ଦେଶ ବିଦେଶ

ପୁଞ୍ଜି ବଜାରରୁ ମାଲାମାଲ ଭାରତୀୟ ପରିବାର,୧୦ ବର୍ଷରେ ଆୟ ୧ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୨/୧୧: ଭାରତୀୟ ପରିବାର ସେମାନଙ୍କ ବାଲାନ୍ସ ସିଟ୍ର ମାତ୍ର ୩% ଇକ୍ୱିଟିରେ ନିବେଶ କରିଛନ୍ତି । ତେବେ ଆଗାମୀ ଦିନରେ ଏହା ଦୁଇ ଅଙ୍କ ପର୍ଯ୍ୟନ୍ତ ଯାଇପାରେ ବୋଲି ଏକ ରିପୋର୍ଟରେ ଅନୁମାନ କରାଯାଇଛି ।

ମୋର୍ଗାନ୍ ଷ୍ଟେନ୍ଲୀର ଅନୁମାନ ମୁତାବକ, ଗତ ୧୦ ବର୍ଷରେ ଭାରତୀୟ ପରିବାର ସେୟାର ବଜାରରୁ ୧ ଟ୍ରିଲିୟନ ଡଲାର ବା ୧ ଲକ୍ଷ କୋଟି ଡଲାର ଆୟ କରିଛନ୍ତି ।

ଗ୍ଲୋବାଲ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍ ସଂସ୍ଥା ମୋର୍ଗାନ ଷ୍ଟେନ୍ଲୀର ଅନୁମାନ, ଗତ ଦଶନ୍ଧିରେ ଭାରତୀୟ ପରିବାରଗୁଡ଼ିକ ପ୍ରାୟ ୮.୫ ଟ୍ରିଲିୟନ ଡଲାରର ସମ୍ପତ୍ତି ଯୋଡ଼ିଛନ୍ତି, ଯେଉଁଥିରୁ ପାଖାପାଖି ୧୧% ଇକ୍ୱିଟିରୁ ଆସିଛି । ଯଦି ଫାଉଣ୍ଡରଙ୍କୁ ସାମିଲ କରାଯାଏ ତେବେ ଭାରତୀୟ ପରିବାର ଏହି ଅବଧିରେ ମୋଟ ୯.୭ ଟ୍ରିଲିୟନ ଡଲାର ଆୟ କରିଛନ୍ତି । ଏହି ଆୟରେ ଇକ୍ୱିଟିର ଯୋଗଦାନ ୨୦% ବା ୨ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ମୋର୍ଗାନ ଷ୍ଟେନ୍ଲୀର ରିଦ୍ଧମ ଦେଶାଇ ଏକ ରିପୋର୍ଟରେ କହିଛନ୍ତି ଯେ, ଏବେ ବି ଭାରତୀୟ ପରିବାର ଇକ୍ୱିଟିରେ କମ୍ ନିବେଶ କରୁଛନ୍ତି । ପ୍ରତିଷ୍ଠାତାମାନଙ୍କ ଇକ୍ୱିଟି ହୋଲ୍ଡିଙ୍ଗ୍ସକୁ ଛାଡ଼ିଦେଲେ ଘରୋଇ ବାଲାନ୍ସ ସିଟ୍ର କେବଳ ୩% ଇକ୍ୱିଟିରେ ରହିଛି । ତେବେ ଆଗାମୀ ଦିନରେ ଏହା ଦୁଇ ଅଙ୍କ ପର୍ଯ୍ୟନ୍ତ ବଢ଼ିପାରେ । ଗତ ୧୦ ବର୍ଷରେ ଭାରତରେ ତାଲିକାଭୁକ୍ତ ସମସ୍ତ କମ୍ପାନିଗୁଡ଼ିକର ମାର୍କେଟ କ୍ୟାପ୍ ୨୦୧୪ ମାର୍ଚ୍ଚର ୧.୨ ଟ୍ରିଲିୟନ ଡଲାରରୁ ବଢ଼ି ୫.୪ ଟ୍ରିଲିୟନ ଡଲାର ହୋଇଛି । ଏଥିସହିତ ଭାରତ ଅନ୍ତର୍ଜାତୀୟ ସ୍ତରରେ ପଞ୍ଚମ ବୃହତ୍ ବଜାର ପାଲଟିଛି ।

ଗ୍ଲୋବାଲ ମାର୍କେଟ୍ କ୍ୟାପ୍ରେ ଭାରତର ଅଂଶ ୨୦୧୩ରେ ୧.୬%ରୁ କମ୍ ଥିଲା । ୨୦୨୪ ନଭେମ୍ବରରେ ଏହା ୪.୩%କୁ ବୃଦ୍ଧି ପାଇଛି । ଯାହାଦ୍ୱାରା ବିକାଶମୁଖୀ ବଜାରଗୁଡ଼ିକ ମଧ୍ୟରେ ଭାରତ ଦ୍ୱିତୀୟ ବୃହତ୍ ବଜାର ପାଲଟିଛି । ଦେଶାଇ କହିଛନ୍ତି ଯେ, ଭାରତୀୟ ପରିବାର ଅନ୍ୟ ଆସେଟ୍ କ୍ଲାସଗୁଡ଼ିକ ତୁଳନାରେ ଇକ୍ୱିଟିରେ କମ୍ ନିବେଶ କରୁଛନ୍ତି । ଘରୋଇ ନିବେଶକ ସେୟାର ଉପରେ ଲମ୍ବା ସମୟ ଯାଏ ନିବେଶ କରିପାରିବେ । ଘରୋଇ ବାଲାନ୍ସ ସିଟ୍ରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ଏବଂ ଏଥିପାଇଁ ଆଗାମୀ ବର୍ଷଗୁଡ଼ିକରେ ଇକ୍ୱିଟିରେ ନିବେଶ ଭାଗ ବଢ଼ିପାରେ ।

ମୋର୍ଗାନ ଷ୍ଟେନ୍ଲୀ ଅନୁସାରେ, ଘରୋଇ ବଜାରରେ ରିସ୍କ୍ପୂର୍ଣ୍ଣ ପୁଞ୍ଜିର ବର୍ଦ୍ଧିତ ପରିମାଣ ଭାରତୀୟ ଅର୍ଥବ୍ୟବସ୍ଥାକୁ ବିଶ୍ୱର ଅନ୍ୟାନ୍ୟ ସମସ୍ୟା ଯେପରି ଅସ୍ଥିର ଦରଦାମ, ଆର୍ଥିକ ପରିଣତି ଏବଂ ପୁଞ୍ଜି ପ୍ରବାହ ପ୍ରତି କମ୍ ସମ୍ବେଦନଶୀଳ କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button