ଓଡିଶା

ସଙ୍କଟରେ ଗଜରାଜ, ବିଭିନ୍ନ ହାତୀ କରିଡର୍ ଏରିଆରେ ଝୁଲୁଛି ବିପଦପୂର୍ଣ୍ଣ 11kv ବିଦ୍ୟୁତ ତାର

କଣ୍ଟାମାଳ: ସଙ୍କଟରେ ଗଜରାଜ । କେତେବେଳେ ଦାନ୍ତ ପାଇଁ ହାତୀ ଶିକାର ତ ଆଉ କେତେବେଳେ ବିଦ୍ୟୁତ ତାର ନେଇଯାଉଛି ଗୋଟିଏ ପରେ ଗୋଟିଏ ହାତୀର ଜୀବନ । ପ୍ରତିବର୍ଷ ହାତୀ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ବେଳେ ବେକାବୁ ହୋଇପଡିଛି ବନ ବିଭାଗ । ବିଦ୍ୟୁତ ବିଭାଗ ଓ ବନ ବିଭାଗର ସମନ୍ୱୟର ଅଭାବ ହିଁ ହାତୀ ମୃତ୍ୟୁର ମୁଖ୍ୟ କାରଣ ହୋଇଥିବା ବେଳେ ବୋୖଦ୍ଧ ଜିଲ୍ଲାର ବିଭିନ୍ନ ହାତୀ କରିଡର ଏରିଆରେ ଝୁଲୁଛି ବିପଦପୂର୍ଣ୍ଣ 11kv ବିଦ୍ୟୁତ ତାର ।

ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମନମୁଣ୍ଡା ଓ କଣ୍ଟାମାଳ ରେଞ୍ଜରେ ରହିଛି ଅନେକ ହାତୀ କରିଡର । ଯେଉଁଠାରେ କି ହାତୀପଲ ବର୍ଷ ତମାମ ରହିବା ସହ ଚଳପ୍ରଚଳ କରିଥାନ୍ତି । ଜଙ୍ଗଲରେ ଖାଦ୍ୟ ଅଭାବ ଓ ଜଙ୍ଗଲ ନଷ୍ଟ ଯୋଗୁ ହାତୀପଲ ସବୁବେଳେ ହାତୀ କରିଡର ଦେଇ ଅନ୍ୟ ସ୍ଥାନକୁ ଯିବା ଆସିବା କରୁଛନ୍ତି । ଧାନ ଖାଇବା ପାଇଁ ହାତୀପଲ ଜନବସତି ମୁହାଁ ହୋଇ ରାସ୍ତା କଡ଼କୁ ଚାଲିଆସୁଛନ୍ତି । ହେଲେ ସେମାନଙ୍କୁ ଜଣା ନାହିଁ ତାଙ୍କ ପାଇଁ ପ୍ରତିଟି ସ୍ଥାନରେ ଝୁଲୁଛି ମୃତ୍ୟୁର ଖଣ୍ଡା ।

