ପଞ୍ଚତାରକା ଠକ ଗିରଫ ମାମଲା: ୧୭ ରାଜ୍ୟରୁ ଠକିଛି ୧୦ କୋଟି – bajravana
[ad_1]
ଭୁବନେଶ୍ବର: ପଞ୍ଚତାରକା ଠକ ସଚ୍ଚିଦାନନ୍ଦ ଭୋଇ ଓରଫ୍ ସଚିନ୍ର ଠକେଇ କାରନାମାକୁ ନେଇ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ପଦାକୁ ଆସୁଛି। ବିଟେକ୍ ପରେ ଏମ୍ବିଏ ପାସ୍ କରିଥିବା ସଚିନ୍ ନାମୀ କିନ୍ତୁ ନକଲି କମ୍ପାନି କରି ୧୭ ରାଜ୍ୟରୁ ୧୦ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ୨୦୧୦ ମସିହାରୁ ସେ ଏହି କଳା କାରବାର ଚଳାଇଥିବା ବେଳେ କେତେ ଥର ଗିରଫ ହୋଇ ଜେଲ୍ ବି ଯାଇଛି। ଜାମିନରେ ଆସି ସେ ପୁଣି ତା’ କଳା କାରବାର ଚଳାଇଥିବା ଜଣାପଡ଼ିଛି। ବାରମ୍ବାର ନକଲି କମ୍ପାନି ଖୋଲି ଚାକିରି ଦେବା ଆଳରେ ବହୁ ଆଶାୟୀଙ୍କୁ ଚୂନ ଲଗାଇଛି।
ପୁଲିସ ସୂଚନାନୁସାରେ ୨୦୧୦ ମସିହାରେ ସଚିନ୍ ସମ୍ବଲପୁରରେ ଉଜ୍ଜଳା ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ଆରମ୍ଭ କରିଥିଲା। ତେଲ୍କୋଇସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ (ବିପିଏସ୍ଏଲ୍)ରେ ଚାକିରି କରାଇ ଦେବା ପାଇଁ ଶତାଧିକ ଇଂଜିନିୟରିଂ ଛାତ୍ରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଜାଲ୍ ନିଯୁକ୍ତି ପତ୍ର ଦେଇଥିଲା। ଆଶାୟୀମାନେ ବିପିଏସ୍ଏଲ୍ ମାନବ ସମ୍ଭଳ ବିଭାଗରେ ଭେଟି ନିଯୁକ୍ତି ପତ୍ର ଦେଖାଇବା ବେଳେ ସବୁ ସତ ପଦାକୁ ଆସିଥିଲା। ସେମାନେ ଠକାମିର ଶିକାର ହୋଇଥିବା ଜାଣିବା ପରେ ସମ୍ବଲପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସଚିନ ଓ ତା’ର ସହଯୋଗୀକୁ ଗିରଫ କରିଥିଲା। ହେଲେ ସଚିନ୍ ସେଇଠି ଅଟକି ଯାଇନଥିଲା। ଜାମିନ୍ରେ ଆସିବା ପରେ ସେ ଅହମ୍ମଦାବାଦ ଯାଇ ସେଠାରେ ଓଫୋସ୍ ନାମକ ଏକ ସଂସ୍ଥା ଖୋଲିଥିଲା। ସେଠାରେ ବି ସମାନ ଢ଼ଙ୍ଗରେ ବେକାର ଯୁବକ ଯୁବତୀମାନଙ୍କୁ ଲୁଟିଥିଲା। ତେବେ ଗିରଫ ହେବା ପୂର୍ବରୁ ଧୂର୍ତ୍ତ ସଚିନ୍ ସେଠାରୁ ଖସି ଓଡ଼ିଶା ଚାଲିଆସିଥିଲା।
