ଖେଳ ଖବର

ବିଶ୍ବକପ୍‌ ବିରଳ କ୍ଲବ୍‌ରେ ରୋହିତ – bajravana

[ad_1]

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମାତ୍ର ୨୦ ଦିନିକିଆ ବିଶ୍ବକପ୍‌ ମ୍ୟାଚ୍‌ ଖେଳିଥିଲା ବେଳେ ୭ ଶତକ ମାରି ସାରିଲେଣି। କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ ମଧ୍ୟରେ ରୋହିତଙ୍କ ଆନ୍ତର୍ଜାତିକ ଦିନିକିଆ ପ୍ରଦର୍ଶନ ଉଚ୍ଚକୋଟିର ‌ରହିଛି। ହେଲେ ବିଶ୍ବକପ୍‌ ପ୍ରଦର୍ଶନ ଏହାଠୁ ଅଧିକ ଭଲ ଅଛି। ୨୦ ମ୍ୟାଚ୍‌ରୁ ସେ ୧୧୯୫ ରନ୍‌ ସଂଗ୍ରହ କରିସାରିଲେଣି। ଏସବୁ ରନ୍‌ ବିଶ୍ବର ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇଛି। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଭାରତ ଭଳି ଦେଶର ବିଭିନ୍ନ ପଡ଼ିଆରେ ରୋହିତ ତାଙ୍କର ମାଷ୍ଟରକ୍ଲାସ୍‌ ପ୍ରଦର୍ଶନ ଦେଇଛନ୍ତି। କେବଳ ରୋହିତ ନୁହଁନ୍ତି ଡେଭିଡ ମିଲର, ସେନ ୱାଟସନ, ମାଇକେଲ କ୍ଲାର୍କ, ସଚିନ ତେନ୍ଦୁଲକର, ଆଣ୍ଡ୍ରୁ ସାଇମଣ୍ଡ୍ସ, ଏବି ଡି’ଭିଲିୟର୍ସଙ୍କ ଭଳି ବ୍ୟାଟର୍‌ ସେମାନଙ୍କ ପ୍ରଦର୍ଶନ ଜରିଆରେ ଏଲିଟ୍‌ କ୍ଲବ୍‌ରେ ପ୍ରବେଶ କରିସାରିଛନ୍ତି। ୧୦୦ ବଲ୍‌ରୁ ୮୫ ରନ୍‌ କିମ୍ବା ଏହାଠୁ ଅଧିକ ରନ୍‌ କରିଥିବା ଏବଂ ହାରାହାରି ୪୫ ରନ୍‌ କିମ୍ବା ତାହାଠୁ ଊର୍ଦ୍ଧ୍ବ ସ୍କୋରରେ ଥିବା କ୍ରିକେଟର୍‌ମାନେ ଏହି କ୍ଲବ୍‌ରେ ସାମିଲ ଅଛନ୍ତି। ବିଶ୍ବକପ୍‌ରେ ଏଭଳି ପ୍ରଦର୍ଶନ ମାତ୍ର ୨୪ ଜଣ ବ୍ୟାଟର୍‌ ଦେଇଛନ୍ତି। କିନ୍ତୁ ଯଦି ଅନ୍ୟୁନ ୩ ବିଶ୍ବକପ୍‌ ଖେଳିଥିବା ଖେଳାଳିଙ୍କୁ ବିଚାରକୁ ନିଆଯାଏ, ତା’ହେଲେ ଏହି ସଂଖ୍ୟା ୧୮କୁ ଖସିଆସିବ।

