ଓଡିଶା

‘ଗ୍ୟାଙ୍ଗ୍‌ସ ଅଫ୍ ପୁରୀ’ ସିଜନ୍‌-୨ର ଶୁଭ ମହୁରତ

ଭୁବନେଶ୍ବର: ସିଜନ୍‌-୧ର ସଫଳତା ପରେ ଓଡ଼ିଆ କ୍ରାଇମ୍‌ ଥ୍ରିଲର୍‌ ୱେବ୍‌ ସିରିଜ୍‌ ଗ୍ୟାଙ୍ଗ୍‌ସ ଅଫ୍ ପୁରୀ ସିଜନ-୨ର ଶୁଭମହୁରତ ହୋଇଛି। ଏହାର ସୁଟିଂ ଚଳିତମାସ ୧୧ରୁ ଆରମ୍ଭ ହେବ। ମାର୍ଚ୍ଚ ୨୦୨୫ ସୁଦ୍ଧା ଟେକ୍ନୋଆର୍ଟ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ବହୁ ପ୍ରତୀକ୍ଷିତ ସିକ୍ୱେଲ ଅଗ୍ରଣୀ ଓଡ଼ିଆ ଓଟିଟି ପ୍ଲାଟ୍‌ଫର୍ମ କଞ୍ଚାଲଙ୍କାରେ ପ୍ରସାରିତ ହେବ। ସିଆର୍‌ପି ଛକସ୍ଥିତ ଶ୍ରୀସଙ୍କଟମୋଚନ ହନୁମାନ ମନ୍ଦିରରେ ଆୟୋଜିତ ଉତ୍ସବରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ସୂଚନା ଦେଇଛନ୍ତି କି ସିଜିନ୍‌-୨ ଆରମ୍ଭ କରି ଆମେ ବେଶ୍ ରୋମାଞ୍ଚ ଅନୁଭବ କରୁଛୁ। ପ୍ରଥମ ସିଜିନ୍‌କୁ ଜବରଦସ୍ତ ସଫଳତା ମିଳିଥିବା ବେଳେ ଦ୍ବିତୀୟ ସିଜିନ୍‌ କାହାଣୀ, ଭିଜୁଆଲ ଓ ନାଟକକୁ ଆହୁରି ଆଗକୁ ନେବାକୁ ପ୍ରେରଣା ଦେଇଛି। ଟେକ୍ନୋଆର୍ଟ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ବର୍ଷା ପଟ୍ଟନାୟକ ମଧ୍ୟ ଏହାର ସଫଳତା କାମନା କରିଛନ୍ତି। କଞ୍ଚାଲଙ୍କା ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା କହିଛନ୍ତି ଯେ ଗ୍ୟାଙ୍ଗସ୍ ଅଫ୍ ପୁରୀ ଏହାର ଆଞ୍ଚଳିକ ସଂସ୍କୃତିର ପ୍ରାମାଣିକ ଚିତ୍ରଣ ସହିତ ଓଡ଼ିଆ ଡିଜିଟାଲ ବିଷୟବସ୍ତୁ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି। ସିଜିନ୍-୨ ଡ୍ରାମା ଓ ଷ୍ଟାର୍ ପରଫରମାନ୍ସ ସହ ଓଡ଼ିଆ ଗଳ୍ପକୁ ବିଶ୍ୱସ୍ତରରେ ପହଞ୍ଚାଇବ।

ମନ୍ଦିରରେ ସିଜିନ-୨ର ସଫଳତା ପାଇଁ ଏକ ପାରମ୍ପରିକ ପୂଜାର ଆୟୋଜନ କରାଯାଇଥିଲା। ସମସ୍ତେ ନିଜର ଉତ୍ସାହ ଓ କୃତଜ୍ଞତା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ କଞ୍ଚାଲଙ୍କା ଅଧ୍ୟକ୍ଷ ଶ୍ରୀ ପରିଜା, ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ, ପ୍ରଯୋଜିକା ଶ୍ରୀମତୀ ପଟ୍ଟନାୟକ ଓ ସିଜନ-୧ର ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ରବି ନାରାୟଣ ମିଶ୍ର, କେକେ ଓରଫ ବାବୁ ଜେନା, ଅମନ, ହର ରଥ, ଗେଡ଼ାନ୍ନା ସଂଯୋଜନା କରିଥିଲେ। ଏମାନଙ୍କ ସହ ସିଜନ-୨ରେ ଅଭିନେତା ଦୀପାନ୍ବିତ ଦାସମହାପାତ୍ର, ନିଶାନ୍ତ ମଜିଠିଆ, ସୋମା ହୋତା, ପ୍ରିୟମ୍ବଦା ଓ ମନ୍ମୟ ଦେଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ର ନିର୍ମାତା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଗ୍ୟାଙ୍ଗ୍‌ସ୍ ଅଫ୍ ପୁରୀ’ର ଏହି ସିଜିନ୍‌-୨ ପ୍ରଥମ ସିଜିନ୍‌ର କାହାଣୀକୁ ଆଗେଇ ନେଇଛି। ପ୍ରଥମ ସିଜିନ୍‌ରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ଷମତାର ସଂଘର୍ଷ, ପ୍ରତିଦ୍ୱନ୍ଦ୍ୱିତା, ସାମାଜିକ-ରାଜନୈତିକ ଦୃଶ୍ୟପଟର ପ୍ରାମାଣିକ ଚିତ୍ରଣ, ବାସ୍ତବବାଦୀ କାହାଣୀ, ଚମତ୍କାର ଅଭିନୟ ଓ ଚିତ୍ତାକର୍ଷକ ଚିତ୍ରଗ୍ରହଣ ପାଇଁ ଏହା ଦର୍ଶକ ଓ ସମାଲୋଚକଙ୍କ ପ୍ରଶଂସା ସାଉଁଟିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button