ରମାଦେବୀ ଦିବ୍ୟାଙ୍ଗ ଛାତ୍ରୀ ନିବାସରୁ ଚୋରି: ୧୭ ମୋବାଇଲ୍, ୧୫ ହଜାର ଟଙ୍କା ଲୁଟ୍ – bajravana
[ad_1]
ଭୁବନେଶ୍ବର: ରାଜଧାନୀରେ ସିନ୍ଧିଚୋରି ଆତଙ୍କ ଥମିବା ନାଁ ଧରୁନାହିଁ। ନନ୍ଦନକାନନ ଥାନା ମାରୁତିବିହାରରେ ଇଂଜିନିୟର୍ ଦମ୍ପତିଙ୍କ ୨ ଛୁଆଙ୍କୁ ପଣବନ୍ଦୀ କରି ଡକାୟତି କରିବାଠାରୁ ଆରମ୍ଭ କରି ପାହାଳ ଅଞ୍ଚଳରେ ଜଣେ ପୁଲିସ ଅଧିକାରୀଙ୍କ ଘରେ କଳାକନା ବୁଲାଇଦେଇଛନ୍ତି ଦୁର୍ବୃତ୍ତମାନେ। ଶେଷରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ନିବାସ ବି ସେଥିରୁ ବାଦ୍ପଡ଼ିନି। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ହଷ୍ଟେଲ୍ରେ ପଶି ୧୭ଟି ମୋବାଇଳ୍ ଫୋନ୍ ଓ ୧୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ରାଜଧାନୀରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରୀ ନିବାସରୁ ଏଭଳି ଚୋରି କମିସନରେଟ୍ ପୁଲିସର ପାଟ୍ରୋଲିଂ ବ୍ୟବସ୍ଥାର ବିକଳ ଚିତ୍ରକୁ ଦର୍ଶାଇଛି। ଅନ୍ୟପକ୍ଷରେ ଦିବ୍ୟାଙ୍ଗ ଛାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି ଏବଂ ସେମାନଙ୍କ ସୁରକ୍ଷାକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି।
ଛାତ୍ରୀମାନଙ୍କ ଅଭିଯୋଗ ମୁତାବକ ରାତି ପାଖାପାଖି ସାଢ଼େ ୩ଟା ସମୟରେ ଦୁଇ ଛାତ୍ରୀ ପଢ଼ିବା ପାଇଁ ଉଠିଥିଲେ। ଜଣେ ଛାତ୍ରୀ ମୋବାଇଲ୍ ନ ପାଇବାରୁ ଖୋଜାଖୋଜି କରିଥିଲେ। ହାତ ବାଜି ତଳେ ପଡ଼ିଥିବ ବୋଲି ଭାବି ଛାତ୍ରୀଜଣଙ୍କ ସହପାଠୀଙ୍କୁ ତାଙ୍କ ମୋବାଇଲ୍ରୁ କଲ୍ କରିବାକୁ କହିଥିଲେ। ସେ ବି ତାଙ୍କ ମୋବାଇଲ୍ ପାଇନଥିଲେ। ଦୁଇଜଣଯାକ ମୋବାଇଲ୍ ନ ପାଇବାରୁ ଅନ୍ୟମାନଙ୍କୁ ଡାକିଥିଲେ। ପରେ ଜଣାପଡ଼ିଲା ଯେ ୧୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କ ମୋବାଇଲ୍ ନାହିଁ। ଚୋରି ହୋଇଥିବା ସନ୍ଦେହ କରି ସବୁ ଛାତ୍ରୀ ସେମାନଙ୍କ ବ୍ୟାଗ୍ ଖୋଜିବା ପରେ ଜଣାପଡ଼ିଥିଲା ଯେ ୧୭ଟି ମୋବାଇଲ୍ ଓ ପ୍ରାୟ ୧୫ହଜାରରୁ ଅଧିକ ଟଙ୍କା ଚୋରି ହୋଇଛି।
ଚୋରି ହୋଇଥିବା ଜଣାପଡ଼ିବା ପରେ ରାତି ଅଧରେ ହଷ୍ଟେଲ୍ରେ ଆତଙ୍କ ଖେଳିଯାଇଥିଲା। ଛାତ୍ରୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବା ସେମାନଙ୍କୁ ବୁଝାସୁଝା କରାଯାଇଥିଲା ଏବଂ କଥାକୁ ବାହାରେ ପ୍ରଘଟ ନ କରିବାକୁ ତାଗିଦ୍ କରାଯାଇଥିଲା। କିନ୍ତୁ ସକାଳୁ ସକାଳୁ ଛାତ୍ରୀମାନେ ଗଣମାଧ୍ୟମରେ ସବୁ ସତ କହିଦେଇଥିଲେ। ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ହଷ୍ଟେଲ୍ରେ ସିସିଟିଭି ନଥିବା ନେଇ ପୁଲିସ ବିସ୍ମୟ ପ୍ରକାଶ କରିଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦିବ୍ୟାଙ୍ଗ ଛାତ୍ରୀଙ୍କ ହଷ୍ଟେଲ୍ରେ ପଶିବା ପାଇଁ ଅନେକ କଟକଣା ରହିଛି। ସିକ୍ୟୁରିଟି ଗାର୍ଡଙ୍କଠାରୁ ଆରମ୍ଭ କରି ହଷ୍ଟେଲ୍ର କର୍ମଚାରୀ ସୁରକ୍ଷା ଦାୟିତ୍ବରେ ଅଛନ୍ତି। ଏତେ କଡ଼ା ସୁରକ୍ଷା ଥିବା ସତ୍ତ୍ବେ ହଷ୍ଟେଲ୍ରୁ କେମିତି ଚୋରି ହେଲା, ତାକୁ ନେଇ ନାନା କଥା ସନ୍ଦେହଘେରକୁ ଆସିଛି।
[ad_2]