ସମ୍ବିଧାନ ଟିପ୍ପଣୀର ଜବାବ ଦେଲେ ରାହୁଲ: ସମ୍ବିଧାନ ପଢ଼ିନଥିବାରୁ ମୋଦୀଙ୍କୁ ଏହା ଖାଲି ଦେଖାଯାଉଛି
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାମାନେ ଦେଖାଉଥିବା ସମ୍ବିଧାନରେ କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଟିପ୍ପଣୀ ଉପରେ ଆଜି ରାହୁଲ କଡ଼ା ଜବାବ ଦେଇଛନ୍ତି। ବିରୋଧୀ ଦଳ ନେତା ରାହୁଲ କହିଛନ୍ତି, ସମ୍ବିଧାନ ପ୍ରଧାନମନ୍ତ୍ରୀଙ୍କୁ ଖାଲି ଦେଖାଯାଉଛି କାରଣ ସେ ଏହାକୁ କେବେ ବି ପଢ଼ିନାହାନ୍ତି।
ମହାରାଷ୍ଟ୍ରରେ ନନ୍ଦୁରବାରରେ ଏକ ରାଲିରେ ରାହୁଲ ଆଜି ମୋଦୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ସମ୍ବିଧାନ ‘ଖାଲି’ ନୁହେଁ ବରଂ ଏହା ହଜାର ବର୍ଷର ବିଚାରଧାରା ଏବଂ ଚିନ୍ତାଧାରାକୁ ବହନ କରୁଛି।
ପୁସ୍ତକରେ କ’ଣ ଲେଖାଯାଇଛି ସେ ସଂକ୍ରାନ୍ତରେ ମୋଦୀଙ୍କର କିଛି ଧାରଣା ନାହିଁ। ସେଥିପାଇଁ ସେ ଏହାକୁ ଖାଲି କହୁଛନ୍ତି। ସେ କହୁଛନ୍ତି, ରାହୁଲ ଲାଲ୍ ପୁସ୍ତକ ଧରିଛନ୍ତି। ତେବେ ପୁସ୍ତକର ରଙ୍ଗ କ’ଣ ତାହା କିଛି ମାନେ ରଖେନା। ବରଂ ପୁସ୍ତକରେ କ’ଣ ଅଛି ତାହା ହିଁ ମାନେ ରଖେ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ବର୍ଣ୍ଣନା କରିବାକୁ ଚାହୁଛି ଯେ ଏହି ସମ୍ବିଧାନ ଖାଲି ନୁହେଁ। ଏହା ହଜାର ହଜାର ବର୍ଷର ବିଚାରଧାରାକୁ ଧାରଣ କରୁଛି।