କେବଳ ଦାଦନଙ୍କ ପାଇଁ କେରଳ ଗଡ଼ୁଛି ବସ୍! – bajravana
[ad_1]
ଯୁବକଶୂନ୍ୟ ସାତଭାୟା, ପରିବାର ସଂଖ୍ୟା ୧୨୦୦, ଶ୍ରମିକଙ୍କ ସଂଖ୍ୟା ୧୨୦୦
ସୂର୍ଯ୍ୟନାରାୟଣ ଲେଙ୍କା
ରାଜନଗର: କେବଳ ଦାଦନ ଶ୍ରମିକଙ୍କ ପାଇଁ ଚାଲୁଛି ବସ୍। କେନ୍ଦ୍ରାପଡା ଜିଲ୍ଲା ରାଜନଗରର ସାତଭାୟାରୁ ୨୫୦୦ କିମି ଦୂର କେରଳକୁ ଚାଲୁଛି ବସ୍। ପଞ୍ଚାୟତରେ ପରିବାର ସଂଖ୍ୟା ଯେତିକି, ଦାଦନଙ୍କ ସଂଖ୍ୟା ତାଠୁ ଅଧିକ। ପ୍ରାୟ ସମସ୍ତ ପରିବାରର ଯୁବକଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ, ବିଶେଷକରି କେରଳ ଯାଉଛନ୍ତି। ଗାଁ ଏକପ୍ରକାର ଯୁବକଯୁବତୀ ଶୂନ୍ୟ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିସ୍ଥାପିତ ସାତଭାୟା ପଞ୍ଚାୟତବାସୀଙ୍କ ଏହି ଉଦ୍ବେଗଜନକ ଚିତ୍ର ସରକାରଙ୍କ ଯୋଜନା ଓ କାର୍ଯ୍ୟକାରିତା ମଧ୍ୟରେ ଥିବା ପ୍ରଭେଦକୁ ସାମ୍ନାକୁ ଆଣିଛି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଙ୍ଗୋପସାଗର କୂଳବର୍ତ୍ତୀ ସାତଭାୟା ପଞ୍ଚାୟତର ୭ଟି ଗାଁକୁ ସମୁଦ୍ର ଗର୍ଭସ୍ଥ କରିସାରିଛି। ଦୀର୍ଘ ୪୦ବର୍ଷ ଧରି ଥଇଥାନର ପ୍ରତିଶ୍ରୁତି ପରେ ସାତଭାୟାର ୫୭୧ ପରିବାରକୁ ବଗପାଟିଆଠାରେ ଥଇଥାନ କରାଯାଇଛି। ଏହାଛଡ଼ା ଚାରିଘରିଆର ୧୪୮ ପରିବାରକୁ ଘରଢିହ ଯୋଗାଇ ଦିଆଯାଇଛି। ଥଇଥାନସ୍ଥଳୀରେ ବିସ୍ଥାପିତଙ୍କ ପାଇଁ ସ୍କୁଲଠାରୁ ଆରମ୍ଭ କରି ଖେଳପଡିଆ ଯାଏ ସବୁ ବ୍ୟବସ୍ଥା ପାଇଁ କରାଯାଇଛି। ହେଲେ, ଜୀବିକା ପାଇଁ କୌଣସି ବ୍ୟବସ୍ଥା କରାଯାଇନି। ସାତଭାୟାବାସୀଙ୍କ ଚାଷ ଜମି ସମୁଦ୍ର ଗର୍ଭକୁ ଚାଲିଯାଇଥିବା ବେଳେ ଆଉ ଯେତିକି ବି ଅଛି ଲୁଣା ମାଡିଯାଇଛି। ଜୀବନ ବଂଚିଯାଇଛି ମାତ୍ର ଜୀବିକା ଉଜୁଡି ଯାଇଛି। ସେଥିପାଇଁ ସାତଭାୟାର