କଟକ ବଡ଼ ଡାକ୍ତରଖାନାରେ ବିଦ୍ୟୁତ୍ ବିଭ୍ରାଟ: ମୋବାଇଲ୍ ଲାଇଟ୍ରେ ରୋଗୀସେବା – bajravana
[ad_1]
କଟକ: କଟକ ବଡ଼ ଡାକ୍ତରଖାନାରେ ଆଜି ବିଦ୍ୟୁତ ବିଭ୍ରାଟ୍ ଯୋଗୁଁ ବିଭିନ୍ନ ବିଭାଗ ଘଣ୍ଟାଘଣ୍ଟା ଧରି ଅନ୍ଧାର ରହିଥିଲା। ଏଥିଯୋଗୁଁ ମେଡ଼ିସିନ୍ ବିଭାଗରେ ରୋଗୀଙ୍କୁ ମୋବାଇଲ୍ ଲାଇଟ୍ରେ ଇଞ୍ଜେକ୍ସନ୍ ଦିଆଯାଇଥିଲା। ଶବ ସଂରକ୍ଷଣ ଗୃହରେ ଲାଇନ୍ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। କିଛି ଘଣ୍ଟା ପରେ ଡିଜିରେ ବିଦ୍ୟୁତ୍ ଯୋଗାଣ କରାଯାଇଥିଲା। ଏହାସତ୍ତ୍ବେ ୱାର୍ଡରେ ପଙ୍ଖା ନ ଚାଲିବାରୁ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ଏପରି କି, ପମ୍ପ ହାଉସ୍ରେ ଲାଇନ୍ ନ ଥିବାରୁ ଦିନ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡକୁ ଜଳଯୋଗାଣ ହୋଇପାରି ନ ଥିଲା। କେବୁଲ୍ ସମସ୍ୟା ଯୋଗୁଁ ଆଜି ସକାଳ ୭ଟାରୁ ଏସ୍ସିବି ଆନାଟୋମି ବିଭାଗ, ଶବ ସଂରକ୍ଷଣ ଗୃହ, ଶବ ବ୍ୟବଚ୍ଛେଦ ଗୃହ, ସ୍କିନ୍ ବିଭାଗ, ମେଡ଼ିସିନ୍ ବିଭାଗର କିଛି ଅଂଶ, ମେରୁଦଣ୍ଡ ଆଘାତ କେନ୍ଦ୍ର, ପମ୍ପ ହାଉସ୍, ଲଣ୍ଡ୍ରି ପ୍ଲାଣ୍ଟ ଆଦିରେ ବିଦ୍ୟୁତ୍ ସେବାରେ ଏଭଳି ବିଭ୍ରାଟ ଦେଖା ଦେଇଥିବା ଜଣାଯାଇଛି। ଫଳରେ ଚିକିତ୍ସା ପ୍ରଭାବିତ ହୋଇଥିଲା ବେଳେ ୱାର୍ଡରେ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ପରେ ଡିଜି ଯୋଗେ ଲାଇନ ଦିଆଯାଇଥିଲେ ମଧ୍ୟ ପଙ୍ଖା ଚାଲି ନ ଥିଲା। ସେହିପରି ଏସ୍ସିବିର ଓଟି ଓ ଆଇସିୟୁରେ ଏସି ଠିକ୍ ଭାବେ କାମ କରୁ ନ ଥିବା ଏବଂ ଅନେକ ଏସି ଅଚଳ ହୋଇପଡ଼ିଥିବା ସୂଚନା ମିଳିଛି।
ଏଭଳି ସମସ୍ୟା ଭିତରେ ବକେୟା ବିଲ୍ ବାବଦକୁ ୬ କୋଟି ଟଙ୍କା ବର୍ଷେ ହେବ ପଡ଼ି ରହିଥିବା ଅଭିଯୋଗ କରି ଏସ୍ସିବିରେ ବିଦ୍ୟୁତ୍ କାର୍ଯ୍ୟ କରୁଥିବା ୫୦ଜଣ ଠିକାଦାର ଧାରଣା ଚଳାଇଥିବାରୁ ମରାମତି କାମ ବି ହୋଇପାରି ନ ଥିଲା। ତେବେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପୂର୍ତ୍ତ ବିଭାଗ ତରଫରୁ ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ଣରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଏହାପରେ କିଛି ବିଭାଗରେ କାମ ଆରମ୍ଭ ହୋଇଥିଲା। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାତିସୁଦ୍ଧା ଏସ୍ସିବିରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ହୋଇପାରି ନ ଥିବା ଏବଂ କିଛି ବିଭାଗରେ ଜରୁରୀକାଳୀନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ଏସ୍ସିବିରେ କେବୁଲ୍ ସମସ୍ୟା ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା କୁହାଯାଉଛି। କିନ୍ତୁ ଏ ସମ୍ପର୍କରେ ଜିଇଡି ବିଭାଗର କୌଣସି ମତାମତ ମିଳିପାରି ନାହିଁ। ବିଦ୍ୟୁତ୍ ଠିକାଦାର ସଂଘ ସଭାପତି ବିଜୟ କୁମାର ମିଶ୍ର, ସମ୍ପାଦକ ରାଜକିଶୋର ମିଶ୍ର, ସୁବ୍ରତ ସାସମଲ, ମନୋଜ ମହାପାତ୍ର, ପ୍ରଦୀପ କୁମାର ମହାନ୍ତି, ଅଲ୍ ଓଡ଼ିଶା ଇଲେକ୍ଟ୍ରିକାଲ୍ କଣ୍ଟ୍ରାକର୍ ଆସୋସିଏସନ୍ ସଭାପତି ଭଗବାନ ବିଶ୍ୱାଳ, ଆଶିଷ କୁମାର ସୋମ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।
[ad_2]