ଓଡିଶା

ସୁଲୋଚନାଙ୍କ ଫାର୍ମ ହାଉସ୍, ଜଣେ ଗୃହିଣୀଙ୍କ ନିଆରା ପ୍ରୟାସ ଏବେ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ

କେନ୍ଦ୍ରାପଡ଼ା: ଜଣେ ଗୃହିଣୀଙ୍କ ନିଆରା ପ୍ରୟାସ ଏବେ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । କାରଣ ସେ କେବେ ବି ଘର ଭିତରେ ସୀମିତ ହୋଇ ରହି ନାହାନ୍ତି । ଘରୁ ବାହାରକୁ ଗୋଡ଼ କାଢି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । ଦୃଢ଼ ମନୋବଳ ଓ ଇଚ୍ଛା ଶକ୍ତି ଥିଲେ ଯେ କେହି ବି ହୁଅନ୍ତୁନା କାହିଁକି ସବୁକିଛି ସମ୍ଭବ ହୋଇଥାଏ । ଏହି ଉକ୍ତିକୁ ଅକ୍ଷର ଅକ୍ଷର ସତ ପାଳନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଡଙ୍କାରି ଗାଁର ସୁଲୋଚନା ଦାଶ । ଯେ କି ନିଜସ୍ୱ ଉଦ୍ୟମରେ କରିଛନ୍ତି ଏକ ଫାର୍ମ ହାଉସ ।

ସେଥିରେ ମାଛ ଚାଷ ସହ ଦେଶ ବିଦେଶର ବିଭିନ୍ନ ଫଳଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଉ ୪/୫ ଜଣଙ୍କୁ ମଧ୍ୟ ଦେଇଛନ୍ତି ଆତ୍ମ ନିଯୁକ୍ତି । ବର୍ତ୍ତମାନ ସେ ଜଣେ ସଫଳ ଚାଷୀ ଏବଂ ବ୍ୟବସାୟୀ ମଧ୍ୟ । ଏ ହେଉଛି ତାଙ୍କ ଫାର୍ମ ହାଉସର ଦୃଶ୍ୟ । ଏଠାକୁ ଆପଣ ଥରେ ଆସିଲେ ଆଉ ଫେରିବା ପାଇଁ ଇଚ୍ଛା କରିବେ ନାହିଁ । କାରଣ ଏହାର ପରିବେଶ ଯେତିକି ମନୋରମ ସେତିକି ଆକର୍ଷଣୀୟ ମଧ୍ୟ । ଏହି ଫାର୍ମ ହାଉସ ଭିତରେ ଆପଣ ସବୁ କିଛି ପାଇବେ ।

ଦେଖୁନାହାନ୍ତି ମହିଳା ଜଣଙ୍କ ଏକ ବିରାଟ ପୋଖରୀରେ କେମିତି ମାଛଚାଷ କରିଛନ୍ତି । କେବଳ ମାଛ ଚାଷ ନୁହେଁ, ପନିପରିବା ଚାଷ କରିବା ସହ ଥାଇଲାଣ୍ଡ ବରକୋଳି, ଡ୍ରାଗନ ଫଳ ଚାଷ ମଧ୍ୟ କରିଛନ୍ତି । ଏଥିସହ କୁକୁଡ଼ା, ଛେଳି, ଏମୁ ପକ୍ଷୀ ମଧ୍ୟ ରଖିଛନ୍ତି । ଆଉ ରଙ୍ଗ ବେରଙ୍ଗର ଫୁଲ ଗଛ ମଧ୍ୟ ଲଗାଇଛନ୍ତି । ଆଉ ଏସବୁରୁ ବାର୍ଷିକ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି ସୁଲୋଚନା । ସୁଲୋଚନାଙ୍କ ସ୍ୱାମୀ ଜଣେ ସରକାରୀ କର୍ମଚାରୀ । ସେ ଛୁଟିରେ ଆସିଲେ ତାଙ୍କ ପତ୍ନୀଙ୍କ ସହ ମିଶି ଏହି ଫାର୍ମ ହାଉସରେ ତାଙ୍କୁ ସାହାଯ୍ୟ କରିଥାନ୍ତି ।

ପ୍ରଥମେ ସୁଲୋଚନା ନିଜେ ଘରେ ନ ବସି କିଛି ରୋଜଗାର କରିବା ପାଇଁ ମନ ବଳାଇ ଥିଲେ । ପରେ ଉଦ୍ୟାନ ଓ କୃଷି ବିଭାଗ ସହ ପରାମର୍ଶ ନେଇ ନିଜର ଥିବା ୪ ଏକର ଜମିରେ ଏକ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ । ମାଛ ଚାଷରୁ ବେଶ ଲାଭବାନ ହେବା ପରେ ସେ ବିଭିନ୍ନ ପ୍ରକାର ପନିପରିବା ଓ ଦେଶ ବିଦେଶର ଫଳ ଚାଷ ଆରମ୍ଭ କଲେ । ଆଉ ଏବେ ଭଲ ରୋଜଗାର କରିବା ସହ ଯାହା କିଛି ଅମଳ ହେଉଛି ସେ ବଜାର ଚାହିଦା ମଧ୍ୟ ମେଣ୍ଟାଉଛନ୍ତି ଏବଂ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ସତରେ ପରିଶ୍ରମର ଫଳ ସବୁବେଳେ ମିଠା । ଜଣେ ଯେକୌଣସୀ କାମକୁ ଯଦି ମନ ପ୍ରାଣ ଦେଇ କରିବ, ସେହି କାର୍ଯ୍ୟରେ ସେ ସଫଳତା ପାଇବାଟା ନିଶ୍ଚିତ । ସେହିଭଳି ସୁଲୋଚନାଙ୍କ ଏଭଳି ଉଦ୍ୟମ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ନିଶ୍ଚୟ ।

Related Articles

Leave a Reply

Your email address will not be published. Required fields are marked *

Back to top button