ଆମ୍ବୁଲାନ୍ସ ଭଡ଼ା ଦେବାକୁ ପାଖରେ ନଥିଲା ପଇସା, ଭାଇର ମୃତଦେହକୁ ଟାକ୍ସିରେ ବାନ୍ଧି ଘରକୁ ଆଣିଲା ଭଉଣୀ
ଭାଇ ପାଇଁ ଭଉଣୀ କିଛି ବି କରିପାରେ । ଆଉ ଯଦି ସାନ ଭାଇ ହୋଇଥାଏ, ତେବେ ବଡ଼ ଭଉଣୀ ମା’ର କର୍ତ୍ତବ୍ୟ କରିପାରେ । ଡାକ୍ତରଖାନାରୁ ଭାଇର ମୃତଦେହ ଆମ୍ବୁଲାନ୍ସ କରି ଆଣିବା ପାଇଁ ପାଖରେ ପଇସା ନଥିଲା । ସବୁ ଆମ୍ବୁଲାନ୍ସ ଭଡ଼ା ବାବଦରେ ୧୦ ହଜାରରୁ ୧୨ ହଜାର ବୋଲି କହିଥିଲେ । ତେଣୁ ବାଧ୍ୟ ହୋଇ ଭଉଣୀ ଭାଇର ମୃତଦେହକୁ ଟାକ୍ସିର ଛାତରେ ବାନ୍ଧି ଘରକୁ ଆଣିଛି । ଉତ୍ତରାଖଣ୍ଡ ପିଥୋରାଗଢ଼ ଜିଲାରେ ଏଭଳି ଘଟଣା ଘଟିଛି ।
ପୋଲିସ ମୁତାବକ, ବେରିନାଗସ୍ଥିତ ଏକ ଗାଁରେ ରହୁଥିବା ଶିବାନୀ (୨୨) ସାନ ଭାଇ ଅଭିଷେକ (୨୦) ସହିତ ରହୁଥିଲେ । ଶୁକବ୍ରାର ଦିନ ଅଭିଷେକ କାମରୁ ଜଲଦି ଘରକୁ ଫେରିଥିଲେ । ମୁଣ୍ଡ ବିନ୍ଧା ହେଉଥିବା କଥା ସେ ଭଉଣୀ ଶିବାନୀଙ୍କୁ ଜଣାଇଲେ । ଏହାର କିଛି ସମୟ ପରେ ଘର ପାଖ ରେଳ ଧାରଣା ନିକଟରେ ଅଭିଷେକ ଅଚେତ ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଲୋକ ଭଉଣୀ ଶିବାନୀଙ୍କୁ ଏହାର ଖବର ଦେବା ପରେ ତୁରନ୍ତ ସେମାନେ ଅଭିଷେକଙ୍କୁ ମେଡିକାଲକୁ ନେଇଯାଇଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତର ଅଭିଷେକଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇ ଶନିବାର ଦିନ ହିଁ ଶିବାନୀଙ୍କୁ ଭାଇର ମୃତଦେହ ହସ୍ତାନ୍ତର କରାଯାଇଥିଲା ।
ଭାଇ ମୃତଦେହକୁ ଘରକୁ ନେବା ପାଇଁ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ କଥା ହେଲେ । କିନ୍ତୁ ସେମାନେ ଭଡ଼ା ବାବଦକୁ ୧୦ରୁ ୧୨ ହଜାର ଟଙ୍କା ଦାବି କଲେ । ପାଖରେ ଏତେ ଟଙ୍କା ନ ଥିବା କାରଣରୁ ଶିବାନୀ ତାଙ୍କ ଗାଁର ଜଣେ ଟାକ୍ସି ଡ୍ରାଇଭରକୁ ଡାକି ଗାଡ଼ି ଛାତରେ ଭାଇର ମୃତଦେହକୁ ବାନ୍ଧି ୧୯୫ କିଲୋମିଟର ଦୂର ଘରକୁ ଆଣିଥିଲେ ।
ତେବେ ଏହି ଘଟଣା ବିଷୟରେ ଚାରିଆଡ଼େ ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମାମଲାର ଯାଞ୍ଚ ଆଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।