ଓଡିଶା

ପାର୍କିଂ ନାଁରେ ପର୍ଯ୍ୟଟକଙ୍କୁ ଲୁଟ୍‌ – bajravana

[ad_1]

ଭୁବନେଶ୍ବର: ୨ ଓ ୩ ଚକିଆ ଗାଡ଼ିକୁ ୫ଟଙ୍କା। ୪ ଚକିଆକୁ ୨୦ ଓ ୪ ଚକିଆରୁ ଅଧିକ ଗାଡ଼ିକୁ ୨୫ ଟଙ୍କା। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପାର୍କିଂରେ ଦୁଇଘଣ୍ଟା ପାଇଁ ବିଏମ୍‌ସି ଏ ଫି’ ଧାର୍ଯ୍ୟ କରିଛି। କିନ୍ତୁ ଗାଡ଼ିଗୁଡ଼ିକଠାରୁ ଧାର୍ଯ୍ୟ ଅର୍ଥଠାରୁ ୧୦ ଗୁଣା ଅଧିକ ଟଙ୍କା ଆଦାୟ କରା ଯାଉଥିବାର ମାଳମାଳ ଅଭିଯୋଗ ହେଉଛି। ୪ ଚକିଆକୁ ୫୦ ଟଙ୍କା, ୪ ଚକିଆରୁ ଅଧିକ ଗାଡ଼ିକୁ ୩୦୦ରୁ ୧୦୦୦ ଟଙ୍କା ଆଦାୟ ହେଉଛି। ହେଲେ ଏହି ଟଙ୍କା ବିଏମ୍‌ସି ପକେଟ୍‌କୁ ଯାଉନାହିଁ। ଟେଣ୍ଡର ପାଇଥିବା ସଂସ୍ଥା କର୍ତ୍ତୃପକ୍ଷଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପର୍ଯ୍ୟଟକଙ୍କୁ ଲୁଟୁଛି।

ପର୍ଯ୍ୟଟନ ଋତୁ ଆସିଥିବାରୁ ଏକାମ୍ରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ୁଛି। ଅନ୍ୟପଟେ ଶ୍ରଦ୍ଧାଳୁଙ୍କୁ ଲୁଟ୍‌ କରିବାକୁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ଗାଡ଼ି ପାର୍କିଂଠାରୁ ଆରମ୍ଭ କରି ଜୋତା ରଖିବା, ଭୋଗ, ଦୀପ, ଦର୍ଶନ ସବୁଠି ଶୋଷଣର ମାତ୍ରା ବଢ଼ି ଚାଲିଛି। ଏଥିରେ ଅତିଷ୍ଠ ହୋଇ ଅନେକ ପର୍ଯ୍ୟଟକ ଆଉ ଏଠାକୁ ଆସିବେ ନାହିଁ ବୋଲି ମଧ୍ୟ ଶପଥ ନେଉଛନ୍ତି। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ଟ୍ରଷ୍ଟ ବୋର୍ଡ ରହିଛି। ପୂର୍ବରୁ ଭୋଗ, ଦୀପ, ଜୋତା ଷ୍ଟାଣ୍ଡ, ଗାଡ଼ି ପାର୍କିଂ- ସବୁକିଛି ଟ୍ରଷ୍ଟ ବୋର୍ଡ ହାତରେ ଥିଲା। ଏଥିରୁ ହେଉଥିବା ଆୟ ମନ୍ଦିରର ନୀତିକାନ୍ତି ଓ ଅନ୍ୟ ପରିଚାଳନା କାର୍ଯ୍ୟରେ ବ୍ୟୟ ହେଉଥିଲା। କିନ୍ତୁ ଏବେ ଦାଣ୍ଡମହାସୁଲ ୧୦ଟଙ୍କା, ନଡ଼ିଆ, ଫୁଲ, ବେଲପତ୍ର ପାଇଁ ୫ଟଙ୍କା ଏବଂ ଦାନ ଅର୍ଥରାଶିକୁ ଛାଡ଼ିଦେଲେ ମନ୍ଦିର ଟ୍ରଷ୍ଟ ନିକଟରେ ଆୟର ମାଧ୍ୟମ ଆଉ କିଛି ନାହିଁ।

ସୂଚନାନୁସାରେ, ୨୦୧୯ରୁ ଗାଡ଼ି ପାର୍କିଂ ପାଇଁ ବିଏମ୍‌ସି ଟେଣ୍ଡର କରୁଛି। ଗତ ୨୦୨୨ ଅଗଷ୍ଟ ୨ ତାରିଖରୁ ପୁରୁଣା ଭୁବନେଶ୍ବର କପିଳପ୍ରସାଦର ଏକ ସ୍ବୟଂସହାୟିକା ଗୋଷ୍ଟୀ ଟେଣ୍ଡର ନେଇଛି। ପ୍ରତିମାସ ଏହି ଏସ୍‌ଏଚ୍‌ଜି ୧ ଲକ୍ଷ ୭୮ ହଜାର ୭୫୦ ଟଙ୍କା ଭଡ଼ା ଦେବାକୁ ଚୁକ୍ତିନାମା ହୋଇଛି। ଚୁକ୍ତି ଅନୁସାରେ ପ୍ରତି ମାସରେ ଚୁକ୍ତିର ନବୀକରଣ କରାଯିବ। କୌଣସି ବିଶୃଙ୍ଖଳା ଦେଖାଗଲେ ବିଏମ୍‌ସି ଟେଣ୍ଡର ବାତିଲ୍‌ କରିବାର କ୍ଷମତା ରଖିଛି। ବିଏମ୍‌ସିର ତଥ୍ୟ କହୁଛି, କେବଳ ଲିଙ୍ଗରାଜଙ୍କ ମନ୍ଦିର ନିକଟ ପାର୍କିଂ ପାଇଁ ଏହି ସ୍ବୟଂସହାୟିକା ଗୋଷ୍ଟୀକୁ ଟେଣ୍ଡର ଦିଆଯାଇଛି। ଶ୍ରୀଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ ସ୍ଥାନ (ପାଚେରି ଭିତରେ) ଓ ଗଙ୍ଗା ଯମୁନା ମନ୍ଦିର ନିକଟରେ ଥିବା ଏକ ଛୋଟ ସ୍ଥାନରେ ହିଁ ଏହି ଏସ୍‌ଏଚ୍‌ଜି ଗାଡ଼ିଠାରୁ ପାର୍କିଂ ଫି’ ଆଦାୟ କରିପାରିବ। କିନ୍ତୁ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଖାଲିସ୍ଥାନ, ହାଟ ପଟ ରାସ୍ତା, ମନ୍ଦିର ଉତ୍ତର ପାର୍ଶ୍ବ, ବିଏମ୍‌ସି ହସ୍ପିଟାଲ ପାଖ ସହ ଅନ୍ୟ ଯେଉଁଠି ବି ଗାଡ଼ି ରଖିଲେ ଜୋର୍‌ ଜବରଦସ୍ତ ପାର୍କିଂ ଫି ଆଦାୟ କରାଯାଉଛି।

