ଦେଢ଼ ମାସରେ ଡୁବିଲା ୪୮ ଲକ୍ଷ କୋଟି: ୮୨୫୬ ପଏଣ୍ଟ ହରାଇଲା ସେନ୍ସେକ୍ସ
ମୁମ୍ବାଇ: ଚୀନ୍ ସରକାର ପ୍ରୋତ୍ସହନ ପ୍ୟାକେଜ୍ ଘୋଷଣା କରିବା ପରେ ଅସ୍ଥିର ହୋଇପଡ଼ିଥିବା ଭାରତୀୟ ଷ୍ଟକ୍ ବଜାରରେ ନିବେଶକମାନେ ବିପୁଳ କ୍ଷତି ସହିଲେଣି। ଗତ ଦେଢ଼ ମାସ ମଧ୍ୟରେ ୪୮.୫ ଲକ୍ଷ କୋଟି ଟଙ୍କା ଡୁବିଯାଇଛି। ଏହି ଅସ୍ଥିରତା ଜାରି ରହିଥିବାରୁ ନିବେଶକମାନେ ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୨୭ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଏହାର ସର୍ବୋଚ୍ଚ ସ୍ତର ୮୫,୮୩୬ ପଏଣ୍ଟରେ ପହଞ୍ଚିଥିଲା।
ସେହି ସମୟରେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୭୮.୩ ଲକ୍ଷ କୋଟି ଟଙ୍କା ଥିଲା। ଏହାର ପରବର୍ତ୍ତୀ ଦେଢ଼ ମାସ ସମୟରେ ସେନ୍ସେକ୍ସ ଦ୍ରୁତ ଗତିରେ ତଳକୁ ଖସି ନଭେମ୍ବର ୧୩ରେ ୭୭,୬୯୧ ପଏଣ୍ଟରେ ପହଞ୍ଚିଛି।
ଏହି ହ୍ରାସ ଦ୍ବାରା ନିବେଶକମାନଙ୍କ ସମ୍ପତ୍ତି ୪୮.୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୩୦.୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ନଭେମ୍ବର ୧୪ରେ ସେନ୍ସେକ୍ସ ୧୧୬ ପଏଣ୍ଟ ହ୍ରାସ ପାଇ ୮୨୫୬ ପଏଣ୍ଟରେ ବନ୍ଦ ହୋଇଛି। ସେପ୍ଟେମ୍ବର ୨୭ରୁ ନଭେମ୍ବର ୧୪ ମଧ୍ୟରେ ସେନ୍ସେକ୍ସ ୮୨୫୬ ପଏଣ୍ଟ ହରାଇସାରିଲାଣି। ଅକ୍ଟୋବର ପହିଲାରୁ ବର୍ତ୍ତମାନ ସୁଦ୍ଧା ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ମାନେ ଭାରତୀୟ ବଜାରରୁ ୧.୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ପ୍ରତ୍ୟାହାର କରିଛନ୍ତି। କିନ୍ତୁ ସେହି ସମୟରେ ଦେଶ ଭିତରର ନିବେଶକମାନେ ୧.୩ ଲକ୍ଷ କୋଟି ଟଙ୍କା ନିବେଶ କରିଥିବାରୁ ବଜାର କୌଣସି ମତେ ଭୟଙ୍କର ଭାବେ ଅସ୍ଥିର ହେବାରୁ ବର୍ତ୍ତି ଯାଇଛି।