ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି
ଭୁବନେଶ୍ବର: ଭୁବନେଶ୍ବର ଜନତା ମୈଦାନରେ ଉଦଘାଟିତ ହେଲା ଉତ୍କର୍ଷ ଓଡିଶା ୨୦୨୫ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଶିଳ୍ପପତି ନୀନ ଜିନ୍ଦଲ, ଅନୀଲ ଅଗ୍ରଓ୍ବାଲ, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, କରଣ ଆଦାନୀ ସାମିଲ ଅଛନ୍ତି । ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି । ଶିଳ୍ପ ବିକାଶ ଓଡିଶାରେ ବହୁତ ସୁଯୋଗ ରହିଛି । ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ । ଆପଣମାନଙ୍କ ସହଯୋଗରେ ଓଡ଼ିଶାର ଦିଶା ବଦଳିବ ବୋଲି କହିଛନ୍ତି । ଓଡ଼ିଶାର ଔଦ୍ୟୋଗିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ସମୃଦ୍ଧ ଓ ବିକଶିତ ହେବ। ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କନକ୍ଲେଭ୍ ର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା । ଦୁଇଦିନିଆ ଶିଳ୍ପ ମହାକୁମ୍ଭରେ ୧୬ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗଦେବେ । ମିତ୍ତଲ ଗ୍ରୁପ ଅଧ୍ୟକ୍ଷ ଏଲଏନ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ଯକ୍ଷ କୁମାର ମଙ୍ଗଳମ ବିର୍ଲା,ବେଦାନ୍ତ ଗ୍ରୁପର ଅନୀଲ ଅଗ୍ରୱାଲ, ଜିନ୍ଦଲଗ୍ରୁପର ସଜ୍ଜନ ଓ ନବୀନ ଜିନ୍ଦଲ, ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନଙ୍କ ଭଳି ଜଣାଶୁଣା ଶିଳ୍ପପତି ଏଥିରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଭିଏତନାମ ଇଟାଲୀ, ବେଲାରୁସ, ୟୁକେ ପରି ୧୬ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ । ଉତ୍କର୍ଷ କନକ୍ଲେଭରୁ ଓଡ଼ିଶାକୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି ।