ଦେଶ ବିଦେଶ

ମିଥ୍ୟା ଅଭିଯୋଗ ଓ ଅଯଥା ଗୁଜବ ସୃଷ୍ଟି କରି ମୋ ଚରିତ୍ର ସଂହାର କରାଯାଉଛି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ଜବାବ ଦେଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ ସନ୍ଧ୍ୟା ସିନେମା ହଲରେ ଘଟିଥିବା ଦଳାଚକଟା ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ଓ ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମଧ୍ୟରେ ବିବାଦ ବଢିଛି । ଦଳାଚକଟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଅଲ୍ଲୁଙ୍କୁ ଦାୟୀ କରିଛନ୍ତି । ପୋଲିସ ମନା କରିବା ସତ୍ତ୍ବେ ଅଲ୍ଲୁ ସନ୍ଧ୍ୟା ସିନେମା ହଲ ଯାଇଥିବା ରେୱନ୍ତ ବିଧାନସଭାରେ କହିଛନ୍ତି ।

ତେବେ ଏହାକୁ ଖଣ୍ଡନ କରିଛନ୍ତି ଅଲ୍ଲୁ । ସେ କହିଛନ୍ତି, ମୋ ଚରିତ୍ର ସଂହାର କରାଯାଉଛି । ଡିସେମ୍ବର ୪ ତାରିଖ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଘଟିଥିବା ଘଟଣା ସମ୍ପୂର୍ଣ୍ଣ ଦୁର୍ଭାଗ୍ୟଜନକ । ଏହା ଏକ ଆକସ୍ମିକ ଘଟଣା । ଦଳାଚକଟାରେ ମୃତାହତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ରହିଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପିଲାର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମୁଁ ପ୍ରତି ମୂହୁର୍ତ୍ତରେ ଖବର ନେଉଛି । ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ଆଗ ଅପେକ୍ଷା ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି । ଏହି ଘଟଣାକୁ ନେଇ ଅଯଥା ଗୁଜବ ସୃଷ୍ଟି କରିବା ସହ ମିଥ୍ୟା ଅଭିଯୋଗ ଅଣାଯାଉଛି । ଏଥିପାଇଁ ମୁଁ କୌଣସି ବିଭାଗ ଏବଂ ରାଜନୀତିକ ବ୍ୟକ୍ତିଙ୍କୁ ଦୋଷ ଦେଉନାହିଁ । କିନ୍ତୁ ଘଟଣାକୁ ନେଇ ମୋ ଚରିତ୍ର ସଂହାର କରାଯାଉଛି ।

ଗତ ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନ ଓ ତାଙ୍କ ସହ ଅଭିନେତ୍ରୀ ରଶ୍ମିକାଙ୍କ ଝଲକ ଦେଖିବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ‘ସନ୍ଧ୍ୟା ଥିଏଟର’ରେ ଭିଡ଼ ଜମାଇଥିଲେ । ଦଳାଚକଟାରେ ଘଟଣାରେ ଜଣେ ୩୯ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଥିଏଟର ପରିଚାଳକଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ଡିସେମ୍ବର ୧୩ ତାରିଖରେ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା । ନିମ୍ନ ଅଦାଲତ ଅଭିନେତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ, କିନ୍ତୁ ସେହିଦିନ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button