ଓଡିଶା

ମାଟ୍ରିକ ପରୀକ୍ଷା ଉପରେ ରହିବ ଏଆଇ ନଜର: ଷାଣ୍ମାସିକ ଢାଞ୍ଚାରେ ମାଟ୍ରିକ ପରୀକ୍ଷା – bajravana

[ad_1]

କଟକ: ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପରିଚାଳନାରେ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସ (ଏଆଇ)। ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଉପରେ ଏଆଇ ମାଧ୍ୟମରେ ନଜର ରଖିବ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଏହାର ନିୟନ୍ତ୍ରଣ ବ୍ୟବସ୍ଥା ରହିବ। ସାଟେଲାଇଟ୍ ମାଧ୍ୟମରେ ବୋର୍ଡ କାର୍ଯ୍ୟାଳୟ‌ରୁ କେଉଁ ପରୀକ୍ଷା କେନ୍ଦ୍ରରେ କିଭଳି ପରୀକ୍ଷା ଚାଲିଛି, ତାହା ଜାଣି ହେବ। ନିର୍ଦ୍ଦିଷ୍ଟ ଭାବେ କେତେ ପରୀକ୍ଷାକେନ୍ଦ୍ର ଏହି ଏ.ଆଇ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେବ, ତାହାକୁ ଆଗକୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯିବ। ଆଜି ବୋର୍ଡ ପକ୍ଷରୁ ୨୦୨୪ ମାଟ୍ରିକ ପରୀକ୍ଷା ପରିଚାଳନା ସଂପର୍କରେ ଏଭଳି ସୂଚନା ଦିଆଯାଇଛି।

