ନୂଆବର୍ଷରେ ଫୁଲତୋଡା ଓ ଡାଏରୀ ଦେଇ ଅଭିନନ୍ଦନ ଜଣାଇବାକୁ ମନା କଲେ ଜିଲ୍ଲାପାଳ
ନୟାଗଡ : ଆଉ କିଛି ଦିନ ପରେ ବଦଳିଯିବ କ୍ୟାଲେଣ୍ଡର । ୨୦୨୪ ରୁ ହୋଇଯିବ ୨୦୨୫ । ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ । ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ତେବେ ଏହାରି ଭିତରେ ଏମିତି ଏକ ଖବର ଆସି ପହଁଚିଛି । ଖବରଟି ହେଲା କି, ନୂଆବର୍ଷରେ ଫୁଲ ତୋଡ଼ା ଓ ଡ଼ାଇରୀ ମନା । ହଁ ଦର୍ଶକବନ୍ଧୁ ଏଭଳି କହିଛନ୍ତି ନୟାଗଡ ଜିଲ୍ଲାପାଳ ।
ଆଗକୁ ଇଂଗ୍ରାଜି ନୂଆବର୍ଷ ଆସୁଥିବାରୁ, ଏହାକୁ ପାଳନ କରିବା ପାଇଁ ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନୂଆବର୍ଷରେ ଅନେକ ଲୋକ ଅନେକ ସଂକଳ୍ପ ନେଇଥାନ୍ତି । ଏହାରି ଭିତରେ ନୟାଗଡ ଜ଼ିଲ୍ଲାପାଳ ଏକ ନିଆରା ନିବେଦନ କରିଛନ୍ତି । ସମସ୍ତ ଅଫିସ କର୍ମଚାରୀଙ୍କୁ ତାଙ୍କୁ ଫୁଲତୋଡ଼ା କିମ୍ବା ଡ଼ାଇରୀ ଦେବାକୁ ମନା କରିଛନ୍ତି ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ । ତାହାରି ସ୍ଥାନରେ ଖାତା, ପେନ, ପେନସିଲ, ରବର ଭଳି ଛୋଟ ପିଲାଙ୍କ ପାଠପଢା ସାମଗ୍ରୀ ଦେବାକୁ ନିବେଦନ କରିଛନ୍ତି ।
ଯେତିକି ସାମଗ୍ରୀ ମିଳିବ ତାହାକୁ ଆଶ୍ରମ ସ୍କୁଲ ବା ଉପାନ୍ତ ଅଂଚଳର ଛାତ୍ର ଛାତ୍ରୀ ଙ୍କୁ ବଣ୍ଟା ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜ଼ିଲ୍ଲାପାଳ କହିଛନ୍ତି ତାଙ୍କର ୫ ବର୍ଷ ଚାକିରୀ ମଧ୍ୟରେ ନୂଆବର୍ଷରେ ଅନେକ ଫୁଲତୋଡ଼ା ଓ ଡ଼ାଇରୀ ମିଳିଛି । ତାହାର ଉପଯୋଗୀ କ୍ଷଣକ ସମୟ ପାଇଁ । ଯେଉଁ ଟଙ୍କା ଖର୍ଚ୍ଚ କରି ଫୁଲ ତୋଡ଼ା ଓ ଡ଼ାଇରୀ ଆଣୁଛନ୍ତି ତାହା ସ୍ଥାନରେ ପିଲାଙ୍କ ପଢ଼ା ସାମଗ୍ରୀ ଆଣି ଦେବାକୁ ସେ ନିବେଦନ କରିଛନ୍ତି ।
ଏପଟେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଚାନକ ସ୍କୁଲ୍ ଗ୍ରସ୍ତ କରିଥିଲେ । ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହ କମ୍ପ୍ୟୁଟର ଉପରେ ଶିକ୍ଷା ଦେଇଥିବା ଜଣାପଡିଛି । ଗତ ଶୁକ୍ରବାର ଦିନ ନୟାଗଡ ଜ଼ିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଚାନକ ଓଡଗାଁ ବ୍ଲକ ସୋଲପଟା ନୋଡାଲ ହାଇସ୍କୁଲକୁ ଯାଇଥିଲେ । ନବମ ଓ ଦଶମ ଶ୍ରେଣୀକୁ ଯାଇ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ସାଧାରଣ ଜ୍ଞାନ ବିଷୟରେ ପଚାରିବା ସହିତ, ସ୍କୁଲରେ ଶିକ୍ଷକ ଠିକ୍ ରେ ପାଠ ପଢାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।
ଜିଲ୍ଲାପାଳଙ୍କ ତତ୍ଵାବଧାନରେ ଏକ ନୂତନ କମ୍ପ୍ୟୁଟର ଶିକ୍ଷା ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଜ଼ିଲ୍ଲାରେ ୧୬ଟି ସ୍କୁଲରେ ଆରମ୍ଭ ହୋଇଛି ଏହି ପ୍ରୋଜେକ୍ଟ । କମ୍ପୁଟର ପଢିବା ଦ୍ୱାରା ପିଲାମାନେ କେତେ ଆଗ୍ରହ ପ୍ରକାଶ କରୁଛନ୍ତି ତାହା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଠାରୁ ବୁଝିଥିଲେ । ନୂଆବର୍ଷରେ ଫୁଲ ତୋଡ଼ା ଓ ଡ଼ାଇରୀ ମନା । ଜିଲ୍ଲାପାଳଙ୍କ ଏଭଳି ଏକ ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି ।