ଓଡିଶା

ଢେଙ୍କାନାଳ ଲୋକସଭା କ୍ଷେତ୍ର: ନୂଆ ଚେହେରା ଖୋଜୁଛନ୍ତି ଦଳ – bajravana

[ad_1]

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ୩ ପ୍ରମୁଖ ଦଳରେ ଦ୍ବନ୍ଦ୍ବ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ମହେଶ ସାହୁ ପ୍ରାୟ ୩୫ ହଜାର ଭୋଟ ବ୍ୟବଧାନରେ ବିଜେପିର ରୁଦ୍ର ନାରାୟଣ ପାଣିଙ୍କୁ ପରାସ୍ତ କରିଥିଲେ। ଏଥର ଏହି ଦୁଇ ପ୍ରାର୍ଥୀଙ୍କ ଭିତରେ ମୁକାବିଲା ହେବା ସମ୍ଭାବନା କମ୍‌। ଉଭୟ ଦଳ ସେମାନଙ୍କ ପ୍ରାର୍ଥୀ ବଦଳାଇବା ଚିନ୍ତାରେ। ସେହିପରି କଂଗ୍ରେସରୁ ଲଢ଼ିଥିବା କାମାକ୍ଷା ପ୍ରସାଦ ସିଂହଦେଓ(କେପି) ଆଉ ନିର୍ବାଚନ ମଇଦାନକୁ ଓହ୍ଲାଇବା ଆଶା ନାହିଁ। ତେଣୁ ୩ ପ୍ରମୁଖ ଦଳ ଏଥର ନୂଆ ପ୍ରାର୍ଥୀଙ୍କ ସହ ଢେଙ୍କାନାଳ ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା ଏକପ୍ରକାର ନିଶ୍ଚିତ।

ଢେଙ୍କାନାଳ ଜିଲ୍ଲାର ୪ଟି ଓ ଅନୁଗୁଳ ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ଢେଙ୍କାନାଳ ଲୋକସଭା ଆସନରେ ୨୦୧୯ରେ ବିଜେଡି ଓ ବିଜେପି ମଧ୍ୟ‌ରେ କଡ଼ା ମୁକାବିଲା ହୋଇଥିଲା। ପୂର୍ବତନ ସାଂସଦ ତଥାଗତ ସତପଥୀ ନ ଲଢ଼ିବାରୁ ବିଜେଡି ତତ୍କାଳୀନ ପାଳଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଟିକେଟ୍ ଦେଇଥିଲା। ବିଜେପିରୁ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଓ କଂଗ୍ରେସରୁ ଭେଟେରାନ କେ.ପି. ପ୍ରାର୍ଥୀ ହୋଇଥିଲେ। ମହେଶ ସାହୁଙ୍କୁ ସର୍ବାଧିକ ୫,୨୨,୮୮୪ ଖଣ୍ଡ ଭୋଟ ମିଳିଥିଲା। ରୁଦ୍ର ୪,୮୭,୪୭୨ ଖଣ୍ଡ ଭୋଟ ପାଇଁ କଡ଼ା ମୁକାବିଲା କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି.ଙ୍କୁ ମାତ୍ର ୮୦,୩୪୯ ଖଣ୍ଡ ଭୋଟ ମିଳିଥିଲା। ବିଜେଡି ୪୬ ପ୍ରତିଶତ ଭୋଟ ପାଇଥିଲାବେଳେ ବିଜେପି ୪୩ ପ୍ରତିଶତ ଭୋଟ ଟାଣିଥିଲା। ୨୦୧୪ ଓ ୨୦୦୯ରେ ବିଜେଡି ଏକପାଖିଆ ଏହି ଆସନରେ ବିଜୟୀ ହୋଇଥିଲା। ୨୦୧୪ରେ ବିଜେପି ଦ୍ବିତୀୟ ସ୍ଥାନରେ ଥିଲାବେଳେ ୨୦୦୯ରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ଥିଲା। ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ ବିଜେଡିର ତଥାଗତ ସତପଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସର କେ.ପି.ଙ୍କୁ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ପ୍ରଥମ ଥର ପାଇଁ ବିଜେଡି ୨୦୧୯ରେ କଡ଼ା ଫାଇଟ୍‌ ଦେଇଥିବାବେଳେ ଦଳର ଭୋଟ ହାର ବି ଉଲ୍ଲେଖନୀୟ ହାରରେ ବଢ଼ିଥିଲା। ତେଣୁ ଏହି ଆସନକୁ ବିଜେପି ଅଧିକ ଗୁରୁତ୍ବ ଦେଉଛି। ଏପରିକି କେନ୍ଦ୍ରମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କ ଏହା ଘରୋଇ ଆସନ ହୋଇଥିଲାବେଳେ ଏ ଭିତରେ ସେ ନିର୍ବାଚନମଣ୍ଡଳୀକୁ ବାରମ୍ବାର ଗସ୍ତରେ ଆସୁଛନ୍ତି। ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନେତା ଓ କର୍ମୀଙ୍କ ମନରେ ଜୋସ୍‌ ଭରୁଛନ୍ତି। ତେଣୁ ସେ ଏଠାରୁ ପ୍ରାର୍ଥୀ ହେବେ ବୋଲି ଦଳର ନେତାମାନେ କହୁଛନ୍ତି। ଗତଥର ଲଢ଼ିଥିବା ରୁଦ୍ର ନାରାୟଣ ପାଣି ଆଉ ଲଢ଼ିବେନି ବୋଲି ଇଙ୍ଗିତ ଦେବା ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀତ୍ବ ଚର୍ଚ୍ଚାକୁ ଅଧିକ ବଳ ଦେଉଛି। ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନଙ୍କ ନ‌ାମ ମଧ୍ୟ ଚର୍ଚ୍ଚାରେ ରହିଛି। ଏପଟେ ବିଜେଡି ଏଥର ସାଂସଦ ପ୍ରାର୍ଥୀଙ୍କୁ ରିପିଟ୍‌ ନ କରିବା ନେଇ ଆଲୋଚନା ହେଉଛି।