ବାହାର ରାଜ୍ୟରୁ ଆସୁଥିବା ବସ୍‌ଗୁଡ଼ିକ ସବୁଠାରୁ ଅଧିକ ଲୁଟ୍‌ର ଶିକାର ହେଉଛନ୍ତି। ଛତିଶଗଡ଼, ଝାଡ଼ଖଣ୍ଡ, କୋଲକତା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶରୁ ପ୍ରତିଦିନ ଶହେ ପାଖାପାଖି ବସ୍‌ ପାର୍କିଂରେ ଲାଗୁଛି। ‘ଅତିଥି ଦେବ ଭବଃ’ ସ୍ଲୋଗାନ ରଖିଥିବା ଓଡ଼ିଶାରେ କିପରି ଅତିଥିଙ୍କୁ ଶୋଷଣ କରାଯାଉଛି ତା’ର ତିକ୍ତ ଅନୁଭୂତି ନେଇ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଫେରୁଛନ୍ତି। ୪ରୁ ଅଧିକ ଚକିଆ ଗାଡ଼ି ପାଇଁ ୨ ଘଣ୍ଟାକୁ ୨୫ ଟଙ୍କା, ୫ ଘଣ୍ଟାକୁ ସର୍ବାଧିକ ୧୦୦ ଟଙ୍କା ଏବଂ ୫ ଘଣ୍ଟାରୁ ଅଧିକ ସମୟ ହେଲେ ଘଣ୍ଟାପ୍ରତି ୨୦ ଟଙ୍କା ଦେବାର ନିୟମ ରହିଛି। କିନ୍ତୁ ୨ ଘଣ୍ଟାକୁ ୩୦୦ ଟଙ୍କା ନିଆଯାଉଛି। ୨ ଘଣ୍ଟାରୁ ଅଧିକ ହେଲେ ୬୦୦, ୩ ଘଣ୍ଟାକୁ ୯୦୦ ଏବଂ ୩ ଘଣ୍ଟାରୁ ଅଧିକ ହେଲେ ୧୦୦୦ରୁ ଅଧିକ ଟଙ୍କା ଦାବି କରା ଯାଉଛି। ଏହାକୁ ଆଦାୟକାରୀ ନିଜ ଇଚ୍ଛାରେ ଆହୁରି ବଢ଼ାଇ ପାରୁଛନ୍ତି। ଗ୍ରାଉଣ୍ଡ ଜିରୋରେ ଖବର ସଂଗ୍ରହ ବେଳେ ଆନ୍ଧ୍ରପ୍ରଦେଶର ଜଣେ ବସ୍‌ ଡ୍ରାଇଭ୍‌ର ସିରିଆ ନାଇଡୁ ‌କ୍ଷୋଭ ପ୍ରକାଶ କରି କହିଥିଲେ, ‘‘୨୧ ତାରିଖ ଭୋର୍‌ ସମୟରେ ଗାଡ଼ି ପାର୍କିଂରେ ଲଗାଇଲି। ଆମକୁ ଦୁଇଜଣ ଲୋକ ୩୦୦ ଟଙ୍କାର ରସିଦ୍‌ ଦେଲେ। କିନ୍ତୁ ୧୦୦୦ ଟଙ୍କା ନେଲେ। ପ୍ରତିବାଦ କରିବାରୁ ଧମକ ଦେଲେ, ୧୦୦୦ ଟଙ୍କାର ରସିଦ୍‌ ବି ଦେଲେ ନାହିଁ।’’ ଏ କେବଳ ଗୋଟିଏ ଉଦାହଣ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଠି ନକଲି ରସିଦ୍‌ ମଧ୍ୟ ବ୍ୟବହାର କରା ଯାଉଛି। କିଛି ରସିଦ୍‌ରେ ‘ଭୁବନେଶ୍ବର ମୁନିସ୍‌ପାଲଟି’ ଲେଖାଥିବା ବେଳେ କିଛି ରସିଦ୍‌ରେ ‘ଲିଙ୍ଗରାଜ ପାର୍କିଂ’ ଲେଖା ହୋଇଛି। ରସିଦ୍‌ର କ୍ରମିକ ନମ୍ବର ମିଶୁ ନାହିଁ। ‌ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଫାଟକ ନିକଟରେ କିଛି ଲୋକ ଜଗି ରହୁଛନ୍ତି। ନିୟମ ଅନୁସାରେ ଗାଡ଼ି ଫାଟକ ଭିତରକୁ ପଶିବା ମାତ୍ରେ ରସିଦ୍‌ ଦେବା କଥା। ଓଡ଼ିଶାର କିଛି ଗାଡ଼ିକୁ ଫାଟକ ଭିତରେ ପଶିବା ମାତ୍ରେ ୭୦ ଟଙ୍କାର ଏକ ରସିଦ୍‌ ଦିଆଯାଉଛି। କିନ୍ତୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଗାଡ଼ିଗୁଡ଼ିକୁ ଅତି ଚତୁରତାର ସହ ଫାଟକ ବାହାରକୁ ଯିବା ପରେ ରସିଦ୍‌ ଦିଆଯାଉଛି।
ଲିଙ୍ଗରାଜ ମନ୍ଦିରକୁ ଯାଇଥିବା ଅଧିକାଂଶ ଲୋକ ଏସବୁ ଜାଣିଥିଲେ ହେଁ ବିଏମ୍‌ସି ଏ ବିଷୟରେ ଅବଗତ ନଥିବା ଦାବି କରୁଛି। ‌ଜେଡ୍‌ଡିସି ରାଜଲକ୍ଷ୍ମୀ ନାୟକ କହିଛନ୍ତି, ବିଏମ୍‌ସି ନିୟମ ଅନୁସାରେ ସଂପୃକ୍ତ ସଂସ୍ଥା ପାର୍କିଂ ଫି’ ନେବା ପାଇଁ ବାଧ୍ୟ। ଯଦି ବେଆଇନ ଭାବେ ଅଧିକ ଟଙ୍କା ନିଆଯାଉଛି, ଲୋକେ ବିଏମ୍‌ସି ନଜରକୁ ଆଣନ୍ତୁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button