ମିଳୁନି ଆବାସ, ଏଣେ ଖାଦ୍ୟ ଅଭାବ: ରାଜରାସ୍ତାରେ ବସିଲେ ବୃଦ୍ଧବୃଦ୍ଧା – bajravana
[ad_1]
ଭୁବନ: ଅସହାୟ ଓ ବାସହୀନ ଲୋକଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି ଆବାସ। ବିଭିନ୍ନ ଯୋଜନାରେ ଗୃହ ଯୋଗାଇ ଦିଆଯାଉଛି। ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଅନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ବି ଅପହଞ୍ଚ ହେଉଛି। ଫଳରେ ଅସହାୟ ଲୋକମାନେ ଖାଦ୍ୟ ଓ ବାସଗୃହ ଅଭାବରୁ ଦହଗଞ୍ଜ ହେଉଛନ୍ତି। ରାସ୍ତାରେ ବସିବା ପରି ପରିସ୍ଥିତି ସୃଷ୍ଟି ହେଉଛି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ରେ। ଏହି ବ୍ଲକ୍ର ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ବନବାସୀସାହିର ବାସିନ୍ଦା କରୁଣା ପ୍ରଧାନ (୬୭) ୨୦୧୪ ମସିହାରୁ ଆବାସ ପାଇଁ ଆବେଦନ କରିଥିଲେ। ମାତ୍ର ସେ ଏ ପର୍ଯ୍ୟନ୍ତ ଏଥିରୁ ବଞ୍ଚିତ ହୋଇଛନ୍ତି। ତାଙ୍କର ରହିବା ପାଇଁ ଘର ନଥିବା ବେଳେ ଘରେ ଖାଦ୍ୟର ଅଭାବ ମଧ୍ୟ ରହିଛି। ୨୦୧୪ରୁ ୨୩ ପର୍ଯ୍ୟନ୍ତ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବା ପରେ ଏହାର ପ୍ରତିବାଦରେ ସେ ଓ ତାଙ୍କ ସ୍ତ୍ରୀ ଜଂଜାଲି ପ୍ରଧାନ(୬୫) ଶନିବାର ରାଜରାସ୍ତାରେ ବସି ରହିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି।
ପ୍ରକାଶ ଯେ ସ୍ତ୍ରୀ ଜଂଜାଲି ପ୍ରଧାନ, ପୁଅ ମଧୁ ପ୍ରଧାନ ଓ ମୟ ପ୍ରଧାନ, ନାତି ନାତୁଣୀ ପ୍ରମୁଖଙ୍କୁ ମିଶାଇ ୧୦ଜଣଙ୍କୁ ନେଇ କରୁଣାଙ୍କ ପରିବାର। ସମସ୍ତ ସଦସ୍ୟ ମୂଲ ମଜୁରି ନ କଲେ ପରିବାରକୁ ଉପବାସ ରହିବାକୁ ପଡ଼େ। ୨୦୧୪ରୁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଛନ୍ତି କରୁଣା। ୨୦୧୭ରେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ନଥିବା ନେଇ ସେ ତତ୍କାଳୀନ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ପରେ କରୁଣାଙ୍କର ନାମକୁ ଯେତେ ଖୋଜାଗଲେ ବି କମ୍ପ୍ୟୁଟରରେ ଆଉ ମିଳିଲା ନାହିଁ। ଏହା ପରେ ସେ ନିରାଶ ହୋଇପଡ଼ିଛନ୍ତି। ବୟସ ବଢ଼ିବା ଯୋଗୁଁ କରୁଣା ମୂଲ ମଜୁରି କରିପାରୁ ନାହାନ୍ତି। ପୁଅମାନେ ବି ବହୁ ସମୟରେ କାମ ଧନ୍ଦା ନପାଇ ଘରେ ବସୁଛନ୍ତି। ନିଜେ ପରିବାର ପୋଷଣ କରିବା କଷ୍ଟ ହେଉଥିବା ବେଳେ ବାପାମାଆଙ୍କୁ ପୋଷିବାରେ ଅସମର୍ଥ ହୋଇପଡ଼ିଛନ୍ତି। ଶେଷରେ ବୃଦ୍ଧ, ବୃଦ୍ଧା ଅନ୍ୟ ଉପାୟ ନପାଇ ରାଜରାସ୍ତାରେ ଶନିବାର ବସି ରହିଥିବା ଦେଖାଯାଇଥିଲା। ଖବରପାଇ ସ୍ଥାନୀୟ ୱାର୍ଡ ମେମ୍ବର, ଗାଁ ମୁରବି ତଥା ସେବା ସମବାୟ ସମିତି ସଭାପତି ମଳୟ କୁମାର ତ୍ରିପାଠୀ ଓ ଭୁବନ ଥାନାଧିକାରୀ ଅମ୍ବିକା ପଟ୍ଟନାୟକ ବୁଝାସୁଝା ପରେ ପୁଅ ବୋହୂ ଘରକୁ ନେଇଥିଲେ। ପାରିବାରିକ ବିବାଦ ଯୋଗୁଁ ରାଜରାସ୍ତାରେ ଦମ୍ପତି ବସିଥିଲେ ବୋଲି ବାଉଁଶକଣ ଗାଁ ମୁରବି ତଥା ସେବା ସମବାୟ ସମିତି ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି। ସେହିପରି ସରପଞ୍ଚ ଶୁଭ୍ରସ୍ନିଗ୍ଧା ବାରିକ କହିଛନ୍ତି ଯେ ଏହା କରୁଣାଙ୍କ ପାରିବାରିକ କଥା। ଥାନାଧିକାରୀ ଉପସ୍ଥିତ ହୋଇ ବୁଝାସୁଝା କରିଛନ୍ତି। ମୁଁ ବି ଯାଇ ସାହାଯ୍ୟ କରିବି ବୋଲି କହିଥିଲେ।
[ad_2]