ଓଡିଶା

ବର୍ଷେ ହେବ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିନି ସ୍କୁଲ ୟୁନିଫର୍ମ, ପ୍ରକାଶ ପାଇଛି ଅସନ୍ତୋଷ

ରାଜ୍ୟ ସରକାର ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ପାଠ୍ୟ ପୁସ୍ତକ ସହିତ ମାଗଣାରେ ପୋଷାକ ଯୋଗାଇ ଆସୁଛନ୍ତି । ଯାହାଦ୍ୱାରା ସମସ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗ୍ରହଣ କରିବାରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ପ୍ରତେକ ବର୍ଷ ସରକାର ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ ପ୍ରଦାନ କରି ଆସୁଛନ୍ତି । କିନ୍ତୁ ଅସ୍ତରଙ୍ଗ ବ୍ଲକରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଆଜକୁ ପ୍ରାୟ ଏକବର୍ଷ ହେବ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଯୋଗାଣ ବନ୍ଦ ରହିଛି । ଏହା ସହିତ ସମସ୍ତ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ୨୦୨୩ ମସିହାରେ ଯୋଗାଇ ଦିଆଯାଇଥିବା ପୋଷାକକୁ ନିୟମିତ ପିନ୍ଧି ଆସୁଛନ୍ତି । କାହାର ପୋଷାକ ଚିରିଗଲାଣି ତ କିଛି ଛାତ୍ରଛାତ୍ରୀଙ୍କ ପୋଷାକରୁ ରଙ୍ଗ ଉଡିଗଲାଣି । ଯାହାକୁ ନେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ମଧ୍ୟରେ ଆସନ୍ତୋଷ ଦେଖିବାକୁ ମିଳିଛି ।

ଅସ୍ତରଙ୍ଗ ବ୍ଲକରେ ମୋଟ ୨୨ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ସେଥିରେ ନବମ ଶ୍ରେଣୀ ଏବଂ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମୋଟ ୧,୮୬୮ ରହିଛି । ସେହିପରି ସରକାରୀ ପ୍ରାଥମିକଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ସଂଖ୍ୟା ମୋଟ ୧୦୮ ଟି ରହିଥିବା ବେଳେ ସେଥିରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମୋଟ ୫,୮୮୨ ଜଣ ରହିଛନ୍ତି । ୨୦୨୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏକ ବର୍ଷ ହେବ ଅସ୍ତରଙ୍ଗ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ , ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୭,୭୫୦ ଜଣ ଛାତ୍ରଛାତ୍ରୀ ସ୍କୁଲ ୟୁନିଫର୍ମ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି ।

ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ସ୍କୁଲକୁ ପୋଷାକ ବିତରଣ ପାଇଁ ରାଜ୍ୟ ସରକାର ଟଙ୍କା ପ୍ରଦାନ କରନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ ଏହି ଟଙ୍କାରେ ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ସିଧାସଳଖ ପୋଷାକ କିଣିଥାନ୍ତି । ପୂର୍ବରୁ ପୋଷାକ ବିଭିନ୍ନ ଦୋକାନୀମାନେ ସ୍କୁଲମାନଙ୍କୁ ଯୋଗାଇ ଦେଉଥିଲା ବେଳେ ସରକାର ଏଥିରେ ପରିବର୍ତ୍ତନ କରି ନୂଆ ନିୟମ ଆଣିଛନ୍ତି । ଏହି ନୂଆ ନିୟମରେ ଟେଲରିଙ୍ଗ ୟୁନିଟ ଥିବା ମହିଳାମାନେ ସ୍କୁଲର ବରାଦ ମୁତାବକ ପୋଷାକ ତିଆରି କରି ଯୋଗାଇଦେବେ ବୋଲି ନୂଆ ନିୟମ ହୋଇଛି । ଅସ୍ତରଙ୍ଗ ବ୍ଲକରେ ପ୍ରାୟ ୯ ଗୋଟି ମହିଳା ଗୋଷ୍ଠୀ ସହିତ ଅନ୍ୟ ପୋଷାକ ଯୋଗାଣକାରି ସଂସ୍ଥା ପୋଷାକ ଯୋଗାଇବା ପାଇଁ ଆବେଦନ କରିଥିବା ବେଳେ କୌଣସି ମହିଳାଗୋଷ୍ଠୀ ଏଥିରେ ଯୋଗ୍ୟ ବିବେଚିତ ହୋଇପାରି ନାହାନ୍ତି । ଯାହାକୁ ନେଇ ପୋଷାକ ଯୋଗାଣରେ ଅଚଳାବସ୍ଥା ଦେଖାଦେଇଛି । ଅସ୍ତରଙ୍ଗ ବ୍ଲକରେ କେତେକ ମହିଳା ଗୋଷ୍ଠୀ ଲୋକଦେଖାଣିଆ ଭାବରେ କେତୋଟି ସିଲାଇ ମେସିନ ରଖି ପୋଷାକ ଯୋଗାଣ ପାଇଁ ଆବେଦନ କରିଥିବା ବେଳେ ଯାଞ୍ଚ କାରୀ ଟିମ ଯୋଗେ ସେଗୁଡିକ ବାଦ ପଡିଥିବା ଜଣାପଡ଼ିଛି । ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଛି । ବ୍ୟବସାୟିକ ଲାଭ ଉଠାଇବା ପାଇଁ ପ୍ରତିଯୋଗିତା ଚାଲିଥିବା ବେଳେ ସାଧାରଣ ଛାତ୍ରଛାତ୍ରୀ ପୋଷାକ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ରାଜ୍ୟର ଅନ୍ୟ ସବୁ ବିଦ୍ୟାଳୟମାନଙ୍କରେ ପୋଷାକ ବିତରଣ କରାଯାଇଥିବା ବେଳେ ଅସ୍ତରଙ୍ଗ ବ୍ଲକର କୌଣସି ବିଦ୍ୟାଳୟରେ ସରକାରୀ ପୋଷାକ ବଣ୍ଟନ ହୋଇପାରି ନଥିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି । ତେବେ ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାବେଳେ ପିଲାମାନେ କେଉଁ ୟୁନିଫର୍ମ ପିନ୍ଧି ଯିବେ ତାକୁ ନେଇ ଚିନ୍ତାରେ ଅଛନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button