ଏହି ୧୮ ଜଣଙ୍କ ମଧ୍ୟରୁ କେହି ଜଣେ ବି ରୋହିତଙ୍କ ହାରାହାରି ରନ୍‌ଠୁ ଉପରେ ନାହାନ୍ତି। କେବଳ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ (୬୩.୫), ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ (୬୩.୪) ଓ ୱେଷ୍ଟଇଣ୍ଡିଜ୍‌ର ଭିଭିଆନ ରିଚାର୍ଡ୍ସ (୬୩.୩) ରୋହିତଙ୍କ ନିକଟତର ଅଛନ୍ତି। ଯଦିଓ ଅଷ୍ଟ୍ରେଲିଆର ଆଣ୍ଡ୍ରୁ ସାଇମଣ୍ଡ୍ସ ୧୦୩.୯ ହାରାହାରି ରନ୍‌ ରେକର୍ଡ ରଖିଛନ୍ତି, କିନ୍ତୁ ସେ କେବଳ ଦୁଇଟି ବିଶ୍ବକପ୍‌ରେ ଖେଳିଥିଲେ। ଅପରପକ୍ଷେ ଡି’ଭିଲିୟର୍ସ (୧୧୭.୩), ଅଷ୍ଟ୍ରେଲିଆର ସେନ ୱାଟସନ (୧୦୮.୧), ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର (୧୨୧.୭)ଙ୍କ ଷ୍ଟ୍ରାଇକ୍‌ରେଟ୍‌ ରୋହିତଙ୍କ ଉପରେ ରହିଛି।
ତଥାପି ହାରାହାରି ରନ୍‌ କିମ୍ବା ଷ୍ଟ୍ରାଇକ୍‌ରେଟ୍‌କୁ ବିଚାରକୁ ନେଲେ କାହାକୁ ମହାନ ବୋଲି ଧରିନିଆଯାଇ ପାରିବନି। ସମୟକ୍ରମେ ନିୟମରେ ପରିବର୍ତ୍ତନ ଆସିଛି ଏବଂ ନୂଆ ଶୈଳୀରେ କ୍ରିକେଟ୍‌ ଖେଳାଯାଉଛି। ବିଶେଷକରି ଟ୍ବେଣ୍ଟି-୨୦ କ୍ରିକେଟ୍‌ ଆସିବା ପରଠୁ ବ୍ୟାଟିଂ ହାରାହାରି ଓ ଷ୍ଟ୍ରାଇକ୍‌ରେଟ୍‌ରେ ବଡ଼ଧରଣର ବୃଦ୍ଧି ହେଉଥିବା ଦେଖାଯାଇଛି। ଭିଭିଆନ୍‌ ରିଚାର୍ଡ୍ସ ଯେତେ ବେଳେ ଖେଳୁଥିଲେ ସେତେ ବେଳେ ପ୍ରତ୍ୟେକ ପାଳି ୬୦ ଓଭର ବିଶିଷ୍ଟ ଥିଲା। ତଥାପି ପ୍ରଦର୍ଶନ ଭିତ୍ତିକ ହାରାହାରି ଓ ଷ୍ଟ୍ରାଇକ୍‌ରେଟ୍‌ ଉପରେ ଦୃଷ୍ଟି ଦେଲେ ରୋହିତ ବର୍ତ୍ତମାନ ସମୟର ଶ୍ରେଷ୍ଠ କ୍ରିକେଟର୍‌ ଭାବେ ଉଭା ହୋଇଛନ୍ତି।

ମାନ୍ୟତାର ଷଷ୍ଠକୁ ଉଠିଲେ

ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ମାନ୍ୟତାରେ ୫ଟି ସ୍ଥାନ ଲମ୍ଫ ମାରି ଷଷ୍ଠରେ ପହଞ୍ଚିଛନ୍ତି। ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ ପରେ ବୁଧବାର ଘୋଷିତ ମାନ୍ୟତାରେ ତାଙ୍କର ଏହି ଅଗ୍ରଗତି ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ରୋହିତ ୧୩୧ ରନ୍‌ କରିବା ପରେ ପାକିସ୍ତାନ ବିପକ୍ଷରେ ୮୬ ରନ୍‌ କରିଥିଲେ। ଲଗାତାର ଦୁଇ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ୱିକେଟ ରକ୍ଷକ ବ୍ୟାଟର୍‌ କ୍ବିଣ୍ଟନ ଡି’କକ୍‌ ୩ ସ୍ଥାନ ଉଠି ତୃତୀୟରେ ଏବଂ ସାଥୀ ରାଶି ଭାନ୍‌ ଡର ଦୁସେନ ଚତୁର୍ଥରେ ରହିଛନ୍ତି। ଆଫଗାନିସ୍ତାନ ଓପନର୍‌ ରହମନୁଲ୍ଲା ଗୁରବାଜ (୧୯ ସ୍ଥାନ ଉଠି ୧୮) ଏବଂ ନେଦରଲାଣ୍ଡ୍‌ସ ଅଧିନାୟକ ସ୍କଟ ଏଡୱାର୍ଡ୍ସ (୧୬ ସ୍ଥାନ ଉଠି ୨୭) ବଡ଼ ଲମ୍ଫ ମାରିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ (୮୮୬ ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଓପନର୍‌ ଶୁବମନ ଗିଲ ଦ୍ବିତୀୟରେ ରହିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ଭେଟେରାନ ଟ୍ରେଣ୍ଟ ବୋଲ୍ଟ (୬୫୯ ପଏଣ୍ଟ) ଏକ ନମ୍ବରର ନିକଟତର ହୋଇଛନ୍ତି। ଅଷ୍ଟ୍ରେଲିଆର ଜୋସ ହାଜେଲଉଡ଼ (୬୬୦ ପଏଣ୍ଟ) ଶୀର୍ଷରେ ଅଛନ୍ତି। ଭାରତର ମହମ୍ମଦ ସିରାଜ ତୃତୀୟରେ ସ୍ଥିର ଥିଲା ବେଳେ ଆଫ୍‌ଗାନିସ୍ତାନର ରସିଦ ଖାନ ଚତୁର୍ଥ, ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ପଞ୍ଚମକୁ ଉଠିଛନ୍ତି। କୁଲଦୀପ ଯାଦବ ଅଷ୍ଟମ ଏବଂ ଯଶପ୍ରୀତ ବୁମ୍‌ରା ୭ଟି ସ୍ଥାନ ଉଠି ୧୪ରେ ରହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button