ଅପରାଧ

୨୩ ଜିଲ୍ଲାକୁ ଗିଳି ସାରିଲାଣି ଧଳା ଜହର: ରାଜ୍ୟରେ ଦିନକୁ ୧୦ କେଜିର କାରବାର – bajravana

[ad_1]

ଭୁବନେଶ୍ବର: ନିଶାରେ ଉବୁଟୁବୁ ହେଉଛି ସାରା ଓଡ଼ିଶା। ଆଖି ଆଗରେ ମାଡ଼ି ଚାଲିଛି ଧଳାଜହର। ଏକଦା ମାତ୍ର ୪ ଜିଲ୍ଲାରେ ସୀମିତ ଥିବା ଏହି ବ୍ରାଉନସୁଗାର ଏବେ ରାଜ୍ୟର ୨୩ ଜିଲ୍ଲାକୁ ମାଡ଼ି ଗଲାଣି। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମକୁ କାୟା ବିସ୍ତାର କରି ଚାଲିଛି ଏହି ନିଷିଦ୍ଧ ନିଶା। କୋଟି କୋଟି ଟଙ୍କାର ଧଳାଜହର ଜବତ କରାଯାଉଛି, କିନ୍ତୁ ଏହାର ପ୍ରସାରକୁ ରୋକିବାରେ ବିଫଳ ହୋଇଛି ଦାୟିତ୍ବରେ ଥିବା ବିଭାଗ। ଫଳରେ ଅଧିକରୁ ଅଧିକ ଛାତ୍ର ଓ ଯୁବପିଢ଼ି ଏହି ଜାଲରେ ପଡ଼ି ଚାଲିଛନ୍ତି। ଏହାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ି ଚାଲିଥିବାବେଳେ କେବଳ ଜବତ, ଗିରଫଦାରିକୁ ଛାଡ଼ିଦେଲେ ବ୍ରାଉନସୁଗାରକୁ ରୋକିବା ଦିଗରେ ସେମିତି କିଛି ଠୋସ୍ ପଦକ୍ଷେପ ନିଆଯାଉ ନ ଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ, ବାଂଲାଦେଶରୁ ବ୍ରାଉନସୁଗାର ଚାଲାଣ ହୋଇ ପଶ୍ଚିମବଙ୍ଗ ଦେଇ ବାଲେଶ୍ବରରେ ପହଞ୍ଚିବା ପରେ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ପ୍ରାୟ ୨୦ ବର୍ଷ ତଳେ ରାଜ୍ୟରେ ବ୍ରାଉନସୁଗାର କାରବାର ଆରମ୍ଭ ହୋଇଥିଲା। ସେତେବେଳେ ବାଲେଶ୍ବରରେ ବ୍ରାଉନସୁଗାର ପହଞ୍ଚିବା ପରେ ଛତିଆକୁ ଆସୁଥିଲା। ଛତିଆରୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା।

ସେହି ସମୟରେ ଭୁବନେଶ୍ବର, କଟକ, ପୁରୀରେ ବ୍ରାଉନସୁଗାର କାରବାର ଚାଲିଥିଲା। ତାହା ମାତ୍ର ୪ ଜିଲ୍ଲାରେ ସୀମିତ ଥିଲା। କିନ୍ତୁ କିଛି ବର୍ଷ ଭିତରେ ସବୁ ଉପକୂଳ ଜିଲ୍ଲାକୁ ଏହାର ଚେର ମାଡ଼ିଗଲା। ପ୍ରଥମେ ଜଗତସିଂହପୁରରେ ବିପୁଳ ବ୍ରାଉନସୁଗାର କାରବାର ହେଉଥିବା ବେଳେ ପରେ ପରେ କ୍ରମଶଃ କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ ମଧ୍ୟ ବେପାର ଆରମ୍ଭ ହୋଇ ଯାଇଥିଲା। ଏହା ପରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝରକୁ ମଧ୍ୟ ଚେର ବ୍ୟାପି ଯାଇଥିଲା। କ୍ରାଇମବ୍ରାଞ୍ଚର ଏସଟିଏଫ୍ (ସ୍ପେଶାଲ ଟାସ୍କ ଫୋର୍ସ) ଗଠନ ହେବା ପୂର୍ବରୁ ଜିଲ୍ଲା ପୁଲିସ ଓ ଅବକାରୀ ଚଢ଼ଉ କରି ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ଗିରଫ କରୁଥିଲେ। କିନ୍ତୁ ପ୍ରାୟ ୪ ବର୍ଷ ହେଲା ଏସଟିଏଫ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ଉ କରି ୭୨ କେଜି ବ୍ରାଉନସୁଗାର ଜବତ କରିସାରିଛି। ବିଭିନ୍ନ ଜିଲ୍ଲା ଓ କମିସନରେଟ ପୁଲିସ ମଧ୍ୟ ଏହି ସମୟ ମଧ୍ୟରେ ୫୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିସାରିଲେଣି। କିନ୍ତୁ ଧଳାଜହର କାରବାର ନେଟଵର୍କ ଭେଦ କରିପାରୁନି ତଦନ୍ତକାରୀ ଟିମ୍। ଯାହାର ଫଳସ୍ବରୂପ ଅନେକ ସହରର ଗଳିକନ୍ଦିରେ ଏହାର ବେପାର ଆରମ୍ଭ ହୋଇ ଗଲାଣି। ବାଲେଶ୍ବରରୁ ଆରମ୍ଭ ହୋଇଥିବା ବେପାର ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗିରକୁ କାୟା ବିସ୍ତାର କରି ସାରିଲାଣି। ଏକ ହିସାବ ଅନୁସାରେ, ବର୍ତ୍ତମାନ ଦିନକୁ ସାରା ରାଜ୍ୟରେ ପ୍ରାୟ ୧୦ କେଜି ବ୍ରାଉନସୁଗାର କାରବାର ହେଉଛି। ଅର୍ଥାତ୍‌ ମାସକୁ ୩୦୦ କୋଟିର କାରବାର। କିନ୍ତୁ ଯାହା ଧରାପଡ଼ୁଛି, ତାହା ମାତ୍ର ସମୁଦ୍ରରୁ ଶଙ୍ଗେ।

