ଆର୍ଯ୍ୟନଙ୍କ ଦ୍ବିତୀୟ ଘର ଭାରତ – bajravana
[ad_1]
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆର୍ଯ୍ୟନ ଦତ୍ତ ବର୍ତ୍ତମାନ ନେଦରଲାଣ୍ଡ୍ସର ଜଣେ ପ୍ରମୁଖ ଅଫ୍ ସ୍ପିନର। ତାଙ୍କର ପ୍ରଥମ ବିଶ୍ବକପ୍ ଖେଳିବା ପାଇଁ ଆର୍ଯ୍ୟନ ବର୍ତ୍ତମାନ ଭାରତରେ ଅଛନ୍ତି। ଗତ କିଛି ସପ୍ତାହ ଧରି ନେଦରଲାଣ୍ଡ୍ସ ଭାରତରେ ତାହାର ଶିବିର ଆରମ୍ଭ କରିବା ପରଠୁ ଆର୍ଯ୍ୟନଙ୍କ ମୋବାଇଲ୍ ଫୋନ୍କୁ ବିଶ୍ରାମ ମିଳୁନି। ଚଣ୍ଡିଗଡ଼ ଓ ଦିଲ୍ଲୀରେ ଥିବା ତାଙ୍କର ବନ୍ଧୁ ଓ ପରିବାର ଲୋକଙ୍କଠୁ ନିୟମିତ ଭାବେ ତାଙ୍କ ପାଖକୁ ଫୋନ୍ କଲ୍ ଆସୁଛି। ଏଇ ମାଟିର ପୁଅ ଅନେକ ବର୍ଷ ପରେ ସ୍ବଦେଶକୁ ଫେରିଥିବା ବେଳେ ତାହାର କ୍ରିକେଟ୍ ଦେଖିବା ପାଇଁ ପରିବାର ଲୋକଙ୍କ ଆଗ୍ରହ ରହିଛି।
୨୦ ବର୍ଷିୟ ଆର୍ଯ୍ୟନଙ୍କ କହିବାନୁସାରେ, ଦିଲ୍ଲୀ ଓ ପଞ୍ଜାବରେ ତାଙ୍କର ଅନେକ ସଂପର୍କୀୟ ରହୁଛନ୍ତି। ସେମାନଙ୍କଠାରୁ ଟିକେଟ୍ ପାଇଁ ଅନୁରୋଧ ଆସୁଛି। ଏବେ ଭାରତକୁ ଆସିଥିବାରୁ ବହୁତ ଖୁସି ଲାଗୁଛି। ହେଲେ ଯେତେବେଳେ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବି ସେତେବେଳେ ନିଜ ଦଳକୁ କିପରି ସଫଳତା ଦେଇପାରିବି ତାହା ଉପରେ ଧ୍ୟାନ ଦେବି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ପଞ୍ଜାବର ହୋସିଆରପୁରର ମୂଳ ବାସିନ୍ଦା ଦତ୍ତଙ୍କ ପରିବାର ୩୫ ବର୍ଷ ପୂର୍ବେ ନେଦରଲାଣ୍ଡ୍ସ ଚାଲିଯାଇଥିଲେ। କିନ୍ତୁ ଛୁଟି ଦିନମାନଙ୍କରେ ସେ ତାଙ୍କ ଗାଁକୁ ଆସିବାକୁ ଭୁଲୁନଥିଲେ। ୧୩ ବର୍ଷ ବୟସ ହୋଇଥିଲା ବେଳେ ସେ ଚଣ୍ଡିଗଡ଼କୁ ଟ୍ରେନର ସାଧାରଣ ବଗିରେ ଚଢ଼ି ଯାତ୍ରା କରିଥିବା କଥାକୁ ସ୍ମରଣ କରିପାରିଛନ୍ତି।
ନେଦରଲାଣ୍ଡ୍ସରେ କ୍ରିକେଟ୍ ଏବେବି ଅଗ୍ରଣୀ କ୍ରୀଡ଼ା ଭାବେ ପରିଗଣିତ ହେଉନି। ଏଭଳିସ୍ଥିତିରେ ୯ ବର୍ଷିୟ ଆର୍ଯ୍ୟନ ଯେତେବେଳେ ମହେନ୍ଦ୍ର ସିଂହ ଧୋନିଙ୍କୁ ୨୦୧୧ ବିଶ୍ବକପ୍ରେ ଭାରତକୁ ବିଶ୍ବକପ୍ ଜିତାଇବା ଦେଖିଥିଲେ, ସେହିଠାରୁ ତାଙ୍କର ମଧ୍ୟ କ୍ରିକେଟ୍ ଯାତ୍ରା ଆରମ୍ଭ ହୋଇଥିଲା। ସେବେଠାରୁ ଧୋନି