ଓଡିଶା

ଶୂନ ମୃତ୍ୟୁ ସପ୍ତାହ: ଦିନକୁ ଦୁର୍ଘଟଣା ମୃତ୍ୟୁ ୧୧ – bajravana

[ad_1]

ପ୍ରତିବର୍ଷ ବଢ଼ି ଚାଲିଛି ଦୁର୍ଘଟଣା, ଦ୍ରୁତଗତି ଓ ମଦ୍ୟପାନ ଯୋଗୁଁ ଯାଉଛି ୭୦% ଜୀବନ

କଟକ: ୨୦୨୩ ଏପ୍ରିଲ ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଳିତ ମୃତ୍ୟୁଶୂନ୍ୟ ସପ୍ତାହରେ ୭୦ ଜଣଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଇଥିଲା। ୨୦୨୩ ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ମୃତ୍ୟୁଶୂନ୍ୟ ସପ୍ତାହରେ ୮୧ ଜଣଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି। ଅର୍ଥାତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ ପାଇଁ ଚାଲିଥିବା କସରତ ସମୟରେ ବି ରାଜ୍ୟରେ ପ୍ରତିଦିନ ୧୧ରୁ ଅଧିକ ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କେବଳ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ ସମୟରେ ନୁହେଁ ପ୍ରତିବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢି ଚାଲିଛି। ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁ ଏଭଳି ବୃଦ୍ଧି ପାଇବା ଏବେ ଉଦ୍‌ବେଗର କାରଣ ହୋଇଛି। କେବଳ ମୃତ୍ୟୁଶୂନ୍ୟ ସପ୍ତାହ ପାଳନର ଘୋଷଣା ହେଉଛି, ଅଥଚ ଦୁର୍ଘଟଣା ରୋକିବା ପାଇଁ ବିଧିବଦ୍ଧ ଯୋଜନା ନଥିବାରୁ ସଡ଼କ ଦୁର୍ଘଟଣାରେ ଅଙ୍କୁଶ ଲାଗି ପାରୁ ନାହିଁ।

ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଡିସେମ୍ବର ୧ରୁ ୭ ତାରିଖ ଯାଏ ପାଳନ ହୋଇଥିବା ମୃତ୍ୟୁଶୂନ୍ୟ ସପ୍ତାହ ସମୟର ଦିଆଯାଉଥିବା ତଥ୍ୟ ଅନୁଯାୟୀ ଏହି ସମୟରେ ସବୁଠୁ ଅଧିକ ମୃତ୍ୟୁସଂଖ୍ୟା ରହିଛି କେନ୍ଦୁଝର ଜିଲ୍ଲାରେ। ଏପ୍ରିଲ ମାସରେ ପାଳିତ ମୃତ୍ୟୁଶୂନ୍ୟ ସପ୍ତାହରେ କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୫ ଥିବା ବେଳେ ଏଥର ଏହା ୧୫କୁ ବୃଦ୍ଧି ପାଇଛି। କିନ୍ତୁ ଏହି ମୃତ୍ୟୁଶୂନ୍ୟ ସପ୍ତାହ ପାଳନରେ ଦୁର୍ଘଟଣାର କାରଣ ଓ ନିରାକରଣ ଉପରେ ଗୁରୁତ୍ବ ଦେବା ବଦଳରେ ଜରିମାନା ଆଦାୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ତାହାର ସୁଫଳ ମିଳି ପାରୁ ନଥିବା କୁହାଯାଉଛି। ଏପ୍ରିଲ ପ୍ରଥମ ସପ୍ତାହରେ ପାଳିତ ମୃତ୍ୟୁଶୂନ୍ୟ ସପ୍ତାହରେ ପୁଲିସ ଓ ଆରଟିଓ ମୋଟ ୧ କୋଟି ୧୫ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ଏଥରର ହିସାବ ଚୂଡାନ୍ତ ହୋଇ ନଥିଲେ ବି ଏହି ପରିମାଣ ବଢ଼ିଥିବା କୁହାଯାଉଛି।

ପ୍ରତିବର୍ଷ ବଢ଼ି ଚାଲିଛି ଦୁର୍ଘଟଣା
ଦ୍ରୁତଗତି ଓ ମଦ୍ୟପାନ ଯୋଗୁଁ ଯାଉଛି ୭୦% ଜୀବନ
ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ଶୀର୍ଷରେ କେନ୍ଦୁଝର

ଭାରତ ସରକାରଙ୍କ ତଥ୍ୟ ମୁତାବକ ଓଡ଼ିଶା ଦେଶରେ ଦୁର୍ଘଟଣା ମୃତ୍ୟୁରେ ୧୩ ନମ୍ବର ସ୍ଥାନ‌ରେ ରହିଛି। ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଓଡ଼ିଶା ୧୨ ନମ୍ବର ସ୍ଥାନରେ ଥିବା ବେଳେ ଏବେ ୧୩ ନମ୍ବରକୁ ଖସିଥିଲେ ବି ରାଜ୍ୟରେ କିନ୍ତୁ ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ବଢି ଚାଲିଛି। ଓଡ଼ିଶାରେ ୨୦୧୮ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫୩୧୫ ରହିଥିଲା। ୨୦୧୯ରେ ଏହା ୫,୩୩୩କୁ ବୃଦ୍ଧି ପାଇଲା। କିନ୍ତୁ ଉଦ୍‌ବେଗର କାରଣ ହେଉଛି ୨୦୨୦ ଓ ୨୦୨୧ରେ କରୋନା କଟକଣା ସତ୍ତ୍ବେ ୨୦୨୦ରେ ୪୭୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୨୧‌ରେ ୫୦୮୧ ଜଣଙ୍କ ମୃତ୍ୟୁ ଘଟିଥିଲା। କରୋନା କଟକଣା କୋହଳ ହେବା ପରେ ୨୦୨୨ରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୫୪୬୭ରେ ପହଞ୍ଚି ଗଲା। ସେହି ବର୍ଷ ରାଜ୍ୟ‌ରେ ୧୧ ହଜାର ୬୬୩ ଦୁର୍ଘଟଣା ଘଟିଥିବା ରେକର୍ଡ ରହିଛି। ୨୦୨୧ ତୁଳନାରେ ୨୨ରେ ୭ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢିବା ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି।