ଓଡ଼ିଶା ଆସିବାର କିଛି ବର୍ଷ ପରେ ରାୟପୁର ଯାଇ ସେଠାରେ ଏକ ସଂସ୍ଥା ଖୋଲିଥିଲା। ବିଭିନ୍ନ କ୍ୟାମ୍ପସରେ ପିଲାଙ୍କୁ ନିଯୁକ୍ତି ଦୋବକୁ କହି ଏକ ଘରୋଇ କଲେଜ୍ର ୩୫ ଜଣ ଛାତ୍ରଛାତ୍ରୀଙ୍କଠାରୁ ତାଲିମ୍ ଦେବା ଆଳରେ ୨୫ଲକ୍ଷ ଲେଖାଏଁ ଆଦାୟ କରିଥିଲା। ତାଲିମ୍ ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ କୋଲକାତା ନେଇ ସେଠାରେ ଦୁଇ ଦିନ ରଖିଥିଲା। କିନ୍ତୁ ହଠାତ୍ ସେଠାରୁ ଗାଏବ ହୋଇଯାଇଥିଲା। ଛାତ୍ରଛାତ୍ରୀମାନେ ରାୟପୁର ପୁଲିସ୍ରେ ଅଭିଯୋଗ କରିବା ପରେ ୨୦୧୬ ମସିହାରେ ରାୟପୁର ପୁଲିସ ସଚିନକୁ ଗିରଫ କରିଥିଲା। ସେହିପରି ସଚିକାନ୍ତ ନାମକ ଜଣେ ଯୁବକଙ୍କୁ ଏମ୍ସିଏଲ୍ରେ ଚାକରି କରାଇ ଦୋବକୁ କହି ଅଢ଼େଇ ଲକ୍ଷ ଟଙ୍କା ନେଇଥିଲା। ଚଞ୍ଚକତା କରି ତାର ଡାକ୍ତରୀ ପରୀକ୍ଷା କରାଇବା ସହ ନିଯୁକ୍ତି ପତ୍ର ବି ଦେଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା ଜାଲ୍ ବୋଲି ଜଣାପଡ଼ିଥିଲା। ଏନେଇ ସେ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। ସଚିନ୍ ଏମିତି ଗୋଟିଏ ପରେ ଗୋଟିଏ ନକଲି ସଂସ୍ଥା ଖୋଲି ୧୭ ରାଜ୍ୟରୁ ୧୦ କୋଟିରୁ ଊର୍ଧ୍ବ ଟଙ୍କା ଠକିଥିବା ଜଣାପଡ଼ିଛି। ତେଣୁ ତାକୁ ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।
ସୋସିଆଲ୍ ମିଡିଆରେ ମାଳମାଳ ଅଭିଯୋଗ
ମହାଠକ ସଚିନ୍ ଗିରଫ ହେବା ପରେ ଏବେ ଫେସ୍ବୁକ୍ଠାରୁ ଆରମ୍ଭ କରି ଇନ୍ଷ୍ଟା, ଟ୍ବିଟର ଆଦିରେ ତା’ ବିରୋଧରେ ମାଳମାଳ ଅଭିଯୋଗ ଆସିଛି। କେଉଁଠି କର୍ମଚାରୀ ଦରମା ପାଇନଥିବା ଅଭିଯୋଗ କରିଛନ୍ତି ତ କିଏ ଚାକିରି ନାଁରେ ଠକେଇର ଶିକାର ହୋଇଛି। କିଏ ପୁଞ୍ଜି ନିବେଶ କରି ଠକେଇର ଶିକାର ହୋଇଛନ୍ତି। ପୁଲିସ ସୋସିଆଲ୍ ମିଡିଆ ତଥ୍ୟକୁ ଆଧାର କରି ସେ ଦିଗରେ ତଦନ୍ତ କରୁଛି।
ଯାଞ୍ଚ ହେବ ବ୍ୟାଙ୍କ ଆକାଉଣ୍ଟ
