ଚିରନିଦ୍ରାରେ କବି ଜୟନ୍ତ ମହାପାତ୍ର: ଏସ୍ସିବିରେ ପରଲୋକ – bajravana
[ad_1]
କଟକ: ଗ୍ରୀଷ୍ମରେ ବସନ୍ତର ଆନନ୍ଦ, କ୍ଷୁଧାରୁ ଆତ୍ମସନ୍ତୋଷର ଖୁସି, ସଂପର୍କରୁ ମଣିଷପଣିଆର ଅନୁଭବ ସାଉଁଟିବା ପାଇଁ ସାହିତ୍ୟ ସାଧନାରେ ସାରା ଜୀବନକୁ ଉତ୍ସର୍ଗ କରି ଦେଇଥିବା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର ଆଉ ନାହାନ୍ତି। ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ୯୫ ବର୍ଷ ବୟସରେ ଆଜି କଟକ ବଡ଼ ମେଡିକାଲରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ଏକ ଯୁଗର ଅନ୍ତ ଘଟିଛି। ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଅଗଷ୍ଟ ୪ ତାରିଖରେ ଭର୍ତ୍ତି କରାଯାଇଥିଲା। ଗତରାତି ୯ଟାରେ ତାଙ୍କୁ ଭେଣ୍ଟିଲେଟର୍କୁ ନିଆଯାଇଥିଲା। କିନ୍ତୁ ଆଜି ରାତି ୯ଟାରେ ତାଙ୍କର ହୃଦ୍ଘାତରେ ପରଲୋକ ଘଟିଛି। ବିଳମ୍ବିତ ରାତିରେ ତାଙ୍କ ମରଶରୀରକୁ କଟକ ତିନିକୋଣିଆ ବଗିଚାସ୍ଥିତ ବାସଭବନ ‘ଚନ୍ଦ୍ରଭାଗା’କୁ ନିଆଯାଇଛି। ଆସନ୍ତାକାଲି ତାଙ୍କ ଶେଷ ଇଚ୍ଛା ଅନୁସାରେ ମରଶରୀରକୁ ଦାହ କରାଯିବ ବୋଲି ସୂଚନା ମିଳିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।
ଜଣେ ଯୁବସୁଲଭ, ଚିରସବୁଜ, ପ୍ରଚଣ୍ଡ ଆତ୍ମବିଶ୍ବାସୀ ଓ ସକାରାତ୍ମକ ବ୍ୟକ୍ତି ଭାବେ ପରିଚିତ ଜୟନ୍ତ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଲେମୁଏଲ୍ ମହାପାତ୍ର ଓ ସୁଧାଂଶୁବାଳା ଦାସଙ୍କ ବଡ଼ପୁଅ। ବୃତ୍ତିରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ହୋଇଥିବା ବେଳେ ପ୍ରବୃତ୍ତି କିନ୍ତୁ ଥିଲା ତାଙ୍କର ସାରସ୍ବତ ସାଧନା। ରେଭେନ୍ସା କଲେଜ, ଗଙ୍ଗାଧର ମେହେର କଲେଜ, ବାଲେଶ୍ବରର ଫକୀର ମୋହନ କଲେଜ, ଭୁବନେଶ୍ବରର ବିଜେବି କଲେଜରେ ସେ ଅଧ୍ୟାପନା କରିଥିଲେ। ଇଂରାଜୀ ଓ ଓଡ଼ିଆ ଭାଷାରେ କବିତା, କ୍ଷୁଦ୍ରଗଳ୍ପ ଲେଖିବା ସହ ଅନେକ ପୁସ୍ତକର ଅନୁବାଦ, ସଂପାଦନା କରିଥିଲେ। ‘ଇଣ୍ଡିଆନ ସମର୍, ‘ହଙ୍ଗର, ‘ରିଲେସନସିପ୍ ଭଳି ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚିତ ଇଂରାଜୀ କବିତା ସଂକଳନ ସହ ତାଙ୍କ ଲେଖନୀରୁ ଉତୁରି ଥିଲା ୨୦ରୁ ଅଧିକ ଇଂରାଜୀ କବିତା ସଂକନଳ ଓ ୭ରୁ ଅଧିକ ଓଡ଼ିଆ କବିତା ସଂକଳନ। ତାଙ୍କର ଅନ୍ୟ ଇଂରାଜୀ ସଂକଳନ ମଧ୍ୟରେ କ୍ଲୋଜ୍ ଦି ସ୍କାଏ, ଟେନ୍ ବାଏ ଟେନ୍, ଏ ଫାଦର୍ସ ଆୱାର୍ସ, ଏ ରେନ୍ ଅପ୍ ରୁଲସ୍, ଓଡ଼ିଆ ସଂକଳନ ମଧ୍ୟରେ ବଳି, କହିବି, ଗୋଟିଏ କଥା, ବାୟା ରାଜା, ଟିକିଏ ଛାଇ,