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଯେଉଁ କେତେକ ପ୍ରମୁଖ କାରଣ ‌କୁହାଯାଉଛି, ସେଥିରେ ୨୦୨୨ରେ ମୋବାଇଲ ଫୋନ୍‌ ବ୍ୟବହାର ଯୋଗୁଁ ୧୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଭୁଲ ରାସ୍ତାରେ ଗାଡ଼ି ଚଳାଇ ୪୩୨ ଜଣ, ମଦ ପିଇ ଗାଡି ଚାଳନା ଯୋଗୁଁ ୩୦୦ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ମୋଟ ଦୁର୍ଘଟଣାରୁ କେବଳ ୨୪୯୮ ବାଇକ୍‌ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ଘଟିଛି। କିନ୍ତୁ ସେଥିରୁ ରାସ୍ତାରେ ଚାଲି ଚାଲି ଯାଉଥିବା ବ୍ୟକ୍ତିଙ୍କ ମୃତ୍ୟୁସଂଖ୍ୟା ପାଖାପାଖି ୮୦୦ ‌ରହିଛି। ଅର୍ଥାତ ଚାଲି ଚାଲି ଯାଉଥିବା ଲୋକଙ୍କୁ ଗାଡ଼ି ବାଡେଇ ଦେବା ଫଳରେ ସେମାନଙ୍କ ଜୀବନ ଯାଇଛି। ସେହିଭଳି କାର ଦୁର୍ଘଟଣାରେ ୬୨୫, ଟ୍ରକ ଦୁର୍ଘଟଣାରେ ୪୯୮, ୧୪୨ ଅଟୋ ଓ ୧୩୯ ବସ୍‌ ଦୁର୍ଘଟଣା‌‌ରେ ମୃତ୍ୟୁ ହୋଇଛି। ୨୦୨୨ର ତଥ୍ୟକୁ ଅନୁଶୀଳନ କଲେ ରାଜ୍ୟରେ ପ୍ରତିଦିନ ହାରାହାରି ୧୫ ଜଣଙ୍କ ଜୀବନ ଦୁର୍ଘଟଣା ‌ଯୋଗୁଁ ଘଟୁଛି। ମୋଟ ଦୁର୍ଘଟଣାରୁ ୩୬୭୫ ଅର୍ଥାତ ପାଖାପାଖି ୭୦ ପ୍ରତିଶତ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ମୃତ୍ୟୁ ହୋଇଛି। ଓଡ଼ିଶା‌ରେ ହିଟ୍ ଆଣ୍ଡ୍‌ ରନ୍‌ ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି। ପାଖାପାଖି ୨୧୦୦ ଲୋକଙ୍କ ଜୀବନ ଗତ ଦୁଇ ବର୍ଷରେ ଏଭଳି ଘଟଣାରେ ଯାଇଛି। ରାଜ୍ୟରେ ଅଧିକାଂଶ ଦୁର୍ଘଟଣାରେ ଦ୍ରୁତଗତି ଗାଡି ଚାଳନା ଯୋଗୁଁ ହେଇଥିଲେ ବି ଏହାର ନିରାକରଣ ପାଇଁ ଯୋଜନା କରାଯାଉନାହିଁ। ବିଶେଷ କରି ରାସ୍ତାରେ ମଦ ପିଇ ଗାଡି ଚାଳନାର ଯାଞ୍ଚ୍‌ ନିୟମିତ କରାଯାଉ ନାହିଁ। କେବଳ ଜରିମାନା ଆଦାୟ କରି ସେମାନଙ୍କୁ ଛାଡ଼ି ଦିଆଯାଉଛି। ‌ବେପରୱା ବାଇକ ଚାଳକଙ୍କ ବି‌ରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସ୍ପିଡ୍‌ ନିୟନ୍ତ୍ରଣ ବା ଇଣ୍ଟର‌ସେପ୍ଟର ବ୍ୟବସ୍ଥ‌ା ଥିଲେ ବି ଏହାର ବିଧିବଦ୍ଧ ଉପଯୋଗ ହେଉନାହିଁ। ଓଡ଼ିଶାରେ ରାଜପଥ ପାର୍ଶ୍ବରେ ଆବଶ୍ୟକ ଟ୍ରମା ସେଣ୍ଟ୍‌ର ପ୍ରତିଷ୍ଠା କରାଯାଉନାହିଁ। ଫଳରେ ଦୁର୍ଘଟଣା ସ୍ଥଳରୁ ମେଡିକାଲ ଆସିବା ବାଟ‌‌ରେ ବି ଅଧିକାଂଶଙ୍କର ମୃତ୍ୟୁ ଘଟୁଛି। ଏଭଳି ସ୍ଥିତିରେ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ ତୁଳନାରେ ଭିତ୍ତିଭୂମି, ନିୟମ ଓ ବ୍ୟବସ୍ଥା ସୁଧାର ଉପରେ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button