ମନମୁଣ୍ଡା ରେଞ୍ଜର ଓ କଣ୍ଟାମାଳ ରେଞ୍ଜର ଭଳି ପ୍ରାୟ ୩୦ରୁ ଉର୍ଦ୍ଧ୍ବ କିଲୋମିଟର ଭଳି ସ୍ଥାନରେ ରହିଛି ହାତୀ କରିଡର । ଏସବୁ ସ୍ଥାନ ମାନଙ୍କରେ ଭୂମିଠାରୁ ଚାରିରୁ ପାଞ୍ଚ ଫୁଟ ଉଚ୍ଚତାରେ ବିଦ୍ୟୁତ ତାର ଯାଇଛି । କିଛି ସ୍ଥାନରେ ଏଭଳି ମଧ୍ୟ ହୋଇଛି ଯେ ଏହି ବିଦ୍ୟୁତ ତାର କେତେବେଳ ମଣିଷ ମୁଣ୍ଡରେ ବି ବାଜିବାର ଭୟ ରହୁଛି । ଏଭଳି ପରିସ୍ଥିତିରେ ପ୍ରତି ମୁହୂର୍ତ୍ତରେ ହାତୀଙ୍କ ପାଇଁ ରହିଛି ବିପଦ । ଏପଟେ ହାତୀଙ୍କ ଜୀବନ ବିପଦରେ ରହିଥିବା ବେଳେ ଉଭୟ ଜଙ୍ଗଲ ଓ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କର ଟିକିଏ ହେଲେ ବି ଦାୟିତ୍ବବୋଧ ଜଣାପଡୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଏ ଦୃଶ୍ୟ ହେଉଛି ହାତୀ କରିଡର ମାନଙ୍କର । କେଉଁଠାର ଚାରିଫୁଟ ତ କେଉଁଠାରେ ପାଞ୍ଚ ଫୁଟ ଉଚ୍ଚତାରେ ଝୁଲି ରହିଛି ବିଦ୍ୟୁତ ତାର । ଆଉ ଏସବୁ ସ୍ଥାନ ହିଁ ହାତୀ ମାନଙ୍କର ଚଲାପଥ । 11କେଭି ବିଦ୍ୟୁତ ତାର ଯିବାକୁ ହେଲେ ଏହା ଭୂମିଠାରୁ ଦଶ ମିଟର ଉଚ୍ଚତାରେ ରହିଥାଏ । ହେଲେ ଦୀର୍ଘ ବର୍ଷ ଧରି ଏହାର ମରାମତି କାମ ହେଉନଥିବାରୁ ବିଦ୍ୟୁତ ତାର ଓହଳି ରହୁଛି । ଯାହାଫଳରେ ବିଦ୍ୟୁତ ଓ ବନ ବିଭାଗର ଏଭଳି ଖାମଖିଆଲି ମନୋଭାବକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋୖଦ୍ଧ ଜିଲ୍ଲାର ପରିବେଶବିତ ।

ତୁରନ୍ତ ଏସବୁ ସ୍ଥାନ ମାନଙ୍କରେ ଦୀର୍ଘ ଉଚ୍ଚତା ସହ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ବିଗତ ଦିନରେ ବୋୖଦ୍ଧ ଜିଲ୍ଲାରେ 11kv ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ହୋଇଥିଲା । କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଗୋଟି ହାତୀଙ୍କ ମୃତ୍ୟୁ ହୋଇଥିଲା ହେଲେ ବି ବନ ବିଭାଗ କି ବିଦ୍ୟୁତ ବିଭାଗ ସଚେତନ ହୋଇ ନାହିଁ । ଏ ସମ୍ପର୍କରେ ବୋୖଦ୍ଧ ବନ ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏପଟେ ବିଦ୍ୟୁତ ବିଭାଗ ନିର୍ଵାହି ଯନ୍ତ୍ରୀଙ୍କୁ ପଚରିବାରୁ ହାତୀ କରିଡ଼ର ଅଞ୍ଚଳରେ ଆମେ ବିଦ୍ୟୁତ କାଟ କରୁଛୁ ଓ ସେସବୁ ସ୍ଥାନ ଚିହ୍ନଟ ସରିଛି । ଖୁବଶୀଘ୍ର ସର୍କିଟ ବ୍ରେକର ଲଗାଯିବା ସହ କେବୁଲ ଲଗାଇବା ବ୍ୟବସ୍ତା କରାଯିବ ବୋଲି କହିଛନ୍ତି । ତେବେ ବେଳ ଥାଉ ଥାଉ ଉଭୟ ବନ ଓ ବିଦ୍ୟୁତ ବିଭାଗ ସାବଧାନ ହେବା ଉଚିତ ନଚେତ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହୁରି ହାତୀଙ୍କ ମୃତ୍ୟୁ ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button