ଯଦିବା ଗପଟିଏ, ଚାଲି, ସ୍ମୃତି ଇତ୍ୟାଦି ଅତ୍ୟନ୍ତ ଲୋକପ୍ରିୟ ଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ଶେଷ କବିତା ପୁସ୍ତକ ‘ଝାଞ୍ଜି ଉନ୍ମୋଚିତ ହୋଇଥିଲା।
ଇଂରାଜୀ କବିତା ସଂକଳନ ‘ରିଲେସନସିପ୍’ ପାଇଁ ୧୯୮୧ରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇବାରେ ଜୟନ୍ତ ମହାପାତ୍ର ହେଉଛନ୍ତି ପ୍ରଥମ ଭାରତୀୟ ସାହିତ୍ୟିକ। ୨୦୦୯ରେ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ମିଳିଥିଲା। କିନ୍ତୁ ଦେଶରେ ବଢୁଥିବା ଅସହିଷ୍ଣୁତା ପ୍ରତିବାଦରେ ସେ ପଦ୍ମଶ୍ରୀ ସମ୍ମାନ ଫେରାଇଦେବା ସହ ତାଙ୍କ ନାମ ସହ ପଦ୍ମଶ୍ରୀ ନ ଯୋଡ଼ିବା ପାଇଁ ସେ ଅନୁରୋଧ କରୁଥିଲେ। ସାରସ୍ବତ ସାଧନା ପାଇଁ କବି ଜୟନ୍ତ ମହାପାତ୍ରଙ୍କୁ ମହାତ୍ମାଗାନ୍ଧୀ ବିଶ୍ବବିଦ୍ୟାଳୟ(କେରଳ) ପକ୍ଷରୁ ଭଲକମ୍ ମହମ୍ମଦ ବସିର ଚେୟାର, ୨୦୦୬ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଓ ୨୦୦୯ରେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟେରେଟ୍ ଡିଗ୍ରି ମିଳିଥିଲା। ୧୯୯୪ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଗଂଗାଧର ଜାତୀୟ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଉତ୍କଳ ରତ୍ନ ସମ୍ମାନ ତାଙ୍କୁ ମିଳିଥିଲା। କବି ଜୟନ୍ତ ମହାପାତ୍ରଙ୍କ ପତ୍ନୀ ସ୍ବପ୍ନା ମହାପାତ୍ର ଓ ପୁଅ ମୋହନ ମହାପାତ୍ରଙ୍କର ପୂର୍ବରୁ ପରଲୋକ ଘଟିଥିବା ବେଳେ ସେ ତିନିକୋଣିଆ ବଗିଚାସ୍ଥିତ ବାସଭବନରେ ଏକୁଟିଆ ରହୁଥିଲେ। ଦୀର୍ଘ ୩୫ବର୍ଷ ଧରି ସରୋଜିନୀ ନାମରେ ଜଣେ ମହିଳା ଓ ତାଙ୍କ ପରିବାର ତାଙ୍କର ଯତ୍ନ ନେଇ ଆସୁଥିଲେ। ୨୦୦୮ରେ ଜୟନ୍ତ ମହାପାତ୍ର ତାଙ୍କର ଶେଷ ଇଚ୍ଛାପତ୍ର ଲେଖିଥିଲେ। ସେଥିରେ ତାଙ୍କର ମୃତଦେହ ଦାହ ହେବ, ତାଙ୍କର ଚିଠିପତ୍ର, ଅପ୍ରକାଶିତ ପାଣ୍ଡୁଲିପିକୁ ପୋତି ଦିଆଯିବ ଏବଂ ତାଙ୍କର ସେବା କରି ଆସୁଥିବା ସରୋଜିନୀଙ୍କୁ ତାଙ୍କ ଘର ପାଖରେ ଜମି ଦିଆଯିବ ବୋଲି ଉଲ୍ଲେଖ କରିଥିଲେ। ତାଙ୍କର ଇଚ୍ଛାପତ୍ର ଅନୁଯାୟୀ ଶେଷକୃତ୍ୟ କରିବା ଦିଗରେ ଏବେ ପଦକ୍ଷେପ ନିଆଯାଉଛି।
ଆଜି ମେୟର ସୁବାସ ସିଂହ, ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା ପ୍ରମୁଖ ତାଙ୍କ ଶେଷସମୟରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଶା ଉପଦେଷ୍ଟାମଣ୍ଡଳୀ ଆବାହକ ଡକ୍ଟର ଗୌରହରି ଦାସ, ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, କବି ଦୀପକ ସାମନ୍ତରାୟ, ସୁସ୍ମିତା ରଥ, ପ୍ରକାଶକ ଜୀବାନନ୍ଦ ମିଶ୍ର, ଡକ୍ଟର ଗୋବିନ୍ଦ ଭୂୟାଁ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।
[ad_2]