ଚଳିତ ବର୍ଷ ପ୍ରଚଣ୍ଡ ଖରାରେ ସିଝିଥିଲେ ବୌଦ୍ଧବାସୀ, ପ୍ରବଳ ବର୍ଷା ବି କରିଛି ରେକର୍ଡ – bajravana
[ad_1]
ଭୁବନେଶ୍ବର(ମହେନ୍ଦ୍ର ସାହୁ): ଚଳିତ ବର୍ଷ ଏପ୍ରିଲ-ଜୁଲାଇ ମାସରେ ବୌଦ୍ଧବାସୀ ପ୍ରଚଣ୍ଡ ଖରାରେ ସିଝିଥିଲେ। ଏପ୍ରିଲ ମାସଠାରୁ ଆରମ୍ଭ କରି ଜୁଲାଇ ୧୫ ତାରିଖ ଯାଏଁ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଭାରି କଷ୍ଟ ପାଇଥିଲେ। ଅପରପକ୍ଷେ ଚଳିଚ ବର୍ଷାଋତୁରେ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ବୌଦ୍ଧର ଲୋକେ ବର୍ଷାକୁ ଅଧିକ ଅନୁଭବ କରିଛନ୍ତି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ଜୁନ୍ ୧ ତାରିଖ ଠାରୁ ଅଗଷ୍ଟ ୧୫ (ଅଢ଼େଇ ମାସ) ମଧ୍ୟରେ ବୌଦ୍ଧରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତ ଜୁନ୍ ୧ ତାରିଖ ଠାରୁ ଅଗଷ୍ଟ ୧୫ ଯାଏଁ ରାଜ୍ୟରେ ମୋଟ୍ ୬୬୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।
ବୌଦ୍ଧ ହେଉଛି ଏକମାତ୍ର ଜିଲ୍ଲା, ଯେଉଁଠି ଚଳିତ ବର୍ଷ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ସ୍ବାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଛି। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଛି। କଳାହାଣ୍ଡି, ନବରଂଗପୁର, କୋରାପୁଟ, ରାୟଗଡ଼ା, ଗଂଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ଅଢ଼େଇ ମାସ ମଧ୍ୟରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି। ରାଜ୍ୟର ଅନ୍ୟ ୧୮ଟି ଜିଲ୍ଲା ଯଥା ମାଲକାନଗିରି, ଗଜପତି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଂଜ, ବାଲେଶ୍ବର ଓ ଭଦ୍ରକରେ ସ୍ବାଭାବିକ ବର୍ଷା ହୋଇଛି।
ବୌଦ୍ଧ ଜିଲ୍ଲାରେ ଚଳିତ ମାସ ୧ ଓ ୨ ତାରିଖରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜିଲ୍ଲାରେ ୩୯୦ମିମି ବର୍ଷା ହେବା ଯୋଗୁଁ ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ, ଖୁଣ୍ଟବନ୍ଧ, ପଦ୍ମନପୁର, ମୁଣ୍ଡାପଡା, ବ୍ରହ୍ମଣିପାଲି, ଖୁଣ୍ଟବନ୍ଧ ପଂଚାୟତରେ ବହୁ ଲୋକଙ୍କ ମାଟି ଘର ଭାଙ୍ଗି ଯାଇଥିଲା। ଅନେକ ଗ୍ରାମର ଗଳିକନ୍ଦିରେ ପାଣି ପ୍ରବାହିତ ହୋଇଥିଲା। ଯାତାୟତ ପାଇଁ ଲୋକେ ଅସୁବିଧାର ସାମ୍ନା କରିଥିଲେ। ବୌଦ୍ଧ ଜିଲ୍ଲାର ବୃହତ ପୋଖରୀ ରଜାମୁଣ୍ଡା ଲକ୍ଷ୍ମୀସାଗରରେ ପାଣି ପ୍ରବେଶ କରିବାରୁ ପୋଡାବଳସ, ଜହ୍ନାପଙ୍କ, ଲକ୍ଷ୍ମୀପ୍ରସାଦ, ଚନ୍ଦ୍ରପୁର, ତେଲିବନ୍ଧ, ଆନନ୍ଦପୁର ମୌଜାର ଚାଷଜମି ବୁଡ଼ି ଯାଇଥିଲା। ନାଳ ଗୁଡିକର ଦୁଇକଡ଼ରେ ଥିବା ଅନେକ ଚାଷ ଜମି ଜଳମଗ୍ନ ହୋଇ ରହିଥିବାବେଳେ ନଦୀ କୁଳିଆ ଗାଁ କମ୍ପରା, କଉଡ଼ିଆତୋଳା, ସାପଦୋହଲି, ଚଣ୍ଡିଗଡବାସୀ ଭୟଭୀତ ଅବସ୍ଥାରେ ଥିଲେ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲା ବିଜେପୁରରେ ସର୍ବାଧିକ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ସୋନପୁର ଜିଲ୍ଲା ବୀରମହାରାଜପୁରରେ ୪୮.୪, ଖୋର୍ଦ୍ଧାର ବାଣପୁରରରେ ୪୧, ସମ୍ବଲପୁରର ରେଢ଼ାଖୋଲରେ ୩୯, ଯାଜପୁରର ଜେନାପୁରରେ ୩୬.୪, ଅନୁଗୁଳର ବଅଁରପାଳରେ ୩୧.୮ ଓ କେନ୍ଦୁଝରର ଦଇତାରୀରେ ୩୦.୪, କଳାହାଣ୍ଡିର କେସିଙ୍ଗାରେ ୨୭.୨, ଧରମଗଡ଼ରେ ୨୫ ଝାରସୁଗୁଡ଼ାର କୋଲାବିରାରେ ୨୭, ବଲାଙ୍ଗୀରରେ ୨୬ ଓ ରାୟଗଡ଼ାର କୋଟ୍ରାଗୁଡ଼ାରେ ୨୪ ମିମି ବର୍ଷା ରେକର୍ଡ ହୋଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ଠାରୁ ଜୁନ୍ ମାସ ଯାଏଁ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଖରା ହୋଇଥିଲା। ପୂରା ଜିଲ୍ଲାବାସୀ ଖରାରେ ଅସ୍ତବ୍ୟସ୍ତ ହୋଇଯାଇଥିଲେ। ମେ’ ଓ ଜୁନ୍ ମାସରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣରେ ଜିଲ୍ଲାବାସୀ ଅଧିକ କଷ୍ଟ ପାଇଥିଲେ। ଜରୁରୀ କାମ ନଥିଲେ ଖରା ଯୋଗୁଁ ସକାଳ ୮ଟା ପରେ ଓ ସନ୍ଧ୍ୟା ୪ଟା ପୂର୍ବରୁ ଘରୁ ବାହାରକୁ ବାହାରୁ ନଥିଲେ। ଗତ ଜୁନ୍ ୧୭ ତାରିଖରେ ସୋନପୁରରେ ସର୍ବାଧିକ ୪୫.୭ ଡିଗ୍ରି ତାପମାତ୍ରା ଥିଲା ବେଳେ ବୌଦ୍ଧରେ ଏହା ୪୫.୬ ଡିଗ୍ରି ଛୁଇଁଥିଲା। ସେହିପରି ଏପ୍ରିଲ୍ ୨୯ ତାରିଖରେ ବୌଦ୍ଧରେ ତାପମାତ୍ର ୪୫ ଡିଗ୍ରି ଛୁଇଁଥିଲା।
[ad_2]