ରାଫ୍ ପଛରେ ପଡ଼ନାହିଁ। ଏମିତି କାମ କର ଯେଭଳି ତୁମେ ବଡ଼ ହେଲେ ତୁମକୁ ସେଲଫି ଓ ଅଟୋଗ୍ରାଫ୍ ଦେବାକୁ ଲମ୍ବା ଲାଇନ୍ ଲାଗିବ। ନିଜେ ମଧ୍ୟ କପିଳ ଦେବ ପାରାମାଉଣ୍ଟ ପଡ଼ିଆରେ ଥିବା ପ୍ରସ୍ତାବିତ ପୁରସ୍କାର ପ୍ରଦାନ ଉତ୍ସବରୁ ଓହରି ଯାଇଥିଲେ। ପୁରସ୍କାର ଆପଣମାନେ ଦେଇଦିଅନ୍ତୁ ବୋଲି କହି ଏଡ଼ାଇ ଯାଇଥିଲେ। ଏହା ପୂର୍ବରୁ କପିଳ କିନ୍ତୁ ପିଲାଙ୍କୁ କେବଳ ପରିଶ୍ରମ ଓ ପରିଶ୍ରମ ହିଁ ଫଳ ଦେଇଥାଏ ବୋଲି ବାରମ୍ବାର କହିଥିଲେ। ପାଠରେ ଫେଲ୍ ହେଲେ ପୁଣି ପଢ଼ିବା ଓ ଖେଳରେ ବିଫଳ ହେଲେ ପୁଣି ଅଭ୍ୟାସ କରିବାକୁ ପ୍ରବର୍ତ୍ତାଇଥିଲେ। ଦିନ ଓ ରାତିକୁ ଏକ କରିଦିଅ, ଫଳ ନିଶ୍ଚିତ ମିଳିବ। ମନ ଲଗାଇ ଖେଳ, ଖେଳକୁ ଉପଭୋଗ କର କିନ୍ତୁ ପାଠକୁ ଅବହେଳା କରନାହିଁ। କାରଣ ଖେଳ ଆପଣଙ୍କୁ ସାମୟିକ ସଫଳତା ଦେଇଥାଏ, ପଢ଼ା କିନ୍ତୁ ଜୀବନସାରା ସାଥୀରେ ରହିଥାଏ। ଭଲ ପଢ଼ିଲେ ବି ଅଧିନାୟକ ହେଲେ ଭଲ କଥା କହିପାରିବେ। ଆଉ ଏକ କଥା ହେଉଛି ଜୀବନରେ ମିଛ କୁହନାହିଁ କି ସାହାରା ନିଅନାହିଁ। ମିଛ କହିଲେ ସାମୟିକ ଭାବେ ଆଗକୁ ପାଦେ ଯାଇହେବ, କିନ୍ତୁ ଏହା ତୁମକୁ ଜୀବନରେ ଦୁଇ ପାଦ ପଛକୁ ଟାଣି ନେବ। ଅଧିକ ଆଗକୁ ନ ଭାବି, ବର୍ତ୍ତମାନକୁ ଉପଭୋଗ କର। ବିରାଟ କୋହଲି, ରୋହିତ ଶର୍ମା ବି ଖୁବ୍ ପରିଶ୍ରମ କରୁଛନ୍ତି କିନ୍ତୁ ସେମାନେ ବି ଶୂନରେ ଆଉଟ୍ ହୁଅନ୍ତି। ମୁଁ ବି ଶୂନରେ ଆଉଟ୍ ହୋଇଛି, ଏଥି ପାଇଁ ଚାପରେ ନପଡ଼ି କେବଳ ପରିଶ୍ରମ ଓ ପରିଶ୍ରମ କର ବୋଲି କପିଳ ଦୋହରାଇଥିଲେ। କାହାରିକୁ କପି ନ କରିବାକୁ ସେ ମଧ୍ୟ ପରାମର୍ଶ ଦେଇଥିଲେ। କାରଣ କପିଠାରୁ ଅରିଜିନାଲ୍ ଅଧିକ ଭଲ।
[ad_2]