ଓଡିଶା

ଭିଜିଲାନ୍‌ସ ପଞ୍ଝାରେ କିରାଣି: ଅଫିସ୍‌ରୁ ମିଳିଲା ୧୫ଲକ୍ଷ

ଭୁବନେଶ୍ବର: ସବ୍‌ ପ୍ଲଟ୍‌ ଦଲିଲ ପ୍ରସ୍ତୁତ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ପଞ୍ଝାରେ ପଡ଼ିଛନ୍ତି ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ମହିଳା କିରାଣି ଦେବଯାନୀ କର। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି। ସେହିଭଳି ଚଢ଼ଉ ସମୟରେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ୧୫ଲକ୍ଷରୁ ଊର୍ଧ୍ବ ଟଙ୍କା ଜବତ କରାଯାଇଛି। ଏତେ ପରିମାଣର ଟଙ୍କା କାର୍ଯ୍ୟାଳୟରେ କ’ଣ ପାଇଁ ମହଜୁଦ ଥିଲା, ତାହାର ହିସାବନିକାସ ପାଇଁ ଭିଜିଲାନ୍‌ସ ଟିମ୍‌ କଟକ ଆଇଜିଆର୍‌ କାର୍ଯ୍ୟାଳୟକୁ ଚିଠି କରିଛି। ସେହିଭଳି ଦେବଯାନୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଆକଳନ କରିବାକୁ ଭିଜିଲାନ୍‌ସ ଟିମ୍‌ ବିଭିନ୍ନ ଜାଗାରେ ଚଢ଼ଉ ଚଳାଇଛି। ଦେବଯାନୀଙ୍କ ପୁରୁଣା ଭୁବନେଶ୍ବରସ୍ଥିତ ଘରେ ମଧ୍ୟ ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରିଛି।

ସବ୍‌ପ୍ଲଟ୍‌ ଦଲିଲ ପାଇଁ ନେଉଥିଲେ ୨୦ ହଜାର

ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତି ନିଜର ସବ୍‌ପ୍ଲଟ୍‌ ଦଲିଲ ପ୍ରସ୍ତୁତ କରିବା ପାଇଁ ଦେବଯାନୀଙ୍କ ସହ ଯୋଗାଯୋଗ କରିଥିଲେ। ସବ୍‌ ପ୍ଲଟ୍‌ ଦଲିଲ୍ ହୋଇପାରୁନାହିଁ ଏବଂ ଏଥିପାଇଁ ଗଳାବାଟ ଦେଇ ଯିବାକୁ ପଡ଼ିବ ବୋଲି ଦେବଯାନୀ ତାଙ୍କୁ ବୁଝାଇଥିଲେ। ଏଥିପାଇଁ ସେ ୨୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ବ୍ୟକ୍ତିଜଣଙ୍କ କିଛି ଟଙ୍କା କମ୍‌ କରିବାକୁ ଅନୁରୋଧ କରିଥିଲେ। ମାତ୍ର ୨୦ ହଜାର ଟଙ୍କାରୁ ପାହୁଲାଏ କମ୍‌ ହେଲେ କିଛି କରିପାରିବେ ନାହିଁ ବୋଲି ଦେବଯାନୀ ରୋକ୍‌ଠୋକ କହିଥିଲେ। ଦେବଯାନୀଙ୍କ କଡ଼ା କଥା ସେହି ବ୍ୟକ୍ତିଙ୍କୁ ବେଶ୍‌ ବାଧିଥିଲା। ତେଣୁ ବ୍ୟକ୍ତିଜଣଙ୍କ ଦେବଯାନୀଙ୍କୁ ପାନେ ଦେବାକୁ ଯୋଜନା କରି ଭିଜିଲାନ୍‌ସ ଟିମ୍‌ ସହ ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ବ୍ୟକ୍ତିଜଣଙ୍କ ଦେବଯାନୀଙ୍କୁ ୨୦ ହଜାର ଟଙ୍କା ଦେବେ ବୋଲି ଫୋନ୍‌ କରି ଜଣାଇଥିଲେ। ଦେବଯାନୀ ତାଙ୍କୁ ସୋମବାର ଅଫିସ୍‌ ଆସି ଟଙ୍କା ଦେବାକୁ କହିଥିଲେ। ଆଜି ସକାଳେ ବ୍ୟକ୍ତିଜଣକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯାଇ ଦେବଯାନୀଙ୍କୁ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍‌ସ ଟିମ୍‌ ତାଙ୍କୁ କାବୁ କରିଥିଲା। ତାଙ୍କଠାରୁ ଲାଞ୍ଚ ବାବଦ ୨୦ ହଜାର ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ସମୟରେ ଅଫିସ୍‌ରୁ ୧୫ଲକ୍ଷ ୮ହଜାର ୫ଶହ ଟଙ୍କା ଜବତ କରାଯାଇଛି। ଏହି ୧୫ ଲକ୍ଷ ଟଙ୍କାର ହିସାବ ଜାଣିବାକୁ ଭିଜିଲାନ୍‌ସ ଟିମ୍‌ କଟକସ୍ଥିତ ଆଇଜିଆର୍‌ କାର୍ଯ୍ୟାଳୟକୁ ଚିଠି କରିଛି ଏବଂ ଭିଜିଲାନ୍‌ସ କାର୍ଯ୍ୟାଳୟକୁ ଜଣେ ବରିଷ୍ଠ ଅଧିକାରୀ ଆସି ଜବତ ୧୫ ଲକ୍ଷ ଟଙ୍କାର ହିସାବ ଦେବାକୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button