ଏସୀୟ କ୍ରୀଡ଼ା: ୪୧ ବର୍ଷ ପରେ ଅଶ୍ବଚାଳନା ସ୍ବର୍ଣ୍ଣ – bajravana
[ad_1]
ହାଙ୍ଗଝୌ: ଚଳିତ ଏସୀୟ କ୍ରୀଡ଼ାର ଅଶ୍ବଚାଳନାରେ ଭାରତ ଇତିହାସ ରଚିଛି। ୪୧ ବର୍ଷ ପରେ ଏହି ଖେଳରେ ଭାରତକୁ ସ୍ବର୍ଣ୍ଣ ଆସିଛି। ମଙ୍ଗଳବାର ଟିମ୍ ଡ୍ରେସେଜ୍ ଇଭେଣ୍ଟ୍ରେ ଅନୁଶ ଅଗ୍ରୱାଲା, ହୃଦୟ ଭିପୁଲ, ଦିବ୍ୟକ୍ରିତି ଓ ସୁଦୀପ୍ତି ହାଜେଲାଙ୍କୁ ନେଇ ଗଠିତ ଭାରତୀୟ ଦଳ ୨୦୯.୨୦୫ ପଏଣ୍ଟ ସହ ସ୍ବର୍ଣ୍ଣ ଜିତିଥିଲା। ଅନୁଶ ଓ ତାଙ୍କ ଘୋଡ଼ା ଏଟ୍ରୋ ସର୍ବୋଚ୍ଚ ସ୍କୋର୍ ୭୧.୦୮୮ କରିଥିଲେ। ହୃଦୟ-ଏମରାଲ୍ଡ ୬୯.୯୪୧, ଦିବ୍ୟକ୍ରିତି-ଆଦ୍ରେନାଲିନ ଫିର୍ଦୋଦ ୬୮.୧୭୬ ଏବଂ ସୁଦୀପ୍ତି-ଚିନ୍ସ୍କି ୬୬.୭୦୬ ସ୍କୋର୍ କରିଥିଲେ। ଭାରତ ପଛକୁ ଚୀନ୍ (୨୦୪.୮୮୨) ଏବଂ ହଂକଂ (୨୦୪.୮୫୨) ରୌପ୍ୟ ଓ କାଂସ୍ୟ ଜିତିଥିଲେ। ଶେଷ ଥର ଲାଗି ଅଶ୍ବଚାଳନାରେ ଭାରତ ୧୯୮୬ରେ କାଂସ୍ୟ ପଦକ ଜିତିଥିଲା। ୧୯୮୨ ନୂଆଦିଲ୍ଲୀ ସଂସ୍କରଣରେ ଇଭେଣ୍ଟିଂ ଓ ପେଗିଂ ଇଭେଣ୍ଟ୍ରେ ୩ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ରଘୁବୀର ସିଂହ ବ୍ୟକ୍ତିଗତ ଇଭେଣ୍ଟିଂରେ ସ୍ବର୍ଣ୍ଣ ଜିତିଥିଲେ। ଏଥିସହ ସେ ଘୁଲାମ ମହମ୍ମଦ ଖାନ, ବିଶାଳ ସିଂହ ଓ ମିଲ୍ଖା ସିଂହଙ୍କ ସହ ମିଶି ଦଳଗତ ଇଭେଣ୍ଟିଂରେ ମଧ୍ୟ ସ୍ବର୍ଣ୍ଣ ହାତେଇଥିଲେ। ବ୍ୟକ୍ତିଗତ ଟେଣ୍ଟ ପେଗିଂରେ ରୁପୀନ୍ଦର ସିଂହ ବ୍ରାର ମଧ୍ୟ ଭାରତକୁ ସ୍ବର୍ଣ୍ଣ ଭେଟି ଦେଇଥିଲେ। ମଙ୍ଗଳବାର ଅଶ୍ବଚାଳନା ସ୍ବର୍ଣ୍ଣ ସହ ଭାରତକୁ ୩ ପଦକ ମିଳିଥିଲା। ଅନ୍ୟ ଦୁଇ ପଦକ ସେଲିଂ (ରୌପ୍ୟ ଓ କାଂସ୍ୟ)ରୁ ଆସିଥିଲା। ଫଳରେ ଭାରତର ପଦକ ସଂଖ୍ୟା ୧୪ (୩ ସ୍ବର୍ଣ୍ଣ, ୪ ରୌପ୍ୟ, ୭ କାଂସ୍ୟ)ରେ ପହଞ୍ଚିଛି।
ସେଲିଂରେ ରୌପ୍ୟ ଓ କାଂସ୍ୟ
ଭାରତକୁ ସେଲିଂରେ ମଙ୍ଗଳବାର ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ୨ ପଦକ ଆସିଛି। ୧୭ ବର୍ଷୀୟା ନେହା ଠାକୁର ବାଳିକା ଡିଙ୍ଘି ଆଇଏଲ୍ସିଏ-୪ ଇଭେଣ୍ଟରେ ରୌପ୍ୟ ଜିତିଥିଲା ବେଳେ ଏବାଦ ଅଲୀ ପୁରୁଷ ୱିଣ୍ଡସର୍ଫର ଆର୍ଏସ୍:ଏକ୍ସ ଇଭେଣ୍ଟରେ କାଂସ୍ୟ ପାଇଥିଲେ। ନେହା ୩୨ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିବା ସହ ଭାରତ ପାଇଁ ମଙ୍ଗଳବାର ପ୍ରଥମ ପଦକ ଜିତିଥିଲେ। ଥାଇଲାଣ୍ଡର ନୋପାସୋର୍ନ ଖୁନବୁନଜାନ ସ୍ବର୍ଣ୍ଣ ଏବଂ ସିଙ୍ଗାପୁରର କିଏରା ମାରି କାର୍ଲିଲେ କାଂସ୍ୟ ପାଇଥିଲେ। ଏବାଦ ୫୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା ବେଳେ କୋରିଆର ଉନଉ ଚୋ ସ୍ବର୍ଣ୍ଣ ଏବଂ ଥାଇଲାଣ୍ଡର ନାଇାଫୋଙ୍ଗ ଫୋନୋଫାରାତ ରୌପ୍ୟ ପାଇଥିଲେ।
ପଦକ ହାତଛଡ଼ା କଲେ ଦିବ୍ୟାଂଶ, ରମିତା
କଡ଼ା ସଂଘର୍ଷ କରି ଭାରତୀୟ ବନ୍ଧୁକଚାଳକ ଦିବ୍ୟାଂଶ ପନୱାର ଓ ରମିତା ଜିନ୍ଦଲ ୧୦ ମିଟର ମିଶ୍ରିତ ଏୟାର ରାଇଫଲ ଇଭେଣ୍ଟରେ ଅଳ୍ପକେ କାଂସ୍ୟ ପଦକ ହାତ ଛଡ଼ା କରିଛନ୍ତି। କାଂସ୍ୟ ମୁକାବିଲାରେ ଏହି ଯୋଡ଼ି ଦକ୍ଷିଣ କୋରିଆର ପାର୍କ ହାଜୁନ ଓ ଲି ଉନସିଓଙ୍କଠୁ ୧୮-୨୦ରେ ହାରି ଯାଇଥିଲେ। ଭାରତୀୟ ତାରକା ବନ୍ଧୁକଚାଳିକା ମନୁ ଭାକର ମହିଳା ୨୫ ମିଟର ପିସ୍ତଲ ଇାଭଣ୍ଟର ପ୍ରଥମ ଫେଜ୍ ସୁଦ୍ଧା ଆଗରେ ରହିଛନ୍ତି। ସେ ୨୯୪-୧୦ଏକ୍ସ ସ୍କୋର୍ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଚୀନ୍ର ସିକ୍ସୁଆନ୍ ଫେଙ୍ଗ ଓ ଭାରତର ଈଶା ସିଂହ ସମାନ ୨୯୨-୯ଏକ୍ସ ସହ ଦ୍ବିତୀୟରେ ରହିଛନ୍ତି। ଭାରତର ତୃତୀୟ ଖେଳାଳି ରିଦିମ ସାଙ୍ଗୱାନ (୨୯୦-୬ଏକ୍ସ) ଏକାଦଶରେ ରହିଛନ୍ତି। ଦଳଗତରେ ଭାରତ ମୋଟ ୮୭୬ ପଏଣ୍ଟ ସହ ଶୀର୍ଷରେ ରହିଥିଲା ବେଳେ ଚୀନ୍ (୮୭୪) ଦ୍ବିତୀୟ, ଚାଇନିଜ୍ ତାଇପେ (୮୬୮) ତୃତୀୟ ଏବଂ ଜାପାନ (୮୬୫) ଚତୁର୍ଥରେ ରହିଛନ୍ତି। ବୁଧବାର ରାଫି ଫାୟାର ସେକ୍ସନ୍ ପରେ ପଦକ ପ୍ରଦାନ କରାଯିବ।
ଭାରତୀୟ ସ୍କ୍ବାସ ଦଳର ଭଲ ଆରମ୍ଭ
ଭାରତୀୟ ସ୍କ୍ବାସ ଖେଳାଳି ଚଳିତ ଏସୀୟ କ୍ରୀଡ଼ାରେ ଭଲ ଆରମ୍ଭ କରିଛନ୍ତି। ପୁଲ୍-ବି’ରେ ୧୫ ବର୍ଷୀୟା ଆନାହାତ ସିଂହ, ଭେଟେରାନ ଜ୍ୟୋତ୍ସ୍ନା ଚିନାପ୍ପା ଓ ତାନ୍ଭି ଖାନଙ୍କୁ ନେଇ ଗଠିତ ଭାରତୀୟ ଦଳ ୩-୦ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏସୀୟ କ୍ରୀଡ଼ା ପଦାର୍ପଣ କରିଥିବା ଆନାହାତ ୧୧-୬, ୧୧-୬, ୧୧-୩ରେ ସାଦିଆ ଗୁଲଙ୍କୁ, ଷଷ୍ଠ ଥର ପାଇଁ ଖେଳୁଥିବା ଚିନାପ୍ପା ୧୧-୨, ୧୧-୫, ୧୧-୭ରେ ନୁର ହୁଦା ସାଦିକ୍ଙ୍କୁ ଏବଂ ତାନ୍ଭି ୧୧-୩, ୧୧-୬, ୧୧-୨ରେ ନୁର ଉଲ୍ ଏନ୍ ଇଜାଜ୍ଙ୍କୁ ହରାଇଥିଲେ। ପୁରୁଷ ଦଳ ୩-୦ରେ ସିଙ୍ଗାପୁରକୁ ମାତ୍ ଦେଇଥିଲା। ହରିନ୍ଦର ପାଲ ସିନ୍ଧୁ ୧୧-୪, ୧୩-୧୧, ୮-୧୧, ୭-୧୧ରେ ଜେରୋମି କ୍ଲେମେଣ୍ଟଙ୍କୁ, ସୌରଭ ଘୋଷାଲ ୧୧-୯, ୧୧-୧, ୧୧-୪ରେ ସାମୁଏଲ କାଙ୍ଗଙ୍କୁ ଏବଂ ଅଭୟ ସିଂହ ୧୧-୭, ୧୧-୭, ୧୧-୭ରେ ମାର୍କସ ଫୁଆଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଏକ ମ୍ୟାଚ୍ରେ ପୁରୁଷ ଦଳ ୩-୦ରେ କାତାରକୁ ପରାସ୍ତ କରିଦେଇଛି।
କ୍ବାର୍ଟରରେ ସୁମିତ, ଅଙ୍କିତା
ଦୁଇ ଭାରତୀୟ ଟେନିସ ଖେଳାଳି ସୁମିତ ନଗଲ ଓ ଅଙ୍କିତା ରାଇନା କ୍ବାର୍ଟର ଫାଇନାଲ୍ରେ ପହଞ୍ଚି ପଦକର ନିକଟତର ହୋଇଛନ୍ତି। ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍ରେ ସୁମିତ ୭-୬, ୬-୪ ସେଟ୍ରେ କାଜାଖସ୍ତାନର ବେଇବିତ ଝୁକାୟେଭଙ୍କୁ ପରାସ୍ତ କରିଥିଲେ। ମହିଳା ଏକକରେ ଅଙ୍କିତା ୬-୧, ୬-୨ ସେଟ୍ରେ ହଂକଂର ଆଦିଥ୍ୟା ପି କରୁଣାରତ୍ନେଙ୍କୁ ମାତ୍ ଦେଇଥିଲେ। ଟେନିସରେ ସେମିଫାଇନାଲ୍ ପହଞ୍ଚିଥିଲେ ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ ରହିଛି। ତେଣୁ ଉଭୟ କ୍ବାର୍ଟର ଫାଇନାଲ୍ ବାଧା ଅତିକ୍ରମ କରିନେଲେ ପଦକ ନିଶ୍ଚିତ ହେବ। ତେବେ ଅନ୍ୟ ଦୁଇ ଭାରତୀୟ ଖେଳାଳି ରାମକୁମାର ରାମନାଥନ ଓ ଋତୁଜା ଭୋସାଲେ ପ୍ରିକ୍ବାର୍ଟର ଫାଇନାଲ୍ରେ ହାରି ବିଦାୟ ନେଇଛନ୍ତି। ରାମକୁମାର ୫-୭, ୭-୬, ୫-୭ ସେଟ୍ରେ ଜାପାନର ୟୋସୁକେ ୱାତାନୁକିଙ୍କଠୁ ଏବଂ ଭୋସାଲେ ୬-୭, ୨-୬ ସେଟ୍ରେ ଫିଲିପାଇନ୍ସର ଆଲେକ୍ଜାଣ୍ଡ୍ରା ଏଲାଙ୍କଠୁ ହାରି ଯାଇଥିଲେ। ମିଶ୍ରିତ ଯୁଗଳରେ ୟୁକି ଭାମ୍ବ୍ରି ଓ ଅଙ୍କିତା ୬-୦, ୬-୦ ସେଟ୍ରେ ପାକିସ୍ତାନର ଆକ୍ବିଲ ଖାନ ଓ ଶାରା ଖାନଙ୍କୁ ହରାଇ ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ମହିଳା ଯୁଗଳରେ ଭୋସାଲେ ଓ କର୍ମନ କୌର ଥାଣ୍ଡି ୫-୭, ୨-୬ ସେଟ୍ରେ ଥାଇଲାଣ୍ଡର ଅଞ୍ଚିସା ଚାନ୍ତା ଓ ପୁନିନ କୋଭାତିତୁକତେଦଙ୍କଠୁ ହାରି ବିଦାୟ ନେଇଛନ୍ତି।
