ଏକାଧିକ ବାର ନିଶ୍ଚିତ କରିଛନ୍ତି ବିଗ୍ ବି: ତାଙ୍କ ମୃତ୍ୟୁ ପରେ ଦୁଇ ସମାନ ଭାଗରେ ବଣ୍ଟା ହେବ ସଂପତ୍ତି – bajravana
ମୁମ୍ବାଇ: ମେଗାଷ୍ଟାର୍ ଅମିତାଭ ବଚ୍ଚନ ନିଜର ଜୁହୁସ୍ଥିତ ୫୦ କୋଟି ଟଙ୍କା ମୂଲ୍ୟର ବଙ୍ଗଳା ‘ପ୍ରତୀକ୍ଷା’କୁ ଝିଅ ଶ୍ବେତା ନନ୍ଦାଙ୍କୁ ଉପହାର ଦେବା କଥା ଆପଣ ଜାଣିଥିବେ ନିଶ୍ଚୟ। ଏହା କୌଣସି ବଡ଼ କଥା ନୁହେଁ, ଏପରି ହେବାର ହିଁ ଥିଲା। କାରଣ ଅତୀତରେ ବିଗ୍ ବି ଥରେ କହିଥିଲେ ଯେ ସେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ଝିଅ ଶ୍ବେତା ନନ୍ଦାଙ୍କ ମଧ୍ୟରେ ନିଜ ସଂପତ୍ତିକୁ ସମାନ ଭାବରେ ବାଣ୍ଟିଦେବେ। ଯାହାର ପ୍ରକ୍ରିୟା ସେ ଆରମ୍ଭ କରିସାରିଛନ୍ତି।
‘କୌନ୍ ବନେଗା କରୋଡ଼ପତି’ ମଞ୍ଚରେ ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଥିବା ସଂପତ୍ତି କ’ଣ ହେବ ବେଲି ବିଗ୍ ବି ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ ସମସ୍ତ ସଂପତ୍ତି ଅଭିଷେକ ଓ ଶ୍ବେତାଙ୍କର। ଯାହାକୁ ତାଙ୍କର ଦୁଇ ପିଲାଙ୍କ ମଧ୍ୟରେ ସେ ସମାନ ପରିମାଣରେ ବାଣ୍ଟିବାକୁ ଚାହାନ୍ତି।
ଏହାଛଡ଼ା ଏକ ‘ଏକ୍ସ’ ପୋଷ୍ଟ୍ରେ ବି ସେ ଏହି କଥା କହିଥିଲେ। ବିଗ୍ ବି ତାଙ୍କ ପୋଷ୍ଟ୍ରେ ଲେଖିଥିଲେ, ‘‘ଯେବେ ମୁଁ ମରିଯିବି। ମୋର ଯାହା ବି ସଂପତ୍ତି ଅଛି ମୋ ଦୁଇ ପିଲାଙ୍କ ମଧ୍ୟରେ ସମାନ ଭାବେ ବିଭାଜନ ହେବ।’’
ଉଲ୍ଲେଖଯୋଗ୍ୟ, ବିଗ୍ ବି ଶ୍ବେତାଙ୍କୁ ଉପହାର ଆକାରରେ ଦେଇଥିଲା ମୁମ୍ବାଇସ୍ଥିତ ପ୍ରଖ୍ୟାତ ଆବାସିକ ବଙ୍ଗଳାମାନଙ୍କ ମଧ୍ୟରେ ଅନ୍ୟତମ ‘ପ୍ରତୀକ୍ଷା’ ଫାଟକ ସମ୍ମୁଖରେ ପ୍ରତିଦିନ ପ୍ରବଳ ଜନଗହଳି ହୁଏ। ପ୍ରାୟ ୧୭,୦୦୦ ବର୍ଗଫୁଟ୍ ଜମିରେ ବିସ୍ତୃତ ଏହି ବଙ୍ଗଳାର ଦଲିଲ ହସ୍ତାନ୍ତର ଓ ରେଜିଷ୍ଟ୍ରେସନ୍ ଚଳିତ ମାସ ୮ ତାରିଖରେ ସମ୍ପାଦିତ ହୋଇଛି।