ଲୋକସଭା ଅଧୀନରେ ଥିବା ଏକାଧିକ ବିଧାୟକଙ୍କ ସହ ମହେଶଙ୍କର ଭଲ ସଂପର୍କ ନ ଥିବାରୁ ତାଙ୍କ ବଦଳରେ ନୂଆ ପ୍ରାର୍ଥୀ ଖୋଜୁଛି ଦଳ। ମହେଶଙ୍କୁ କୌଣସି ବିଧାନସଭା ଆସନର ଟିକେଟ୍‌ ଦେଇ ନୂଆ ଚେହେରା ସହ ଦଳ ଲୋକସଭା ନିର୍ବାଚନକୁ ଯାଇପାରେ। ଏଥିପାଇଁ ପ୍ରଶାସନିକ ଅଧିକାରୀ ମ‌ନୋଜ ମିଶ୍ରଙ୍କ ନାଁ ଶୁଣା ହେଉଛି। ଏପଟେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ପର୍ଜଙ୍ଗ ବିଧାୟକ ନୃସିଂହ ସାହୁ, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଏ ସମସ୍ତଙ୍କୁ ବାଦ୍‌ ‌ଦେଇ ବିଜେଡି ଏକ ନୂଆ ଚେହେରା ସାମ୍‌ନାକୁ ଆଣିପାରେ ବୋଲି କିଛି ନେତା କହୁଛନ୍ତି। କଂଗ୍ରେସର ପ୍ରାର୍ଥୀ ବଦଳିବା ମଧ୍ୟ ଥୟ। ଗତଥର ଲଢ଼ିଥିବା ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂହଦେଓ ଦୀର୍ଘଦିନ ହେଲା ସଂଗଠନ ସହ ନାହାନ୍ତି। ବୟସ ଦୃଷ୍ଟିରୁ ସେ ପୁଣି ପ୍ରାର୍ଥୀ ହେବା ସମ୍ଭାବନା କମ୍‌। ତାଙ୍କ ବଦଳରେ ପରିବାରରୁ କେହି ଜଣେ ଟିକେଟ ପାଇପାରେ। ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର ଓ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତ‌ା ବେହେରା ଲୋକସଭା ଟିକେଟ ପାଇଁ ଆଶାୟୀ ଥିବା ଜଣାପଡ଼ିଛି। ବିଜେଡି, ବିଜେପି ଓ କଂଗ୍ରେସ ବ୍ୟତୀତ ଏହି ଲୋକସଭା କ୍ଷେତ୍ରରେ ଅନ୍ୟ କୌଣସି ରାଜନୈତିକ ଦଳର ପ୍ରଭାବ ନଥିବାରୁ ଏହି ୩ ଦଳ ଉପରେ ଲୋକଙ୍କ ନଜର ରହିଛି। ପ୍ରାର୍ଥୀ ଚୟନ ନେଇ ସବୁ ଦଳରେ ଦ୍ବନ୍ଦ୍ବ ବଢ଼ୁଥିବାରୁ ଏହା ଲୋକସଭା କ୍ଷେତ୍ରକୁ ଏକପ୍ରକାର ଗୋଳିଆ କରି ରଖିଛି। ନେତା, କର୍ମୀ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲାବେଳେ ବଢ଼ୁଥିବା ରାଜନୈତିକ ଗତିବିଧି ଉପରେ ଲୋକଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button