ଓଡିଶା

ଏକାମ୍ରକାନନରେ ବଣଭୋଜିକୁ ମିଳିଲାନି ଅନୁମତି: ପର୍ଯ୍ୟଟନ ଋତୁ‌ରେ ଅସନ୍ତୁଷ୍ଟ ପର୍ଯ୍ୟଟକ

ଖଣ୍ଡଗିରି: ଏକାମ୍ରକାନନରେ ପିକ୍‌ନିକ୍‌ ପାଇଁ ବ୍ୟବସ୍ଥା କରିବାକୁ ରିଜିଓନାଲ ପ୍ଲାଣ୍ଟ ‌ରିସୋର୍ସ ସେଣ୍ଟର (ଆର୍‌ପି୍ଆର୍‌ସି) ପକ୍ଷରୁ ଯୋଜନା ହୋଇଥିଲା। ପାଖାପାଖି ୧୫ ଏକର ଜାଗା ଚିହ୍ନଟ ସହ ଜଙ୍ଗଲ ବିଭାଗ ଅନୁମତି ପାଇଁ ପ୍ରସ୍ତାବ ପଠା ଯାଇଥିଲା। ମାତ୍ର ଏହି ଅଞ୍ଚଳ ଚନ୍ଦକା-ଡମପଡା ଅଭୟାରଣ୍ୟର ଏକ ଅଂଶ ହୋଇଥିବାରୁ ଅନୁମତି ମିଳିନାହିଁ। ଭରତପୁର ସଂରକ୍ଷିତ ଜଙ୍ଗଲକୁ ଲାଗି ଏକାମ୍ର କାନନ ରହିଥିବାରୁ ସେଠାକୁ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ଆସୁଛନ୍ତି। ମୟୁର, ଠେକୁଆ, କୋକିସିଆଳି, ହରିଣ ପରି ବନ୍ୟଜନ୍ତୁ ଏଠାରେ ଚଳ ପ୍ରଚଳ କରୁଥିବାରୁ ସେମାନଙ୍କ ଉପରେ ପ୍ରଭାବ ପଡ଼ିବ। ପିକନିକ କରାଯିବା ଦ୍ୱାରା ଶବ୍ଦ ପ୍ରଦୂଷଣ ବଢ଼ିବ। ବଣଭୋଜି କରାଯିବା ଦ୍ୱାରା ଆବର୍ଜନା ଜଙ୍ଗଲ ଭିତରେ ପଡିବ, ଯାହାକି ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରିବ। ତେଣୁ ଏହି ଅଞ୍ଚଳରେ ବଣଭୋଜି ସ୍ଥଳ ନ କରିବାକୁ ଜଙ୍ଗଲ ବିଭାଗ ପରାମର୍ଶ ଦେଇଛି। ତେଣୁ ଆର୍‌ପି୍ଆର୍‌ସି କର୍ତ୍ତୃପକ୍ଷ ବଣଭୋଜି ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ଅନ୍ୟପକ୍ଷରେ ଯେଉଁ ସ୍ଥାନ ବଣଭୋଜି କରିବାକୁ ଚିହ୍ନଟ ହୋଇଥିଲା ସେଠାରେ ଥିବା ସମସ୍ତ ଗଛ କାଟି ଦିଆଯାଇଛି। ଛୋଟ ବଡ଼ ଅନାବନା ଗଛଗୁଡ଼ିକୁ ମଧ୍ୟ ନଷ୍ଟ କରାଯାଇଛି। ବନ ବିଭାଗ ଅନୁମତି ମିଳୁ ନ ଥିବାକୁ ବଣ ଭୋଜି ଯୋଜନାରୁ ଓହରି ସେଠାରେ ଗଛ ଲଗାଇବାକୁ ନିଷ୍ପତ୍ତି ହୋଇଛି। ପାଖାପାଖି ୧୫ ଏକର ପରିମିତ ଏହି ସ୍ଥାନରେ ବିଭିନ୍ନ ପ୍ରକାରର ୫,୦୦୦ ଗଛ ଲାଗିବ। ନେଚର୍‌ ଟ୍ରେଲ୍‌ ଭାବେ ସେଠାରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବ୍ୟବସ୍ଥା ରହିବ। ପ୍ରବେଶ ପାଇଁ କିଛି ଦେୟ ବି ଦେବାକୁ ପଡ଼ିବ। ସାଲିଆସାହି- ଉତ୍କଳ ହସ୍ପିଟାଲ ୨୦୦ ଫୁଟିଆ ରାସ୍ତା ପାର୍ଶ୍ବରେ ଏହାର ପ୍ରବେଶ ପଥ ଖୋଲାଯିବ। ଏହା ବହୁତ ବଡ଼ ଯୋଜନା ହୋଇଥିବାରୁ ଶେଷ ହେବାକୁ ପାଖାପାଖି ଦେଢ଼ବର୍ଷ ଲାଗିଯିବ ବୋଲି ଆର୍‌ପି୍ଆର୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେପଟେ ମୁଖ୍ୟ ପ୍ରବେଶ ପଥର ନବକଳେବର ହେଉଛି। ପର୍ଯ୍ୟଟନ ୠତୁ ପୂର୍ବରୁ ପର୍ଯ୍ୟଟକମାନଙ୍କୁ କିଛି ନିଆରା ଅନୁଭୂତି ଦେବା ଲକ୍ଷ୍ୟରେ କାମ ଆଗେଇ ଚାଲିଛି। ରାସ୍ତା ପାର୍ଶ୍ବରୁ ପାଚେରି ନିର୍ମାଣ ହେଉଛି। ପ୍ରବେଶ ପଥର ଉଚ୍ଚତା ବଢ଼ା ଯାଉଛି। ପାର୍କିଂସ୍ଥଳକୁ ବ୍ୟବସ୍ଥିତ କରିବା ସହ ଆଧୁନିକ ସୁବିଧା ସୁଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପିରାମିଡ୍‌ ହାଉସ୍‌ର ନବୀକରଣ କରାଯାଉଛି। ଜାନୁଆରି ସୁଦ୍ଧା ଏକାମ୍ର କାନନର ନବକଳେବର ହୋଇଯିବ ବୋଲି ଜଣାପଡ଼ିଛି।