ଆହୁରି ସାଂଘାତିକ କଥା ହେଲା, ବ୍ରାଉନସୁଗାର କାରବାରକୁ ମୂଳପୋଛ କରିବା ଲାଗି ବେପାରୀ ଓ ମାଫିଆଙ୍କୁ ସାବାଡ଼ କରିବା ସହିତ ଶିକ୍ଷାନୁଷ୍ଠାନ ଓ ସାଧାରଣରେ ବ୍ୟାପକ ଏହି ନିଶା ବିରୋଧରେ ସଚେତନତା କରିବାଲାଗି ରାଜ୍ୟ ସରକାର ଆରମ୍ଭ କଲେ ଡ୍ରଗ୍ ଟାସ୍କ ଫୋର୍ସ। ୨୦୨୧ ଡିସେମ୍ବରରେ ଅଭୟ ପୁଲିସ ଡିଜି ପଦରୁ ଅବସର ନେବା ପରେ ୨୦୨୨ ଜାନୁଆରିରେ ଡ୍ରଗ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ତାଙ୍କୁ ଅବସ୍ଥାପିତ କରାଗଲା। ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଥିବା ଅଭୟଙ୍କର ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଯଥେଷ୍ଟ ଦଖଲ ଓ ଅଭିଜ୍ଞତା ଥିଲା। ଡ୍ରଗ୍ ଟାସ୍କ ଫୋର୍ସ ରୂପରେଖ ମଧ୍ୟ ପ୍ରସ୍ତୁତ କରାଗଲା। ତେବେ ଦେଢ଼ବର୍ଷରୁ ଅଧିକ ସମୟ ହେଲା ଗଠନ କରା ଯାଇଥିବା ଏହି ଡ୍ରଗ୍ ଟାସ୍କ ଫୋର୍ସ ଏବେ ସମ୍ପୂର୍ଣ୍ଣ କୋମାକୁ ଚାଲି ଯାଇଛି। ଏପରିକି ଅଭୟଙ୍କୁ ଷ୍ଟାଫ୍ ସିଲେକ୍ସନ କମିସନରେ ନିଯୁକ୍ତି ଦିଆଯିବା ପରେ ଏହି ପଦ ମଧ୍ୟ ଖାଲି ପଡ଼ିଛି। ଥରଟିଏ ଏହାର ବୈଠକ ମଧ୍ୟ ବସିଲା ନାହିଁ। ସରକାରଙ୍କ ପାଇଁ ଡ୍ରଗ୍ ଟାସ୍କ ଫୋର୍ସ ଅପ୍ରସଙ୍ଗ ହୋଇ ପଡ଼ିବା ଭଳି ମନେ ହେଉଛି। ଅଭୟଙ୍କୁ କେବଳ ଥଇଥାନ ପାଇଁ ଏହି ଟାସ୍କ ଫୋର୍ସ ଗଠନ କରା ଯାଇଥିଲା ବୋଲି କୁହାଯାଉଛି। ବ୍ରାଉନସୁଗାର କାରବାର ବିରୋଧରେ ସରକାର ଏତେ ବେଫିକର କାହିଁକି, ଆଖି ଆଗରେ ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଥିବା ଧଳାଜହର କାରବାରକୁ ରୋକିବା ଦିଗରେ କାହିଁକି ଦୃଢ଼ ପଦକ୍ଷେପ ନେଇ ପାରୁ ନାହାନ୍ତି ରାଜ୍ୟ ସରକାର ଏସବୁକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button