ଯୁବକଯୁବତୀ ଦାଦନ ଖଟିବାକୁ କେରଳ ଯାଉଛନ୍ତି। ସାତଭାୟା ପଞ୍ଚାୟତର ଜନସଂଖ୍ୟା ୫୦୦୦। ଭୋଟର ସଂଖ୍ୟା ୨୯୦୦ ଓ ପରିବାର ସଂଖ୍ୟା ୧୨୦୦ ହେବ। ମାତ୍ର ପଞ୍ଚାୟତରୁ ରାଜ୍ୟ ବାହାରକୁ ବିଶେଷକରି କେରଳ ଯାଇ ଦାଦନ ଖଟୁଥିବା ଯୁବକଯୁବତୀଙ୍କ ସଂଖ୍ୟା ୧୨ଶହରୁ ଅଧିକ।
ସାତଭାୟା ପଞ୍ଚାୟତର କାନପୁର ଓ ସାତଭାୟାରୁ ୮ଶହରୁ ଅଧିକ ଯୁବକ ଓ ୭୦ଜଣ ଯୁବତୀ କେରଳରେ କାମ କରୁଛନ୍ତି। ଏହି ପଞ୍ଚାୟତର ଅନ୍ୟ ଗାଁଗୁଡିକରୁ ୪ଶହରୁ ଅଧିକ ଯୁବକଯୁବତୀ କେରଳ ଓ ଅନ୍ୟ ସ୍ଥାନରେ କାମ କରୁଛନ୍ତି। କେରଳରେ ଯୁବକମାନେ ପ୍ଲାଏଉଡ କାରଖାନାରେ ଓ ଯୁବତୀମାନେ କପଡା ତିଆରି କାରଖାନାରେ କାମ କରୁଛନ୍ତି। ଗୋଟିଏ ପଞ୍ଚାୟତରେ ୭୦୦ରୁ ଅଧିକ ଯୁବକଯୁବତୀ କେରଳରେ କାମ କରୁଥିବାରୁ ଏମାନଙ୍କ ପାଇଁ ସ୍ବତନ୍ତ୍ର ବସ୍ ଚାଲୁଛି। କେରଳରୁ ସାତଭାୟାକୁ ପ୍ରତି ସପ୍ତାହରେ ୨ଟି ବସ୍ ଆସୁଛି ଓ ଦୁଇଟି ବସ୍ ଯାଉଛି। ଦୀର୍ଘ ୨୫୦୦ କିମି ଓ ଦୁଇ ଦିନରୁ ଅଧିକ ସମୟ ବସ୍ ଯାତ୍ରା କରି ଶ୍ରମିକମାନେ ଯିବା ଆସିବା କରୁଛନ୍ତି। କେବଳ ସାତଭାୟା ନୁହେଁ, ବ୍ଲକର ଅନ୍ୟ ପଞ୍ଚାୟତଗୁଡିକରୁ ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି। ଏ ସଂପର୍କରେ ସାତଭାୟା ସରପଞ୍ଚ କୁମାର ପରିଡାଙ୍କ କହିବା କଥା ହେଲା, କେରଳରେ ପଞ୍ଚାୟତର ୧୨ଶହରୁ ଅଧିକ ଯୁବକଯୁବତୀ କାମ କରିବାକୁ ଯାଉଛନ୍ତି। ସେଠାରେ ଖାଇପିଇ ଯୁବତୀମାନେ ୧୨ହଜାର ଓ ଯୁବକମାନେ ୧୫ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ସେଠାରେ ପ୍ରତି ଦିନ କାମ ମିଳିପାରୁଛି। ପଞ୍ଚାୟତର ପ୍ରାୟ ସବୁ ପରିବାରର ଯୁବକ କାମ କରିବାକୁ କେରଳ ଯାଇଛନ୍ତି। ଆମ ପଞ୍ଚାୟତରେ ଯୁବକଙ୍କୁ ଖୋଜିଲେ ମିଳେନି ବୋଲି କହିଛନ୍ତି।
[ad_2]