ଦେଶ ବିଦେଶ

ଜାନୁଆରିରୁ ମହଙ୍ଗା ହେବ କାର୍: ୬ କମ୍ପାନିର ଆଗୁଆ ଘୋଷଣା

ନୂଆଦିଲ୍ଲୀ: ନୂଆବର୍ଷରୁ ମହଙ୍ଗା ମାଡ଼ ହେବାକୁ ଯାଉଛି। କାର୍‌ କିଣିବାକୁ ଯୋଜନା କରୁଥିବା ଲୋକମାନଙ୍କୁ ପକେଟ୍‌ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ିବ। କାରଣ ଦେଶର ପ୍ରମୁଖ କାର୍‌ ନିର୍ମାତାମାନେ ଜାନୁଆରିରୁ ଦାମ୍‌ ବଢ଼ାଇବେ। ଜାନୁଆରିରୁ କାର୍‌ ଦାମ୍ ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ମାରୁତି ସୁଜୁକି ଘୋଷଣା କରିଛି। ତେବେ କେଉଁ ମଡେଲ୍‌ର ଦାମ୍ କେତେ ବଢ଼ିବ ତାହା କମ୍ପାନି ଜଣାଇନାହିଁ। ଡିଜାୟାର, ଫ୍ରଙ୍କ୍‌ସ, ୱାଗନ୍‌ଆର୍‌ ଭଳି ଲୋକପ୍ରିୟ କାର୍‌କୁ ମାରୁତି ବିକ୍ରି କରୁଛି। ଜେଏସ୍‌ଡବ୍ଲୁ ଏମ୍‌ଜି ମୋଟର ଇଣ୍ଡିଆ ମଧ୍ୟ ଏହାର ବିଭିନ୍ନ ମଡେଲ୍‌ର ଦାମ୍‌ରେ ଜାନୁଆରିରୁ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଘୋଷଣା କରିଛି। ପୂର୍ବରୁ ଅଡି ଇଣ୍ଡିଆ ପକ୍ଷରୁ କାର୍‌ ମୂଲ୍ୟରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଥିଲା।

ଏହା ଅଡି କ୍ୟୁ୪, କ୍ୟୁ୭, ଇ-ଟ୍ରନ୍ ଜିଟି ଓ ଆର୍‌ଏସ୍‌ କ୍ୟୁ୮ ଭଳି ମଡେଲ୍‌ ବିକ୍ରି କରୁଛି। ଉତ୍ପାଦନ, ପରିବହନ ଓ ପରିଚାଳନା ଖର୍ଚ୍ଚରେ ହୋଇଥିବା ବୃଦ୍ଧି ବିଚାରକୁ ନେଇ କମ୍ପାନି ଦରବୃଦ୍ଧି ଘୋଷଣା କରିଛି। ହୁଣ୍ଡାଇ ମୋଟର ଇଣ୍ଡିଆ ମଧ୍ୟ ଜାନୁଆରିରୁ କାର୍‌ ଦାମ୍‌ରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଲାଭକୁ ପ୍ରଭାବିତ କରିବା ପରେ କମ୍ପାନି କାର୍‌ ଦାମ୍‌ ବଢ଼ାଇବା ନେଇ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସୁଦ୍ଧା ଛଅଟି କମ୍ପାନି ଜାନୁଆରିରୁ କାର୍ ଦାମ୍ ବଢ଼ାଇବା ଘୋଷଣା କରିଛନ୍ତି। ସେଥିରୁ ତିନିଟି ହେଉଛି ବିଳାସପୂର୍ଣ୍ଣ କାର୍‌ ଉତ୍ପାଦନ କରୁଥିବା କମ୍ପାନି। ମର୍ସିଡିସ୍‌-ବେଞ୍ଜ, ବିଏମ୍‌ଡବ୍ଲୁ ଓ ଅଡି ସେମାନଙ୍କ କାର୍‌କୁ ମହଙ୍ଗା କରିବେ। ତେବେ ମାରୁତି ସୁଜୁକି, ହୁଣ୍ଡାଇ, ଜେଏସ୍‌ଡବ୍ଲୁ ଏମ୍‌ଜି ମୋଟର ଇଣ୍ଡିଆର ଦରବୃଦ୍ଧି ସାଧାରଣ ବର୍ଗର ଗ୍ରାହକଙ୍କୁ ପ୍ରଭାବିତ କରିବ। ପ୍ରାୟ ସମସ୍ତ କମ୍ପାନି ଉତ୍ପାଦନରେ ବ୍ୟବହୃତ ହେଉଥିବା ଖର୍ଚ୍ଚରେ ହୋଇଥିବା ବୃଦ୍ଧିର ପ୍ରଭାବକୁ ହ୍ରାସ କରିବା ଲାଗି କାର୍‌ ଦାମ୍ ବଢ଼ାଇବା ବିକଳ୍ପ ଚୟନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button