ତାଙ୍କର ପ୍ରସନ୍ଦର ଖେଳାଳି ଓ ପ୍ରେରଣା ପାଲଟିଯାଇଥିଲେ। ତିନିବର୍ଷ ଧରି ସେ ଭାରତକୁ ଆସି ଅଫ୍ ସ୍ପିନ୍ ଦକ୍ଷତା ବଢାଇଥିଲେ। ଏହି ଜ୍ଞାନକୁ ସାଙ୍ଗରେ ନେଇ ନେଦରଲାଣ୍ଡ୍ସର ସ୍ଥାନୀୟ କ୍ରିକେଟ୍ ପ୍ରତିଯୋଗିତାଗୁଡ଼ିକରେ ସେ ଖେଳି ସଫଳତା ପାଇଥିଲେ। ଯାହାର ପରିଣାମ ସ୍ବରୂପ ୨୦୨୧ରେ ସେ ଜାତୀୟ ଦଳରେ ପ୍ରଥମ ଥର ସ୍ଥାନ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ୨୫ ଦିନିକିଆ, ୫ ଟ୍ବେଣ୍ଟି-୨୦ ଖେଳିସାରିଛନ୍ତି। ସେଥିରୁ ଯଥାକ୍ରମେ ୨୪ ଓ ୪ ୱିକେଟ୍ ଅକ୍ତିଆର କରିଛନ୍ତି।
ଆଇସିସିର ଏକ ସହଯୋଗୀ ସଦସ୍ୟ ଦଳ ହୋଇଥିବାରୁ ଡଚ୍ ଦଳ ବଡ଼ବଡ଼ ଦଳମାନଙ୍କ ସହ ଅଧିକ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଉନଥିଲା। କିନ୍ତୁ ଗତବର୍ଷ ଏହି ଦଳ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ବିପକ୍ଷରେ ଖେଳିବାକୁ ସୁଯୋଗ ପାଇଥିଲା। ଆର୍ଯ୍ୟନଙ୍କ ବନ୍ଧୁ ବିକ୍ରମଜୀତ ସିଂହ ଓ ସାରିଜ ଅହମଦ ଗତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ନେଦରଲାଣ୍ଡ ଦଳରେ ସ୍ଥାନ ପାଇଥିଲେ, କିନ୍ତୁ ସେ ଅଳ୍ପକେ ଏଥିରେ ବଞ୍ଚିତ ହୋଇଥିଲେ। ଏହାପରଠୁ ସେ କଠିନ ପରିଶ୍ରମ ଜାରି ରଖିବା ସହ ଦିନିକିଆ ବିଶ୍ବକପ୍ ଦଳରେ ସ୍ଥାନ ପକ୍କା କରିଥିଲେ। ଭାରତରେ ପହଞ୍ଚିବା ପରେ କର୍ଣ୍ଣାଟକ ସହିତ କିଛି ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ତିରୁବନନ୍ତପୁରମ୍ରେ ଅଷ୍ଟ୍ରେଲିଆ ଓ ଭାରତୀୟ ଖେଳାଳିଙ୍କ ସହ ସିଧାସଳଖ ପରିଚିତ ହୋଇଥିଲେ। କିନ୍ତୁ ଅଧିକ ଆଲୋଚନା କରିପାରିନଥିଲେ। ତେବେ ସୁଯୋଗ ମିଳିଲେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଭେଟି ତାଙ୍କଠୁ ଅଫ୍ସ୍ପିନ୍ର ଗୁରୁଜ୍ଞାନ ପାଇବାକୁ ସେ ଆଗ୍ରହ ରଖିଛନ୍ତି। ନଭେମ୍ବର ୧୧ ତାରିଖରେ ବେଙ୍ଗାଲୁରୁରେ ଭାରତ ସହ ମ୍ୟାଚ୍ ଥିବାରୁ ଏହି ସମୟରେ ସେ ଅଶ୍ବିନଙ୍କ ସହ କିଛି ସମୟ ବିତାଇବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
[ad_2]