ବିଶ୍ବ ପଦାର୍ପଣରେ କିଶୋରଙ୍କ ଚମକ: ନୀରଜ, ମନୁଙ୍କ ସହ ବିଶ୍ବ ଦୌଡ଼କୁଦ ଫାଇନାଲ୍କୁ ଉଠିଲେ – bajravana
[ad_1]
ବୁଦାପେଷ୍ଟ (ହଙ୍ଗେରି): ନବଉନ୍ମେଷ ଓଡ଼ିଆ ଜାଭଲିନ୍ ଫିଙ୍ଗାଳି କିଶୋର କୁମାର ଜେନା ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି। ବିଶ୍ବ ପ୍ରତିଯୋଗିତାରୁ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି ଚମତ୍କାର ଢ଼ଙ୍ଗରେ। କିଶୋରଙ୍କ ସହିତ ଅନ୍ୟ ଦୁଇ ଭାରତୀୟ ଅଲମ୍ପିକ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ଡିପି ମନୁ ମଧ୍ୟ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଗୋଟିଏ ଇଭେଣ୍ଟରେ ୩ଜଣ ବିଶ୍ବ ପ୍ରତିଯୋଗିତା ଫାଇନାଲ୍ ଖେଳିବାକୁ ଯାଉଥିବାରୁ ଆଉ ଏକ ବିରଳ ମୁହୂର୍ତ ମିଳିଛି ଭାରତୀୟ କ୍ରୀଡ଼ା ଦୁନିଆକୁ। ନୀରଜ କେବଳ ଫାଇନାଲ୍ରେ ପହଞ୍ଚିନାହାନ୍ତି ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ ଯୋଗ୍ୟତା ମଧ୍ୟ ଅର୍ଜନ କରିଛନ୍ତି। ଅଲିମ୍ପିକ୍ ଯୋଗ୍ୟତା ପାଇଁ ୮୫.୫୦ ମିଟର କୁ ଯୋଗ୍ୟତା ମାପଦଣ୍ଡ ରଖାଯାଇଥିଲା ବେଳେ ନୀରଜ ବୁଦାପେଷ୍ଟରେ ୮୮.୭୭ ମିଟର ସହ ଏହି ଯୋଗ୍ୟତା ହାସଲ କରିଛନ୍ତି। ରବିବାର ଏହି ଇଭେଣ୍ଟର ଫାଇନାଲ୍ ଅନୁଷ୍ଠିତ ହେବ। ଗ୍ରୁପ୍ ବି’ ରେ କିଶୋରଙ୍କ ମୁକାବିଲା ହୋଇଥିଲା ପାକିସ୍ତାନର ଅର୍ଶଦ ନଦୀମ ଓ ଜାକବ ଭାଦଲେଜକ୍ଙ୍କ ସହ।
ପ୍ରଥମ ପ୍ରୟାସରେ କିଶୋର ୮୦.୫୫ ମିଟର ଫିଙ୍ଗିଥିଲା ବେଳେ ନୀରଜଙ୍କ ବଡ଼ ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ଅର୍ଶଦ ୭୦. ୬୩ ମିଟରରୁ ଆରମ୍ଭ କରିଥିଲେ। ଜାକବ ୮୧.୩୪ ମିଟର ଫିଙ୍ଗି କିଶୋରଙ୍କୁ ପଛରେ ପକାଇଦେଇଥିଲେ। କିନ୍ତୁ ଦ୍ବିତୀୟ ପ୍ରୟାସରେ ସବୁ ଓଲଟପାଲଟ ହୋଇଯାଇଥିଲା। ଜାକବ ୮୩.୫୦ ମିଟର ସହ ଫାଇନାଲ୍ ଯୋଗ୍ୟତା ପାଇଯାଇଥିଲା ବେଳେ କିଶୋର ପ୍ରଥମ ପ୍ରୟାସଠୁ ଖରାପ ପ୍ରଦର୍ଶନ (୭୮.୦୭ ମିଟର) ଦେଇଥିଲେ। କିନ୍ତୁ ଅର୍ଶଦ ଦିନର ଦ୍ବିତୀୟ ଶ୍ରେଷ୍ଠ ସ୍କୋର (୮୬.୭୯ ମିଟର) ହାସଲ କରି ଅଲିମ୍ପିକ୍ ଓ ବିଶ୍ବ ଦୌଡ଼କୁଦ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଥିଲେ। ତୃତୀୟ ପ୍ରୟାସରେ କିଶୋର ପୁଣି ଖରାପ ପ୍ରଦର୍ଶନ କରି ୭୭.