ଏଥର ୫ଦିନିଆ ପୁଷ୍ପ ପ୍ରଦର୍ଶନୀ
ପ୍ରତିବର୍ଷ ହେଉଥିବା ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ୨ଦିନ ହେଉଥିବା ପୁଷ୍ପ ପ୍ରଦର୍ଶନୀ ଏଥର ୫ଦିନିଆ କରିବାକୁ ଯୋଜନା ହୋଇଛି। ଜାନୁଆରି ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଏହି ପ୍ରଦର୍ଶନୀରେ ଭଳିକି ଭଳି ଫୁଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଅଧିକ କର୍ପୋରେଟ୍‌ ସଂସ୍ଥାଙ୍କୁ ଏଥିରେ ସାମିଲ କରାଯିବ। ପାଖାପାଖି ୫୦ କର୍ପୋରେଟ୍‌ ସଂସ୍ଥା ସହ ଯୋଗାଯୋଗ ହୋଇଛି। ସହଯୋଗ କରିବାକୁ ସେମାନେ ବି ରାଜି ଅଛନ୍ତି। ତେଣୁ ପ୍ରଦର୍ଶନୀ ବ୍ୟାପକ ହେବ ବୋଲି ଆଶା ରହିଛି।

୬ ମାସ ହେଲା ପର୍ଯ୍ୟଟକଙ୍କୁ ମନା
ପର୍ଯ୍ୟଟନ ଋତୁ ଆସିଲାଣି। ପାର୍କରେ ରଙ୍ଗବେରଙ୍ଗ ଫୁଲ ସହ ଶୀତଦିନିଆ ଅପରାହ୍ନର ମଜା ଉଠାଇବାକୁ ଶହ ଶହ ପର୍ଯ୍ୟଟକ ଏକାମ୍ର କାନନ ଅଭିମୁଖେ ଆସୁଛନ୍ତି। ହେଲେ ଉନ୍ନତିମୂଳକ କାର୍ଯ୍ୟପାଇଁ ଗତ ମେ’ ୮ ତାରିଖରୁ ଏକାମ୍ର କାନନକୁ ପର୍ଯ୍ୟଟକଙ୍କ ପ୍ରବେଷ ନିଷେଧ ହୋଇଛି। ପାର୍କ ବନ୍ଦନେଇ କିଛି ସୂଚନା ନଥିବାରୁ ପ୍ରତିଦନି ନୂଆ ନୂଆ ପର୍ଯ୍ୟଟକ ଆସି ଫେରୁଛନ୍ତି। ଏହି ଋତୁରେ ଦିନକୁ ହଜାରେରୁ ଅଧିକ ପର୍ଯ୍ୟଟକ ଆସିବା କଥା‌, କିନ୍ତୁ କାହାକୁ ପ୍ରବେଶ ସୁଯୋଗ ମିଳୁନାହିଁ। ଏବେ କେବଳ ପ୍ରାତଃ ଭ୍ରମଣ ପାଇଁ ସକାଳ ସାଢ଼େ ୫ରୁ ୮ ଯାଏଁ ଖୋଲା ରହୁଛି। ପ୍ରତିଦିନ ପ୍ରାତଃଭ୍ରମଣ ପାଇଁ ମାତ୍ର ୧୦୦-୧୫୦ ଲୋକ ଆସୁଛନ୍ତି। ଗତ ୬ ମାସ ହେବ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିଛି। ଜାନୁଆରି ମାସ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଥିବାରୁ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button