ପାକ୍ ପ୍ରଧାନମନ୍ତ୍ରୀ ଇମରାନଙ୍କ ମନ୍ତବ୍ୟକୁ ପ୍ରଶଂସା କଲେ ଅଲି ଜାଫର୍; ଲୋକେ କହିଲେ ଭାରତ ଆସିଲେ ମାଡ଼
ବମ୍ବେ: ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନ ବିରୋଧି ପ୍ରଦର୍ଶନ କରାଯାଉଛି। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦେଶବାସୀ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଭାରତ ବିରୋଧୀ ମନ୍ତବ୍ୟ ରଖିଛନ୍ତି। ପୁଲଓ୍ବାମା ଘଟଣାରେ ପ୍ରମାଣ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ଭାରତ ଯଦି ଆକ୍ରମଣ କରେ ତା’ର ଉଚିତ୍ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଇମ୍ରାନଙ୍କ ଏଭଳି ମନ୍ତବ୍ୟକୁ ପସନ୍ଦ କରିଛନ୍ତି ପାକ୍ କଳାକାର ଅଲି ଜାଫର୍। ଯାହାକୁ କି ପସନ୍ଦ କରିନାହାନ୍ତି ଅନେକ। ଟୁଇଟରରେ ଏହାକୁ ନେଇ ସେ ଟୁଇଟ୍ କରିବା ପରେ ଅନେକ ଏହାକୁ ପ୍ରତିବାଦ କରିଛନ୍ତି। ଜଣେ ବ୍ୟବହାରକାରୀ କହିଛନ୍ତି, ଦ୍ୱିତୀୟ ଥର ପାଇଁ ଭାରତ ଆସିବା କଥା ଅଲି ଭାବିବେ ନାହିଁ। ନଚେତ ପ୍ରବଳ ମାଡ଼ ପଡ଼ିବ।
ପ୍ରକାଶ ଥାଉ କି, ଅଲି ତେରେ ବିନ୍ ଲାଡେନ୍, ଡିଅର୍ ଜିନ୍ଦେଗୀ, କିଲ୍ ଦିଲ୍ ଆଦିରେ ଅଭିନୟ କରିଛନ୍ତି। ମାତ୍ର ଏହି ଆକ୍ରମଣ ପରେ ପାକ୍ କଳାକାରଙ୍କୁ ଅନ୍ୟ କୌଣସି ବଲିଉଡ ଫିଲ୍ମରେ ନିଆଯିବ ନାହିଁ ବୋଲି ଘୋଷଣା କରାଯାଇଛି। ଫଳରେ ତାଙ୍କର ଭାରତ ଆସିବା ବାଟ ବନ୍ଦ ବୋଲି କୁହାଯାଉଛି।