୧୨ ମିଟର ଜାଭଲିନ୍ ଫିଙ୍ଗିଥିଲେ। ତଥାପି ପ୍ରଥମ ପ୍ରୟାସରେ ସେ ହାସଲ କରିଥିବା ୮୦.୫୫ ମିଟର ପାଇଁ ଗ୍ରୁପ୍ରେ ପଞ୍ଚମ ସ୍ଥାନରେ ରହିବା ସହ ଫାଇନାଲ୍ ଟିକେଟ୍ ପାଇଯାଇଛନ୍ତି। ତିନୋଟି ପ୍ରୟାସରେ ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୩୮ ମିଟର ପାଖାପାଖି ବି ହୋଇପାରିନଥିଲେ। ଗତ ମାସରେ ଶ୍ରୀଲଙ୍କାରେ ସେ ଏହି ସଫଳତା ପାଇଥିଲେ। ତେବେ ଫାଇନାଲ୍ରେ କିଶୋର ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ ବୋଲି ଆଶା କରାଯାଉଛି।
ଏଥି ପୂର୍ବରୁ ଏଠାରେ ନୀରଜ ତାଙ୍କର ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହିତ ଚତୁର୍ଥ ଶ୍ରେଷ୍ଠ ଦୂରତାରେ ପହଞ୍ଚିଥିଲେ। ନିଜର ପ୍ରଥମ ପ୍ରୟାସରେ ନୀରଜ ୮୮.୭୭ ମିଟରରେ ପହଞ୍ଚି ଫାଇନାଲ୍ ସହିତ ଅଲିମ୍ପିକ ଯୋଗ୍ୟତା ପାଇଥିଲେ। ଗ୍ରୁପ୍ ଏ’ରୁ ନୀରଜଙ୍କ ବ୍ୟତୀତ ଜର୍ମାନିର ଜୁଲିଆନ୍ ୱେବର ଏକମାତ୍ର ଖେଳାଳି ଭାବେ ପ୍ରଥମ ପ୍ରୟାସରେ ୮୦ ମିଟର ଦୂରତା (୮୨.୩୯ ମିଟର) କୁ ପାର୍ କରିଥିଲେ। ଡିପି ମନୁ ପ୍ରଥମ ପ୍ରୟାସରେ ୭୮.୧୦ ମିଟର, ଦ୍ବିତୀୟ ପ୍ରୟାସରେ ୮୧.୩୧ ମିଟର ଜାଭଲିନ୍ ଫିଙ୍ଗି ଏହି ଗ୍ରୁପ୍ର ତୃତୀୟ ସ୍ଥାନରେ ରହି ଫାଇନାଲ୍ ଯୋଗ୍ୟତା ପାଇଥିଲେ। ନୀରଜଙ୍କ ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ସହିତ ଗତ ଟୋକିଓ ଅଲିମ୍ପିକ୍ ଯୋଗ୍ୟତା ସମୟର ଘଟଣା ମଧ୍ୟରେ କିଛି ସମାନତା ଦେଖିବାକୁ ମିଳିଥିଲା। ସେତେବେଳେ ତାଙ୍କୁ ଅଲିମ୍ପିକ୍ ଯିବା ପାଇଁ ୮୩. ୫୦ ମିଟର ଆବଶ୍ୟକ ହେଉଥିଲା ବେଳେ ବିଶ୍ବ ଚାମ୍ପିଅନ୍ସିପ୍ର ଯୋଗ୍ୟତା ପର୍ଯ୍ୟାୟରେ ୮୬.୬୫ ମିଟର ଜାଭଲିନ୍ ଫିଙ୍ଗି ସିଧାସଳଖ ଅଲିମ୍ପିକ୍ ଟିକେଟ ପାଇଥିଲେ। ପରେ ଫାଇନାଲ୍ରେ ୮୭.୫୮ ମିଟର ସହ ନୀରଜ ସ୍ବର୍ଣ୍ଣ ପଦକ ପାଇ ଇତିହାସ ରଚିଥିଲେ। ଉଲ୍ଲେଖଯୋଗ୍ୟ, କିଶୋରଙ୍କୁ ବିଶ୍ବ ଦୌଡ଼କୁଦ ଯୋଗ୍ୟତା ମିଳିଥିଲେ ବି ହଙ୍ଗେରି ଦୂତାବାସ ପକ୍ଷରୁ ତାଙ୍କୁ ଭିସା ମିଳିନଥିଲା। ନୀରଜଙ୍କ ଅନୁରୋଧ ପରେ ଏବଂ ଭାରତୀୟ ଦୌଡ଼କୁଦ ମହାସଂଘ ଓ କ୍ରୀଡ଼ା ମନ୍ତ୍ରାଳୟର ହସ୍ତକ୍ଷେପ ପରେ ପ୍ରତିଯୋଗିତାର ଆରମ୍ଭ ହେବା ଗୋଟିଏ ଦିନ ପୂର୍ବରୁ କିଶୋରଙ୍କୁ ଭିସା ମିଳିଥିଲା।