ବୋର୍ଡ ସଭାପତି ରାମାଶିଷ ହାଜରା ଦେଇଥିବା ସୂଚନା ଅନୁଯାୟୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ), ମଧ୍ୟମା, ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୦ତାରିଖରେ ପ୍ରଥମ ଭାଷା, ଫେବ୍ରୁଆରି ୨୩ତାରିଖରେ ଦ୍ବିତୀୟ ଭାଷା, ‌ଫେବ୍ରୁଆରି ୨୬ରେ ଗଣିତ, ଫେବ୍ରୁଆରି ୨୮ରେ ତୃତୀୟ ଭାଷା, ମାର୍ଚ ୨ ତାରିଖରେ ସାଧାରଣ ବିଜ୍ଞାନ ଓ ମାର୍ଚ ୪ ତାରିଖରେ ସାମାଜିକ ବିଜ୍ଞାନ(ଇତିହାସ, ଭୂ‌‌‌ଗୋଳ, ଅର୍ଥନୀତି) ପରୀକ୍ଷା ହେବ। ଦଶମ ଶ୍ରେଣୀ ଭୋକେସ୍‌ନାଲ୍‌ ପ୍ରାକ୍ଟିକାଲ ପରୀକ୍ଷା ନିଜ ସ୍କୁଲରେ ୨୦୨୪ ଜାନୁଆରି ୧୫ ତାରିଖରୁ ୩୧ ତାରିଖ ମଧ୍ୟରେ କରାଯିବ ଓ ଏହି ପରୀକ୍ଷା ଓସେପା ତତ୍ତ୍ବାବଧାନରେ ହେବ। ଏହି ପରୀକ୍ଷାର ମାର୍କ ଅନ୍‌ଲାଇନରେ ବୋର୍ଡକୁ ପଠାଯିବ।
ବୋର୍ଡ ସଭାପତି ଶ୍ରୀ ହାଜରାଙ୍କ କହିବା ଅନୁସାରେ, ମାଟ୍ରିକ‌ ପରୀକ୍ଷା ପାଇଁ ୫ଲକ୍ଷ ୫୧ହଜାର ୬୧୧ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ୨୯୯୧ଟି ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହୋଇଥିବା ବେଳେ ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ ଟି ନୋଡାଲ ସେଣ୍ଟର ସ୍ଥିର ହୋଇଛି। ସେହିପରି ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୮୩୧ ଜଣ ପରୀକ୍ଷାର୍ଥୀ ଓ ମଧ୍ୟମା ପାଇଁ ୩୦୩୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ମୁକ୍ତବିଦ୍ୟାଳୟ ପରୀକ୍ଷା ୫୫ଟି କେନ୍ଦ୍ରରେ ଓ ମଧ୍ୟମା ପରୀକ୍ଷା ୧୦୭ଟି ‌କେନ୍ଦ୍ରରେ ଅନୁଷ୍ଠିତ ହେବ। ମାଟ୍ରିକ, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ୨୦୨୪ ମାର୍ଚ ୧୫ରୁ ଆରମ୍ଭ ହୋଇ ପାଖାପାଖି ୧୨ଦିନ ପର୍ଯ୍ୟନ୍ତ ଚାଲିବ। ପରବର୍ତ୍ତୀ ସମୟରେ କେନ୍ଦ୍ର ସଂଖ୍ୟା ଓ ପରୀକ୍ଷକଙ୍କ ସଂଖ୍ୟା ସ୍ଥିର କରାଯିବ ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି, ୨୦୨୪ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା କିଛି ଛାତ୍ରଛ‌ାତ୍ରୀଙ୍କ ଫଟୋ, ନାମ ଭଳି ତଥ୍ୟରେ ଭୁଲ ରହିଥିବା ପ୍ରସଙ୍ଗରେ ସୂଚନା ଦେଇଥିଲେ। ଡିସେମ୍ବର ୧୪ ତାରିଖରୁ ଡିସେମ୍ବର ୨୧ ତାରିଖ ମଧ୍ୟରେ ବିଦ୍ୟାଳୟର ମୁଖ୍ୟମାନେ ଛାତ୍ରଛାତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ତଥ୍ୟକୁ ସଂଶୋଧନ କରି ବୋର୍ଡକୁ ପଠାଇବାକୁ ଡକ୍ଟର ମହାନ୍ତି କହିଛନ୍ତି। ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି ଯେ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟ ୧୦୦ନମ୍ବର ବିଶିଷ୍ଟ ହେବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(୧ନମ୍ବର ବିଶିଷ୍ଟ) ଓ ୫୦ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। କିନ୍ତୁ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଁ ୧୦୦ ନମ୍ବରରୁ ୮୦ ପ୍ରତିଶତ ୱେଟେଜ୍ ଓ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‌ ଆସେସମେଣ୍ଟରୁ ୨୦ ପ୍ରତିଶତ ୱେଟେଜ୍ ଦିଆଯିବ। ପ୍ରଶ୍ନପତ୍ରର ଢ଼ାଞ୍ଚା ଦଶମ ଷାଣ୍ମାଷିକ ପରୀକ୍ଷା ଭଳି ରହିବ। ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା ପ୍ରଥମ ସିଟିଂରେ ଅନୁଷ୍ଠିତ ହେବ। ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ସହ ସିସି କ୍ୟାମେରା ଭଳି ବ୍ୟବସ୍ଥା କରାଯିବ। ସେହିପରି ନବମ‌ ଶ୍ରେଣୀ ବାର୍ଷିକ ପରୀକ୍ଷା ୨୦୨୪ ମାର୍ଚ ୬ ତାରିଖରୁ ଆରମ୍ଭ ହୋଇ ମାର୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ନବମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ବୋର୍ଡ ପକ୍ଷରୁ ପରୀକ୍ଷା ଆରମ୍ଭର ଦୁଇ ଘଣ୍ଟା ପୂର୍ବରୁ‌ ୱେବସାଇଟ୍ wwwbseodisha.ac.in ରେ ଛଡାଯିବ। ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ସେମାନଙ୍କ ସ୍କୁଲ କୋଡ୍‌, ୟୁଜର ଆଇଡି, ପାସ୍ ୱାର୍ଡ ବ୍ୟବହାର କରି ପ୍ରଶ୍ନପତ୍ରକୁ ଡାଉନଲୋଡ୍ କରି ପରୀକ୍ଷା ପରିଚାଳନା କରିବେ ବୋଲି ବୋର୍ଡ ଉପସଭାପତି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଂପାଦକ ସୁମିତା ସରକାର ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button