ବିକାଶ ଦେଖିଲାନି ଜୁଏଲଙ୍କ ଗାଁ – bajravana
[ad_1]
ଚାଷକୁ ପାଣି ନାହିଁ, ଦାଦନ ମୁଁହା ଚାଷୀ, ଜଳୁନି ମାଳ ମାଳ ସୋଲାର ଲାଇଟ
ଲହୁଣିପଡାରୁ ମଳୟ ରଞ୍ଜନ ସାହୁ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ କଲେପୋଷ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଡ଼ିହି ଗାଁ। ଏହା ଏମିତି ସେମିତି ଗାଁ ନୁହେଁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଜନ୍ମମାଟି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଏହି ଚର୍ଚ୍ଚିତ ଗାଁ କିନ୍ତୁ ଆଜି ବି ବିକାଶଠୁ ବହୁ ଦୂରରେ। କେବଳ ଗାଁ ନୁହେଁ ପଞ୍ଚାୟତରେ ବି ସମାନ ସ୍ଥିତି। ଜୁଏଲ ନିଜ ଗାଁକୁ ଆସୁଛନ୍ତି। ଗାଁର ସମସ୍ୟା ସମ୍ପର୍କରେ ଲୋକଙ୍କ ସହ କଥା ହେଉଛନ୍ତି। ହେଲେ ଗାଁ ଓ ପଂଚାୟତର ସ୍ଥିତି ପୂର୍ବରୁ ଯେମିତି ଥିଲା, ଏବେ ବି ସେମିତି ରହିଛି। ଅବଶ୍ୟ କିଛି ବିକାଶମୂଳକ କାମ କରିଛନ୍ତି। କିନ୍ତୁ ତାହା କେନ୍ଦୁଡ଼ିହି ଲୋକଙ୍କ ବିଶେଷ କାମରେ ଆସୁନି। ଲହୁଣିପଡ଼ା-କଲେଇପୋଷ ମୁଖ୍ୟ ରାସ୍ତାରୁ କେନ୍ଦୁଡ଼ିହି ଗାଁକୁ ଯାଇଥିବା ରାସ୍ତା କଡ଼ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ସୋଲାର ଲାଇଟ୍ ଲଗାଯାଇଛି। ମାତ୍ର ଦୁଇମାସ ଜଳିବା ପରେ ଲିଭି ଯାଇଛି। ଆଜିକୁ ପ୍ରାୟ ଦୁଇବର୍ଷ ଧରି ଗୋଟିଏ ବି ସୋଲାର ଲାଇଟ ଜଳୁନି। ଆଉ ଜଳିବ କି ନାହିଁ, କାହାରି ପାଖରେ ଉତ୍ତର ନାହିଁ। ସରପଞ୍ଚ ଶାନ୍ତି ଓରାମ କହୁଛନ୍ତି, କିଏ କେତେବେଳେ ଲଗାଇ ଚାଲିଗଲା ଆମେ ଜାଣିନୁ। କେନ୍ଦୁଡ଼ିହିରୁ କଜଳା ଦେଇ ଲହୁଣିପଡ଼ାକୁ ଯାଇଥିବା ରାସ୍ତା ଅବସ୍ଥା ଅତି ଦୟନୀୟ। ବର୍ଷେ କି ଦୁଇ ବର୍ଷ ନୁହେଁ ୧୫ ବର୍ଷ ଧରି ଏଭଳି ସ୍ଥିତି।