ସଚିନ ଓ ତା’ ସ୍ତ୍ରୀ କୁହାଯାଉଥିବା ଅଙ୍କିତା ଏବଂ ସମସ୍ତ ସଂସ୍ଥା ନାମରେ ଥିବା ଆକାଉଣ୍ଟ ଜରିଆରେ କୋଟି କୋଟି ଠକେଇ ହୋଇଛି। ପୁଲିସ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରିବା ସହ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି କରିଛି। ସେମାନଙ୍କ ଆକାଉଣ୍ଟକୁ କେଉଁ କେଉଁ ଆକାଉଣ୍ଟରୁ ଟଙ୍କା ଆସିଛି, ସେମାନେ କେଉଁମାନଙ୍କୁ ଟଙ୍କା ପଠାଇଛନ୍ତି, ସେସବୁର ଯାଞ୍ଚ ହେବ।
କର୍ମଚାରୀଙ୍କୁ ବି ଛାଡ଼ିନି
ସଚିନ୍ ଯେଉଁଠି ଯେଉଁଠି ସଂସ୍ଥା ଖୋଲୁଥିଲା, ସେଠାରେ କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିଲା। ସେମାନଙ୍କୁ ବଡ଼ ପ୍ୟାକେଜ୍ର ଲୋଭ ଦେଖାଇ ଆଗୁଆ ୩ ମାସର ଦରମା ଦେଉଥିଲା। କିନ୍ତୁ ପରେ ଆଉ ଧରାଛୁଆଁ ଦେଇନଥିଲା। ଓଡ଼ିଶାଠାରୁ ଆରମ୍ଭ କରି ଅନ୍ୟ ୧୬ଟି ରଜ୍ୟରେ ହଜାର ହଜାର କର୍ମଚାରୀଙ୍କୁ କୋଟି କୋଟିର ଚୂନ ଲଗାଇଥିଲା।
ଆର୍ଓସିକୁ ଚିଠି
ସଚିନ ନାଁରେ ଏକାଧିକ ନକଲି ସଂସ୍ଥା ରହିଛି। ତା’ର କେଉଁ କେଉଁ ସଂସ୍ଥା ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍ (ଆର୍ଓସି)ରେ ପଞ୍ଜୀକୃତ ଅଛି, କେଉଁ ସଂସ୍ଥା ପଞ୍ଜୀକରଣ ହୋଇନାହିଁ, ସେସବୁର ତଥ୍ୟ ଯାଞ୍ଚ ପାଇଁ କମିସନରେଟ୍ ପୁଲିସ ଆର୍ଓସିକୁ ଚିଠି କରିଛି। ତଥ୍ୟ ଆସିବା ପରେ ଜଣାପଡ଼ିବ, ସେ କେଉଁ ସଂସ୍ଥା ଜରିଆରେ କେତେ ଠକେଇ କରିଛି।
ଅନ୍ୟ ରାଜ୍ୟ ପୁଲିସ ସହ ଯୋଗାଯୋଗ କରୁଛି କମିସନରେଟ୍ ପୁଲିସ
କମିସନରେଟ୍ ପୁଲିସ ଦିଲ୍ଲୀ ପୁଲିସଠାରୁ ଆରମ୍ଭ କରି ଗୁଜୁରାଟ, ରାୟପୁର, ଅହମ୍ମଦାବାଦ ଆଦି ସମସ୍ତ ପୁଲିସ ସହ ଯୋଗାଯୋଗ କରିଛି। ସଚିନ୍ ବିରୋଧରେ ଯଦି କୌଣସି ମାମଲା ରହିଛି, ସେ ସମ୍ପର୍କରେ ଅଧିକ ତଥ୍ୟ ହାତେଇବା ପାଇଁ କମିସନରେଟ୍ ପୁଲିସ ସ୍ପେସାଲ କ୍ରାଇମ୍ ୟୁନିଟ୍ ଯୋଗାଯୋଗ କରିଥିବା ଏଡିସିପି ସଂଜୀବ ଶତପଥୀ କହିଛନ୍ତି।
[ad_2]