୧୪ରୁ ଖୋଲିବ ଶିମିଳିପାଳ – bajravana
[ad_1]
ବାରିପଦା: ବର୍ଷାଋତୁ ପାଇଁ ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ୧୪ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ପର୍ଯ୍ୟଟନସ୍ଥଳ ଦେବକୁଣ୍ଡ ମଧ୍ୟ ୧୪ ତାରିଖରୁ ଖୋଲିବ। ଏ ସଂପର୍କରେ ସୂଚନା ଦେଇଛନ୍ତି ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶଚାନ୍ଦ ଗୋଗିନାନୀ। ଯାହା ସୂଚନା ମିଳିଛି, ଯଶିପୁର-କାଳିଆଣି ଫାଟକ ଦେଇ ଦୈନିକ ସର୍ବାଧିକ ୩୫ଟି ଚାରିଚକିଆ ଯାନ (ଆଗୁଆ ଆସିଥିବା) ଓ ପିଠାବଟା ଫାଟକ ଦେଇ ୨୫ଟି ଯାନ ଭିତରକୁ ଛଡ଼ାଯିବ। ଉଭୟ ଫାଟକରେ ଥିବା ବୁକିଂ କାଉଣ୍ଟରରୁ ସକାଳ ୬ରୁ ୯ଟା ମଧ୍ୟରେ ଏଥିପାଇଁ ଅନୁମତିପତ୍ର ମିଳିବ। ଭିତରେ ବୁଲାବୁଲି ସାରିବା ପରେ ଅପରାହ୍ଣ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଛାଡ଼ିବାକୁ ପଡ଼ିବ ଓ ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତଙ୍କୁ ତନଖି ଫାଟକରୁ ବାହାରିବାକୁ ହେବ। ଶିମିଳିପାଳ ମଧ୍ୟରେ ଥିବା କୁମାରି, ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଯମୁଆଣିରେ ଥିବା ଯାତ୍ରୀନିବାସରେ ରାତ୍ରି ରହଣି ପାଇଁ ଆଗୁଆ ଆରକ୍ଷଣ କରିବାକୁ ପଡ଼ିବ। ଭିତରକୁ ଯିବା ବେଳେ ପ୍ରତି ଗାଡ଼ି ସହ ଜଣେ ଜଣେ ଗାଇଡ୍ ରହିବାକୁ ବାଧ୍ୟତାମୂଳକ କରାଯାଇଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ୍ ୧୬ ତାରିଖରୁ ବନ୍ଦ ହୋଇ ନଭେମ୍ବର ୧ରେ ଖୋଲିଥାଏ ଶିମିଳିପାଳ। ହେଲେ ଚଳିତବର୍ଷ ନିର୍ଦ୍ଧାରିତ ସମୟର ୧୫ ଦିନ ପୂର୍ବରୁ ଅଭୟାରଣ୍ୟ ଖୋଲିବାକୁ ଯାଉଛି। ଦଶହରା ପୂର୍ବରୁ ଆଗୁଆ ଶିମିଳିପାଳ ଖୋଲୁଥିବାରୁ ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
[ad_2]