ଧରାପଡ଼ିଗଲା ବାହାଦୁରି: ଖାନ୍ନଗର ରାସ୍ତାରେ ଚାଲିପାରିଲାନି ବସ୍ – bajravana
[ad_1]
ସାମନାକୁ ଆସିଲା ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ବିକଳ ସ୍ଥିତି
କଟକ: ଯାହା ଆଶଙ୍କା କରାଯାଉ ଥିଲା ତାହା ଆଜି ଘଟିଲା। ଅପରିଣାମଦର୍ଶୀ ନିଷ୍ପତ୍ତି ନେଇ ଅତ୍ୟନ୍ତ ତରବରିଆ ଭାବେ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି)କୁ ଲୋକାର୍ପଣ କରି ବାହାଦୁରି ନେବାର ଉଦ୍ୟମ ଆଜି ଫସର ଫାଟି ଯାଇଛି। ପୂର୍ବ ଘୋଷଣା ଅନୁଯାୟୀ ଆଜି ସିଏନବିଟିର ଖାନନଗର ରାସ୍ତାରେ ବସ୍ ଚାଲି ପାରିନାହିଁ। ଅନ୍ୟପଟେ କିନ୍ତୁ ଏଭଳି ପଦକ୍ଷେପ ଦ୍ବାରା ପ୍ରଶାସନ ଆଜି କଟକବାସୀ ଓ ବସ୍ ମାଲିକ ମାନଙ୍କୁ ସମସ୍ୟା ମୁହଁକୁ ଠେଲି ଦେଇଛି। ଜାତୀୟସ୍ତରର ବସ୍ ଟର୍ମିନାଲ ସିଏନ୍ବିଟି ରୌପ୍ୟନଗରୀ ରୂପାନ୍ତରଣର ନୂଆ ଅଧ୍ୟାୟ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଲା ୧୬ ତାରିଖରେ ବହୁ ଆଡମ୍ବରରେ ତାହାକୁ ଉଦଘାଟନ କରିଥିବା ବେଳେ ଆଜି ବ୍ୟବସ୍ଥାର ଦୁର୍ବଳ ଚିତ୍ର ଧରା ପଡିଯାଇଛି।
ବସ୍ ଷ୍ଟାଣ୍ଡରେ କେଉଁଠି ପାଣି ନାହିଁ ତ କେଉଁଠି ନବନିର୍ମିତ ପେଭର ବ୍ଲକ୍ ବିପର୍ଯ୍ୟସ୍ତ। ଦୋକାନ ଖୋଲି ନଥିବାରୁ ଯାତ୍ରୀଙ୍କ ପାଇଁ ଚା, ବିସ୍କୁଟ, ପାଣି କିଣିବାକୁ ବି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ଭିତ୍ତିଭୂମି ପ୍ରସ୍ତୁତ ହୋଇ ନଥିବା ବେଳେ କାହିଁକି ଏଭଳି ତରବରିଆ ଢଙ୍ଗରେ ସିଏନବିଟିକୁ ଉଦଘାଟନ କରାଯାଉଛି ବୋଲି ବହୁ ପୂର୍ବରୁ ‘ସମ୍ବାଦ’ ପକ୍ଷରୁ ଖବର ପ୍ରକାଶ ପାଇଥିଲା। କିନ୍ତୁ ଜିଦରେ ଅଟଳ ରହି ପ୍ରଶାସନ ସିଏନବିଟିକୁ ଉଦଘାଟନ ତ କରି ଦେଲା, କିନ୍ତୁ ଏଥିରେ ସାଧାରଣ ଯାତ୍ରୀ ହିଁ ସମସ୍ୟାରେ ପଡିଲେ। ଖାନନଗର ରାସ୍ତା ଦେଇ ପ୍ରଥମ ଦିନରେ ଟର୍ମିନାଲରୁ ୫ଶହରୁ ଅଧିକ ବସ୍ ଯିବାର ଥିବା ବେଳେ ଏହାକୁ ଶେଷ ସମୟରେ ପ୍ରଶାସନ ବନ୍ଦ କରିଛି। ଫଳରେ ଆଜି ସବୁ ବସ୍ ବାଦାମବାଡି ଟ୍ରାଫିକ ଛକ-ଲିଙ୍କ ରୋଡ ଦେଇ ଚଳପ୍ରଚଳ କରିବାରୁ ସେହି ରାସ୍ତାରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ବସ ପଛକୁ ପଛ ଲମ୍ବା ଧାଡିରେ ଅଟକି ରହି ରାସ୍ତା ଜାମ୍ କରିଥିଲେ।
ଅନ୍ୟପଟେ ମୋ ବସ୍ ଯେଉଁ ରାସ୍ତାରେ ଯିବ ଯଦି ସେହି ରାସ୍ତାରେ ଘରୋଇ ବସ୍ ଯିବାକୁ ଦିଆ ନଯାଏ ତେବେ ତାହାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦୃଢ ବିରୋଧ କରାଯିବ ବୋଲି କୁହାଯାଇଛି। ଏଭଳି ଅବ୍ୟବସ୍ଥାରେ ଆଗାମୀ ଦିନରେ ବସ ଟର୍ମିନାଲକୁ ବସ୍ ଆଣିବୁ ନାହିଁ ବୋଲି କଟକ ଘରୋଇ ବସ୍ ମାଲିକ ସଂଘର ସଂପାଦକ ନିରଂଜନ ସାହୁ ଚେତାବନୀ ଦେଇଛନ୍ତି।
[ad_2]