ଟ୍ରେନ୍ର ‘କବଚ’ କେବେ? ଏବେ ସୁଦ୍ଧା ୧୪୬୫ କିମିରେ ଲାଗିଛି – bajravana
[ad_1]
ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ହାଓଡା ପାଇଁ ଟେଣ୍ଡର, ପୂର୍ବତଟ ରେଳପଥକୁ କେନ୍ଦ୍ରର ଅଣଦେଖା
ଭୁବନେଶ୍ବର: ଓଡ଼ିଶା ସମେତ ସାରା ଦେଶରେ ଟ୍ରେନ୍ ଦୁର୍ଘଟଣା ରୋକିବାକୁ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା(ଏଟିପି) ବ୍ୟବସ୍ଥା ଅଥବା ‘କବଚ’ ଲାଗୁ ଉପରେ ରେଳ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି। ୨୦୧୮ରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ହୋଇପାରି ନାହିଁ। ଏବେ କେବଳ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ୧୪୬୫ କିମି ଓ ୧୩୯ଟି ଟ୍ରେନ୍ରେ ‘କବଚ’ ବ୍ୟବସ୍ଥା ହୋଇଛି। ଯେଉଁଥିରେ ଲିଙ୍ଗାମାପାଲି-ଭିକାରାବାଦ-ୱାଡି ଓ ବିକାରାବାଦ-ବିଦାର ସେକ୍ସନର ୨୬୫ କିମି, ମନମାଦ-ମେଦଖେନ-ଧୋନେ-ଗୁଣ୍ଟକାଲ୍ ସେକ୍ସନର ୯୫୯ କିମି ଓ ବିଦାର-ପରଭାନି ସେକ୍ସନର ୨୪୧ କିମି ରହିଛି। ଏବେ ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ହାଓଡା କରିଡରର ପ୍ରାୟ ୩ହଜାର କିମିରେ କବଚ ବ୍ୟବସ୍ଥା ଲାଗୁ କରିବାକୁ ଟେଣ୍ଡର କରାଯିବା ସହ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାବ୍ୟତୀତ ଆଉ ୬ ହଜାର କିମି ପାଇଁ ଭାରତୀୟ ରେଳପଥ ପକ୍ଷରୁ ଡିପିଆର ପ୍ରସ୍ତୁତ ଚାଲିଛି। ତେବେ ଦେଶର ସମସ୍ତ ରେଳ ଲାଇନ୍ରେ ‘କବଚ’ ବ୍ୟବସ୍ଥା ଲାଗୁ କରିବା ଏବେ ସମ୍ଭବପର ନୁହେଁ। ଗୋଟିଏ କବଚ ଲଗାଇବାକୁ ବହୁତ ସମୟ ଓ ଅର୍ଥ ଲାଗୁଥିବାରୁ ଆହୁରି ୪ରୁ ୫ ବର୍ଷ ସମୟ ଲାଗିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁଇଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏବେ ସୁଦ୍ଧା ୧୪୬୫ କିମିରେ ଲାଗିଛି
ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ହାଓଡା ପାଇଁ ଟେଣ୍ଡର
ପୂର୍ବତଟ ରେଳପଥକୁ କେନ୍ଦ୍ରର ଅଣଦେଖା
ସାରା ଦେଶ ପାଇଁ ୫ ବର୍ଷ ଲାଗିବ: ରେଳମନ୍ତ୍ରୀ
ଓଡ଼ିଶାର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୭ଜଣଙ୍କ ଜୀବନ ପରେ ‘କବଚ’ କଥା ଉଠିଥିଲା। କୁହାଯାଇଥିଲା ଯେ ‘କବଚ’ ବ୍ୟବସ୍ଥା ଲାଗୁ ହୋଇଥିଲେ ଦୁର୍ଘଟଣାର ଭୟାବହତା କମ୍ ହୋଇଥାନ୍ତା ଏବଂ ଏତେ ଲୋକଙ୍କ ଜୀବନ ଯାଇ ନ ଥିଲା। ଏଭଳି ଦୁର୍ଘଟଣା ପରେ ରେଳ ମନ୍ତ୍ରଣାଳୟ ‘କବଚ’ ଲଗାଇବା