ସରକାରଙ୍କ ନୂଆବର୍ଷ ଭେଟି: ୨୩ ସାମଗ୍ରୀ ଉପରୁ କମିଲା ଜିଏସ୍ଟି
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି)ରେ ନୂଆ ଘୋଷଣା ଦ୍ୱାରା ସରକାର ନୂଆ ବର୍ଷ ଆଗରୁ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ୩୧ତମ ବୈଠକରେ ମୋଟ ୨୩ ସାମଗ୍ରୀ ଓ ସେବା ଉପରୁ ଜିଏସ୍ଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ସର୍ବୋଚ୍ଚ ବା ୨୮% ସ୍ଲାବରୁ ୭ଟି ସାମଗ୍ରୀ ବାଦ ଦେବାକୁ ସ୍ଥିିର ହୋଇଛି। ଫଳରେ ୨୮% ସ୍ଲାବରେ ମାତ୍ର ୨୮ଟି ସାମଗ୍ରୀ ରହିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଯୋଗୁ ରାଜକୋଷରୁ ୫,୫୦୦ କୋଟି ଟଙ୍କାର ଟିକସ ହ୍ରାସ ଘଟିବ।
ଜିଏସ୍ଟି ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ଜେଟ୍ଲୀ କହିଛନ୍ତି ଯେ, ସର୍ବୋଚ୍ଚ ସ୍ଲାବରେ ଥିବା ସାମଗ୍ରୀ ଓ ସେବାଗୁଡ଼ିକ ଉପରୁ ପରିଷଦ ଟିକସ ହ୍ରାସ ଧାରା ଜାରି ରଖିଛି। ଧୀରେ ଧୀରେ ଏହି ସ୍ଲାବରୁ ବିଭିନ୍ନ ସାମଗ୍ରୀକୁ ବାଦ୍ ଦିଆଯିବ।
ଜିଏସ୍ଟି ହ୍ରାସ ହୋଇଥିବା ସାମଗ୍ରୀ
ସିନେମା ଟିକେଟ, ତୃତୀୟ ପକ୍ଷ ବୀମା ପ୍ରିମିୟମ, ବିମାନ ଟିକେଟ, ମନିଟର,ଟେଲିଭିଜନ ସ୍କ୍ରିନ, ଟାୟାର, ପାଓ୍ବାର ବ୍ୟାଙ୍କ, ଲିଥିୟମ ଆୟନ ବ୍ୟାଟେରି, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ କ୍ୟାରେଜ ଆସେସୋରିଜ ସହ ଅନ୍ୟାନ୍ୟ ସାମଗ୍ରୀ ଓ ସେବା