‘ମହାଦେବ ଆପ୍’ର ମାଲିକ ରବି ଉପ୍ପଲ ଦୁବାଇରେ ଅଟକ – bajravana
[ad_1]
ନୂଆଦିଲ୍ଲୀ: ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ସେମାନେ କହିଛନ୍ତି, ଗତ ସପ୍ତାହରେ ଦୁବାଇରେ ୪୩ ବର୍ଷିୟ ଉପ୍ପଲଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର କର୍ତ୍ତୃପକ୍ଷମାନେ ସେ ଦେଶର ସରକାରୀ କର୍ତ୍ତୃପକ୍ଷମାନଙ୍କ ସହିତ ଯୋଗସୂତ୍ର ରଖିଛନ୍ତି।
ବେଆଇନ୍ ‘ବେଟିଙ୍ଗ୍’ ସହିତ ଜଡ଼ିତ ଥିବା ଆର୍ଥିକ ଦୁର୍ନୀତି ମାମଲାରେ ଛତିଶଗଡ଼ ଓ ମୁମ୍ବାଇ ପୁଲିସଙ୍କ ଭଳି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଧ୍ୟ ଉପ୍ପଲଙ୍କ ଉପରେ ତଦନ୍ତ କରୁଛି।
ଅକ୍ଟୋବର ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ଉପ୍ପଲ ଏବଂ ଏହି ଇଣ୍ଟର୍ନେଟ୍ଭିତ୍ତିକ ପ୍ଲାଟ୍ଫର୍ମ ‘ମହାଦେବ ଆପ୍’ର ଅନ୍ୟତମ ପୃଷ୍ଠପୋଷକ ସୌରଭ ଚନ୍ଦ୍ରଶେଖରଙ୍କ ନାମରେ ଛତିଶଗଡ଼ର ରାୟପୁରସ୍ଥିତ ସ୍ପେସାଲ୍ ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍’ (ପିଏମ୍ଏଲ୍ଏ) ଅଦାଲତରେ ‘ଚାର୍ଜସିଟ୍’ ଫାଇଲ୍ କରିଥିଲା।
ତା’ପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଙ୍କ ଅନୁରୋଧକ୍ରମେ ‘ଇଣ୍ଟର୍ପୋଲ୍’ ‘ରେଡ୍ ନୋଟିସ୍’ ଜାରି କରିଥିଲା।
‘ଚାର୍ଜସିଟ୍’ରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ ସୂଚନା ଦେଇଥିଲା ଯେ, ଭାରତୀୟ ନାଗରିକତ୍ବ ପରିତ୍ୟାଗ କରି ନ ଥିଲେ ବି ଉପ୍ପଲ ପ୍ରଶାନ୍ତ ମହାସାଗରୀୟ ଦ୍ବୀପଦେଶ ଭ୍ୟାନୁଆଟୁର ‘ପାସ୍ପୋର୍ଟ’ ନେଇଛନ୍ତି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଅନୁସାରେ, ‘ମହାଦେବ ଅନ୍ଲାଇନ୍ ବୁକ୍ ଆପ୍’ ‘ସଂଯୁକ୍ତ ଆରବ ଏମିରେଟସ୍’ରେ ଥିବା କେନ୍ଦ୍ରୀୟ ମୁଖ୍ୟ କାର୍ଯ୍ୟାଳୟରୁ ପରିଚାଳିତ ହେଉଛି।
[ad_2]