ଇଭେଣ୍ଟ୍ ପୂର୍ବରୁ ନର୍ଭସ ଥିଲି,: କିଶୋର
ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ୍ସିପ୍ରେ ଅଂଶଗ୍ରହଣ କରିଛି। ତେଣୁ ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ସାମାନ୍ୟ ନର୍ଭସ ଲାଗୁଥିଲା। ନିଜକୁ ସ୍ବଭାବିକ ସ୍ତରକୁ ଆଣିବାକୁ ସମୟ ନେଇଥିଲି। ପ୍ରଥମ ପ୍ରୟାସରେ ୮୦ ମିଟର ଉପରକୁ ଫିଙ୍ଗିବା ପରେ ପରବର୍ତ୍ତୀ ପ୍ରୟାସ ଗୁଡ଼ିକରେ ଅଧିକ ଶକ୍ତି ଲଗେଇ ଫିଙ୍ଗିବାକୁ ଚେଷ୍ଟା କରିଥିଲି। ଫଳରେ ବୈଷୟିକ ଦିଗରେ ତ୍ରୁଟି କରିବାରୁ ଅଧିକ ଦୂରତା ପାଇପାରିନଥିଲି। ଫାଇନାଲ୍ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ବୋଲି କିଶୋର ଇଭେଣ୍ଟ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହିତ ଫାଇନାଲ୍ରେ ଭାରତର ତିନିଜଣ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବା ବିରଳ ଘଟଣା। ତେଣୁ ସେ ଏଥିପାଇଁ ଉତ୍ସାହିତ ଥିବା କହିଛନ୍ତି। ଭିସା ମିଳିବାରେ ବିଳମ୍ବ ହେବାରୁ ଦିନେ ଦୁଇ ଦିନ ଅଭ୍ୟାସ ପ୍ରଭାବିତ ହୋଇଥିଲା। କିନ୍ତୁ ସେଥିପାଇଁ ସେ କାହାକୁ ଦାୟୀ କରିନାହାନ୍ତି। ଇଭେଣ୍ଟ ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମୟ ଥିବାରୁ କିଛି ଅସୁବିଧା ହୋଇନଥିବା କିଶୋର ପ୍ରତିକ୍ରିୟା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
କିଶୋର ବିଶ୍ବ ଦୌଡ଼କୁଦ ଫାଇନାଲ୍ରେ ପ୍ରବେଶ କରିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିଶୋରଙ୍କ ସହ ଅଲିମ୍ପିକ୍ ଯୋଗ୍ୟତା ପାଇଥିବା ନୀରଜ ଚୋପ୍ରା ଓ ଅନ୍ୟତମ ଫାଇନାଲିଷ୍ଟ ଡିପି ମନୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଭାରତୀୟ ଦୌଡ଼କୁଦ ସଂଘ, ରାଜ୍ୟ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହି ତିନି ଜାଭଲିନ୍ ଫିଙ୍ଗାଳିଙ୍କୁ ଶୁଭକାମନା ଜଣାଯାଇଛି।
ସୁରେଶ ସ୍ବାଇଁ