କ୍ବାର୍ଟରରୁ ଭବାନୀ ଦେବୀ ବିଦା
ଭାରତର ତାରକା ଅସୀଚାଳିକା ଭବାନୀ ଦେବୀଙ୍କ ଏସୀୟ କ୍ରୀଡ଼ା ଅଭିଯାନ କ୍ବାର୍ଟର ଫାଇନାଲ୍ରେ ଶେଷ ହୋଇଛି। ମଙ୍ଗଳବାର ମହିଳା ସାବ୍ରେ ବ୍ୟକ୍ତିଗତ ବର୍ଗରେ ଭବାନୀ ଦେବୀ ୭-୧୫ରେ ସ୍ଥାନୀୟ ଖେଳାଳି ୟାକି ସାଓଙ୍କଠୁ ହାରି ଯାଇଥିଲେ।
ମୁଷ୍ଟିଯୁଦ୍ଧ ପ୍ରିକ୍ବାର୍ଟରରେ ସଚିନ, ନରେନ୍ଦର
ଭାରତୀୟ ମୁଷ୍ଟିଯୋଦ୍ଧା ସଚିନ ସିୱଚ ଓ ନରେନ୍ଦର ବେରୱାଲ ପ୍ରିକ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୫୧-୫୭ କେଜି ବର୍ଗରେ ସଚିନ ୫-୦ରେ ଇଣ୍ଡୋନେସିଆର ଆସ୍ରି ଉଦିନଙ୍କୁ ହରାଇଥିଲେ। ପ୍ରିକ୍ବାର୍ଟର ଫାଇନାଲ୍ରେ ସେ କୁଏତର ତୁର୍କି ଆବୁକ୍ବାଥାଲାଙ୍କୁ ଭେଟିବେ। +୯୨ କେଜିରେ ନରେନ୍ଦର ୫-୦ରେ କିର୍ଗିଜସ୍ତାନର ଏଲଚୋରୋ ଉଲୁଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ସେ ଇରାନର ରାମେଜାନପୁର ଡେଲାଭରଙ୍କୁ ଭେଟିବେ।
ସିଙ୍ଗାପୁରକୁ ୧୬-୧ରେ ହରାଇଲା ଭାରତ
ଭାରତୀୟ ପୁରୁଷ ହକି ଦଳର ବିଜୟ ଧାରା ଜାରି ରହିଛି। ଭାରତ ପ୍ରଥମ ମ୍ୟାଚ୍ରେ ଉଜବେକିସ୍ତାନକୁ ୧୬-୦ରେ ହରାଇଥିଲା ବେଳେ ମଙ୍ଗଳବାର ସିଙ୍ଗାପୁରକୁ ୧୬-୧ ଗୋଲ୍ରେ ମାତ୍ ଦେଇଛି। ଭାରତ ପକ୍ଷରୁ ଅଧିନାୟକ ହର୍ମନପ୍ରୀତ ସିଂହ (୨୪, ୩୯, ୪୦, ୪୨ ମିନିଟ୍) ୪ଟି ଗୋଲ୍ ଦେଇଥିଲା ବେଳେ ମନଦୀପ ସିଂହ (୧୨, ୩୦, ୫୧ ମିନିଟ୍) ହ୍ୟାଟ୍ରିକ ଅର୍ଜନ କରିଥିଲେ। ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଅଭିଷେକ (୫୧, ୫୨ ମିନିଟ୍) ଓ ବରୁଣ କୁମାର (୫୫, ୫୫ ମିନିଟ୍) ଦୁଇଟି ଲେଖାଏଁ ଏବଂ ଲଳିତ କୁମାର ଉପାଧ୍ୟୟ (୧୬ ମିନିଟ୍), ଗୁରଜାଣ୍ଟ ସିଂହ (୨୨ ମିନିଟ୍), ବିବେକ ସାଗର ପ୍ରସାଦ (୨୩ ମିନିଟ୍), ମନପ୍ରୀତ ସିଂହ (୩୭ ମିନିଟ୍) ଓ ସାମଶେର ସିଂହ (୩୮ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ। ସିଙ୍ଗାପୁରର ଜାକି ଜୁଲକାରନୈନ ଗୋଟିଏ ଗୋଲ୍ ଶୁଝିଥିଲେ।
[ad_2]