ଉପରେ ଗୁରୁତ୍ବ ଦେବ ବୋଲି ଆଶା କରାଯାଉଥିଲା। ମାତ୍ର ୬ ମାସ ବିତିଯାଇଥିଲେ ମଧ୍ୟ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଓଡ଼ିଶା କିମ୍ବା ପୂର୍ବତଟ ରେଳପଥର କୌଣସି ଗୋଟିଏ ବି ରେଳ ଲାଇନ୍ କିମ୍ବା ଷ୍ଟେସନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ଏଯାଏ ମନ୍ତ୍ରଣାଳୟ ପ୍ରାଥମିକତା ଦେଇ ନାହିଁ। ଯେତେବେଳେ କି ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ଦୁର୍ଘଟଣା ବହୁ ପରିମାଣରେ ବଢ଼ିଛି। ବହୁ ଲୋକଙ୍କ ଜୀବନ ଗଲାଣି। ‘କବଚ’ ଏଭଳି ଏକ ବ୍ୟବସ୍ଥା ଯାହାକି ପ୍ରତି ଷ୍ଟେସନର ଏକ କିମି ଦୂରତାରେ ଲଗାଯାଏ। ଏଥିସହ ଟ୍ରେନ୍, ଟ୍ରାକ୍ ଓ ରେଳ ସିଗନାଲ ସିଷ୍ଟମରେ ମଧ୍ୟ ଲଗାଯିବାର ବ୍ୟବସ୍ଥା ରହିଛି। ଏହା ଏକ ଉଚ୍ଚ ପ୍ରଯୁକ୍ତିବିଦ୍ୟା ପ୍ରଣାଳୀ, ଯାହା ସର୍ବୋଚ୍ଚକ୍ରମର ସୁରକ୍ଷା ପ୍ରମାଣପତ୍ର ଆବଶ୍ୟକ କରେ। ନିର୍ଦ୍ଦିଷ୍ଟ ବେଗ ମଧ୍ୟରେ ଚାଲୁଥିବା ଟ୍ରେନ୍କୁ ଅଟକାଇବାରେ ଯଦି ଲୋକୋ ପାଇଲଟ୍ ବିଫଳ ହୁଅନ୍ତି ତେବେ କବଚ ସାହାଯ୍ୟ କରିଥାଏ। ଖରାପ ପାଗରେ ମଧ୍ୟ ଟ୍ରେନ୍ଗୁଡ଼ିକ ସୁରକ୍ଷିତ ଭାବେ ଚାଲିବାରେ ଏହା ସାହାଯ୍ୟ କରେ। ଏହା ଅଲଟ୍ରା ହାଇ ରେଡିଓ ଫ୍ରିକ୍ବେନ୍ସି ହୋଇଥିବାରୁ ଏହାର ସମ୍ପୂର୍ଣ୍ଣ ସିଷ୍ଟମ ପରସ୍ପର ସହ ଯୋଗାଯୋଗ କରିଥାନ୍ତି। ଯେତେବେଳେ କୌଣସି କାରଣରୁ ଟ୍ରେନ୍ଟି ସଙ୍କେତକୁ ଅତିକ୍ରମ କରିଥାଏ, ସେତେବେଳେ ଏହି କବଚ ସକ୍ରିୟ ହୋଇଯାଏ। ଥରେ ସକ୍ରିୟ ହୋଇଗଲେ କବଚ ସିଷ୍ଟମ ଲୋକ ପାଇଲଟକୁ ସତର୍କ କରାଏ ଏବଂ ତା’ପରେ ଟ୍ରେନର ବ୍ରେକ ନିୟନ୍ତ୍ରଣ କରିବା ଆରମ୍ଭ କରେ। ଯଦି କବଚ ସିଷ୍ଟମ ଜାଣେ ଯେ ଅନ୍ୟ ଏକ ଟ୍ରେନ ମଧ୍ୟ ସମାନ ଟ୍ରାକରେ ଆସୁଛି ତାହାହେଲେ ଏହା ଅନ୍ୟ ଟ୍ରେନ ପାଇଁ ଆଲର୍ଟ ପଠାଏ। ଅନ୍ୟ ଟ୍ରେନ୍ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଆସି ନିଜକୁ ଅଟକାଇଥାଏ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଓଡ଼ିଶା ସମେତ ସାରା ଦେଶରେ ରେଳ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୬ରେ ପ୍ରଥମ ଥର ଲାଗି ଯାତ୍ରୀବାହୀ ଟ୍ରେନ୍ ଉପରେ ଏହା ପରୀକ୍ଷା କରାଯାଇଥିଲା। ତାହାକୁ ବ୍ୟାପକ ଅନୁଧ୍ୟାନ କରିବା ପରେ ଏକ ତୃତୀୟ ପକ୍ଷ ମାଧ୍ୟମରେ ମୂଲ୍ୟାୟନ କରାଯିବା ସହ ଏହି ବ୍ୟବସ୍ଥାକୁ ୨୦୧୮-୧୯ରେ ଅନୁମୋଦନ କରାଯାଇଥିଲା। ୨୦୨୦ରେ କବଚକୁ ଏକ ଜାତୀୟ ଏଟିପି ସିଷ୍ଟମ୍ ଭାବରେ ଗ୍ରହଣ କରାଯାଇଥିଲା।
[ad_2]