ଭୁବନେଶ୍ବର: ଓଡ଼ିଶା ଖେଳ ଦୁନିଆ ଆକାଶରେ ଅପ୍ରତ୍ୟାଶିତ ଭାବେ ଉଭା ହୋଇଛନ୍ତି ଜାଭଲିନ୍ ତାରକା କିଶୋର କୁମାର ଜେନା। ବୁଦାପେଷ୍ଟ୍ରେ ଶୁକ୍ରବାର ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ପଦାର୍ପଣ କରି ଫାଇନାଲ୍ ପ୍ରବେଶ କରି ଆସିଛନ୍ତି ଚର୍ଚ୍ଚାକୁ। ଗତ ମାସରେ ଶ୍ରୀଲଙ୍କା ଜାତୀୟ ଆଥଲେଟିକ୍ସ ମିଟ୍ରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୪.୩୮ ମିଟର୍ ଜାଭଲିନ୍ ଫିଙ୍ଗି ସମସ୍ତଙ୍କ ନଜରକୁ ଆସିଥିଲେ। ବ୍ରହ୍ମଗିରିର କୋଠସାହିରୁ ଏବେ ବିଶ୍ବ ମଇଦାନରେ ପହଞ୍ଚିଛନ୍ତି କିଶୋର। ‘ସମ୍ବାଦ‘’ ସହ କଥା ହେବାବେଳେ କିଶୋର କହିଥିଲେ ମନର କଥା।
‘‘ଗୋଟିଏ ବର୍ଷ ଏସୀୟ କ୍ରୀଡ଼ା ଓ ବିଶ୍ବ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ ନିଶ୍ଚିତ ମନରେ ଖୁସି ଦେଇଛି। ଖେଳାଳିର ଜୀବନରେ ଭଲ ଖରାପ ସମୟ ଆସିବା ନିଶ୍ଚିତ ଥିବାରୁ ମୁଁ କେବେ ଅଧିକ ଉଲ୍ଲସିତ କି ଦୁଃଖିତ ହୋଇନାହିଁ। ଖରାପ ସମୟରେ ଦୁଃଖ ଲାଗିଥାଏ, କିନ୍ତୁ ଅଧିକ ଶିଖିହୁଏ। ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମ୍ରେ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ସ୍ବର୍ଣ୍ଣ ଜିତିବା ପୂର୍ବରୁ ମୁଁ ସାମାନ୍ୟ ଚାପରେ ପଡ଼ିଥିଲି। ପୂର୍ବବର୍ଷ ଏଠାରେ ଘରୋଇ ପରିବେଶରୁ ଫାଇଦା ଉଠାଇ ନପାରି ମୁଁ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଚତୁର୍ଥ ହେବାରୁ ପଦକରୁ ବଞ୍ଚିତ ହୋଇଥିଲି। ତେଣୁ ସ୍ବତଃ ମନ ଭିତରେ ଶଙ୍କା ଥିଲା। କିନ୍ତୁ ବ୍ୟକ୍ତିଗତ ଶ୍ରେଷ୍ଠ (୮୨.୮୭ ମିଟର୍) ପ୍ରଦର୍ଶନ ସହିତ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହା ଦୂର କରିପାରିଥିବାରୁ ଖୁସି ପାଇଥିଲି। ରାଜ୍ୟ ସରକାର ଖେଳକୁ ଭେଯଳି ସମର୍ଥନ କରୁଛନ୍ତି ସେଥିରୁ ଯୁବ ଖେଳାଳି ଫାଇଦା ଉଠାଇବା ଉଚିତ। କ୍ରୀଡ଼ା ଛାତ୍ରାବାସ ଏବଂ ଭିତ୍ତିଭୂମି ସମସ୍ତଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି। ନିଶାଠାରୁ ଦୂରେଇ ରହି ରାଜ୍ୟ ଓ ଦେଶ ପାଇଁ ପଦକ ଜିତିପାରିଲେ ଏହା ସବୁଠାରୁ ବଡ଼ ଉପଲବ୍ଧି ହେବ।’’