ଆଜି ଯାଏ ଗ୍ରାମ୍ୟ ଉନ୍ନୟନ ବିଭାଗ ନା ସାଂସଦ କାହାରି ପକ୍ଷରୁ ଧ୍ୟାନ ଦିଆଯାଉନି। ଏହି ରାସ୍ତାଦେଇ ଦୈନିକ କଲେଜ, ସ୍କୁଲ ଛାତ୍ରଛାତ୍ରୀ ତଥା କେନ୍ଦୁଡ଼ିହି ଓ ଆଖପାଖ ଗାଁର ଶହଶହ ଲୋକ ଯାତାୟାତ କରନ୍ତି। ଗାଁରେ ୨୦୦୦ରୁ ଅଧିକ ଲୋକ ରହୁଛନ୍ତି। ଗାଁ ଲୋକ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ହେଲେ ଖରିଫ୍ ଧାନ ଫସଲ ସମୟକୁ ଛାଡ଼ି ଅନ୍ୟ ସମୟରେ କ୍ଷେତକୁ କେନାଲ୍ ପାଣି ଆସୁନାହିଁ। ନିକଟସ୍ଥ ଢମଣାଧର ଡ୍ୟାମ ପାଣି ଆସୁ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଫଳରେ ସେମାନେ ରବି ଚାଷ ବା ଅନ୍ୟ କୌଣସି ଫସଲ କରିପାରୁ ନଥିବା ଚାଷୀମାନେ କହିଛନ୍ତି। ବିକଳ୍ପ ବ୍ୟବସ୍ଥା କରାଯାଉ ନ ଥିବାରୁ ଅଧିକାଂଶ ଚାଷୀ କୃଷି କାମ ଛାଡି ଦାଦନ ଖଟିବାକୁ ଚେନ୍ନାଇ ଓ କର୍ଣ୍ଣାଟକକୁ ଚାଲି ଯାଉଛନ୍ତି। କେବଳ ଏତିକି ନୁହେଁ, କଲେଇପୋଷ ମୁଖ୍ୟରାସ୍ତାରୁ କେନ୍ଦୁଡ଼ିହି ଦେଇ ଡିଏମଏଫ ପାଣ୍ଠିରୁ ୩ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାର ଅଧିକାଂଶ ସ୍ଥାନ ଫାଟି ଆଁ କଲାଣି। ଯଦି ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଗାଁର ସ୍ଥିତି ଏମିତି, ପଞ୍ଚାୟତର ଅନ୍ୟ ଗାଁଗୁଡିକର ଅବସ୍ଥା କେମିତି ଥିବ ବୋଲି ଦେଖିଲା ଲୋକ ଆଲୋଚନା କରୁଛନ୍ତି। ଗାଁର ଚାଷୀ ଲଦିଆ ଓରାମ କହିଛନ୍ତି କ୍ଷେତକୁ ପାଣି ହିଁ ପ୍ରମୁଖ ସମସ୍ୟା। ନା ପଂଚାୟତ, ନା ଜୁଏଲ କେହି ଅଞ୍ଚଳ ବିକାଶ ପ୍ରତି ଆବଶ୍ୟକ ମୁତାବକ ଧ୍ୟାନ ଦେଉନାହାନ୍ତି।
ଚାନ୍ଦମଣି ଓରାମଙ୍କ କହିବା ହେଲା, କେବଳ ଆମ ଗାଁ ନୁହେଁ ପଞ୍ଚାୟତରେ ବି ବିକାଶ ହେଉନି। ଚାଷ ପାଇଁ ପାଣି ହେଉଛି ମୁଖ୍ୟ ସମସ୍ୟା। କେନାଲ ଅଛି, କିନ୍ତୁ ଧାନ ଚାଷ ପରେ ପାଣି ଆସୁନି। ଦୁଃଖ ବୁଝିବାକୁ ଯେମିତି କାହାରି ପାଖରେ ସମୟ ନାହିଁ। ଏ ସଂପର୍କରେ ସାଂସଦ ଜୁଏଲ୍ ଓରାମଙ୍କୁ ପଚାରିବାରୁ ସେ କିଛି ଲାଇଟ୍ ଜଳୁଛି ଓ କିଛି ଜଳୁ ନାହିଁ। ସେମିତି କ୍ଷେତକୁ ଆବଶ୍ୟକ ପରିମାଣର ପାଣି ଆସୁଥିବା କହିଥିଲେ। ହେଲେ ଆଦୌ ଲାଇଟ୍ ଜଳୁ ନଥିବା ଓ ପାଣି ଆସୁନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ସଂପର୍କରେ ପଚାରିବାରୁ ସେ ବୁଝିବେ ଓ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ।
[ad_2]