ରାତିଅଧରେ ମେଟ୍ରୋ ଟାଵାରରେ ଅଗ୍ନିକାଣ୍ଡ: ସଟର୍ କାଟି ୨ ନାବାଳକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ – bajravana
[ad_1]
ବିନା ସୂଚନାରେ ପୁଲିସ ଛାଡ଼ିବା ନେଇ ଅଭିଯୋଗ ଆଣିଲା ଚାଇଲ୍ଡଲାଇନ୍
ଭୁବନେଶ୍ବର: ଅଧରାତିରେ ବାଣୀବିହାର ଛକରେ ଥିବା ମେଟ୍ରୋ ଟାଵାରରେ ଅଗ୍ନିକାଣ୍ଡକୁ ନେଇ ଆତଙ୍କ ଖେଳି ଯାଇଥିଲା। ନିଆଁ ଅନ୍ୟ କେଉଁଠିକୁ ବ୍ୟାପିବା ପୂର୍ବରୁ ନିଆଁଲିଭା ଗାଡ଼ି ସହ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆୟତ୍ତ କରିଥିଲେ। ସବୁଠୁ ବଡ଼ କଥା ହେଲା, ଧୂଆଁ ଭିତରେ ଫସି ରହିଥିବା ଦୁଇ ଜଣ ନାବାଳକଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ନାବାଳକ ଦୁହିଁଙ୍କୁ କାମ କରାଇବା ଉଦ୍ଦେଶ୍ୟରେ ରାଜଧାନୀକୁ ଅଣା ଯାଇଥିଲା। କିନ୍ତୁ ଏ ନେଇ ଥାନା ପକ୍ଷରୁ ଶିଶୁ ସୁରକ୍ଷା କମିସନ, ଚାଇଲ୍ଡଲାଇନକୁ ଅବଗତ କରା ନ ଯାଇ ଛଡ଼ା ଯାଇଥିବା ଅଭିଯୋଗ କରିଛି ଚାଇଉଲ୍ଡଲାଇନ୍।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟାରେ ମେଟ୍ରୋ ଟାଵାରର ପଞ୍ଚମ ମହଲାରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ କେନ୍ଦ୍ରକୁ ୧୧୨ ନମ୍ବର ଜରିଆରେ ଜଣେ ବ୍ୟକ୍ତି ଫୋନ୍ କରି ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପଞ୍ଚମ ମହଲାକୁ ଯିବା ପରେ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଅଗ୍ନିଶମ କର୍ମଚାରୀମାନେ। ସେହି ଘର ଭିତରେ ଫସି ରହିଥିଲେ ଦୁଇ ଜଣ ନାବାଳାକ। ସେମାନେ ଥିଲେ ପଶ୍ଚିମବଙ୍ଗର ଏସ୍.କେ ମହମ୍ମଦ(୧୫) ଓ ମୁସଫିକର ମହମ୍ମଦ(୧୬)। ସେମାନେ ଗୋଟିଏ ପରେ ଗୋଟିଏ ରୁମ୍ ବଦଳାଇବା ସହ ପଛ ପାଖରେ ଥିବା ସଟର୍ ପାଖକୁ ଚାଲି ଯାଇଥିଲେ। ଅଗ୍ନିଶମ କର୍ମଚାରୀ କଟର ସାହାଯ୍ୟରେ ପଛ ସଟର୍ କାଟି ଦୁଇ ନାବାଳକଙ୍କୁ ଉଦ୍ଧାର କରିବା ସହ ପ୍ଲାଏ ଖଣ୍ଡ, ସାଜସଜ୍ଜାରେ ବ୍ୟବହୃତ ଅନ୍ୟ ସାମଗ୍ରୀରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ।
ଦୁଇ ନାବାଳକ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଏହା ପରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ସହିଦନଗର ଥାନାକୁ ହସ୍ତାନ୍ତର କରିଥିଲେ। ଥାନାରେ ଏସ.କେ ରଞ୍ଜନ ନାମକ ଜଣେ ବ୍ୟକ୍ତି ପହଞ୍ଚି ଦୁଇ ନାବାଳକଙ୍କୁ ନିଜର ଭଣଜା ବୋଲି ପରିଚୟ ଦେବା ସହ ଏକ ଦରଖାସ୍ତ ଲେଖି ଉଭୟଙ୍କୁ ନିଜ ଜିମାରେ ନେଇ ଯାଇଥିଲେ। କିନ୍ତୁ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି, ସେ ଦୁଇ ଜଣ ନାବାଳକ ହୋଇଥିବାରୁ ପୁଲିସ ଏ ସମ୍ପର୍କରେ ପ୍ରଥମେ ସିଡବ୍ଲୁସିକୁ ଅବଗତ କରାଇବାର ନିୟମ ରହିଛି। କିନ୍ତୁ ସେହି ନିୟମକୁ ଉଲ୍ଲଂଘନ କରାଯାଇଛି। ଦୁଇ ନାବାଳକଙ୍କୁ କାମ ଉଦ୍ଦେଶ୍ୟରେ ଚାଲାଣ କରାଯାଇ ସେହି କୋଠାରେ ରଖା ଯାଇଥିଲା। ନିୟମ ଖିଲାପ କରା ଯାଇଥିବାରୁ ଏ ନେଇ ଚାଇଲ୍ଡଲାଇନ୍ ପକ୍ଷରୁ ଓଡ଼ିଶା ଶିଶୁ ସୁରକ୍ଷା କମିସନ, ଅତିରିକ୍ତ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନ୍ୟପକ୍ଷରେ ସହିଦନଗର ଥାନାଧିକାରୀ ପ୍ରତିକ୍ରିୟାରେ କହିଛନ୍ତି, ଦୁଇ ନାବାଳକଙ୍କ ସମ୍ପର୍କୀୟ ପହଞ୍ଚିବା ପରେ ଉଭୟଙ୍କୁ ହସ୍ତାନ୍ତର କରାଯାଇଛି।
ଅଗ୍ନିଶମ ବାହିନୀର ସୂଚନା ଅନୁସାରେ, ମେଟ୍ରୋ ଟାଵାରର ପଞ୍ଚମ ମହଲାରେ ଖାଲି ଘର ଥିବା ବେଳେ ସେଠାରେ ଭିତର ସାଜସଜ୍ଜା ଚାଲିଥିଲା। ଏଥିପାଇଁ ପ୍ଲାଏ ଉଡ୍ ଓ ଅନ୍ୟ ସାମଗ୍ରୀ ବ୍ୟବହାର କରା ଯାଉଥିଲା। ଅବ୍ୟବହୃତ ପ୍ଲାଏ ଖଣ୍ଡ ଓ ଅନ୍ୟ କିଛି ସାମଗ୍ରୀ ଗୋଟିଏ କୋଣରେ ଗଦା ହୋଇଥିଲା। ସେହି ନିକଟରେ ଏକ ଇଲେକ୍ଟ୍ରି ବୋର୍ଡ଼ ରହିଛି। ତେଣୁ ସେହି ବୋର୍ଡରୁ ସଟ୍ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଥିଲେ ମଧ୍ୟ ପ୍ରବଳ ଧୂଆଁ ବାହାରୁଥିବାରୁ ଦୁଇ ନାବାଳକଙ୍କ ଜୀବନ ବଞ୍ଚାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଜଣେ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ଠିକ୍ ସମୟରେ ଖବର ମିଳିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ହୋଇ ପାରିଥିଲା।
[ad_2]