‘‘ମୁଁ ଏକ ଚାଷୀ ପରିବାରରୁ ଆସିଛି। ୬ ଭଉଣୀଙ୍କ ପରେ ମୁଁ ପରିବାରର ଏକମାତ୍ର ପୁଅ ହୋଇଥିବାରୁ ଭଲ ପାଠ ପଢ଼େ ବୋଲି ବାପା ମା’ ଆଶା କରିଥିଲେ। କିନ୍ତୁ ମୋ ଦ୍ବାରା ପଢ଼ା ସେତେ ଭଲ ହେଉନଥିଲା। ଏଥି ପାଇଁ ପ୍ରବଳ ମାଡ଼ ମିଳିଛି। କିନ୍ତୁ ଖେଳାଖେଳି କରୁଥିବା ବେଳେ କେବେ ବିରୋଧର ସମ୍ମୁଖୀନ ହୋଇନାହିଁ। ସବୁବେଳେ ସମର୍ଥନ ମିଳି ଆସିଛି। ଆଜି ମୁଁ ଖେଳରେ ଯେଉଁକିଛି ସଫଳତା ପାଇଛି ସେସବୁ ପରିବାରର ଶ୍ରେୟ। ଏତେ ବାଟ ଆସିବି ବୋଲି ଭାବିନଥିଲ। ଏପରିବି ଘଟଣାକ୍ରମେ ମୁଁ ଖେଳକୁ ଆସି ସଫଳ ହୋଇଛି। ଆଗକୁ ଅନେକ ବାଟ ଯିବାର ଅଛି।’’ ‘‘ପ୍ରତି ଖେଳାଳି ଭଳି ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତାକୁ ନେଇ ଯୋଜନା ଓ ପ୍ରସ୍ତୁତି କରୁଛି। ବିଶ୍ବ ପ୍ରତିଯୋଗିତା, ଏସୀୟ କ୍ରୀଡ଼ା ପରେ ନିଶ୍ଚିତ ମନରେ ଆସିବ ଅଲିମ୍ପିକ୍ସ। ଅଧିକରୁ ଅଧିକ ସଫଳତା ପାଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବା ମୋ ପ୍ରାଥମିକତା ହେବ। ମୁଁ ୫୫-୬୦ ମିଟର୍ ଥ୍ରୋ କରିବା ପରେ ଅନ୍ୟ ଆଥଲେଟମାନେ କିଭଳି ୮୦ ମିଟର୍ କରୁଛନ୍ତି ଭାବୁଥିଲି। ଏବେ ଏହି ମାର୍କକୁ ଅତିକ୍ରମ କରିଥିବାରୁ ତାହାକୁ ବଜାୟ ରଖିବା ନିଶ୍ଚିତ ଆହ୍ବାନ ଆଣିବ। ଫିଟ୍ନେସ୍କୁ ଉଚ୍ଚ ସ୍ତରରେ ନ ରଖିଲେ ସଫଳତା ମିଳିବା ସବୁବେଳେ ସମ୍ଭବ ନୁହେଁ। ଏଥି ପାଇଁ ବ୍ୟବସ୍ଥିତ ତାଲିମ ଓ ସାଧାରଣ ଜୀବନଶୈଳୀର ଆବଶ୍ୟକତା ରହିଛି। ପ୍ରତିଟି ପ୍ରତିଯୋଗିତା ପୂର୍ବର ୪/୫ ମାସ ଆମେ କଠିନ ପରିଶ୍ରମ କରି ଏଥି ପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହୋଇଥାଉ।’’
ଓଡ଼ିଶା ସରକାର ଯେଭଳି ଭାବେ ଖେଳ ଓ ଖେଳାଳିଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରୁଛନ୍ତି ଯେତେ ପ୍ରଶଂସା କଲେ ବି କମ୍ ହେବ। ସେଥି ପାଇଁ ଓଡ଼ିଶା ଖେଳାଳି ଭଲ କରୁଛନ୍ତି। ରିଲାଏନ୍ସ ଏଚ୍ପିସି ମଧ୍ୟ ଅପୂର୍ବ ସୁଯୋଗ ଆଣି ଦେଉଛି। ଭିତ୍ତିଭୂମିର ବିକାଶ ସହିତ ରାଜ୍ୟରେ ବଢ଼ିଥିବା କ୍ରୀଡ଼ା ଛାତ୍ରାବାସ ଗୁଡ଼ିକରୁ ଖେଳାଳିମାନେ ଉପକୃତ ହେଉଛନ୍ତି। ଏଥିରୁ ସେମାନେ ଅଧିକ ଫାଇଦା ନେବା ଆବଶ୍ୟକ ବୋଲି କିଶୋର କହିଛନ୍ତି।
[ad_2]